Unknown

 

 

 

 

 

 

 

 

 

ବିଦ୍ରୋହ

ଗୋଦାବରୀଶ ମହାପାତ୍ର

 

-ଏକ-

 

ବାଡ଼ିପଟ ଗଙ୍ଗଶିଉଳି ଗଛରୁ ଫୁଲ ଝଡ଼ିବା ଆଗରୁ ଗଉରୀ ଶେଯରୁ ଉଠି ତା କାର୍ଯ୍ୟରେ ଲାଗିଯାଏ । ସେତେବେଳକୁ ଆକାଶର ତାରାଗହଳି କ୍ରମେ ପାତଳା ପଡ଼ି ଆସିଥାଏ । ଅନ୍ଧାର ପୂରାପୂରି ଛାଡ଼ି ନଥାଏ । ପାଖ ପଡ଼ିଶା ଘରର ଶାଶୁମାନେ ବୋହୂମାନଙ୍କ ନିଦ ଭାଙ୍ଗିବା ପାଇଁ ବେଳେ ବେଳେ ଚିତ୍‌କାର କରି ଉଠୁଥାନ୍ତି । ଦିଣ୍ଡପିଣ୍ଡାମାନଙ୍କରେ କାହିଁ କେଉଁଠି ବୁଦ୍ଧି କଣ୍ଠର ‘ହରି’ ‘ହରି’, ‘ନାରାୟଣ’ ‘ନାରାୟଣ’ ଶବ୍ଦ ଉଠି ଶାନ୍ତ ସ୍ନିଗ୍ଧ ଗମ୍ଭୀର ପଲ୍ଲୀ ଆକାଶକୁ ମୁଖରିତ କରୁଥାଏ । ବସାଫେରନ୍ତା ବାଦୁଡ଼ି ପକ୍ଷୀ ଅଗଣାର ଖୁବ୍ ଉଚ୍ଚରେ ଉଡ଼ି ଉଡ଼ି ଯିବାର ଜଣା ଯାଉଥାଏ । କେତେବେଳେ ବା ଗୋଟେ ଦି’ଟା ପକ୍ଷୀ ଗଉରା ଘର ଅଗଣାର ପିଜୁଳି ଗଛରେ ବସିବାକୁ ଯାଇ ଭୁଲରେ ପାଖ ଗଙ୍ଗଶିଉଳି ଗଛରେ ବସିପଡ଼ନ୍ତି । ଚାହୁଁ ଚାହୁଁ ମେଘ ନଥିବା ଅମାବାସ୍ୟା । ଆକାଶର ଫୁଟନ୍ତା ତାରାଗହଳି ପରି ଗଛମୂଳଟା ଫୁଟି ଉଠେ । ଝର ଝର, ସର ସର ହୋଇ କେତେ ଯେ ଫୁଲ ଝଡ଼ି ପଡ଼େ, ତାର ଖାପମାପ ରହେ ନାହିଁ । ଗଉରୀ ସେତେବେଳେ ସେହି ଗଛମୂଳେ ଠିଆ ହୋଇ ସେହି ଜାଲଜାଲୁଆ ଅନ୍ଧାର ଭିତରେ ସବୁ ଦେଖୁଥାଏ ଦେଖି ଦେଖି ମନେ ମନେ ଭାବୁଥାଏ–

 

‘‘ଆହା, କିଏ ଯେବେ ହଲେଇ ନ ଥାନ୍ତେ ଫୁଲ ସବୁ ଇମିତି ଏଣେ ତେଣେ ନ ଥାନ୍ତା ପରା ! ସଫା ସକାଳେ ହୋଇ ଆଲୁଅ ହୋଇଥିଲେ ଗଛଟି କେଡ଼େ ସୁନ୍ଦର ଦିଶି ନଥାନ୍ତା ! ଦେଖି ଦେଖି ମନ ପୁରି ଯାଇଥାନ୍ତା ପରା ! କେଡ଼େ ଦୁଷ୍ଟି ଏ ପକ୍ଷୀଗୁଡ଼ାକ !’’

 

ଗଉରୀ ଏହିପରି କେତେ କଥା ଭାବି ଭାବି ଆପଣା ଦେହରେ ହାତ ବୁଲାଇଦିଏ । ସେତେବେଳେ ତା ଲୁଗା ପଟା ତାକୁ ଭାର ବୋଧହୁଏ । ତାର ବୁକୁ ଭିତରଟା କଣ ହୋଇଯାଏ, ସେ ଜାଣିପାରେ ନାହିଁ । ଆଲୁଅ ହୋଇ ଆସୁଥିବା ସଂସାରଟା ଅନ୍ଧାର ହୋଇ ଆସିଲା ପରି ତାକୁ ଜଣାପଡ଼େ । ତା ଗୋଡ଼ତଳ ପୃଥିବୀଟା ଖାଲି ଘିରି ଘିରି ହୋଇ ବୁଲେ । ଝଡ଼ ପଡ଼ିଥିବା ଫୁଲ ତା ଆଖିକୁ ଆଉ ଫୁଲ ପରି ଦିଶେ ନାହିଁ । ସେ ଫୁଲ ସତେ ଅଦା କେଉଁ ସ୍ୱର୍ଗ ଅପ୍‌ସରୀର ମଣିମାଣିକା ଅଳଙ୍କାରପତ୍ର ଅକାଳରେ କାହା ଦେହରୁ ତାହା ଖସି ପଡ଼ି ଧୂଳି ମାଟିରେ ଗଡ଼ୁଛି ପରା ! ସେ କାନ୍ଦିବାକୁ ଚେଷ୍ଟା କରେ ନାହିଁ; ମାତ୍ର କୋଜିଣି କାହିଁକି ଆଖି ତାର ଲୁହ ଛଳଛଳ ହୋଇଯାଏ । ସବୁ ତାକୁ ଶୂନ୍ୟ... ଶୂନ୍ୟ... ମହାଶୂନ୍ୟ ଜଣାପଡ଼େ । କଥା କହିବାକୁ ମନ ହୁଏ; ମାତ୍ର ଭିତରେ ଭିତରେ କିଏ ମନା କରେ... ‘ନା, ନା, କହିଲେ ଶୁଣିବ କିଏ ?’

 

ପ୍ରତିଦିନ ରାତି ନ ପାହୁଁ ସଂସାରର ବାଡ଼ ବଗିଚାରୁ ଏହିପରି କେତେ ଯେ ଫୁଲ ଝଡ଼ି ପଡ଼ୁଛି, ତାର କଣ ଠିକଣା ଅଛି ? ଫୁଲ ଫୁଟୁଛି, ଫୁଲ ଝଡ଼ୁଛି, ତାହା ଦେଖି ଲୋକେ ଆନନ୍ଦ ଅନୁଭବ କରୁଛନ୍ତି । ସଂସାରରେ ଏହିପରି କେତେ କଥା ଘଟୁଛି, ଯାହାର ସୃଷ୍ଟି ଏବଂ ପ୍ରଳୟରେ ଲୋକଙ୍କର କିଛି ଯାଏ ଆସେ ନାହିଁ । ପ୍ରଳୟ ତ ମଙ୍ଗଳ ପାଇଁ, ପ୍ରଳୟତ ସୃଷ୍ଟି ପାଇଁ । ପ୍ରଳୟ ପଛେ ପଛେ ଯେବେ ସୁନ୍ଦର ସୃଷ୍ଟିର ମଧୁର ଆଶା ନ ଥାନ୍ତା, ଏ ପିଣ୍ଡରେ ପ୍ରାଣ ରହିପାରନ୍ତା କି ? ଫୁଲ ଝଡ଼ିବା ପଛେ ପଛେ ପୁଣି ଯେ ନୂଆଫୁଲ ଫୁଟି ଉଠେ, ଏ କଥା ନ ଜାଣେ କିଏ ? ପ୍ରଳୟ ଭିତରେ ଏହିପରି କିଛି ନା କିଛି ମଙ୍ଗଳର ଚିହ୍ନ ଦେଖି ବୋଧହୁଏ ପ୍ରଳୟ ଦେବତା ମହାଦେବଙ୍କୁ ଜଗତ୍ ଶିବ ବା ମଙ୍ଗଳ ନାମରେ ପୂଜା କରେ ।

 

ମାତ୍ର ଏଠି ଯେଉଁ ପ୍ରଳୟ କଥା କୁହାଯାଉଛି, ଏଥିରେ ଆନନ୍ଦର କିଛି ହେଲେ ସମ୍ପର୍କ ନାହିଁ । ଏ ପ୍ରଳୟକୁ କୌଣସି ମହାଦେବଙ୍କ ମଙ୍ଗଳମୟ ପ୍ରଳୟ ବୋଲି କହି ହେବ ନାହିଁ । ଏ ହେଉଛି ମନୁଷ୍ୟର ମନଗଢ଼ା ପ୍ରଳୟ, ଶାସ୍ତ୍ରର ହାତଗଢ଼ା ନିଷ୍ଠୁର ଖେଳ ! ଏଠି ନିୟତି ନାହିଁ କି ଭାଗ୍ୟ ନାହିଁ । ଏଠି ଗଉରା ପରି କମନୀୟ କୁସୁମଟିଏ ସମାଜ-ବଗିଚାରୁ ଝଡ଼ିପଡ଼ିଛି । ତାକୁ ଦେଖି କେହି ହେଲେ ଆନନ୍ଦ ଅନୁଭବ କରୁ ନାହିଁ । ସେ ଫୁଲ ଆଉ ଦେବତା ଶିରର ଯୋଗ୍ୟ ନୁହେଁ ! ତାକୁ ଯେ ଥରେ ଦେଖୁଛି, ଆଖି ଛଳ ଛଳ କରି ଦେଉଛି କିମ୍ବା ବିସ୍ମୟରେ କଣ କେତେ କଥା ଭାବି ଭାବି ତୁନି ହୋଇ ରହୁଛି ।

 

ଗଉରୀ ବାଳବିଧବା !

 

ଗଙ୍ଗଶିଉଳି ଗଛମୂଳେ ଠିଆ ହୋଇ ସେ ଆପଣା ଦେହରେ ଆପେ ହାତ ବୁଲାଇ ବୁଲାଇ ଭାବେ-ଝଡ଼ିପଡ଼ିଲା ! ଏଇ ଗଙ୍ଗଶିଉଳି ଫୁଲ ପରି ସବୁ ମୋର ଅଳଙ୍କାର ପତ୍ର ଝଡ଼ିପଡ଼ିଲା-! ଫୁଲ ଝଡ଼ିବା ବେଳ ହେଲେ ଫୁଲ ଝଡ଼େ, ମାତ୍ର ମୋର ଏ.... ଆହା ! କିମିତି ଲୋକଙ୍କର ହାତ ଯାଏ-ଗୋଟି ଗୋଟି କରି ସବୁ ଅଳଙ୍କାରପତ୍ର କାଢ଼ି ପକାନ୍ତି ! ସତେ କଣ ତାଙ୍କ ମନସବୁ ପଥରରେ ଗଢ଼ା ! ସତେ କଣ ତାଙ୍କ ଘରେ କେହି କିଛି ଅଳଙ୍କାରପତ୍ର ପିନ୍ଧନ୍ତି ନାହିଁ। କିଏ କଣ ତାଙ୍କ ଘରେ ହସନ୍ତି ନାହିଁ, ହସି ହସି ପରକୁ ହସାନ୍ତି ନାହିଁ ? ଏଇ ଗଙ୍ଗଶିଉଳି ଫୁଲ ପରି ମୁଁ ଏବେ ଝଡ଼ିପଡ଼ିଛି। ମାତ୍ର ଏହାରି ପରି ତ ହସି ହସି ମରି ପାରୁ ନାହିଁ ! ଆହା, ଫୁଲ କେଡ଼େ ଆନନ୍ଦରେ ହସୁଛି । ସତେ ଅବା ସେ କହି ଯାଉଛି-ଯାଉଛି ମୋ, ଯାଉଛି । କାଲି ସକାଳୁ ପୁଣି ଇମିତି ଆସିବି, ଇମିତି ହସିବି, ଇମିତି ହସେଇବି ! ଏ ଗଉରୀ କି ଆଉ ହସିବ ? ଆଉ କି ଏ ହସି ହସି ଆସିବ ? ହସିବାକୁ କି ୟା ପାଇଁ ସଂସାରରେ ଆଉ ଥାନା ଅଛି ? କାହା ପାଇଁ ହସିବ ? ହସି ହସି ବା ଯିବ କୁଆଡ଼େ ? ୟାର ତ ରାତି ସବୁବେଳେ, ୟାର ଦିନ କାହିଁ ?

 

ଲୋକେ ଗଉରୀ ଦେହରୁ ଅଳଙ୍କାରପତ୍ର ତ କାଢ଼ି ନେଲେ, କାନ୍ଦିଲେ କିଆଁ ? ଗଉରୀକି ବିଧବା କଲାବେଳେ, ଦଶ ବରଷର ଅବୋଧ ବାଳିକାକୁ ଶ୍ରୀହୀନ କଲାବେଳେ ସମସ୍ତେ ‘ଆହା’ ‘ଆହା’ ବୋଲି କହିଲେ ବା କାହିଁକି ? ସତେ କଣ ଲୋକଙ୍କ ମନକୁ ଏତେ ବାଧିଲା ? ସତେ କଣ ବାଳିକା ଗଉରୀର ଦୁଃଖଟା ଏତେ ଟାଣ, ଏତେ ନିଷ୍ଠୁର ? କାହିଁ କେଉଁ ଅଜ୍ଞାତ ପଲ୍ଲିବାସିନୀ ବାଳିକାର ଦୁଃଖ କି ପରୁଷର କଠୋର ପ୍ରାଣକୁ ଭେଦିପାରେ .... !

 

ଦିନେ ଗଉରୀ ଗଛମୂଳେ ଏକାପରି ଠିଆ ହୋଇଛି, ତାର ସେହି ସବୁ ଚାରି ବରଷ ତଳର କଥା ଗୋଟି ଗୋଟି ହୋଇ ମନେ ପଡ଼ିଗଲା । ସତେ ଅବା ସେ ସ୍ୱପ୍ନ ଦେଖିଲା-ଓହୋ, ସେ ଦିନ ରାତି ବରଷା ରାତି; ମେଘ ଗରଜୁଛି, ବିଜୁଳି ମାରୁଛି, ବାଡ଼ିପଟ ବିଲମାଳର ପାଣିସୁଅ କଳକଳ ଖଳଖଳ ହୋଇ ସେହି ଅନ୍ଧାର ରାଜ୍ୟ ଭିତରେ ବାଟ ଖୋଜି ଖୋଜି କେଉଁ ଅଜଣା ଅଚିହ୍ନା ଦେଶକୁ ବହିଯାଉଛି ! ଗାଁଗଣ୍ଡା, ଘରଦ୍ୱାର, ଗଛପତ୍ର ସେହି ଅନ୍ଧକାର ଭିତରେ ଲୁଚି ରହିଛନ୍ତି । କେଉଁ ନିସ୍ତବ୍ଧ ବୁଦା କୋଳରେ ବସି କୁମ୍ଭାଟୁଆ କାହାକୁ ଘନ ଘନ ଭାବରେ ସତର୍କ କରାଉଛି । ତେଣେ ଘଣ୍ଟଶିଳାର କଳା ଅଙ୍ଗରେ ବିଜୁଳି ବେଳେବେଳେ ରୂପାର ଆଲୋକଧାରା ଢାଳି ଦେଇ କୁଆଡ଼େ ଲୁଚି ଯାଉଛି । ତା ପଛେ ପଛେ ଆସୁଛି ବଜ୍ର.... ସତେ ଅବା ପୃଥିବୀଟା ଫାଟିଯିବ !

 

ଏତିକି ବେଳେ ଗଉରୀ ଚମକି ପଡ଼ିଲା । ଆକାଶର ବଜ୍ରଟା ତା ବୁକୁରେ ପଡ଼ିଗଲା କି-? କ୍ଷଣିକେ ତାର ସକଳ ସୁଖସ୍ୱପ୍ନ ଚୁରି ହୋଇଗଲା କି ? ଆଉ ସେ କିଛି ଭାବିପାରିଲା ନାହିଁ । କୁଆଟାଏ ଚାଳରେ ବସିପଡ଼ି ‘କାଆ’ ‘କାଆ’ ରାଗ ଦେଇ ତା ଆଗରେ କୁଆଡ଼େ ଉଡ଼ିଗଲା । ସେ ନିଦ ଭାଙ୍ଗିଲା ପରି ଚାହିଁଲା- ସଂସାରଟା ସଫା ଆଲୁଅ ହୋଇଯାଇଛି,ସେ ଫୁଟୁଥିଲା, ତାକୁ କିଏ ତୋଳି ଦେଇଛି; ସେ ଖେଳୁଥିଲା, ତା ଖେଳଘର କିଏ ଭାଙ୍ଗି ଦେଇଛି । ସେ ହସି ହସି ଆସୁଥିଲା, ତା ଆଖିରେ କିଏ ଲୁହଧାର ବୁହାଇ ଦେଇଛି ! ଏସବୁ କଥା ସେ ନ ଭାବି ରହିପାରନ୍ତା କିପରି ?

 

ଗୋଟାଏ ଦୀର୍ଘ ନିଶ୍ୱାସ ଛାଡ଼ି ଆପଣା ବୁକୁକୁ ସେ ଆପଣା ହାତରେ ଜାକି ଧରି କହି ମୁକାଇଲା-‘‘ଆହା, ମୋ ବୋଉ ଲୋ !’’

•••

 

-ଦୁଇ-

 

ଦିନେ ଗାଁ ଲୋକେ ରାଧାନାଥଙ୍କୁ ପାଗଳ ବୋଲି ମନେ କରୁଥିଲେ । କିନ୍ତୁ ପ୍ରକୃତରେ ସେ ପାଗଳ ହେଲେ ନାହିଁ। ପାଗଳ ହେବା ପାଇଁ ତାଙ୍କର ଅନେକ କାରଣ ଥିଲା । ଆତ୍ମହତ୍ୟା କର ସଂସାର ଦୁଃଖରୁ ମୁକ୍ତି ପାଇବା ଲାଗି ସେ କେତେ ଥର କେତେ ଚେଷ୍ଟା କରିଥିଲେ । ଡ଼ୋର କଉପୁନି ପିନ୍ଧି କାଶୀ, କପିଳାସ, ପୁରୀରେ ବସା ବନ୍ଧା ରହିବାକୁ କେତେ ଦିନକେତେ କଳ୍ପନା ମଧ୍ୟ କରିଥିଲେ । ଏତେ ଭାବି, ଏତେ କଳ୍ପନା କରି ମଧ୍ୟ ଘଟଣାଚକ୍ରରେ ପଡ଼ି ସେ ପାଗଳ ହେଲେ ନାହିଁ, ଆତ୍ମହତ୍ୟା କଲେ ନାହିଁ, କି ଗାଁ ଛାଡ଼ି ସନ୍ୟାସୀ ହୋଇ କାଶୀ, କପିଳାସ, ପୁରୀ ଯାଇ ପାରିଲେ ନାହିଁ । ଜୀବନରେ ଦୁଃଖ ବିପଦ ଟିକିଏ ଦେହ-ସହଣିଆ ହୋଇ ଆସିଲେ ମନୁଷ୍ୟ ସୁବବେଳେ ସବୁ କାଳରେ ଏହିପରି ଅବସ୍ଥାକୁ ଆସିଥାଏ ।

 

ଜୀବନର ଠିକ୍ ସନ୍ଧ୍ୟା ପୂର୍ବରୁ ରାଧାନାଥଙ୍କୁ ଯେ ସଂସାର ସମୁଦ୍ରାରେ କୂଳଥଳ ନ ପାଇ ଘାଣ୍ଟି ହେବାକୁ ପଡ଼ିବ, ଏକଥା ସେ କେବେ ହେଲେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ନ ଥିଲେ । ତାଙ୍କର ବହୁ ବର୍ଷର ପୂରୁଣା ସୁଖମୟ ସଂସାରଟା ଦିନେ ଏପରି ଭାବରେ ଯେ ଦୁଃଖମୟ ହୋଇ ଉଠିବ, ଏ ଧାରଣା ତାଙ୍କର ଆଦୌ ନ ଥିଲା । ପାରିବାରିକ ସୁଖ ଶାନ୍ତି ଭିତରେ ଏପରି ଯେ ନୂଆର ଭଟ୍ଟା ହୁଏ, ଏ ଚିନ୍ତା କେବେହେଲେ ତାଙ୍କ ମନକୁ ଘାରି ନଥିଲା । ଦେଖୁ ଦେଖୁ ହଠାତ୍ ତାଙ୍କ ମୁଣ୍ଡ ଉପରେ ଆସି ବଜ୍ର ପଡ଼ିଲା । ଆଖି ମିଟିକାକେ ଜୀବନର ସକଳ ସୁଖ ଶାନ୍ତି, ହାସ୍ୟ କୌତୁକ, ସ୍ନେହ ମମତା, ପ୍ରୀତି ସୋହାଗ କୁଆଡ଼େ ଶେଷ ହୋଇଗଲା । ଏତେ ହେଲା ସତ, ତଥାପି ସେ ଜୀଇ ରହିଲେ !

 

ଅଶିଣ ମାସର ଅନ୍ଧାର ମାଡ଼ି ଆସୁଛି, ଅନନ୍ତ ଅସୀମ ଆକାଶ-ପଥରେ ଗୋଟି ଗୋଟି ତାରା କ୍ଷଣକୁ କ୍ଷଣ ମୁହଁ ଦେଖାଇ ରାତି ଭିତରେ ସଂସାରର ବିଚିତ୍ର ରହସ୍ୟ ଦେଖିବାକୁ ଚେଷ୍ଟା କରୁଛନ୍ତି.... ଏହିପରି ସମୟରେ ରାଧାନାଥ ଦାଣ୍ଡ ପିଣ୍ଡାରେ ବସି ଧ୍ୟାନମଗ୍ନ । ସେତେବେଳକୁ ପାଈଗୋରୁ ଗୋଠରୁ ବାହୁଡ଼ି ଘରେ ଘରେ ପଶି ସାରିଲେଣି, ଜହ୍ନିଫୁଲ ଫୁଟି ଅନ୍ଧାର ସହିତ ମିଶି କୁଆଡ଼େ ଲୁଚିଗଲାଣି, କୁଆଗୁଡ଼ାକ ପାଖ ନଡ଼ିଆ ଗଛ ଗହଳିରେ ରହି ଭୟଙ୍କର କୋଳାହଳ ଆରମ୍ଭ କରି ଦେଲେଣି । ରାଧାନାଥ ଏ ସବୁ ବାହାର କଥା ନ ଦେଖିଲା ପରି, ନ ଶୁଣିଲା ପରି ଖଣ୍ଡେ ମାତ୍ର କରିଆ ଗାମୁଛା ପିନ୍ଧି, ଆଉ ଖଣ୍ଡେ ଅଣ୍ଟାକୁ ଆଣ୍ଠୁକୁ ବାନ୍ଧିଦେଇ ଖମ୍ବକୁ ଆଉଜି ବସିଛନ୍ତି । ଦେହର ଆଦୌ ହଲଚଲ ନାହିଁ । ସତେ ଅବା କାଠ ଖମ୍ବ ସଙ୍ଗେ ସେ ଆଉ ଏକ ନିର୍ଜୀବଖମ୍ବ ହୋଇ ରହିଛନ୍ତି ! ଏହିପରି ଭାବରେ ବସି ସେହି ଅନ୍ଧାର ରାଜ୍ୟ ଭିତରେ ଆଖି ବୁଜି ଦେଇ ସେ ଆହୁରି ଗଭୀର ଅନ୍ଧାର ଭିତରେ ମନ ଖେଳାଉଛନ୍ତି ।

 

ରାଧାନାଥଙ୍କ ପରିଣତ ବୟସର ଚିନ୍ତାକୁଳ ହୃଦୟ ଭିତରେ ଥରକୁ ଥର, ସ୍ତରକୁ ସ୍ତର କେତେ କଣ ଚିତ୍ର ଖେଳିଯାଉଛି । କେତେ କେତେ ରହସ୍ୟର ଭୀମକାନ୍ତ ଛବି ମନ-ମୁକୁରରେ ଫୁଟି ଉଠୁଛି ! କେତେବେଳେ ତାଙ୍କ ଜୀବନ-ଉପବନରେ ବସନ୍ତ ପବନ ବହୁଛି, କେତେବେଳେ ବା ବୈଶାଖ ମାସର ଉତ୍ତପ୍ତ ଝାଞ୍ଜି ପବନ ବହି ସବୁ କଳ୍ପନା ଜଳ୍ପନା, ସୁଖ ଶାନ୍ତି ପୋଡ଼ି ଜାଳି ଶେଷ କରି ଦେଇଛି ! ମନ ଭିତରର ସବୁ କଥା ସେ ଏକାବେଳକେ ବିଚାରି ପାରୁ ନାହାନ୍ତି । ତାଙ୍କ ହୃଦୟ-ରଙ୍ଗଭୂମିରେ ଅନେକ ଦିନ ତଳର କଥା ଖେଳି ଯାଉଛି । କେତେ ଦିନ କେତେ ରାତି ତଳେ, କେତେ ମାସ କେତେ ବର୍ଷ ପୂର୍ବେ, ସତ ଅବା ପୂର୍ବ ଜନ୍ମର କେଉଁ ଅର୍ଦ୍ଧବିସତ ଆରକ୍ତ ଉଷାଲୋକ ଭିତରେ, କେଉଁ ବିଜନ ନଦୀ କୁଳରେ ମାଧବୀ କୁଞ୍ଜ ତଳେ ତାଙ୍କ ଜୀବନର ପ୍ରଥମ ରହସ୍ୟ ପ୍ରଥମେ ବିଶ୍ୱମୟ ଫିଟି ପଡ଼ିଥିଲା !! ଆହା, ସେ ଦିନ ହେଉଛି ବସନ୍ତ ପଞ୍ଚମୀ, ଗାଁରେ ଆନନ୍ଦ ଉତ୍ସବ କଥା କହିଲେ ନ ସରେ । ଏହି ମଧୁ ଉତ୍ସବ ସଙ୍ଗେ ସଙ୍ଗେ ବିବାହ ଉତ୍ସବର ବାଦ ନାଦ ମଧୁପୁରର ଜଳ ସ୍ଥଳ ଆକାଶକୁ ଚମକାଇ ଦେଲା । ଗୋରା ମଚ ମଚ ଅଠର ବରଷର ବାଳକଟିଏ କିଏ ହୃଦୟ ଭିତରେ କେଉଁ କଳ୍ପଲୋକର କଳ୍ପନାତୀତ ମୋହିନୀ ମୂର୍ତ୍ତିର ପରିଚୟ ପାଇ ପାଲିଙ୍କି ଭିତରେ ଯାଇ ବସିଲା । ପାଲିଙ୍କି ବୁହାହେଲା, ଉତ୍ସବ ଚାଲିଲା । କେତେ ଦୂରରେ, ଆଉ ଏକ ଗାଁ ଭିତରେ ଏହି ଉତ୍ସବ ପୁଣି ଘନେଇ ଉଠିଲା । ବାଦ୍ୟ କୋଳାହଳ ହୁଳହୁଳି ଭିତରେ କେଉଁ ଅପରିଚିତ ବୃଦ୍ଧ ସେହି ବାଳକଟିର ହାତ ଧରି ପାଲିଙ୍କି ଭିତରୁ ବାହାରକୁ ନେଇଗଲେ । ବେଦୀରେ ବେଦମନ୍ତ୍ର ଉଚ୍ଚାରଣ କରାଗଲା । ହୋମ ସୌରଭରେ ପୃଥିବୀ ସୁବାସିତ ହୋଇ ଉଠିଲା । ଗୋଟିଏ ଲାବଣ୍ୟ ପ୍ରତିମାର ହାତ ସଙ୍ଗେ ସେହି ବାଳକଟିର ହାତଟିକୁ ଛନ୍ଦି ଦିଆଗଲା । ଆହା, ସେତେବେଳର ସେହି ବିଚିତ୍ର ଦୃଶ୍ୟ କି ଅନୁଭବୀ କିଏ ଭୁଲିପାରିବ ?

 

କପାଳକୁ କୁଞ୍ଚିତ କରି ସେହି ଅନ୍ଧାର ରାଜ୍ୟ ଭିତରେ ରାଧାନାଥ ସେହି ସୁଖମୟ, ରସମୟ ଅତୀତ ରାଜ୍ୟ ଭିତରକୁ ପୁଣି ଆଖଇ ଫେରାଇଲେ । ଦେଖିଲେ ତାହା ଦୀର୍ଘ ତିରିଶି ବର୍ଷ ତଳର କଥା । ତଥାପି ସେହି ତିରିଶି ବର୍ଷ ତଳର ପୁରୁଣା କଥାଟା ଏତେ ଦିନ ପରେ କାଲିର ଜୀବନ୍ତ ସରସ କଥା ପରି ଜଣା ପଡ଼ୁଛି । ତା ପରେ, ତା ପରେ ଦେଖିଲେ କେତେ କଳ୍ପନା ଜଳ୍ପନା, କେତେ ଆଶା କାମନା ପରେ କେତେ ଦିନ କଟିଗଲା । ତା ସଙ୍ଗେ ସଙ୍ଗେ ଆସିଲା ଜୀବନରେ ଯୌବନର ଉଦ୍ଦାମ ଉଚ୍ଛଳ ତରଙ୍ଗମାଳା । ସଂସାରର କର୍ମମୟ ପରିଧି ଭିତରେ ସେହି ଯୌବନ ଛଳ ଛଳ ହୋଇ ହସି ଉଠିଲା । ସଂସାରର ରୋଗ ଶୋକ ଆବର୍ଜନା ତାର ପାଖ ସୁଦ୍ଧା ମାଡ଼ିପାରିଲା ନାହିଁ। ସେତେବେଳେ ବିଶ୍ୱ ଜଗତ୍ ସବୁ ମଧୁମୟ ଦେଖାଗଲା । ତଳ ସ୍ଥଳ ସର୍ବତ୍ର ଅମୃତର ଢ଼େଉ ଖେଳିଲା । ଗଗନ ପବନରେ ବଶୀବାଣୀ ଶୁଣାଗଲା । ନିତାନ୍ତ ନିଷ୍ଠୁର ନୀରସ ପଥର ବୁକୁରେ ମଧ୍ୟ ସରସ ସୁବାସ ଫୁଲ ଫୁଟି ହସିଲା... ! ଆଉ ନ ହେଲା କଣ ? ସବୁ ହେଲା । ଉଦାର ଗମ୍ଭୀର ନିତ୍ୟ ନୂତନ ଦୁଇଟି ଆଶାୟୀ ପ୍ରାଣର ପରସ୍ପର ମେଳ, ପରସ୍ପର ଆଦାନ ପ୍ରଦାନ ଚାଲିଲା। ଜଣେ ଲୁହ ଢାଳିଲେ ଆଉ ଜଣେ ଲୁହ ଢାଳିଲା । ଜଣେ ହସି ଉଠିଲେ ଆଉ ଜଣକ ପ୍ରାଣ ମାତି ଉଠିଲା ! ଜଣେ ପ୍ରାଣ ଦେବାକୁ ବସିଲେ ତା ଆଗରୁ ଆଉ ଜଣେ ପ୍ରାଣ ଦେବାକୁ ପ୍ରସ୍ତୁତ ହୋଇ ପଡ଼ିଲା । ମୋଟା ମୋଟି କହିବାକୁ ଗଲେ ଦୁଇଟା ଜୀବନର ସ୍ରୋତ ଏକ ଦିଗରେ, ଏକ ଲକ୍ଷ୍ୟରେ, ଏକ ଭାବରେ, ଏକାଠି ମିଶିଲା ପରି ଚାଳିଲା ।

 

ରାଧାନାଥ ପୁଣି ସେହି ଭିତରେ ଦେଖିଲେ–ଦିନ ଦିନ, ମାସ ମାସ, ବର୍ଷ ବର୍ଷ, ଯୁଗ ଯୁଗ ହୋଇ କାଳଚକ୍ର ଗଡ଼ିବାରେ ଲାଗିଛି; ତହିଁ ସଙ୍ଗେ ସଙ୍ଗେ ଦୁଇଟା ଜୀବନର ଯୌବନଚକ୍ର ମଧ୍ୟ ଗଡ଼ି ଗଡ଼ି ଚାଲିଲା । ମାୟାମୟ ଖେଳ ପରି ଚାହୁଁ ଚାହୁଁ ଏହିପରି ତରିଶି ବର୍ଷ କଟିଗଲା । ଏହି ଦୁଇଟା ଜୀବନର ଗତିପଥରେ କେତେ କଣ ଲୀଳା ଖେଳାର ଚିହ୍ନ ପଛେ ପଛେ ଲେଖି ହୋଇଗଲା । ଗତିର ପରିବର୍ତ୍ତନ ଘଟିଲା-ସେଥିରେ କୈଶୋରର ଛାପା ରହିଲା, ଯୈବନର ଚିହ୍ନ ମାତ୍ର ଜଣାଗଲା । ପରିଶେଷରେ ଦୁଇଟା ଯୌବନ ଜୀବନର ଦେଶ-କାଳ-ଦିଗନ୍ତ-ବିସ୍ତୃତ ଭୂମି ଉପରେ ଜୀବନ-ସନ୍ଧ୍ୟାରେ କୁଜ୍‌ଝଟିକା ଘୋଟିଗଲା । ସେହି ଭିତରେ ଦୁଇଟି ପକ୍ଷୀ, ଦୁଇଟି ପ୍ରାଣ ପାଖାପଖି ରହି ସଂସାର-ସମୁଦ୍ରର ବେଳାଭୂମିରେ ଉଡ଼ି ବୁଲିବାରେ ଲାଗିଲେ । କିନ୍ତୁ କଣ ହେବ ! ପଥ ଶେଷ ହୋଇ ନାହିଁ, କୁହୁଡ଼ି ପତଳା ହୋଇ ଆସି ନାହିଁ, ଜଗତର ଶୁଭ ଆଲୋକରେଖା ସେମାନଙ୍କ ଜୀବନରେ ମ୍ଳାନ ପଡ଼ି ଆସିଲା ବେଳକୁ ସେଥିରେ ଗୋଟିଏ ସଙ୍ଗୀ କୁଆଡ଼େ ଲୁଚିଗଲା; ବାଟରେ ଥକି ପଡ଼ି କୁଆଡ଼େ ରହିଗଲା ! ତାର ଚିର ଜୀବନର ବନ୍ଧୁ, ତାର ଏକାକୀ ସଙ୍ଗୀ ସେତେବେଳେ ଦେଖିଲା-ତା ଆଗରେ ଅନନ୍ତ ପଥ, ସବୁ ଅଜଣା, ସବୁ ଅଚିହ୍ନା । ପୁଣି ପଛକୁ ଫେରି ଚାହିଁଲା । ଦେଖିଲା ପଛରେ ଅନନ୍ତ ଜଗତ୍- ସବୁ ଚିହ୍ନା, ସବୁ ଜଣା ।

 

ତାକୁ ଚାରି ଆଡ଼ ଦଶ ଦିଗ ଅନ୍ଧାର ଦେଖାଗଲା । ପଥ କାହିଁ ?

 

ରାଧାନାଥ ସନ୍ଧ୍ୟା ବେଳର ସେହି ମ୍ଳାନ ଆଲୋକ ଭିତରେ ପିଣ୍ଡାରେ ବସି ଦେଖିଲେ- ସଂସାରର ସୁନ୍ଦର ଯାତ୍ରାପଥରେ ସେ ଏକାକୀ ଯାତ୍ରୀ । ଯୌବନରୁ ଯେ ପାଖେ ପାଖେ ରହି ଆସିଥିଲା, ଯେ ହସିଲାବେଳେ ହସିଥିଲା, କାନ୍ଦିଲା ବେଳେ କାନ୍ଦିଥିଲା, ସେହି ପ୍ରାଣର ସଙ୍ଗିନୀ ତାରମଣି ଆଉ ନାହାନ୍ତି ।

 

ସଂସାରରେ ରାଧାନାଥଙ୍କର ଆପଣାର ହୋଇ ସାହା ଭରସା କେହି ନାହିଁ ।

•••

 

-ତିନି-

 

ଭଙ୍ଗା କୁଡ଼ିଆଟି ଭିତରେ ପଲ୍ଲି ଗାଆଁର ପାଞ୍ଚଟି ପ୍ରାଣୀ ଅନେକ ଦିନ ଏକାଠି ରହିଲା ପରେ ସଂସାରର ଖରା, ବର୍ଷା, ଶୀତରେ କୁଡ଼ିଆଟି ନ ଭାଜୁଣୁ ସେହି ପରିବାରଟି ଭାଜିଗଲା ।

 

ଶ୍ରାବଣ ମାସର ଅଚାନକ ବର୍ଷା ଭିତରେ ଘରେ ଆଣ୍ଠୁଏ ପାଣି ହେଲା । ବୈଶାଖ ମାସର ଝାଞ୍ଜ ଭିତରେ ତାହା ନିଆଁଗଦା ତଳେ ରହିଲା ପରି ରହିଲା । ଚାଳରେ ନଡ଼ା ନାହିଁ, ସେ ଭିତରେ ପବନ ଅବାଧରେ ବହିଲା । ଗାଆଁର ବୁଲା କୁକୁର ଦଳ ମନ ଇଚ୍ଛା ସେ ଭିତରେ ପଶିଲେ-। ଖରା, ବର୍ଷା, ଶୀତ, କାକର ଭିତରେ କୁଡ଼ିଆବାସୀ ଲୋକଙ୍କର କିଛି ହେଲେ କ୍ଷତି ହୋଇ ନ ଥିଲା-। ମାତ୍ର ଆସିଲା କାହୁଁ ଅକାଳ ମଡ଼କ ଯେ, ପରିବାରର ତିନୋଟି ପ୍ରାଣୀ ଏକାବେଳକେ ଚିରକାଳ ପାଇଁ ସେ ଭିତରେ ଆଖି ବୁଜି ରହିଲେ । କୁଡ଼ିଆ ଭିତରୁ ଶୋକର ରୋଳ ଉଠିଲା, ଘନ ଘନ ଦୀର୍ଘ ଶ୍ୱାସ ଉଠିଲା, ତଥାପି ପଲ୍ଲିର କୁଡ଼ିଆ ଖଣ୍ଡିକ ସେହିପରି ମୁଣ୍ଡ ଟେକି ରହିଲା । କବାଟ ବଦଳରେ ଦୁଆରେ ତାଳପତ୍ର ତାଟି ଲାଗିଲା, ଚୂନ ପିଣ୍ଡା ଉପରେ ମାଟି ଗୋବର ଲିପା ହେଲା, କଟା ସାହାଣ ପଥର ପାହାଚ ସ୍ଥାନରେ ମାଟିର ପିଣ୍ଡି ତିଆରି ହେଲା; ତଥାପି ସେ ଘରେ ମଣିଷ ରହିବାକୁ ବାଧ୍ୟ ହେଲେ !

 

ପଲ୍ଲି କୁଡ଼ିଆଟିର ଏହି ଦୁର୍ଦ୍ଦଶା ଦେଖିଲେ ମନୁଷ୍ୟ ତ ସାମାନ୍ୟ କଥା, ଅନ୍ତର୍ଯ୍ୟାମୀ ଭାଗବନ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଦୂରରୁ କୁଡ଼ିଆ ଖଣ୍ଡିକୁ ଚାହିଁଲେ ଜଣା ପଡ଼େ-ଦିନେ ତାହା ମାନବ ସୌଭାଗ୍ୟର ସକଳ ଗୌରବମୟ ଚିତ୍ର ଦେଖିଥିଲା । ତହିଁର ପରିଚୟ ଏ ପର୍ଯ୍ୟନ୍ତ ଦରଭଙ୍ଗା କାନ୍ତବାଡ଼ରୁ ପରିଷ୍କାର ଲିଭି ନାହିଁ । କେଉଁ ଯୁଗର କେଉଁ ଚିତ୍ରକର ହାତର ରାମ ରାବଣ ଯୁଦ୍ଧ, କୃଷ୍ଣଲୀଳା ଛବି ଘର କାନ୍ଥର ମାଟି ଗୋବର ଆବରଣ ତଳେ ଛଉଛଉକିଆ ହୋଇ ବାରି ହୁଏ। ଘରଟା ଏବେ ଶ୍ରୀହୀନଳ ତହିଁ ସଙ୍ଗେ ସଙ୍ଗେ ଗୋଟି ମଧ୍ୟ ରୁକ୍ଷ, ଶୋଭାହୀନ ହୋଇ ପଡ଼ିଛି । ସେଥିରୁ ଜଣା ପଡ଼ୁଛି, ଗାଁର ଅଧିକାଂଶ ଘର କୁଡ଼ିଆ ହେବା ସୀମାରେ ଆସି ପହଞ୍ଚିଛି... । ସେ ସବୁ ପ୍ରାଚୀନ ଘରକୁ ଦେଖିଲେ ମନେ ହୁଏ, ସତେ ଅବା ସେ ଗୁଡ଼ାକ ଭୁବନେଶ୍ୱରର କେଉଁ ଯୁଗର ଗୋଟାଏ ଇତିହାସମୟ ପ୍ରକାଣ୍ଡ ମନ୍ଦିର ! ! ଆଗେ ସେ ଭିତରେ ସାକ୍ଷାତ୍ ଦେବତା ବାସ କରୁଥିଲେ ।

 

ଯେଉଁଦିନ ସେହି ଶ୍ରୀହୀନ କୁଡ଼ିଆଟି ଭିତରୁ ତିନୋଟି ପ୍ରାଣୀଙ୍କୁ ଗାଁର ପାଞ୍ଚ ଛ’ ଜଣ ଲୋକ ଥର ଥର କରି ଗାଁର ପୂର୍ବ ପାଖର ମଶାଣି ପଡ଼ିଆକୁ ବୋହି ନେଇଗଲେ, ତାର ପ୍ରାୟ ବର୍ଷକ ପରର ଘଟଣା ଏହିଠାରେ କୁହାଯାଉଛି ।

 

ଦିନେ ମାର୍ଗଶୀର ମାସ ସକାଳେ ମଙ୍ଗଳପୁର ଗାଁ ଦାଣ୍ଡରେ ତିନି ସ୍ଥାନରେ ନିଆଁ ଜଳୁଛି-। ତିନି ଜାଗାରେ ତିନିଦଳ ଲୋକ ନିଆଁ ପୋଇଁବାରେ ବ୍ୟସ୍ତ । ଦେଉଳ ଚାରିପଟେ ନିର୍ଜୀବ ପଥର ମୂର୍ତ୍ତିସବୁ ଥୁଆ ହୋଇଥିଲା ପରି ସମସ୍ତେ ନିଆଁ ଆଡ଼କୁ ମୁହଁ କରି, ମୁହଁ ପର୍ଯ୍ୟନ୍ତ ହାତଟାମାନ ଟେକି, ମୁକୁଳା ଆଣ୍ଠୁରୁ ଫାଳେ ଲେଖାଏଁ ଅଗ୍ନି ଦେବତାଙ୍କ ଆଡ଼କୁ ଦେଖାଇ ଆଳସ୍ୟର ଗୋଟିଏ ଗୋଟିଏ ପ୍ରତିମୂର୍ତ୍ତି ରୂପେ ବସିଛନ୍ତି । ଏକାବେଳକେ କିଏ କଣ ଗପିବାରେ ଲାଗିଛି। ଯୁକ୍ତିତର୍କ ବାକ୍‌ବିତଣ୍ଡାର ବିରାମ ନାହିଁ । ତିନି ବର୍ଷର ବାଳିକାକୁ ବିବାହ ଦେବା ପ୍ରସ୍ତାବଠାରୁ ଅସ୍ପୃଶ୍ୟତା ନିଦାରଣ ଅପବାଦ ପର୍ଯ୍ୟନ୍ତ ନାନା କଥାର ଅବତାରଣା ଚାଲିଛି । ଶାରଦା ଆଇନର କଟୁ ସମାଲୋଚନା କରି କିଏ ଶାରଦାଙ୍କ ସାତ ପୁରୁଷଙ୍କୁ ଯମପୁରର କେଉଁ ଅକଥ୍ୟ ସ୍ଥାନରେ ରଖିବା ଉଚିତ ବୋଲି ପ୍ରସ୍ତାବ କରୁଛି । କିଏ ବା ବିଧବା ବିବାହରେ ଆସନ୍ନ ପ୍ରଳୟର ଆଶଙ୍କା କରି ଜଗନ୍ନାଥଙ୍କ ଅଭୟ ନାଆଁରେ ହାତ ଯୋଡ଼ୁଛି ।

 

ଏହିପରି ସମୟରେ ସମସ୍ତଙ୍କ କଥାକୁ ଜବତ୍ କଲାପରି ସେ ଭିତରୁ ଜଣେ କିଏ ପାଟି କରି କହି ଉଠିଲେ–‘‘ଆହେ, ସବୁ ତ ହେଲା, କେତେ କେତେ କଥା ତ ଏ କାନ ଶୁଣିଲାଣି, ଏବେ କଶ ମଙ୍ଗଳପୁର ଭାଗ୍ୟରେ ଆମରି ଆମଳରେ ସବୁ କଥା ଘଟିବାକୁ ଥିଲା ? ବିଶ୍ୱନାଥ ତ ଗଲେ, ତାଙ୍କର ଝିଅଟି କୁଳରେ ଲାଗିବ ତ ? ଏବେ ତ ପୂରିଲା ଆସି ଦଶ ବରଷ-ଆଉ ମାସ କେତୁଟାରେ ସବୁ କଥା ସରିଯିବ । ଏ ଅପକୀର୍ତ୍ତି ମୁଣ୍ଡେଇବ କିଏ ? ବିଚାର କର, ବିଚାର କର । ଗାଁର ସବୁ ଯାଇଥିଲା; ମାତ୍ର ଯାଇ ନ ଥିଲା ଏତକ । ଏତକ ଗଲେ ଆଉ ଏ ଗାଁର ମଙ୍ଗଳ ନାଇଁ, ମଙ୍ଗଳ ନାଇଁ-। ଶୁଣୁଚ ତ ସବୁ !’’

 

କଥାଟାକୁ ଏକା ନିଶ୍ୱାସରେ ଶେଷ କରି ଦେଇ ବକ୍ତା ଯେତେବେଳେ ୟା ମୁହଁକୁ ତା ମୁହଁକୁ ଚାହିଁଲେ, ସମସ୍ତେ ନୀରବରେ ତାଙ୍କ କଥାକୁ ସମର୍ଥନ କଲା ପରି ଜଣା ପଡ଼ିଲା । ପ୍ରଭୁଙ୍କୁ ଦ୍ୱାହି ଦେଇ, କପାଳକୁ ଦୋଷଦେଇ କିଏ କିଏ କଣ ବା କହି ଆସୁଥିଲେ । ଏହିପରି ସମୟରେ ଦାଣ୍ଡ ମଝିରେ ଆଉ ଏକ କଥା ଘଟିଲା । ଦୁଇଟା ଷଣ୍ଢ ମାଡ଼ଗୋଳ ଲାଗି ଦାଣ୍ଡଟାକୁ ଥଳେଇ ପକାଇଲେ । ନିଆଁ ପୋଉଁଥିବା ଲୋକେ-ବକ୍ତା, ଶ୍ରୋତା ସମସ୍ତେ ତାଳି ମାରି, ଅସମ୍ଭାଳ ହୋଇ ଉଠି ପଡ଼ିଲେ । ଚାହୁଁ ଚାହୁଁ ପିଣ୍ଡା ପିଣ୍ଡା ହୋଇ ଲୋକ ଜମା ହୋଇପଡ଼ିଲେ । ଷଣ୍ଢ ଦୁଇଟାରୁ କିଏ ହାରିବ, କିଏ ଜିଣିବ, ଏ କଥାରେ ମଧ୍ୟ ଦଳଗତ ଗୋଳମାଳ, ଗର୍ଜନ ତର୍ଜନ ଚାଲିଲା । କିଏ କାଳିଆର ପ୍ରଶଂସା କଲେ କିଏ ବା କଷରାର ପ୍ରଶଂସା କଲା । ଦେଖୁ ଦେଖୁ ଆଳସ୍ୟର ଏ ଆଉ ଏକ ଆମୋଦଜନକ ଅଭିନୟ ଆରମ୍ଭ ହେଲା ।

 

କଥା ଏହିପରି ଚାଲିଥିଲାବେଳେ ଉତ୍ତ ଭଙ୍ଗା କୁଡ଼ିଆଟିର ଦୁଆର ମୁହଁରେ ଜଣେ କିଏ ବିଧବା ଚିତ୍କାର କରି ଉଠିଲେ–‘‘ହେ...ମୋ ରମା, ହେ...... ମୋ ରମା...... !’’

 

ସମସ୍ତେ ଦେଖିଲେ ସ୍ୱର୍ଗତ ବିଶ୍ୱନାଥଙ୍କ ଝିଅ ରମା ନିଆଁ ଲୁଣ୍ଡାଟିଏ ଧରି ନିର୍ଭୟରେ ଷଣ୍ଢ ମାଡ଼ଗୋଳ ଭିତର ଦେଇ ଚାଲି ଆସୁଛି । ଦଶ ବରଷର ବାଳିକା, ଦେହରେ ସାତନିଆଁ ପୁରୁଣା କନା ଖଣ୍ଡିଏ କେବଳ, ମୁଣ୍ଡରେ ବର୍ଷେ ହେଳା ତେଲ ହାତ ବାଜିଛି କି ନାହିଁ ସନ୍ଦେହ । ତଥାପି ସେ ଯେ ଗୋଟିଏ ରୂପବତୀ ବାଳିକା, ତାର ଲୁଖୁରା ବେଶ ଦେଖି ମଧ୍ୟ କେହି ହେଲେ ତାହା ଅସ୍ୱୀକାର କରବେ ନାହିଁ । ତା ରୂପର ଛାୟାରେ ସେହି ସାତସିଆଁ ମଳି ଲୁଗା ଖଣ୍ଡିକ ଭଲ ହୋଇ ବାହାରକୁ ଜଣା ପଡ଼ୁ ନ ଥିଲା ।

 

ଏତିକିବେଳେ ଚାରିଆଡ଼ୁ ପାଟି ଶୁଣାଗଲା–‘‘ହାଁ-ହାଁ-ହାଁ- ଆଡ଼େଇ ହୋଇ ଯା, ଆଡ଼େଇ ହୋଇ ଯା, ଆଡ଼େଇ ହୋଇ ଯା...।’’

 

ମାତ୍ର ରମା କାହା କଥାକୁ ନ କାନେଇଲା ପରି ଚାଲି ଆସିଲା । ତା ବ୍ୟବହାର ଦେଖି ସମସ୍ତଙ୍କ ମୁହଁରୁ ଏକାବେଳକେ ଗାଳି ବୃଷ୍ଟି ହେଲା–‘‘କେଡ଼େ ଅଣ୍ଡିରାଚଣ୍ଡୀଟେ, କେଡ଼େ ଛତରଖାଇଟେ ! ନିଆଁ ନ ହେଲେ କଣ ଇମିତି ପ୍ରାଣ ପଳାଉଚି ! ଏଡ଼େ ଝିଅଟେ ହେଲାଣି, ଲାଜ ନାହିଁ, ସରମ ନାହିଁ.....ଦାଣ୍ଡେ ଦାଣ୍ଡେ ଚାଲି ଯାଉଛି !’’

 

ସତେ ଯେପରି ଉପସ୍ଥିତ ଜନତା ନିଆଁ ପୋଇଁବା ବିପକ୍ଷରେ ଯୁଦ୍ଧଘୋଷଣା କରୁଛନ୍ତି ! ସେତେବେଳେ କାହାର ମନକୁ ଆସିଲା ନାହିଁ ଯେ ବାଳିକାଟି ସାରା ରାତି ସେହି କନା ଖଣ୍ଡିକରେ ଆଶ୍ରହ ନେଇଥିବ; ନ ହେଲେ ବା ଚିରା ସନ୍ତରା ମୁଦୁରା ଖଣ୍ଡିଏ ଘୋଡ଼େଇ ହୋଇ ରାତିଯାକ ଶୀତରେ ଥରି ଥରି ରହିଥିବ !

 

ବାଳିକା ରମା ଭୟ, ଲାଜ, ଶୀତରେ ଥରୁ ଥରୁ ହୋଇ, ତାଟିଟା ଠେଲି ଦେଇ ଘର ଭିତରକୁ ପଶିଗଲା !

•••

 

-ଚାରି-

 

ରାଧାନାଥଙ୍କ ଏକମାତ୍ର କନ୍ୟା ଗଉରୀକି ଯେତେବେଳେ ପାଞ୍ଚ ବରଷ ବୟସ, ସେହି ଦିନୁ ତା ପାଇଁ ପାତ୍ର ଖୋଜା ଲାଗିଲା । ସେଥିପାଇଁ ରାଧାନାଥଙ୍କୁ ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡ଼ିଲା । କାନିରେ ଚୁଡ଼ା ଚାଉଳ ବାନ୍ଧି ସେ ସାରା ଖଲିକୋଟ, ରଣପୁର, ନୂଆଗଡ଼ ରାଜ୍ୟ ବୁଲିଗଲେ । ଦେଖିଲେ, କେଉଁଠାରେ ପାତ୍ରର ଧନ ଅଭାବ, କେଉଁଠାରେ ଜନ୍ମ ଅଭାବ, କେଉଁଠାରେ ଗୁଣର ଅଭାବ ହେଲେ କେଉଁ ଗାଆଁରେ ବା ମୁଳରୁ ପାତ୍ରର ଅଭାବ । କାହିଁ କେଉଁଠି ସର୍ବ ଗୁଣର ପାତ୍ରଟିଏ ଥିଲେ ସୁଦ୍ଧା ସେଠାରେ ଅସଲ ମୂଳ କଥା ଜାତିଟାର ଅଭାବ !

 

ଏହିପରି ଘୋର ଅଭାବ-ସମୁଦ୍ରରେ ଭାସି ଭାସି ରାଧାନାଥ ମାସକେ ଥରେ ଦି’ଥର ଘରକୋଣରେ ପ୍ରଣୟିନୀଙ୍କ ପାଖେ ଆସି ଲାଗନ୍ତି । ଘରେ ପହଞ୍ଚିଲା ମାତ୍ରେ ମୁଣ୍ଡରେ ହାତ ଦେଇ ଗଣ୍ଠିସଂଖାଳି ଗଉରୀ ମୁହଁକୁ ଚାହିଁ ନ ଚାହିଁଲା ପରି ଟିକିଏ କରୁଣ ସ୍ୱରରେ କହନ୍ତି–‘‘ପ୍ରଭୁ ହେ, କାହିଁ କେଉଁଠି ଖଞ୍ଜିଛ ବାଟ ଦେଖେଇ ଦିଅ ।’’
 

ସେତେବେଳେ ତାରାମଣି ଡବଡବ କରି ଆଖିରୁ ଲୁହ ଗଡ଼େଇ ପକାଇ ଗଉରୀକୁ କୋଳକୁ ଟାଣି ଆଣନ୍ତି। ତା ମୁହଁ ପାଖେ ମୁହଁକୁ ଲଗାଇଦେଇ ସକସକ ହୋଇ କହନ୍ତି–‘‘ମା ମୋର, ତତେ ଛାଡ଼ି ମୁଁ କିମିତି ରହିବି ଲୋ... ।’’ ଏତିକି କହି ସେ ଟିକିଏ ତୁନି ହୋଇଯାନ୍ତି । ବୋଧହୁଏ ପର ମୁହୂର୍ତ୍ତରେ ସେ ପତିଙ୍କ ଶୁଖିଲା ମୁହଁକୁ ଦେଖି ଚମକି ପଡ଼ନ୍ତି । କହନ୍ତି–‘‘ଷଠୀବୁଢ଼ୀର ଭିଆଣ ଲୋ ମା, କେଉଁ ରାଇଜରେ ମୋ ଗଉରା ପାଇଁ ଥୋଇଚ କହିଦିଅ ମା ବୁଢ଼ୀ ସାଆନ୍ତାଣି ! ଆଉ ଏତେ ବୁଲେଇ ବୁଲେଇ......ଆହା... ବୁଲି ବୁଲି ତ ନାକଦଣ୍ଡିରେ ପ୍ରାଣ ରହିଲାଣି... !’’

 

କ୍ରମେ ତାଙ୍କ ଆଖିରୁ ଲୁହଧାର କୁଆଡ଼େ ଲିଭିଯାଏ । ପଚାରି ବସନ୍ତି–‘‘ଚଣ୍ଡୀପେଡ଼ ଗାଁର ସେଇ ରଥ ପିଲାଟି.....ଶାମୁକା ସାଇର ଚମ୍ପା ନାନୀର ସେି ନାତି...ବାଲଙ୍କିଶରଣପୁରର ସେଇ ଯେଉଁ, କଣ ତା ନାଁ ଆସୁନି-ତମ ସିଆଡ଼ ଲେଖାରୁ କଣ ହେବେ.....ବୁଝିଥିଲ କି ?’’

 

ଏହିପରି କେତେ ଯେ କଣ ପଚାରି ବସନ୍ତି, ତାର ଠିକଣା ନାହିଁ । ପଥଶ୍ରାନ୍ତ ରାଧାନାଥଙ୍କୁ ପୁଣି ବର ଖୋଜା ଯାତ୍ରାରେ ଚୁଡ଼ା ଚାଉଳ ବାନ୍ଧିବା ପୂର୍ବରୁ ବରାବର ଏସବୁ ଛୋଟ ବଡ଼, ସରଳ ଜଟିଳ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ୁଥାଏ ।

 

ପଲ୍ଲି କୁଡ଼ିଆ ତଳେ, ପିତାମାତାଙ୍କ ବୁକୁ ଭିତରେ ଏହି ଯେଉଁ ରୁଦ୍ଧ ଆବେଗର ଉଚ୍ଛ୍ୱାସ ଉଠୁଥିଲା, ତାହା ଅନେକ ସମୟରେ ଅନେକ ପରିମାଣରେ ଗଉରୀର କିଶୋରୀ ପ୍ରାଣକୁ ଛୁଇଁଯାଉଥିଲା । ଏହିପରି କଥା ସେ ମାସକେ ପନ୍ଦର ଦିନ ପ୍ରାୟ ଶୁଣେ । କେତେବେଳେ କିଏ କଣ କଥା ହୁଅନ୍ତି । ଯେତେବେଳେ ନନା ବୋଉ ଏକାଠି ବସନ୍ତି, ସବୁ କଥା ଆଗେ ଏ କଥାଟି ପଡ଼େ ।

 

ଏପରି ଭାବରେ କେତେ ଦିନ, କେତେ ରାତି ଗଲା । କେତେ ଥର ଦାଣ୍ଡ ଘରେ କନ୍ୟା ଦେଖା ହେଲା । କେତେ କୁଆଡ଼ୁ ଲୋକ ଆସି ରାଧାନାଥଙ୍କୁ ସମ୍ବନ୍ଧୀ ଲେଖା କରିଗଲେ । ସେ ସବୁ କେଉଁ ଦେଶର କିଏ, ଗଉରୀ କିଛି ବୁଝି ପାରିଲା ନାହିଁ । ଖାଲି ଗଲା, ଆସିଲା, ଦେଖା ଦେଲା, ଏହିପରି ହେଲା ସତ, ମାତ୍ର କଥାଟା ଅନେକ ଦିନ କାହିଁକି, ଅନେକ ମାସ ଯାଏ ପକ୍‌କା ହେଳା ନାହିଁ । ପରିଶେଷରେ, ମଧୁପୁର ଗାଁର ଗୋଟିଏ କ୍ଷୁଦ୍ର ପରିବାର ଭିତରେ ଦୁଇଟି ଗିରସ୍ତ ଭାର୍ଯ୍ୟଙ୍କୁ ଦୀର୍ଘ ଆଞ୍ଚ ବର୍ଷ କାଳ ଭୟ, ଆବେଗ, ଆଶଙ୍କାରେ ବୁଡ଼ାଇ ରଖି ମାଆ କ୍ଷଠୀବୁଢ଼ୀ ଅନୁଗ୍ରହ କଲେ-। ଖାଲି ଯେ ପାତ୍ରଟିଏ ଦେଇ ଅନୁଗ୍ରହ କଲେ ତାହା ନୁହେଁ, ବ୍ରାହ୍ମଣ ବୃନ୍ଦାବନରୁ ସାକ୍ଷୀଗୋପାଳଙ୍କୁ ପଛେ ପଛେ ଡାକି ଆଣିଲା ପରି ଷଠୀବୁଢ଼ୀ ରାଧାନାଥଙ୍କୁ ବାଟ ଦେଖାଇ ଦେଖାଇ ନେଇ ପାଟପୁର ଗାଁଆର ଗୋଟିଏ ଧନୀ ଘରେ ହାଜର କରାଇଲେ । ରାଧାନାଥ ସେହିଠାରେ ଦିଗ ପାଇଲେ । ଧନରେ ଟାଣ, ଜନରେ ଟାଣ ଏବଂ ବୟସରେ ମଧ୍ୟ ଟାଣ–ଏହିପରି ଏକ ପାତ୍ରକୁ ପାଇ ଗୌରୀ-କନ୍ୟା-ଦାନ ଫଳପ୍ରାପ୍ତି ଆଶାରେ ଆପଣାର ପର ଜନ୍ମର ପୁଣ୍ୟମୟ ମଧୁର କଳ୍ପନାରେ ଭାସିଲେ !

 

ରାଧାନାଥଙ୍କ ପାତ୍ରନିର୍ବାଚନ ନେଇ ମଧୁପୁର ଗାଁର ପୁରୁଷ ସ ସ୍ତ୍ରୀ ମହଲରେ ମହା ଆନ୍ଦୋଳନ ଚାଲିଲା । କିଏ କେତେ ପ୍ରକାର ଖୋଜ ଖବର ନେବାରେ ଲାଗିଲା । କିଏ ହସିଲା, କିଏ ବା ମୁହଁ ମୋଡ଼ିଦେଲା । କେବଳ ନିଜ ଗାଁ ଭିତରେ ଏ କଥା ରହିଲା ନାହିଁ । ତୁଣ୍ଡ ବାଦ୍ୟ ସହସ୍ର କୋଶ । ଦେଖୁ ଦେଖୁ ଆଖପାଖ ପାଞ୍ଚ ଦଶ ଗାଁରେ ମଧ୍ୟ ଏ କଥା ଜଣାଶୁଣା ହୋଇଗଲା । ଲୋକେ ଦାଣ୍ଡଆଡ଼େ, ବାଡ଼ିଆଡ଼େ ନାନା ଭାବରେ କୁହାକୁହି ହେଲେ ।

 

ରାଧାନାଥ ଷଠୀବୁଢ଼ୀଙ୍କର ଉପରରେ ବରପାତ୍ର ବାଛିବା ଭାରଟା ପୁରା ମାତ୍ରାରେ ଦେଇ ନ ଥିଲେ ଲୋକଙ୍କ କାଉବାଉରୁ ଅନେକ ପରିମାଣରେ ରକ୍ଷା ପାଇ ପାରିଥାନ୍ତେ; ତାହା କିନ୍ତୁ ସେ କରି ନ ଥିଲେ । ସେ ଆଗରୁ ଠିକ୍‌ରୂପେ ଜାଣିଥିଲେ ଯେ, ମା’ ଷଠୀବୁଢ଼ୀ ଝିଅ ପାଇଁ ପାତ୍ରଟିଏ ଠିକ୍ କରି ରଖିବା ସ୍ଥାନରେ ତାଙ୍କ ପାଇଁ ନିଶ୍ଚୟ ଟଙ୍କା ଅଶୀଟି ଗୋପନରେ ରଖିଛନ୍ତି–ଅର୍ଥାତ୍ ଜାତିରେ ବଡ଼ ବୋଲି ଚାଳିଶିଟି ଏବଂ ପାତ୍ରଟି ଟିକିଏ ବୟସରେ ବେଶି ବୋଲି ଅର୍ଥାତ୍ ପ୍ରଥମ କି ଦ୍ୱିତୀୟ ପକ୍ଷ ନୁହେ, ତୃତୀୟ ପକ୍ଷ ବୋଲି ଚାଳିଶିଟି, ଏହିପରି ଗାଏ ମୋଟ ଅଶୀଟି ! ଏହି ଅଶୀଟି ଟଙ୍କା ଲୋଗରେ ରାଧାନାଥ ନିଜର କୋଳସଙ୍ଖାଳିକୁ ନିଜ ନିର୍ବାଚିତ ପଞ୍ଚାବନ ବର୍ଷର ପାତ୍ରଙ୍କ ହୃଦୟହାରିଣୀ ରୂପେ ଠିକ୍ କରିଦେଲେ !

 

ସେ ଦିନ ଅନ୍ଧାର ହେଉ ନ ହେଉ ରାଧାନାଥ ଘରକୁ ଫେରିଲେ । ତା ଆରଦିନ ଆଲୁଅ ହେବା ପର୍ଯ୍ୟନ୍ତ ଏକାପରି ତାଙ୍କୁ ମେଞ୍ଜା ହୋଇ ଘରକୋଣେ ବସି ରହିବାକୁ ପଡ଼ିଲା । ରାତିଯାକ ଅନିଦ୍ରାରେ ମୁହଁଟା ରୋଗା ଦିଶିଗଲା । ବାଦ୍ଧକ୍ୟ ଶରୀରର ଶିଥିଳ ଚମକୁ ଆଉଁସି ଆଉଁସି ସେ ଚିନ୍ତା–ସାଗରରେ ବୁଡ଼ିବାକୁ ଲାଗିଲେ । ରାତି ପାହି ସକାଳେ ହେଲା; ତଥାପି ତାଙ୍କୁ ଦିନଟା ଅନ୍ଧାର ଦିଶିଲା । ସନ୍ଧ୍ୟାବେଳେ ସେ ଯେତେବେଳେ ଟଙ୍କା ଅଶୀଟି ତାରାମଣିଙ୍କ ଆଗେ ଝମ୍‌କିନି ଥୋଇଦେଲେ, ସେତେବେଳେ ତାଙ୍କ ମୁହଁକୁ କିଏ ଲକ୍ଷ୍ୟ କରିଥିଲେ ଦେଖି ପାରିଥାନ୍ତା, ସତେ ଯେପରି ସେ ବାହାଦୂରୀ ଦେଖାଇ ନୀରବ ଅଙ୍ଗଭଙ୍ଗୀରେ ନିଜ ସ୍ତ୍ରୀଙ୍କୁ କହୁଛନ୍ତି, ‘‘ଦେଖ, ଦେଖ, ମୋ ପାଦତଳରେ, ଆଉ ବାହୁବଳରେ ଏ ସମ୍ପତ୍ତି ଅର୍ଜି ଆଣିଛି !

 

ମାତ୍ର ଟଙ୍କାର ଇତିହାସ କଥା ଯେତେବେଳେ ଗୃହିଣୀଙ୍କ କାନକୁ ପୂରା ମାତ୍ରାରେ ଗଲା, ବରଟିର ରୂପ, ଗୁଣ, ଜାତି, ବୟସ କଥା ସବୁ ଯେତେବେଳେ ସେ ବୁଝି ପାରିଲେ, ରାଧାନାଥଙ୍କ ଆଖି ଆଗରେ ହଠାତ୍ ଏକ ରଣଚଣ୍ଡୀ ମୂର୍ତ୍ତିର ଆବିର୍ଭାବ ହେଲା ! ଗୃହିଣୀ ତାରାମଣି ମୁହଁ ଫୁଲେଇ ଗର୍ଜି ଉଠିଲେ- କଣ କେତେ କଥା କହିଗଲେ ସେ ନିଜେ ମଧ୍ୟ ଜାଣି ପାରିଲେ ନାହିଁ । ସେ ରାତିରେ ଘରେ ରାନ୍ଧାବଢ଼ା, ଖିଆପିଆରେ ପୂର୍ଣ୍ଣଚ୍ଛେଦ ପଡ଼ିଲା । ରାଧାନାଥ ପ୍ରଥମେ ପ୍ରଥମେ ନିଜ ପକ୍ଷ ସମର୍ଥନ କରି ଯୁଦ୍ଧଭୂଇଁରେ ଦମ୍ଭରେ ଠିଆ ହୋଇଥିଲେ; ମାତ୍ର ବେଶୀ ସମୟ ତାଙ୍କର ଦିମାକ୍ ରହିଲା ନାହିଁ । ଶ୍ରୀମତୀ ଗୃହୀଣୀ ପ୍ରବଳ ଭାବରେ ବେଳକୁ ବେଳ ଜଳି ଉଠି ଆଗ୍ନେୟ ଶିରିରୁ ତରଳ ଧାତୁସ୍ରୋତ ବହିଲା ପରି ଶ୍ରାବ୍ୟ, ଆଶ୍ରାବ୍ୟ ବହୁତ କଥା ପ୍ରାଣେଶ୍ୱର ପତିଙ୍କ ପ୍ରତି ପ୍ରୟୋଗ କଲେ । ସେହି ରାତିରେ ସେ ଦୁଇ ଥର ରାଗି ଉଠି କହି ପକାଇଲେ–‘‘ଗଉରୀର ତୋଟି ପଛକେ ଚିପି ମାରି ଦେବ, ବୁଢ଼ାଟା ବେକରେ ତାକୁ ବାନ୍ଧିବି ନାହିଁ ।’’

 

କିଶୋର ଗଉରୀ ଉଣା ଅଧିକେ ଏସବୁ କଥା ବୁଝି ପାରୁଥିଲା । ସେତେବେଳେକୁ ତାକୁ ନଅ ବରଷ ପୂରି ଦଶ ବରଷ ଚାଲିଥିଲା । ସେ ବୁଝି ପାରୁଥିଲା ଯେ, ବିବାହ ବୋଲି କି ଏକ ଗଭୀର ସମୁଦ୍ର ଗର୍ଭରେ ସେ ନିକଟରେ ଭାସି ଉଠିବ-ସେଇଥି ପାଇଁ ନାନା ବୋଉଙ୍କ ଭିତରେ ଏତେ ମୁହଁ ଫୁଲାଫୁଲି !

•••

 

-ପାଞ୍ଚ-

 

ଗଉରୀର ବିଭାଘରେ ରାଧାନାଥଙ୍କୁ ବେଶୀ କିଛି ଖର୍ଚ କରିବାକୁ ପଡ଼ିଲା ନାହିଁ । ଯେଉଁ ଦିନ ବର ଆସି ବେଦୀରେ ବସିଲା, ଗାଁର ସ୍ତ୍ରୀ ପୁରୁଷ ସମସ୍ତେ ଚମକି ପଡ଼ିଲେ । ବରର ମୁଣ୍ଡଟା ଚନ୍ଦା, ପାଟିଟି ପାକୁଆ । ଏହିପରି ବର ପାଖରେ ସେହି ବେଦୀରେ ବାଳିକା ଗଉରୀକୁ ବସାଇ ପୁରୋହିତ ଯେତେବେଳେ ବେଦମନ୍ତ୍ର ପାଠ କଲେ, ଘର ଭିତରେ ତାରାମଣିଙ୍କ କାନ୍ଦ ଶୁଭିଲା–‘‘ମୋ ଧନମାଳି ଲୋ... !’’ ଏହିପରି ପଦେ ଦି’ ପଦ କହି ସେ ମୂର୍ଚ୍ଛା ହୋଇ ପଡ଼ିଗଲେ ।

 

ବିଭା ସରିଲା ପରେ, ବେଦୀରୁ ବର ଉଠିଲା ଉତ୍ତାରୁ ତାରା ମଣିଙ୍କ ମୂର୍ଚ୍ଛା ଭାଜିଲା । ବାସ୍ତବରେ ସେ ଦିନ ରାଧାନାଥଙ୍କ ଘରେ ବିବାହ ଉତ୍ସବଟା ଏକ ପ୍ରକାର ଶୋକ ଦିବସରେ ପରିଣତ ହେଲା । ବରକୁ ଦେଖି ସମସ୍ତେ ମୁହଁ ମୋଡ଼ିଦେଲେ । ବୋଉର ବିକଳ ଦେଖି ଗଉରୀ ମୁହଁକୁ ଶୁଖେଇ ଘର କୋଣରେ ଲେସିଲା ପରି ଲୁଚି ରହିଲା । ସାଇ ପଡ଼ିଶାର ଲୋକେ ଏଣେ ତେଣେ କଣ ଗୁପ୍‌ଚୁପ୍ ହୋଇ କଥା ହେଲେ । ଦିଅ–ଦେଉତୁଣି ଭୋଜି ଭାତ ମାଗି ଆସି କେଜାଣି କାହିଁକି ଅଧବାଟରେ କେତେ କଣ କଥା ପକେଇ ଯେରା ଘରକୁ ଫେରିଗଲେ । ଦୂରରୁ ଲୋଡ଼ା ହୋଇ ଆସିଥିବା ବନ୍ଧୁ ବାନ୍ଧବମାନେ ଘରେ କେବଳ ଏପଟ ସେପଟ ହେଲେ । ବାହାରେ କଥାକୁ ଲୁଚେଇଲା ପରି କିଏ କହିଲା–ଦାନ୍ତ ସିନା ନାଇଁ, ବୟସ ଅଛି । କିଏ କହିଲା-ପିତ୍ତରୁ ବାଳ ପାଚି ଯାଇଚି, ଛିଡ଼ି ଯାଇଛି । କିଏ ବା କହିଲା-ଆମ ଗାଁ ବାଉରିଆ ପିଣ୍ଡା ବିଭା ହୋଇଥିଲା ଅଣ୍ଟା ନଇଁଗଲା ବେଳେ । ଏବେ ତାର ଚାରି ପୁଅ, ଚାରି ବୋହୂ ।

 

ଏହିପରି ଭାବରେ ସମାନ-ଇତିହାସର କେତେ କେତେ ଅକାଟ୍ୟ ଉଦାହରଣ ସେ ଦିନ ବାହାରି ପଡ଼ିଲା । କିଏ ଶ୍ଳୋକ ବୋଇଲା, କିଏ ବା ପରାକୃତ ଗୀତ ବୋଲି ବାହାଦୂରୀ ନେଲା । ତଥାପି ତାରାମଣିଙ୍କ ମନକୁ କିଏ ବୋଧବାଧ କରି ପାରିଲେ ନାହିଁ । ସେ କେବଳ ମୁହଁକୁ ପୋତି ଲୁହ ଢାଳି ଢାଳି ଯିବା ଆସିବା କଲେ ।

 

ଦିନରେ ତ ଏହିପରି ବିଭାଘର ସରିଲା; ରାତିରେ ଭୋଜିଭାତରେ ଟିକିଏ ଗଣ୍ଡଗୋଳ ଆରମ୍ଭ ହେଲା । ଏହି ବୁଢ଼ା-ବାଳିକା ବିବାହରେ ପ୍ରତିବାଦ କରି ଗାଁର କେତେ ଜଣ ଟୋକା ଏପରି ଭାବରେ ଗଣ୍ଡଗୋଳ ଆରମ୍ଭ କରିଦେଲେ ଯେ, ପୂର୍ବ ଦିଗରେ ସିନ୍ଦୂରା ଫାଟି କୁଆ ବୋବାଇଲା ବେଳକୁ ମଧୁପରୁର ଦାଣ୍ଡରେ ଭୋଜି ସଭାରେ ଖଲିପତ୍ର ଲାଗିଲା ।

 

ଏ ସବୁ ଯାହା ହେଲା, ଏଥିର ଖଣ୍ଡନ ପାଇଁ ପୁରାଣ ଶାସ୍ତ୍ରରେ ବହୁତ ପ୍ରାୟଶ୍ଚିତ ଅସ୍ତ୍ର ଶସ୍ତ୍ର ଅଛି । ଏଥିର ବିଚାର ପାଇଁ ହାଇକୋର୍ଟ-ମୁକ୍ତିମଣ୍ଡପ ଅଛି; ମାତ୍ର ଗୋଟିଏ କଥାର ଏ ସଂସାରରେ କିଛି ହେଲେ ବିଧ ବ୍ୟବସ୍ଥା ନାହିଁ କି ପ୍ରତିକାରର ଉପାୟ ନାହିଁ । ତାହା ହେଉଛି ମରଣର ଡାକରା । ସେ ଡାକରା ଅନ୍ୟ ଲୋକରୁ ଯେତେବେଳେ ଏ ଲୋକକୁ ଆସେ, ତାର ପଥରୋଧ କରିବା ପାଇଁ ଭୋଜି ଭାତ, ଟଙ୍କା ପଇସା ଦିଆନିଆ ଚଳେ ନାହିଁ । ଗୌରୀ-କନ୍ୟା-ଦାନଫଳ କଥା ସେଠାରେ ଶୁଣାଯାଏ ନାହିଁ, କି ଧର୍ମହାନିର ଭୟ ସେଠାରେ ଦେଖାଇ ହୁଏ ନାହିଁ । ସେ ଡାକରା ଯେତେବେଳେ ଯାହା ପାଖକୁ ଆସିବ, ସେତିକିବେଳେ ଠିକ୍‌ସେହି ମୁହୂର୍ତ୍ତରେ ନଶ୍ଚୟ ଶୁଣିବାକୁ ହେବ ।

 

ଗଉରୀ ବିଭା ହେବାର ଅଳ୍ପ ଦିନ ଭିତରେ ଏ ଡ଼ାକରା ତା ସ୍ୱାମୀଙ୍କ ପାଖକୁ ଆସିଲା । ଡାକରାକୁ ସେ ଏଡ଼ି ନ ପାରି ଶୁଣିବାକୁ ବାଧ୍ୟ ହେଲେ । ସେ ତ ଶୁଣି ଚାଲିଗଲେ; ମାତ୍ର ଗଉରୀ ବୁକୁରେ ସେହି ଡାକରାର ଧକ୍‌କା ବେଶୀ ବାଜିଲା । ତାର ବୁକୁତଳ ପଞ୍ଜରା ହାଡ଼ ଭିତର ଫଟାଇ ସବୁବେଳେ କିଏ ଚିତ୍କାର କଲା–ବିଧବା ! ବିଧବା !! ବିଧବା !! ପୁଣି, ଏଥିର ଘାତ ପ୍ରତିଘାତ ଗଉରୀ ବୋଉକୁ ଅଥୟ କରି ପକାଇଲା । ବାକି ବନ୍ଧୁ ବାନ୍ଧବ, ବ୍ୟବସ୍ଥା ଦାତାମାନେ ଭାଗ୍ୟର ଦୋହାଇ ଦେଇ ତୁନି ହୋଇ ରହିଲେ ।

 

ସେ ଦିନ ରାତି ନ ପାହୁଁ ଣୁ ଅଗଣାର ଗଙ୍ଗଶିଉଳି ଗଛ ପାଖେ ଠିଆ ହୋଇ ଗଉରୀ ତାର ଏହି କଥା ନେଇ ମନେ ମନେ କଣ ବିଚାରୁଥିଲା । ଗଙ୍ଗଶିଉଳି ଫୁଲ ପରି ତା ଦେହରୁ ଅଳଙ୍କାରପତ୍ରଗୁଡ଼ିକ କୁଆଡ଼େ ଝଡ଼ିପଡ଼ିଲା–ଏକଥା ସେ ସେତେବେଳେ ନ ଭାବି ରହିପାରୁ ନ ଥିଲା ।

 

ବାଳିକା ଗଉରୀ ନିଜେ ବିଧବା ହେଲା । କଥାଟା ସେତେ-ବେଳେ ସେ ଭଲକରି ବୁଝିପାରିଲା ନାହିଁ । ସେତେବେଳେ ତା ଆଖିର ଲୁହ ସେତେ ତରଳ, ସେତେ ଛଳଛଳ ନଥିଲା । ସମସ୍ତେ କାନ୍ଦିଲେ ବୋଲି ସେ କାନ୍ଦିଲା; ମାତ୍ର ଦେଶୀ କାନ୍ଦିଲା ତା ବୋଉ । ସେଥିରେ ତାର ଜୀବନ ନାଡ଼ି ଛିଡ଼ିଗଲା ! ସେ ଶେଷଥର ପାଇଁ ଆଖିବୁଜି ଦେଇ ସଂସାରରୁ ବିଦାୟ ନେଇ ଗଲାବେଳେ ଝିଅର ମୁକୁଳା ଦେହରେ ହାତ ବୁଲାଇ ବୁଲାଇ କେଦଳ ଲୁହ ଦୁଇ ଧାର ବୁହାଇ ଦେଲା ମାତ୍ର, କିଛି କହିପାରିଲା ନାହିଁ-କହିବାକୁ ତାର ଆଉ ଥିଲା ବା କଅଣ ?

 

ଏହି ଘଟଣାର ପ୍ରାୟ କେତେଦିନ ପରେ ବୃଦ୍ଧ ରାଧାନାଥ ସେ ଦିନ ସନ୍ଧ୍ୟାବେଳେ ଆପଣା ପିଣ୍ତାରେ ବସି ମନେ ମନେ ତାରାମଣିଙ୍କ କଥା ଭାବୁଥିଲେ । ତାଙ୍କ ମନ ଭିତରେ ଅତୀତ ଜୀବନର କେତେ ସୁଖ ଦୁଃଖମୟ ଚିତ୍ର ଖେଳିଯାଉଥିଲା ।

 

ତାର ପର ଘଟଣା ଏହିଠାରେ କୁହାଯାଉଛି ।

 

ସେହି ମ୍ଲାନ ସନ୍ଧ୍ୟାଲୋକ ଭିତରେ ମଧୁପୁରର ପୁରୁଣା ମାମଲତକାର କବିରାଜ ଗଙ୍ଗାଧର ରାଧାନାଥଙ୍କ ଦୁଆରମୁହଁରେ ବାଡ଼ି ଠକ ଠକ କରି ଧୀରେ ଧୀରେ ଉପରକୁ ଉଠିଲେ । ସେତେବେଳେ ଦୁହେଁ ଦୁହିଁଙ୍କର ପରିଚୟ ନେବା ଦରକାର ପଡ଼ିଲା ନାହିଁ । ଯେଉଁ କଥା ପଡ଼ିଲା, ତାର ମୁଳ କଥା ସେଠି କିଛି ଆରମ୍ଭ ହେଲା ନାହିଁ । ଜଣାପଡ଼ୁଥିଲା ଆଗରୁ କେତେବେଳେ କେଉଁଠାରେ ତାହା ଆରମ୍ଭ ହୋଇ ସାରିଥିଲା । ଗଙ୍ଗାଧର ସ୍ୱରକୁ ବସେଇ ବସେଇ କହିଲେ–‘‘ଏତେବେଳେ ପଛଘୁଞ୍ଚା ଦେଲେ ଚଳିବ କି ? ଏ ତ କିଛି ନୂଆ କଥାଟେ ନୁହେ ଏ ଗାଆଁରେ ! ସଂସାର ଯାକର କଥା ଛାଡ଼, ଆମରି ଗାଆଁ କଥା, ଘର କଥା ଭାବିଲ ଦେଖି । ଚନ୍ଦ୍ର, ଚୋରପାଣି, ଗୋପିନାଥ ସମସ୍ତଙ୍କ ଭାଗ୍ୟରେ ତ ୟା ଘଟିଛି। ୟାକୁ ଛାଡ଼ିଦେଲେ ଗାଆଁରେ ଆଉ ଯେ ଅଛନ୍ତି ବାଲୁଙ୍କି ଚାଉଳ, ରାମ ଶାସମଲ, ବନା ପଧାନ ସମସ୍ତଙ୍କ କପାଳେ ଏଇ କଥା । କାହାର ବା କଣ ଅଭାବ ହେଇଚି, ଉଣା ହେଇଚି ? କାଳ ସବୁ କରଉଚି, ତମ ଆମ ହାତରେ ଥାଏ କଣ ? ତା ପରେ......’’

 

ରାଧାନାଥ ଗଙ୍ଗାଧରଙ୍କୁ ଆଉ କୁହାଇ ନ ଦେଇ କହିଲେ–‘‘ସବୁ ହେଇ ଥିଲା, ଭାଇ, ମାତ୍ର କାଳ ପରା ଏବେ ହେଲାଣି ଭିନେ । ରଇତ ଆଜି ସାହୁକାରଙ୍କୁ ତବାବ ଦେଉଚି, ପୁଅ ଆଜି ଦାପ ଆଗରେ କୁଞ୍ଚ ଫିଟେଇ ଚାଲୁଚି, ଦର ଏବେ କନ୍ୟା ଦେଖି ବିଭା ହେଉଚି..... ଦେଖୁନ ଏ ସବୁ ରୀତି ନୀତି ! ଜାଣିଚ ତ ଟୋକା କେତୋଟା କେତେ କଥା ଘଟେଇଥିଲେ ? ଏ କଥା ଶୁଣିବା ମାତ୍ରେ ସେଇ ପୁଣି ଅଣ୍ଟା ଭିଡ଼ି କୁଆଡ଼ୁ ବାହାରି ପଡ଼ିବେ । ସେତେ ଗୋଳମାଳକୁ ମୋର କିଏ ଯିବ-? ଏଥିକି ତୁମର ହୁବ ପାଉଚି ତ ?’’

 

ଗଙ୍ଗାଧର ତେଜି ଉଠି କହିଲେ–‘‘ମତେ ପଚାରୁଚ ? ପାରିବା କଥା ପଚାରୁଚ ? ଏଥିକି ଖାଲି ଜବାବ, ଏଥିକି ଖାଲି ଶାସ୍ତ୍ର ପ୍ରମାଣ । କାଲିର ହେଇଟି ଡ଼ିମ୍ବଗୁଡ଼ାକ । ସେ ପୁଣି କହିବେ, ଏସା କରେଙ୍ଗେ, ତେସା କରେଙ୍ଗେ! ଛାଡ଼ି ସେ କଥା । ବାଳ ପୋଡ଼ି ଗଲେ ପାଉଁଶ ନୁହେ କି ଅଙ୍ଗାର ନୁହେ । ଏଥିକି ଏତେ ଭୟ କିଆଁ ? କଥାଟା ଏବେ ପକ୍‌କା କରିଦିଅ, ଆଉ ଏତେ ଆଗ ପଛ ଲୋଡ଼ା ନାହିଁ ।’’

 

ରାଧାନାଥ କିଛି ଉତ୍ତର ନ ଦେଇ ମନେ ମନେ କଣ ଭାବୁଛନ୍ତି, ଦୁଆରମୁହଁରେ ଗଉରାର ସ୍ୱର ଶୁଭିଲା–‘‘ଗୋଡ଼ ଧୁଅ ନନା, ଖାଇବାକୁ ହେଲାଣି ।’’

 

ଦୁଇ ବୁଢ଼ାଙ୍କର କଥା ସେ ଦିନ ସେତିକିରେ ରହିଲା ।

•••

 

-ଛଅ-

 

ଏଗାର ବରଷର କନ୍ୟା ରମା ବୁଝି ନ ପାରେ କଣ ? ତା ପାଇଁ ମାସକେ ପନ୍ଦରଟା ପ୍ରସଙ୍ଗ ଆସି ପଡ଼େ । ମାସକେ ସାତ ଆଠ ଥର ସେ କନ୍ୟାବେଶ ହୋଇ ବର-ଦେଖା ହୁଏ । ଏ ଓଳି ସେ ଓଳି କେତେ ବର୍ଣ୍ଣର, କେତେ ରୂପର, କେତେ ବୟସର ବର କଥା ସେ ଶୁଣେ । ମାତ୍ର କୌଣସି ବର କଥା ସେ ଦୁଇ ଚାରି ଦିନରୁ ବେଶୀ ସମୟ ଶୁଣିବାକୁ ପାଏ ନାହିଁ । ସକାଳ କୁହୁଡ଼ି ଭିତରେ ସୂର୍ଯ୍ୟକିରଣ ପରି ସବୁ କଥା ତାକୁ ସବୁବେଳେ ଅନ୍ଧାରିଆ ଅନ୍ଧାରିଆ ଦିଶୁଥାଏ । ସେ ଶୁଣେ ତା ପାଇଁ ଯେତେ ଯେତେ ପ୍ରସଙ୍ଗ ଆସେ ସେଥିରେ କାହାର ବାଳ ପାଚି ଯାଇଚି, କାହାର ଦାନ୍ତ ପଡ଼ି ଯାଇଚି, କାହାର ଗୋଡ଼ ଗୋଦର, କାହାର ବା ମୁଣ୍ତ ଚନ୍ଦା । କିଏ ଦ୍ୱିତୀୟ ପକ୍ଷ କିଏ ବା ତୃତୀୟ ପକ୍ଷ । କାହାକୁ ବର୍ଷେ ହେଲା କାମଳ ରୋଗ ହୋଇଥିଲେ କାହାକୁ ବା ଛ’ ମାସ ହେଲା ପୁତ୍ରଶୋକ ହୋଇଛି । ତା ପାଇଁ ପ୍ରଥମ ପକ୍ଷ ପ୍ରସଙ୍ଗ ଯେ ନ ଆସେ ଏପରି ନୁହେଁ । ମାତ୍ର ସେ ସବୁ ଜାତିରେ ଊଣା-ଊଣା ବୋଇଲେ ଏକାବେଳକେ ତଳେ !

 

ରମା ସବୁ ଶୁଣେ, ନୀରବରେ ସବୁ କଥା ସହେ । କାହା କଥାର ପ୍ରତିବାଦରେ ସେ କେବେହେଲେ ଉଁ କି ଚୁଁ କରେ ନାହିଁ । ଏତେ ଏତେ ପ୍ରସଙ୍ଗ ଭିତରୁ ସେ କାହାକୁ ପସନ୍ଦ କରେ ବା କାହାକୁ ନାପସନ୍ଦ କରେ, ଏ କଥା ସେ କାହା ଆଗେ ମନ ଫିଟେଇ କହେ ନାହିଁ । ଏହି ବରପ୍ରସଙ୍ଗ କଥା ପଡ଼ିଲା ମାତ୍ରେ ତା ମୁହଁଟା କିମିତି କଳା ପଡ଼ିଯାଏ। ସେତେବେଳେ ସେ କଣ ଭାବେ, ତା ଅନ୍ତରର ଭଗବାନ କେବଳ ଜାଣନ୍ତି । କିନ୍ତୁ ସେତେବେଳେ ଭଗବାନଙ୍କ ପରେ ତାର ବିଶ୍ୱାସ ଥିଲା କି ନାହିଁ, ସେ କଥା ତାକୁ କଣା ।

 

ସାଇ ପଡ଼ିଶାରୁ କେତେବେଳେ କିଏ ଆସି ରମାର ମୁଣ୍ତଟି କୁଣ୍ତାଇଦିଏ, ତେଲ ନ ଥିଲେ ପାଣି ଟିକିଏ ଲଗାଇ ସାଉଁଳିଦିଏ, ଅଳତା ନ ଥିଲେ ଗୋଡ଼ ଦୁଇଟା ଭଲ କରି ପୋଛିପକାଏ-। ଖାଲି ଏତିକି ନୁହେଁ, ଚିରା ଲୁଗା ପିନ୍ଧିଥିଲେ ଭଲ ଲୁଗା ଖଣ୍ତିଏ ଆଣି ତାକୁ କିଏ ପିନ୍ଧାଇଦିଏ । ତା ପରେ, କେଉଁ ଅପରିଚିତ ଲୋକ ଆଗେ ତାକୁ ଠିଆ ହେବାକୁ ପଡ଼େ । ଏହି ହେଲା ରମାର ବର-ଦେଖା । ଏହି ବର-ଦେଖା ବେଳେ ତାର ଆଖି ଦୁଇଟା ବୁଜି ହୋଇଯାଏ, ରାମ ରାମ ହୋଇ କପାଳରୁ ତଳିପାଯାଏ ଝାଳ ବୋହି ପଡ଼େ ।

 

ମାତ୍ର ଏହି ଆଖି ବୁଜିଲା ବେଳେ ମନ ଭିତରେ ରମା ଆଉ ଏକ ବିଚିତ୍ର ଜଗତ୍‌ଦେଖେ-। ତାକୁ ଦେଖାଯାଏ, ସୁନ୍ଦର ଗୌରକାନ୍ତି ଯୁବକଟିଏ । ବୟସ ଷୋଳ ସତର । ସବୁବେଳେ ହସ ହସ ମୁହଁ-ସେ ତାର ହାତ ଧରି ନେବା ପାଇଁ ଏତେ ବାଟ ଏତେ ପରିଶ୍ରମ କରି ଆସିଛନ୍ତି । କେଡ଼େ ଭାଗ୍ୟବତୀ ସେ ! ଗାଁର କାହା ଭାଗ୍ୟରେ କି ୟା ଘଟିଥିବ ? କାହା ଦୁଆରକୁ କି କିଏ ଏପରି ଡାକି ଆସିଥିବେ ? କିଏ କି ଏପରି ଦେଶବାସ ହୋଇ, ଆଖି ବୁଜି, ବୁକୁ ଥରାଇ, ଭୟ, ଲାଜ, ସଙ୍କୋଚରେ ପର ଆଗେ ଠିଆହୋଇ ଏପରି ସ୍ୱପ୍ନ ଦେଖିଥିବେ ? ଏସବୁ କଥା ଭାବିଦେଲା ମାତ୍ରେ ତା ଦେହଟା ଥରି ଉଠେ, ଆଉ ସେ ସମ୍ଭାଳି ନ ପାରି ଆଖି କୋଣରେ ବାହାରକୁ ଟିକିଏ ଚାହିଁଦିଏ । ଚାହିଁ ଦେଲାକ୍ଷଣି ଦେହରେ ଶୀତକଣ୍ଟା ମାରିଯାଏ । ଯାହା ଭାବୁଥାଏ ତାର ଠିକ୍‌ଓଲଟା ଚିତ୍ରଟାଏ ସେ ଦେଖେ । ସତେ ଅଦା ଅଜଣା, ଅଶୁଣା କଣ ଛବିଟାଏ ତା ଆଗରେ ଆସି ଉଭା ! ତାକୁ ଦେଖି କାତର ଭାବରେ ସେ ଧାଇଁ ଚାଲିଯିବାକୁ ଇଚ୍ଛା କରେ ।

 

ରମା ଜାଣେ, ତା ବୋଉ ସବୁଥିକି ଅରାଜି । କିଏ କହେ-ଜାତି ଉଣା; ମାତ୍ର ତିରିଶି ଦେବ । ଆଉ କିଏ କହେ–ତିରିଶି ନୁହେ, ଚାଳିଶି ମିଳିବ । ପୁଣି ଆଠ ଦିନ ପରେ କାହୁଁ ଆସି ପ୍ରସଙ୍ଗ ଉଠେ–ସେ କଥା ସବୁ ମିଛ । ପଚିଶି ଟଙ୍କା ନଗଦ ଏବଂ ଆଉ ଯାହା କିଛି ଅଳଙ୍କାର ପତ୍ର । ମାତ୍ର ପାତ୍ରଟିର ବୟସ ତିନି କୋଡ଼ିକୁ ଦୁଇଟି ବରଷ ଉଣା ।

 

ଏସବୁ ଭଳିକି ଭଳି କଥା ଶୁଣି ରମାର ବୋଉ ଦୀର୍ଘ ନିଶ୍ୱାସ ପକାଇ ଥକାମାରି ବସି ପଡ଼େ । ଗାଁର ବୁଢ଼ା ବୁଢ଼ା କେତେ ଲୋକ ମିଳି ଯେ ଏସବୁ ଯୋଗାଡ଼ କରାଉଛନ୍ତି, ଏ କଥା ସେ ଜାଣେ । ତା ଆଗରେ ଏ ସବୁ ବରର ରୂପ କଥା, ବୟସ କଥା ଖତେଇ ହୋଇ ଉଠେ । ବରର ରୂପ ସଙ୍ଗେ ସେ ଆଗ ଟଙ୍କା କେତୋଟିକୁ ତୁଳି ବସେ । ତା ପରେ ମନକୁ ମନ ମୁହଁ ମୋଡ଼ିଦିଏ । ଟଙ୍କା କେତୋଟିକୁ ବରର ବୟସ ତିନିକୋଡ଼ି ସାତ ! ବୋଉ ହୋଇ ଏକଥା ସେ ବିଚାର ପାରେ ନାହିଁ । ପାରିବ ବା କିମିତି ? କାହା ଘରର ବୋହୁ, କାହା ଘରର ଝିଅ ସେ-ଆଉ ସେ କିଛି ଭାବି ନ ପାରି ଲୁହ ଢାଳିଦିଏ ।

 

ଲଜ୍ଜାବତୀ ରମାର ମନ କଥା ସେତେବେଳେ ଜାଣେ କିଏ ? ସାଇରେ ସମସ୍ତେ ତାକୁ ଅଭିଆଡ଼ୀ ବୁଢ଼ୀ ବୋଲି ଖୁଣ୍ଟଣା ଦିଅନ୍ତି, ପଛରେ ମୁଚୁ ମୁଚୁ ହସନ୍ତି । ଘରେ ବୋଉର ବିଚାର ତହିଁରୁ ବଳେ । ବେଳେ ବେଳେ ବୋଉ ତାର ମନଦୁଃଖରେ ମୁହଁ ମାଡ଼ି ଶୋଇ ପଡ଼େ । କେତେବେଳେ ବା ତୁଛାଟାରେ ଅନର୍ଥକ କଳି ଭିଆଇ ପାଟି କରେ । ଝିଅ ପାଇଁ କିଛି କରି ନ ପାରି ରଦେଇ ଖବେଇ ହୋଇ ଏଣୁ ତେଣୁ ହାଡ଼ଛିଣ୍ତା କଥା କହି ବସେ । ରମା ପାଟିରୁ ପଦେ ହେଲେ କଥା ବାହାରେ ନାହିଁ । ସେ ଖାଲି ବୋଉ ତୁଣ୍ତରୁ ଶୁଣେ–‘‘ଅଲଖିଣୀ, ପୋଡ଼ାମୁହୀଁ, ଇମିତି ଅଲଖିଣୀଟାକୁ ପେଟରେ ଧରି ମୁଁ ପରା ନାଟସାର ହୋଇଗଲିଣି । ମୋରି କପାଳକୁ ଥୁଆ ହୋଇଥିଲୁ ଲୋ-ତିନି ଭୁବନରେ ବର ମିଳୁ ନାଇଁ, ଗାନ୍ଧାରୀ, ବାରଦୁଆରୀ, ଲାଜ ନାଇଁ ? ତୋ ବୟସର ପିଲେ ଘରବର ପାଇ ନାଚୁଛନ୍ତି–ତତେ ଦଉଡ଼ି ଚକେ ହେଲେ ମିଳୁ ନାଇଁ?’’ ଇତ୍ୟାଦି କେତେ କେତେ କଥା ରମାକୁ ନୀରବରେ ରହି ଶୁଣିବାକୁ ହୁଏ ।

 

ରମା ଏହିପରି ଭାଗ୍ୟ ନେଇ କେବଳ କୁଡ଼ିଆ ଭିତରେ ଥିଲେ ମଧ୍ୟ କିଛି ଯାଆନ୍ତା ଆସନ୍ତା ନାହିଁ । ସେ ଅବା ଦାଣ୍ତକୁ ନ ବାହାରନ୍ତା, ବାଡ଼ିଆଡ଼େ ନ ଯାଆନ୍ତା, ପାଞ୍ଚ ସାତଙ୍କ ସଙ୍ଗେ ସାଙ୍ଗସାଥୀ ନ ହୁଅନ୍ତା, ବୋଉର ଗଞ୍ଜଣା ସହ ତୁନି ହୋଇ ପଡ଼ିଥାନ୍ତା । ତା କି ହୁଏ ? ତା ପାଇଁ ଖାଲି ଘରେ ନିଆଁ ଜଳେ ନାହିଁ, ବାହାରେ ମଧ୍ୟ ଜଳେ । ଏ ଭିତରେ ଗାଁ ଲୋକେ ବସି କଥା କରି ସାରିଛନ୍ତି ଯେ, ଆଉ ଏଣିକି ସମ୍ଭାଳି ରହି ହେବ ନାହିଁ । କଥା ହେଉଛି, ଏଗାର ବରଷର ଝଅଟାକୁ ଅଭିଆଡ଼ୀ ରଖିବା ଫଳରେ ଗାଁକୁ ଆଉ ମଙ୍ଗଳ ନାହିଁ । ଏଥିପାଇଁ ଗାଁରେ ସମସ୍ତଙ୍କର ଘୋର ଚିନ୍ତା-। ଏଥିର ନିଷ୍ପତ୍ତି ହେବ କିପରି ?

 

ତେଣେ ଦାଣ୍ତ ଆଡ଼ ଅନୁକରଣରେ ବାଡ଼ିପଟେ ମାଇପି ଲୋକଙ୍କ ସଭା । ସେ ସଭା ମନ୍ଥନରେ କେବଳ ବିଷ ବାହାରେ । କିଏ ରମାର ରୂପକୁ, କିଏ ଗୁଣକୁ, କିଏ ବା ତାର ବରପ୍ରସଙ୍ଗ କଥାକୁ ଟୀକା ଟାହୁଲି କରି ବସନ୍ତି । ରମା ଏସବୁ ବୁଝେ ବୁଝି ତୁନି ହୋଇ ରହେ ।

•••

 

-ସାତ-

 

‘ରମା କି ଲୋ,’ ‘ରମା କି ଲୋ’ ଡାକି ଡାକି ଗାଆଁର କୁଳବୁଦ୍ଧ ରାଜଗୁରୁ ତାଟିଟା ଠେଲିଦେଇ ଘର ଭିତରକୁ ପଶିଗଲେ । ସକାଳ ସମୟଟା, ରମାର ବୋଉ ବାସି ଆଡ଼ିତି କରୁଥିଲେ ।

 

ରାତିରେ ସତେ ଅଦା ରାଜଗୁରୁଙ୍କୁ ନିଦ ନ ଥିଲା ! ଏଡ଼େ ସକାଳଟାରୁ ରାଜଗୁରୁଙ୍କ ପାଟି ଶୁଣି ବିଧବା ଚମକି ପଡ଼ିଲେ । ବୁଲି ପଡ଼ି ମୁହଁ ଟେକି ଚାହୁଁ ଚାହୁଁ ରାଜୁଗୁରୁ ଆସି ଅଗଣା ମଝିରେ ହାଜର । ବିଧବା ଗୋବର ମାଟି ହାତଟାକୁ ତରତରରେ ଦରଧୁଆ କରି, ଚାଖଣ୍ତେ ଲମ୍ବରେ ପଣତଟାଏ ଟାଣି ଦେଇ ଘର ଭିତରକୁ ପଶିଗଲେ । ରାଜଗୁରୁଙ୍କର କିନ୍ତୁ ଏ ସକଳ ମାଇନ ବିଧାନ ପ୍ରତି ଦୃଷ୍ଟି ନାହିଁ । ସେ କଣ ଗୋଟାଏ କଥା କହିବେ ବୋଲି ଏକା ବେଳକେ ଅଧୀର ! କେତେ କାଳର ପୁରୁଣା ବନାତ ଖଣ୍ତିଏ ଦୁଇ ପ୍ରସ୍ତ କରି ଘୋଡ଼େଇ ହୋଇଛନ୍ତି । ମୁଣ୍ତରେ ଏକ ଆଠପ୍ରସ୍ତିଆ ଠେକା । ହାତରେ ଖଣ୍ତିଏ ଶିଙ୍ଘଲଗା ବାଡ଼ି-ଏହିପରି ଦେଶରେ ସେ ଭୁଷ୍‌କିନା ଯାଇ ଦୁଆର ମୁହଁରେ ପହଞ୍ଚିଗଲେ । ବିଧବା ନିତାନ୍ତ ଲଇଁତି ସଇଁତି ହୋଇ, ଘର ଭିତରୁ ମୃହୂୀର୍ତ୍ତକେ କୁଆଡ଼େ ଖଣ୍ତେ ଖଣ୍ତିଆ ପିଢ଼ା ଦରାଣ୍ତି ଆଣି ହାତ ବଢ଼ାଇ ଏରୁଣ୍ତୀ ଏ ପାଖକୁ ଥୋଇଦେଲେ । ଛାଞ୍ଚୁଣୀଟାରେ ଅଢ଼ଙ୍ଗଟା ଓଳାଇ ଦେବାକୁ ଆଉ ତର ନାହିଁ । ରାଜଗୁରୁ ଜୁଆର ମାଡ଼ିଲା ପରି ମାଡ଼ି ଯାଉଛନ୍ତି । ତେଣୁ ସେ ତାଙ୍କ ମୁହଁରୁ କଣ କଥା ଶୁଣିବାକୁ ପ୍ରସ୍ତୁତ ହୋଇଗଲେ-

 

ମାସକେ ପ୍ରାୟ ଅଣତିରିଶି ଦିନ ରମାର ବୋଉଙ୍କୁ ଏହିପରି ଅସମୟରେ ବାହାର ଲୋକଙ୍କୁ ଚର୍ଚ୍ଛା କରିବାକୁ ପଡ଼େ । ସବୁବେଳେ ସେହି ରମା କଥା-ରମା କିପରି ବିଭା ହେବ, କିପରି ପାତ୍ରଟିଏ ଜୁଟିଛି, କିପରି ଭଲ ପ୍ରସଙ୍ଗଟାଏ ଭାଜିଗଲା, ଦୋଅଡ଼ ବର କି ତିସିରା ବର-ଏହିପରି କେତେ କଥା ଶୁଣିବାକୁ ପଡ଼େ ।

 

ରାଜଗୁରୁ ତଳେ ବସିପଡ଼ି ଠକ୍‌ଏହିପରି କଥାଟାଏ ଆରମ୍ଭ କରିଦେଲେ । ଟିକିଏ ଟିକିଏ ଖଣ୍ତିକାଶ ଦେଇ, କେତେବେଳେ ନରମ, କେତେବେଳେ ଗରମ, କେତେବେଳେ ଗୁପ୍‌ଚୁପ୍‌, କେତେବେଳେ ବା ଚଢ଼ା ଗଳାରେ ନିଜର ବକ୍ତବ୍ୟକୁ ସେ ବିଚିତ୍ର ଭାବରେ ବ୍ୟକ୍ତ କରିବାରେ ଲାଗିଲେ । କବାଟକୁ ଆଡ଼ପେଲା କରି ରମାବୋଉ ରାଜଗୁରୁଙ୍କର ସେହି ଦାଢ଼ିଆ ମୁହଁକୁ ବଲ ବଲ କରି ଚାହିଁଥାନ୍ତି । ମଝିରେ ମଝିରେ ତାଙ୍କୁ କେତେ ପ୍ରଶ୍ନ ହେଉଥାଏ । ସେ କୌଣସି ପ୍ରଶ୍ନର ହେଲେ ଉତ୍ତର ଦିଅନ୍ତି ନାହିଁ । କେବଳ ସେହି କଥାବାର୍ତ୍ତା ଭିତରେ ବେଳେବେଳେ ଗୋଟେ ଗୋଟେ ଦୀର୍ଘଶ୍ୱାସ ଉଠି ତାଙ୍କ ହୃଦୟକୁ ବିଚଳିତ କରି ପକାଉଥାଏ ।

 

ପାତ୍ରଟିର ଧନ ଜନ ଗୋପ ଲକ୍ଷ୍ମୀ ବିଷୟରେ ପ୍ରାୟ ଘଡ଼ିଏ କାଳ କହିବା ପରେ ଅତି ଧୀରେ ଧୀରେ ରାଜଗୁରୁ କହିଲେ–‘‘ଭାବି ଭାବି କେତେ ମାସ ହେଲା ଆଖିକି ନିଦ ନ ଥିଲା । ସବୁବେଳେ ଖାଲି ଏଇ ଚିନ୍ତା ଲାଗିଥିଲା । ରମାଟି କିମିତି କୁଳରେ ଲାଗିବ, ଭଗାରୀ ହସିବେ ନାହିଁ-ଏଇଥି ପାଇଁ ମତେ କେତେ ଯେ ଘାଣ୍ଟି ହେବାକୁ ପଡ଼ୁଛି, ସେ କଥା ଏଇ ଯେ ଦିନ ରାତି ଆତଯାତ କରୁଛନ୍ତି ସେଇ ଜାଣିବେ । ଏ ଲୋକର ମନକଥା ଆଉ ଏ ଗାଁରେ କେହି ବୁଝିବାକୁ ନାହାନ୍ତି । କାହାକୁ କହିଲେ କଣ ହେବ ? ଏଇ ରମାଟି ପାଇଁ କେତେ ଆଡ଼େ କେତେ ପ୍ରକାରେ ଆଖି ବୁଲେଇଲି । ବୁଲେଇ ବୁଲେଇ ସହତରେ କେଉଁଠି ହେଲେ ଦିଗ ପାଇଲି ନାହିଁ । ପ୍ରଭୁଙ୍କ ବରାଦ ତ ! ଯାହା ପାଇଁ ଯେ, ସେ ଆଗରୁ ବଛା ହୋଇଥାନ୍ତି । ଏ ସବୁ କି ମଣିଷ ହାତର କଥା । ଏ ସବୁ ସେଇ ପ୍ରଭୁଙ୍କ ଭିଆଣ କେବଳ । ପାତ୍ରଟିର ବେଶି ଗୁଡ଼ାଏ ବୟସ ବା କଣ ହୋଇଛି ? ଲୋକେ କଅଣ ଦୋଅଡ଼ ପକ୍ଷରେ ବିଭା ହେଉ ନାହାନ୍ତି ? ଗାଁ ଗାଁକେ ଇମିତି କେତେ କେତେ ହୋଇଚି । ପଟ୍ଟନାୟକଙ୍କ ଗୋସେଇଁବାପେ ସାତଟା ବିଭା ହୋଇଥିଲେ । ହେଇଟି ତ ପାଡ଼ୁଶିଙ୍କ କଥା ଦେଖୁଚ । ଚାରି ଚାରିଟା ହରେଇ ଲୋକେ ପୁଅଝିଅ ପାଇ ସୁଖରେ ଘର ଦ୍ୱାର କରି ରହିଛନ୍ତି-। ଏ କଥା କଣ ବଡ଼ କଥାଟେ ହେବ, ନା ସଂସାରବାହାର କଥା ହେବ ? ରମାଟିକୁ ପିଲାଦିନୁ ଦେଖି ମୁଁ ଜାଣିଚି, ୟା ହାତ କାଚ ବଜର ହେବ । ବଡ଼ ଘର ପାଇବ । କେତେଠି ଏ କଥା ମଧ୍ୟ କହି ସାରିଛି । ଆଉ କହିବ ତୁମେ ଜାତି କଥା । ଆମକୁ ସେ ପଟେ ଦି’ ପଟେ ଦେଇଛନ୍ତି, ଆମଠୁଁ ପଟେ ଦି’ ପଟ ନେଇଚନ୍ତି ମଧ୍ୟ । ଖାଲି ଯାହା ଦୋଅଡ଼ବର ବୋଲି ଟଙ୍କା ପଇସା କଥା ଉଠିଲା । ପଚିଶିଟି ଦେବେ । ମୁଁ ଏକାବେଳକେ ସବୁ ତୁଟେଇ ଦେଇ ଆସିଚି । ଘରେ ତା’ ଜେଉଳା କେହି ହେଲେ ନାହାନ୍ତି । ଗୋଟି, ବୋଲି ନଣନ୍ଦ......ହଁ......ପ୍ରଭୁ କେତେବେଳେ କାହାକୁ କଣ କରୁଚନ୍ତି ଆମେ କାନ୍ଦିଲେ ବୋବେଇଲେ କଣ ହେବ, ବାଡ଼େଇ ଛେଚି ହେଲେ କଣ ହେବ ? ହଉ, ହଉ, ତୁନି ହୁଅ । ନିର୍ବନ୍ଧ କାଲି । କାଲିଠୁ ସବୁ ଦୁଃଖ ଯିବ । ଯାହା ହାଣ୍ତିରେ ଯିଏ ଚାଉଳ ପକାଇଚି, ସେ ତା ଘରକୁ ଯିବ ।’’

 

ରମା ଶୋଇଥିଲା ଶେଯରେ । ତା ନିତି କଥା ଭାବିବାରେ ସେ ବୁଡ଼ି ରହିଥିଲା । ତାର କିଶୋରୀ ହୃଦୟଟା ଏହି କେତେ ଦିନ ଭିତରେ ଏପରି ଛଟପଟ ହେଉଥିଲା ଯେ, କଣ କରିବ କିଛି ବିଚାରି ଠିକ୍‌କରି ପାରୁ ନ ଥିଲା । ରାଜଗୁରୁଙ୍କର ଏ କଥା ଶୁଣି ତାର ଦେହଟାଯାକ ଶୀତେଇ ଉଠିଲା । ଶୀତେଈଲେ କଣ, ପୋଡ଼ି ଜଳିଗଲେ କଣ-କାହାକୁ ସେ କଣ ବା କହିବ ? କେବଳ ସେ ଦେଖିଲା, ବୋଉ ତାର କବାଟ ପାଖେ ଠିଆ ହୋଇ ଖାଲି ଧାର ଧାର ଲକରି ଲୁହ ଗଡ଼ଉଚି, ପଦେ ହେଲେ କିଛି କହି ପାରୁ ନାହିଁ ।

 

ଶେଷକୁ, ‘ଯାହା ହେଉ, ଏବେ କୁଳ ଥଳ ମିଳିଲା’ କହି ରାଜଗୁରୁ ଉଠି ପଡ଼ି ଦାଣ୍ତଆଡ଼କୁ ଗୋଡ଼ କାଢ଼ିଲେ । ରମାର ବୋଉ କବାଟକୋଣରୁ ବାହାରି ପଡ଼ି ସେଇ କଥା ସବୁ ଭାବି ଭାବି ବାଡ଼ି ପିଣ୍ତାଟାରେ ଗାଲରେ ହାତ ଦେଇ ବସିଗଲା । ତାକୁ ଆଉ ଘର ସଂସାର କିଛି ସୁଖ ଲାଗିଲା ନାହିଁ । ରମା ଯେତେବେଳେ ପଚାରିଲା-‘‘ଶାଗତକ ଖରଡ଼ିବି ନା ରାଇ କରିବି’’-ସେ ମୁହଁ ଟେକି ଚାହିଁଲା । ବେଳ ସେତେବେଳକୁ ଛ’ ଘଡ଼ିକୁ ବଳି ପଡ଼ିଛି । ସାଇପଡ଼ିଶା ଘରେ ଖିଆପିଆ ଆରମ୍ଭ ହୋଇ ସାରିଛି ।

 

ଝିଅକୁ କଣ କହିବା ଆଗରୁ ବୋଉର ବୁକୁ ଭିତରୁ ଦମକାଏ ନିଶ୍ୱାସ ବାହାରି ପଡ଼ିଲା ।

•••

 

-ଆଠ-

 

ତାରାମଣିଙ୍କ ମୃତ୍ୟୁରେ ରାଧାନାଥଙ୍କର ଯେଉଁ କଠୋର ବୈରାଗ୍ୟ ଆସିଥିଲା, କେତୋଟା ମାସ ମଧ୍ୟରେ ତାହା କ୍ରମେ ଶିଥିଳ ହୋଇପଡ଼ିଲା । ଏଥିପାଇଁ କବିରାଜ ଗଙ୍ଗାଧର ଅନେକ ପରିମାଣରେ ଦାୟୀ । ଦୁହେଁ ସମବୟସର ଲୋକ, ସମାନ ପରିମାଣରେ ଗୃହୀ । ଦିନେ ମଧ୍ୟ ଗଙ୍ଗାଧରଙ୍କ ଭାଗ୍ୟରେ ସ୍ତ୍ରୀ ବିୟୋଗ ଘଟିଥିଲା । ମାତ୍ର ସେ ଔଷଧ ଦେଇ ରୋଗ ଶାନ୍ତ କଲା ପରି ଆଉ ଗୋଟିକୁ ବରଣ କରି ଆଣି ପତ୍ନୀ ବିଚ୍ଛେଦ ଦୁଃଖଶୋକ ଏକାବେଳକେ ମନରୁ ଭୁଲି ଯାଇଛନ୍ତି । ଏପରି କି, ଏ ଜନ୍ମରେ କେବେ ତାଙ୍କର ଏପରି ବିପଦ ପଡ଼ିଥିଲା ବୋଲି ଆଦୌ ମନେ ନାହିଁ କହିଲେ ଚଳେ।

 

ଗଙ୍ଗାଧରଙ୍କ ବୈଠକ ଘର ଭିତରେ ଦିନକେ ଦୁଇ ଥର ସଭା ବସେ । ଗାଆଁର ରଥେ, ଦାସେ, ପଟ୍ଟନାୟକେ, ବିଷୋୟୀଏ, ରାଉତରେ, ପରିଡ଼େ ସମସ୍ତେ ସେଥିରେ ଯୋଗ ଦିଅନ୍ତି । ତାସ, ପଶା ଖେଳ ଚାଲେ । ଗଞ୍ଜେଇ ଚିଲମର ସଦ୍‌ବ୍ୟବହାର ହୁଏ । ମିଥା । ସାକ୍ଷୀର ବିଚାର ପଡ଼େ । ଲାଠିପଡ଼ା ପାଣ ସାଇର ବିଦିଆ ନାହାକାଣୀ ଠାରୁ ମୁକୁନ୍ଦପୁରର କେଉଁ ସ୍ୱର୍ଗତ ମହାନ୍ତିଙ୍କ ପର୍ଯ୍ୟନ୍ତ ସକଳ ସମାଲୋଚନା ଆରମ୍ଭ ହୁଏ ।

 

ରାଧାନାଥଙ୍କ ପତ୍ନୀବିଚ୍ଛେଦ ପରେ କେତେ ମାସ କାଳ ବୈଠକ ଘରେ କେବଳ ତାଙ୍କର ବିଷୟରେ କଥା ଚାଲିଲା । ତାରାମଣିଙ୍କ ରୁପ, ଗୁଣ, କଥା, ଚାଲିଚଳନ ବର୍ଣ୍ଣନା ଇତ୍ୟାଦି ପଡ଼ିଲାବେଳେ ରାଧାନାଥଙ୍କ ଦେହରେ ରୋମାଞ୍ଚ ଜାତହୁଏ । ଆଖିପତା ତାଙ୍କର ଓଦା ହୋଇ ଆସେ । ସଭାସ୍ଥ ଲୋକେ ସମଭାବରେ ବ୍ୟସ୍ତ ହୋଇ ସ୍ୱରକୁ ନୁଆଇଁ ନୁଆଇଁ କହନ୍ତି, ‘‘ଏ ତ କିଛି ସେପରି ନୁଆ କଥା ନୁହେ ହେ, ସଂସାରର କଥା ଏ । କହୁଚ ସଂସାରରେ ଆଉ ସାହା ଭରସା କେହି ନାହିଁ । ମୁଣ୍ତବାଳ ତ ଆହୁରି ଧଳା ହୋଇନାହିଁ, ସାହା ଭରସା ଖୋଜି ଲୋଡ଼ି ପାଇବାକୁ କଣ ବେଳ ଯାଇଛି ?’’

 

ଏହି ପ୍ରକାରର କେତେ କଥା ଶୁଣି ରାଧାନାଥ କେବଳ ରୁମ୍‌ମାରି ରହନ୍ତି ।

 

ପୁନର୍ବିବାହର ଏହିପରି ବିଚାର ଚାଲିଥିଲା ବେଳେ ରାଧାନାଥଙ୍କର ଏକ ବ୍ୟବସାୟ ଖୋଲିଗଲା । ସେ ବରାବର ଆଖି ବୁଲେଇବାରେ ଲାଗିଲେ, ଯେ, ତାଙ୍କର ବୟସର ବା ତାଙ୍କଠାରୁ ଦଶ ବରଷ ସାନ ବଡ଼ କାହା ମୁଣ୍ତରେ କେତେ ପରିମାଣରେ ବାଳ ପାଚିଛି । ତେଣିକି ସେ ବେଳେବେଳେ ଗମ୍ଭୀରୀ ଘର ଭିତରେ ଦର୍ପଣରେ ମୁହଁ ଦେଖିବାରେ ଲାଗିଲେ । ମୁହଁ ଦେଖୁ ଦେଖୁ କେବେ କେବେ ପାଚିଲା ବାଳ ପ୍ରତି ଘୋର ବୈରାଗ୍ୟ ଜାତ ହେଲା । କ୍ରମେ ସେ ପାଚିଲା ବାଳ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ତାଙ୍କ ମୁଣ୍ତରେ ତେଣିକି କିଏ ଧଳା ବାଳଟିଏ ଦେଖିବା ସ୍ୱପ୍ନ ହେଲା ।

 

ହାତରେ ସଣ୍ତୁଆସି ଧରି ସେ ଯେତେବେଳେ ଏହି ପ୍ରକାର ଗୋପନ କାର୍ଯ୍ୟରେ ଲାଗିଥାନ୍ତି, ଆଖିରୁ ଝର ଝର ହୋଇ ଲୁହ ବୋହି ପଡ଼ୁଥାଏ । ସେତେବେଳେ ଯେବେ ଗଉରୀ କୌଣସି କାର୍ଯ୍ୟରେ ସେ ଘର ଭିତରକୁ ପଶି ଆସେ, ହଠାତ୍‌ଦୁଆର ମୁହଁରେ ତା ଗୋଡ଼ ଥକି ରହିଯାଏ । ଓଦା ଆଖିରେ ରାଧାନାଥ ତଳକୁ ମୁହଁ ପୋତିଦିଅନ୍ତି କିଏ କାହା ମନକଥା କିଛି ବୁଝିପାରନ୍ତି ନାହିଁ । ନନାଙ୍କ ଆଖିରେ ଲୁହ ଦେଖି ତାର ନିତି ବୋଉ କଥା ମନେ ପଡ଼ିଯାଏ। ବୁକୁ ଭିତରୁ ତାର ଶୋକ-ସିନ୍ଧୁ ଉଛୁଳି ଆସେ । ନିଜକୁ ସେ ମମ୍ଭାଳି ନ ପାରି ଲୁହ ଛଳ ଛଳ ଆଖିରେ ଏରୁଣ୍ତୀ ପାଖରୁ ଫେରିଯାଏ ।

 

ମନୁଷ୍ୟର ହୃଦୟଟାକୁ ଭଗବାନ ଗଢ଼ିଛନ୍ତି କି ସଇତାନ ଗଢ଼ିଛି, କିଏ କହିବ ? କିଏ କାହାକୁ ଆଦୌ ଚିହ୍ନିପାରନ୍ତି ନାହିଁ । ବୃଦ୍ଧ ରାଧାନାଥ ନିଜ ମୁଣ୍ତରୁ ଧଳା ବାଳ ଉପୁଡ଼ାଇବା ଦ୍ୱାରା ଯେ କାହିଁ କେଉଁ ସୁଦୂର କଳ୍ପଲୋକରେ ଆଉ କେଉଁଠି ଗୋଛିଏ ସୁନ୍ଦର କଳା ଚିକ୍‌ଣ ବାଳର କଳ୍ପନା କରୁଥାନ୍ତି, ସେ କଥା ବିଧବା ଗଉରୀର କଳ୍ପନା-ରାଜ୍ୟର ଶତ ଲକ୍ଷ ଯୋଜନ ଦୂରରେ !

 

ବୃଦ୍ଧ ରାଧାନାଥଙ୍କୁ ରସମୟ ଯୌବନ-ରାଜ୍ୟରେ ଅଭିଷିକ୍ତ କରିବା ପାଇଁ ଯେଉଁଦିନ ବୈଠକ ଘରେ ଶେଷ ବିଚାର ସଭା ବସିଲା, ସେ ଦିନକୁ ତାଙ୍କ ମୁଣ୍ତରେ ଦର୍ଶନ କରିବାକୁ ପାଚିଲା ବାଳ ଗୋଟିଏ ସୁଦ୍ଧା ନାହିଁ !

 

ଏ ସବୁ ହେଲାବେଳେ ଏଥିରେ ପଦେ ପଦେ ବାଧା ବିପଦ ପଡ଼ିବାରେ ଲାଗିଲା । ନାନା ଅସୁବିଧା ବିପଦ ଭିତରେ ଶୁଭ ଦିବସର ଶୁଭ ଲଗ୍ନରେ ମଧୁପୁର ଓ ମଙ୍ଗଳପୁର ମଧ୍ୟରେ ଶୁଭ ସମ୍ବନ୍ଧ ସ୍ଥାପିତ ହେଲା । ବୃଦ୍ଧ ରାଧାନାଥ ଆସନ୍ନଯୌବନା ରମାର ପାଣି ଗ୍ରହଣ କରି ଆଗ ପାଖ ଦଶ ପନ୍ଦର ଖଣ୍ତ ଗାଁଆରେ ଏକ ସମାଲୋଚନାର ପାତ୍ର ହୋଇଉଠିଲେ ।

•••

 

-ନଅ-

 

ଦିନେ ସନ୍ଧ୍ୟା ପରେ ମଧୁପୁର ଗାଁର ଦୁଇଟି ଯୁବକ ଘର ଭିତରେ ବସି କଣ କଥାବାର୍ତ୍ତା ହେଉଥିଲେ । ଗାଁ ପୋଖରୀ ତୋଠ କିପରି ପରିଷ୍କାର ରଖିବାକୁ ହେବ, ଗାଁ, ରାସ୍ତା ଘାଟ କିପରି ଓସାର କରିବାକୁ ହେବ, ଗାଁ ସ୍କୁଲର କିପରି ଉନ୍ନତି ସାଧିବାକୁ ହେବ-ମୋଟାମୋଟି କହିବାକୁ ଗଲେ ଗାଁ ଲୋକଙ୍କର କିପରି ସବୁ ଦିଗରେ ମଙ୍ଗଳ ହେବ, ଏହି ସବୁ ବିଷୟରେ ନାନା କଳ୍ପନା ଜଳ୍ପନା ଚାଲି ଥିଲା । ଏହାଛଡ଼ା ଆଉ ଏକ ଗୁରୁତ୍ତର ବିଷୟରେ ସେମାନଙ୍କର ମନ ବୁଲୁଥିଲା । ଗାଁ ଚାରିପାଖେ ଯେଉଁ ସବୁ ଦରିଦ୍ର, ପତିତଲୋକ ଗୁଡ଼ିକ ଅଛନ୍ତି ସେମାନେ କିପରି ପ୍ରକୃତ ମଣିଷ ପରି, ପ୍ରକୃତ ବୀର ପରି ସବୁବେଳେ ଯିବେ ଆସିବେ, କଥା କହିବେ, ହସିବେ, ଖେଳିବେ, ଏ ବିଷୟରେ ନାନା ଉପାୟ ଖୋଳା ହେଉଥିଲା । ଜଣେ ପ୍ରଶ୍ନ କଲେ ଆଉ ଜଣେ ସାହସର ସହିତ ଉତ୍ତର ଦେଉଥିଲା । ସତେ ଯେପରି ସେମାନେ ଦୁଇଟି ମୂର୍ତ୍ତିମାନ୍‌ସାହସ ! ବହୁ ବର୍ଷର ଦୁଃଖ-ଦୁର୍ଦ୍ଦଶା-କୁ ସଂସ୍କାର ପ୍ରପୀଡ଼ିତ ଗାଁଗୁଡ଼ାକୁ ସେମାନେ ସତେ ଅଦା ଓଲଟପାଲଟ କରିଦେବେ !

କଥାପ୍ରସଙ୍ଗରେ ଜଣେ କହିଲା-‘‘ମୋ ମତରେ ଗଣ୍ତଗୋଳ ଯେତେ କମ୍‌ହୋଇପାରେ ସେତେ ଭଲ । ଲୋକଙ୍କ ଭିତରେ ପଶି, ଅତି ସାବଧାନରେ ଏସବୁ କାମ କରିବା ଦରକାର । ଏହି ଯେଉଁ ସବୁ ଅନ୍ୟାୟ ଅସୁବିଧା, ଏଥିର ପ୍ରତିପଦ କରିବାକୁ ହେବ ଏବଂ ତହିଁ ସଙ୍ଗେ ସଙ୍ଗେ ଲୋକଙ୍କୁ ଭଲ ବାଟ ଦେଖାଇବାକୁ ହେବ । ଖାଲି ଦୋଷଗୁଡ଼ାଏ ଦେଖାଇଲେ, ସମାଲୋଚନା କଲେ ଭଲ ହେବ ନାହିଁ । ତାହା ଦ୍ୱାରା ଗୋଳମାଳ ବଢ଼ିବ, ଅଶାନ୍ତି ଘଟିବ, ରୋଗ ବ୍ୟାପିବ-ମାତ୍ର ଶେଷରେ କିଛି ହେଲେ ଫଳ ହେବ ନାହିଁ । ଯାହାଙ୍କ ପାଇଁ ଆମେ କାମ କରିବାକୁ ବିଚାରିଛେ, ସେମାନଙ୍କର ଲାଭ ନ ହୋଇ ବରଂ କ୍ଷତି ହେବ । ବୁଝିପାରୁଛ ବଶୀ ?’’

ସଙ୍ଗେ ସଙ୍ଗେ ଦ୍ୱିତୀୟ ଯୁବକଟି କହି ଉଠିଲା-‘‘ସତ କଥା, ମାତ୍ର ଦେଖି ସହି ହେଉଛି କେତେକେ ? ସେ ଦିନ ତ ତୁମେ ନିଜେ ଥାଇ ଦେଖିଛ ରଘୁଆ ମାଆର ଶବ କାଢ଼ିବା ପାଇଁ ଲୋକେ କି ଗଣ୍ତଗୋଳ ବା ନକଲେ ! ନିଜ ଗାଁ, ଚାଳକୁ ଚାଳ ବାନ୍ଧି ରହିଛେ, ଏଥିରେ ଶବଟାଏ ଗାଁ ଭିତରେ ପଡ଼ି ରହିବ, କୁଆ ଶାଗୁଣା ଖାଇବେ; ଅଥଚ ଗ୍ରାମବାସୀ ତାହା ଦେଖି ନ ଦେଖିଲା ପରି ରହିବେ । ମନୁଷ୍ୟର ହୃଦୟଟା ସେତେ ଦୂର ବଡ଼ ନ ହେଲେ କଣ ଏ କଥା ଦେଖି କିଏ ସହିପାରେ-? ଆଗେ ସେ ଜାଇଥିଲା ବେଳେ କଣ ପାପ କରିଥିଲା, କାକାକୁ କଣ ଅସୁବିଧାରେ ପକାଇଥିଲା, ତା ଦ୍ୱାରା କାହାର କଣ କ୍ଷତି ହୋଇଥିଲା, ଏସବୁ କଥାକୁ ଧରି ବସି ସେ ମଲା ଉତ୍ତାରୁ ତା ଶବଟାର ଗତି ବାସନ୍ଦ ପାଇଁ କବିରାତେ ବ୍ୟବସ୍ଥା ଦେଲେ । ଏ ଜନ୍ମର ମଣିଷ ହାତର ଦଣ୍ତଟା ମଧ୍ୟ ଆର ଜନ୍ମକୁ ଗୋଡ଼େଇ ଯିବ ! ତାର ପାଣି ପବନ ମାଟିର ଦେହଟା ମଧ୍ୟ ସେ ଦଣ୍ତ ଭୋଗିବ ! ଏ ସବୁ କଥା ଦେଖି ତ ସହି ହେଉ ନାହିଁ-ନ କହି ରହି ହେଉ ନାହିଁ । ଏଇ ମୁଁ ନିଜ ଆଖିରେ ଦେଖିଛି, ସେଇ ରଘୁଆ ମା’ ଜାଇଥିଲା ବେଳେ ତାର ବହୁ-କଷ୍ଟ-ଅର୍ଜିତ ଟଙ୍କା କେତୋଟି କି ଔଷଧ ଖର୍ଚ୍ଚରେ ଲଗାଇବା ପାଇଁ ତା ଦୁଆରେ ଏଇ କବିରାଜେ ବଟୁଆ ଧରି କେତେ ଲଣ୍ତଭଣ୍ତ ହେଉଥିଲେ ! ସେତେବେଳେ ଜାତି ବା କୁଆଡ଼େ ଯାଇଥିଲା ? ସେତେବେଳେ ପାପ ବା କେଉଁଠି ଲୁଚି ରହିଥିଲା-? ଧନ୍ୟ ଭାଇ, ଏସବୁ ବିଧି ବ୍ୟବସ୍ଥା ! ଏସବୁ ତ ନିଜର ସୁବିଧା ପାଇଁ, ଆଉ କିଛି ନୁହେ । ଏ ଭିତରେ ଶୁଣିନ ଭାଇ, ଆଉ ଏକ କଥା ?’’

‘‘କି କଥା ?’’

‘‘କି କଥା ? ମୁଁ ଭାବିଥିଲି, ତୁମ କାନକୁ ଏ କଥା ଆସିଦଶି ବୋଲି । ଶୁଣିନ ? କାଲି ଉଦୁଉଦିଆ ଖରାବେଳେ ଗୋଟିଏ ଅଶୀ ବରଷର ବୁଢ଼ୀ ତାର ସାତ ଆଠ ବରଷର ନାତିଟିକୁ ଧରି ଏଇ ଆମ ଗାଁ ବାଟେ କୁଆଡ଼େ ଯାଉଥିଲା । ଜାତିରେ ଖୁବ୍‌ସମ୍ଭବ ସେମାନେ ପାଣ ବା ହାଡ଼ି ହେବେ । ଶୋଷରେ ତୋଟି ଶୁଖି ଯାଉଥିଲା ବୋଲି ଦାସଙ୍କ ବସା କୁଅ ପାଖେ ଆସି ସେମାନେ ହାଜର ହେଲେ । ନିଜେ ଦାସେ ଢାଳଟାଏ ଧରି କୂଅ ପାଖେ ଠିଆ ହୋଇଥିଲେ । ସେମାନେ ବିକଳରେ ତାଙ୍କ ଆଡ଼କୁ ଚାହିଁବାର ଦେଖି ସେ ଖିଙ୍କାରି ହୋଇ କହିଲେ–‘ପାଣି ! ଦେଖିଲ ନା ଏ ଚଣ୍ତାଳଗୁଡ଼ାକର କେଡ଼େ ସାହସ ହେଲାଣି ! ଏଇ କେତୋଟା କୁଳାଙ୍ଗାର ଏମାନଙ୍କ ମୁହଁ ବଢ଼େଇ ଦେଇଚନ୍ତି ନା ?’ ଏ ଦୃଶ୍ୟ ମୁଁ ନିଜ ଆଖିରେ ଦେଖିଛି । ଏହା ପରେ ମୁଁ ଘରୁ ଢାଳଟାଏ ଆଣି ସେମାନଙ୍କୁ ପାଣି ଗଡ଼େଇ ପିଇବାକୁ ଦେଲି । ଦାସେ ମଧ୍ୟ ଏ କଥା ଅଡ଼ ଆଖିରେ ଦେଖିଛନ୍ତି । ଜାଣୁଛି ମୋ ଉପରେ ତ ବଜ୍ର ପଡ଼ିବ; ମାତ୍ର ଏଇ ଇସ୍କୁଲଟା ଉପରେ ବଜ୍ର ନ ପଡ଼ିଲେ ରକ୍ଷା !’’

ଏ ବର୍ଣ୍ଣନା ଶୁଣି ଅନ୍ୟ ଜଣକ ଭାବିଲା ପରି କହିଲା-‘‘ଦରିଦ୍ର ନାରାୟଣ ଯେଉଁଠି ପୁଜା ପାଉ ନାହାନ୍ତି, ଦେବତା କଣ ସେଠି ରହୁଥିବେ ବୋଲି ଭାବୁନ, ବଶୀ ? ଆମେ ଏଥିରେ ବ୍ୟସ୍ତ ହେଲେ କଣ ହେବ ? ସେ ଦିନ ପରାଶୁଣି, ଏଇପରି ଲୋକମାନଙ୍କ ପାଇଁ କାମ କରି କାରି ‘ଉତ୍କଳମଣି ମଲେ । ଆଗରୁ ଏଇପରି କେତେ ମରି ଆସିଲେଣି, ପୁଣି କେତେ ମରିବେ । ଦରିଦ୍ରର, ପତିତର, ଅମୁଶ୍ୟର ପୂଜା ସବୁଠାରୁ ବଡ଼ ପୂଜା । କୃଷ୍ଣ ହୋଇଥିଲା ସୁଦାମାର ଅତିଥି, ରାମ ହୋଇଥିଲେ ଗୁହକର ବନ୍ଧୁ, ଗାନ୍ଧୀ ଏବେ ଏଇମାନଙ୍କ ପାଇଁ କାନ୍ଦୁଚନ୍ତି । ଜଗତରେ ବଡ଼ ଲୋକ ଯେ, ପତିତର ବନ୍ଧୁ ସେ । ସଂସାରରେ ବଡ଼ ଦିଅଁ ଯେ, ତାଙ୍କ ନାଁ ପତିତପାବନ । ଏ ଯେଉଁ ଆଗରେ ଚୁନବୋଳା ପ୍ରାଚୀନ ଧଳା ମନ୍ଦର କି ଅଜ୍ଞାତ ଲକ୍ଷ୍ୟରେ ଅନନ୍ତ ଆକାଶକୁ ଶିର ତୋଳି ଠିଆ ହୋଇଛି, ଏଥିରେ କି ଆଉ ଦେବତା ଅଛନ୍ତି ? ମାନବ ପ୍ରତି ମାନବର ଅବହେଳା, ଲାଞ୍ଛନା ଫଳରେ ଏ ଅଶରୀରୀ ଦେବତା ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି । ଦୟା ଯେଉଁଠି ନାହିଁ, ସେଠି କି ମୁକ୍ତି କେତେବେଳେ ହେଲେ ସମ୍ଭବ ହୋଇପାରେ ?’’

‘‘ଆଦୌ ନୁହେ, ଆଦୌ ନୁହେ ।’’

‘‘ତେଣୁ ମୁଁ ପ୍ରଥମରୁ କହି ଆସୁଛି, ଆମକୁ ଏଥିପାଇଁ କାମ କରିବାକୁ ହେଲେ ହାଡ଼େ ହାଡ଼େ ପରିଶ୍ରମ କରିବାକୁ ହେବ, ଟାଙ୍ଗରା ଭୂଇଁ ଭିତରେ ଝରଣା ବୁହାଇବାକୁ ହେବ । ତା ନ ହେଲେ ଏଠି କାମ କରି ଲୋକଙ୍କ ମନ କିଣିବା ଅସମ୍ଭବ । ଏଠି ସବୁ ଅଛି, ପୁଣି କିଛି ନାହିଁ–ବୁଝିଲ-? ଏ ଗାଁ ଲୋକେ ସବୁ ଦେଶ୍‌ସାହସୀ । ମାତ୍ର ଏ ସାହସର ଗତି ବଡ଼ ଖରାପ ଦିଗରେ ଚାଲିଛି । ଭଲ କାମଟିଏ କରିବାକୁ ଲୋକଙ୍କ ବୁକୁରେ ଆଦୌ ସାହସ ଧରୁ ନାହିଁ । ଦେଖୁନ, ଏଇ ମାଲିମକଦ୍ଦମା ମାରପିଟ୍‌ରେ ଲୋକେ କିମିତି ସାହସରେ ପଶି କାମ କରି ଯାଉଛନ୍ତି ! ଏଥିରେ ତାଙ୍କୁ ତିଳେ ହେଲେ ଭୟ ଲାଗୁଛି ? ତାଙ୍କର ଏହି ସାହସଟାକୁ ପେଦେ ଭଲ ବାଟରେ ପକାଇ ହୁଅନ୍ତା, ତାହା ହେଲେ କେଡ଼େ ଭଲ ନ ହୁଅନ୍ତା ! ବିଚିତ୍ର କାମ ହୁଅନ୍ତା, ବିଚିତ୍ର କାମ ହୁଅନ୍ତା ! କହୁଛ, ଲୋକେ ବଡ଼ କୃପଣ । ଭୁଲ୍‌ବୁଝିଛ.... । ଏସବୁଲୋକେ ଠିକ୍‌ବାଟରେ ପଡ଼ିଲେ ଗୋଟେ ଗୋଟେ ନାଳନ୍ଦ ସ୍କୁଲ ପଳେଇବେ, ଗୋଟାଏ ଗୋଟାଏ ପୁରୀ କୋଣାର୍କ ତୋଳି ଠିଆ କରାଇଦେବେ । ଏଇ ଲୋକେ ତ ପୁଣି ମକଦ୍ଦମାରେ ନିଜ ନିଜର ଜିଦ୍‌ରକ୍ଷା ପାଇଁ ଅକାତରରେ ଟଙ୍କା ଖର୍ଚ୍ଚ କରି ପାରୁଛନ୍ତି ଅସଜ କଥା ହେଉଛି, ଲୋକଙ୍କର ସତ୍ତ ସାହସ ନାହିଁ, ଲୋକଙ୍କର ସଦ୍‌ବୁଦ୍ଧିର ବଡ଼ ଅଭାବ ହୋଇଛି । ବାଟ ଦେଖାଇ ପାରିଲେ ଏମାନେ ପଛେ ପଛେ ଧାଇଁବେ । ଡାକିବାକୁ ପଡ଼ିବ ନାହିଁ, କହିବାକୁ ପଡ଼ିବ ନାହିଁ । ସେତେବେଳେ ବାଟରୁ ଫେରାଇଲେ ମଧ୍ୟ ଏମାନେ ଫେରିବେ ନାହିଁ । ମାତ୍ର ଏ ସବୁ କରିବାକୁ ହେଲେ ନୀରବରେ ସବୁ କଥା ସହିବାକୁ ପଡ଼ିବ । ଫୁଲ ପଡ଼ୁ ବା ପଥର ପଡ଼ୁ, କିଛି ଭାବିବାକୁ ହେବ ନାହିଁ । ଦରକାର ପଡ଼ିଲେ ସମାଜର କୋପାନଳରେ ଦହି ହେବାକୁ ହେବ । ଲୋଡ଼ା ହେଲେ ଦୁଃସ୍ଥ ଦରିଦ୍ର ଭାବରେ ବୁଲିବାକୁ ପଡ଼ିବ ।

‘ଦୁର୍ଗମ ପଥ ଏ ଭଜନ

ଭୟେ ଭାଳନ୍ତି ଯୋଗିଚନ ।’

କଣ କହୁଚ, ବଂଶୀ ? ନୁହେ ?’’

କଥା ଏହିପରି ଚାଲିଥିଲାବେଳେ ଜଣେ ପ୍ରୌଢ଼ା ବିଧବା ହଠାତ୍‌ସେହି ଘର ଭିତରକୁ ପଶି ଆସିଲେ । ଟିକିଏ ବିରକ୍ତ ସ୍ୱରରେ କହିଲେ-‘‘ଇମିତି କଣ କଥା ଚାଲିଚି ଯେ ଦିନ ଯାଇ ରାତି ମଧ୍ୟ ଅଣ୍ଟୁ ନାହିଁ ? ଭଲ କରି ମୁଠେ ଖାଇବାକୁ ନାଇଁ, ରାତିରେ ଶୋଇବାକୁ ନାଇଁ, କି ବୁଦ୍ଧି ତୋର ଏ ବ୍ରଜ ! ତୋ ଚିନ୍ତାରେ ମୁଁ ମରିଯାନ୍ତି ହେଲେ । ଭାତ ମୁଠାକ ଖଡ଼ିକା ପରି ଶୁଖିଗଲାଣି, ଗାଁ ନିଶବଦ ହୋଇ ଆସିଲାଣି -କାଲ କଣ ଆଉ ଦିନ ହବ ନାଇଁ ? ଆଜି ଇମିତି କଥା ଚାଲି-ଇ-ଇ-ଇ ଥିବା..... ।’’ ବିଧବାର ଏ କଥା ଶୁଣି ଯୁବକ ଦୁହେଁ ଗପସପ ଛାଡ଼ି, ମୁହଁର ସେ ଗମ୍ଭୀରତା ଭାଙ୍ଗି ଏକ ଦେଲେ ଠୋ ଠୋ ହସି ଉଠିଲା । କହିଲେ, ‘‘ଜାଣିନ କି ବୋଉ, ଆମ କଥା ପରା ସଂସାରବାହାର କଥା । ସେ କଥା କଣ ସରିବା କଥା ଯେ ଏଡ଼େ ବେଗେ ସରିଯିବ ? ହଉ, କାଲିକି କଥା ରହୁ’’–କହି ଦୁହେଁ ଉଠି ପଡ଼ିଲେ ।

ଏହିଠାରେ ମଧୁପୁରବାସୀ ଏହି ଦୁଇଟି ଯୁବକଙ୍କର ଟିକିଏ ପରିଚୟ ଦରକାର ।

ମୃତ୍ୟୁଞ୍ଜୟ ପରମଗୁରୁ ପରମ ନୈଷ୍ଠିକ । ଏ ବିଷୟରେ ମଧୁପୁର କାହିଁକି, ପାଖ ଆଖ ଦଶ କୋଡ଼ିଏ ଖଣ୍ତ ଗାଁରେ ତାଙ୍କ ନାଁ ଡାକୁ । ରାତି ପହରେ ଥାଉ ସେ ଉଠନ୍ତି । ଗାଁ ବୋହୂମାନେ ବାସିଆଡ଼ିତି ସାରିଲା ବେଲକୁ ତାଙ୍କର ଗାଧୁଆ ନିତ୍ୟକର୍ମ୍ମ ସରି ଯାଇଥାଏ । ସେଇଠୁ ଦିନ ବାରଟା ଯାଏ ଲାଗେ ଦିଅଙ୍କ ଘରେ ଗୁଣାଗୁଣି କର୍ମ୍ମ । ସ୍ତ୍ରୀ ସତ୍ୟଭାମା ବେଳ ଛ’ ଘଡ଼ିକି ଚୁଲି ଲଗାଇ ବେଳ ଗଡ଼ିଲା ଦେଳକୁ ସ୍ୱାମୀଙ୍କ ପାଇଁ ଭୋଜନର ବ୍ୟବସ୍ଥା କରି ଦେଇଥାନ୍ତି । ଦୋଅଡ଼ ପାଇଟି ବେଳକୁ ପରମଗୁରୁଙ୍କର ଭୋଜନ ଶେଷ ହୁଏ । ପିଣ୍ତାରେ ଟିକିଏ ବିଶ୍ରାମ, ଦାଣ୍ତରେ ଟିକିଏ ବୁଲଚାଲ ପରେ ପୁଣି ଚାଲେ ଗୁଣାଗୁଣି ଯେ ରାତି ହୁଏ ଛ’ ଘଡ଼ି ।

ପରମଗୁରୁଙ୍କର ଏହି ଦେବପୂଜାରତ ପବିତ୍ର କଠୋର ଜୀବନ ପାଖେ ପାଖେ ତାଙ୍କର ଏକମାତ୍ର ସନ୍ତାନ ବ୍ରଜ କେତେ ବର୍ଷ ପର୍ଯ୍ୟନ୍ତ ଦଢ଼ି ଶେଷକୁ ପାଠ ପଢ଼ିବା ପାଇଁ ଗଲା କଟକ । ଯେତେବେଳେ ସେ ଛୁଟିରେ ଗାଁକୁ ଆସିଲା, ଦେଖିଲା ତା ପିତାଙ୍କର ଦୈନନ୍ଦିନ କର୍ମ୍ମପନ୍ଥାରେ କିଛି ହେଲେ ପରିବର୍ତ୍ତନ ଘଟି ନାହିଁ । ଗାଁ, ଘର, ବିଲ, ପୋଖରୀ, ଗଡ଼ିଆ ସବୁ ସେହିପରି ରହିଛି । ସେ ମଧୁପୁର ମଫସଲରୁ କଟକ ସହରକୁ ଯାଇଛି, ଜଗତର ତୁମୁଳ ପରିବର୍ତ୍ତନର କଥା ପ୍ରତି ଦିନ ଖବରକାଗଜରେ ପଢ଼ୁଛି, କେତେ କେତେ ରାଜ୍ୟର ଉତଥାନ ପତନର ଇତିହାସ ଜାଣୁଛି, ରୁଷିଆର ବିପ୍ଲବ, ଆମେରିକାର ଉନ୍ନତି କଥା ବୁଝିଛି; ମାତ୍ର ଘରକୁ ଆସି ଦେଖିଲା, ପରମଗୁରୁଙ୍କ ଜୀବନଟା ଯେପରି ଏସବୁ ବାହାର ଜଗତରୁ ବାହାର ! ଖାଲି ପରମଗୁରୁ କାହିଁକି, ମଫସଳ ରାଜ୍ୟରେ ଏ ସବୁ କଥାର ଛାୟା ଆଦୌ ପଡ଼ି ନାହିଁ । ବାହାର ସଂସାର ସହିତ ଏ ସଂସାରର ଯେପରି କିଛି ହେଲେ ସମ୍ପର୍କ ନାହିଁ !

କେତେ ଛୁଟି ଆସିଲା, କେତେ ଛୁଟି ଗଲା, ବ୍ରଜ କେତେ ଥର ଗାଁକୁ ଆସିଲା, କେତେ ଥର କଟକ ଗଲା । ଗାଁକୁ ଆସିଲାବେଳେ ସେ କେତେ ମଧୁର ଚିତ୍ର କଳ୍ପନା କରି ଆସିଥାଏ, ଆସି ଦେଖେ ସେ ସବୁ ତାର ଭ୍ରମ ଧାରଣା। ଲୋକେ ଅଛନ୍ତି, ଗାଁ ଗଣ୍ତା ଅଛି; ମାତ୍ର କୌଣସିଥିରେ କିଛି ହେଲେ ନୂତନତା ନାହିଁକି ସରସତା ନାହିଁ । ଶେଷରେ ଏପରି ଭାବି ଭାବି ଅନେକ ସମୟରେ ତାର ତରୁଣ ପ୍ରାଣ ନିତାନ୍ତ ବିଦ୍ରତ ହୋଇପଡ଼େ । ବିଚାରେ, ଏପରି ସମ୍ଭନ୍ଧହୀନ ଅନ୍ଧାର ସଂସାରରେ ମନୁଷ୍ୟ ରହିନ୍ତି କିପରି ? ଏ ଦୁଃସହ ଜଡ଼ତା ଭିତରେ ପ୍ରାଣ ବଞ୍ଚେ କିପରି ? ଜୀବନର ମଙ୍ଗଳ ପାଇଁ ଏଠି ଖାଦ୍ୟ କାହିଁ ? ଉନ୍ନତି ପାଇଁ ମାଲ ମସଲା କାହିଁ ? ଏ ଲୋକେ କଣଟ ଏଠି ଏହିପରି ଭାବରେ ରହିବାକୁ ସୃଷ୍ଟି ହୋଇଛନ୍ତି ? ଏ ସୃଷ୍ଟି କଣ ସଂସାର ସୃଷ୍ଟିରୁ ଅଲଗା ?

ବ୍ରଜ ଏହିପରି କେତେ କଣ ବିଚାରେ । ବିଚାରି ବିଚାରି ମାସ ମାସ, ବର୍ଷ ବର୍ଷ କଟିଗଲା । କ୍ରମେ କ୍ରମେ ଅଜ୍ଞାତ ଭାବରେ ସମାଜର କେତେଗୁଡ଼ିଏ ଘଟଣା ନେଇ ସେ ବିଚଳିତ ହୋଇ ଉଠିଲା । ଗାଁ ଲୋକଙ୍କ ଜଡ଼ତା ଦେଖି ତାକୁ କେଜାଣି କାହିଁକି ଗୁରୁତର କଷ୍ଟ ରୋଧ ହେଲା-। ଭାବିଲା-ଲୋକଙ୍କର ଜୀବନ ନାହିଁ, ଜାଗରଣ ନାହିଁ । ସେହି ଗୋଟିଏ ବାଟରେ ସମସ୍ତେ ଏକାପରି ମୁଣ୍ତ ପୋତି ଚାଲିଛନ୍ତି । ଜ୍ଞାନର ମହତ୍ତ୍ୱ ଲୋପ ପାଇ ସେ ସ୍ଥାନରେ ସମାଜଗତ ପ୍ରଥର ମହତ୍ତ୍ୱ କ୍ରମେ ଆଦର ପାଉଛି । ଏ ଲୋକଙ୍କହୃଦୟେର ଦୟା ମାୟା ମମତା କେବଳ ନିଜ ନିଜକୁ କେନ୍ଦ୍ର କରି ପରିବାର ବା ଗାଁର ଦୁଇ ଚାରି ଲୋକଙ୍କ ପରିଧିରେ ପରିଚାଳିତ ହେଉଛି । ଏଠି ସ୍ୱାର୍ଥ ଛଡ଼ା ସ୍ନେହ ନାହିଁ, ଲାଭ ଛଡ଼ା ମମତା ନାହିଁ । ସାତ ପରକୁ ସୁଖ ପାଇବା କଥା ଏଠାରେ ସ୍ୱପ୍ନ !

ସମାଜର ଏହି ସଂକୀର୍ଣ୍ଣତା ଭିତରୁ ଉପରକୁ ଉଠିବାକୁ ବ୍ରଜ ବେଳେବେଳେ କାମନା କଲା । ଗାଁ ଛଡ଼ା ପର ଗାଁକୁ ଜାଣିବ, ଆପଣା ଲୋକ ଛଡ଼ା ପର ଲୋକଙ୍କୁ ଭଲ କରି ଚିହ୍ନିବ, ଯେ ପାଦ ତଳେ ବସି ଦିନରାତି ଘାଣ୍ଟି ହେଉଛନ୍ତି ତାଙ୍କୁ ଆଦରରେ ଉପରକୁ ଉଠାଇ ଆଣିବ–ବ୍ରଜ ଏହିପରି କେତେ କଥା ଯେ କଳ୍ପନା କଲା, ତାର ଠିକଣା ନାହିଁ । କିନ୍ତୁ ସମାଚାର ମେଘନାଦ ପାଚିରୀକୁ ଡଇଁବାର ସୁବିଧା ହେଲେ ତ !

କେତେ ଦିନ ଭିତରେ ବ୍ରଜ ମନର ଏହି ଭାବନାସବୁ ଧୀରେ ଧୀରେ କାର୍ଯ୍ୟରେ ଦେଖାଗଲା । ତାହାରି ଫଳରେ ମଧୁପୁରର ଲୋକଙ୍କ ଭିତରେ କ୍ରମେ ଚହଳ ପଡ଼ିଲା ।

ଅଚାନକ ବର୍ଷା ଭିତରେ ତିନ୍ତି ବୁଡ଼ି କେହି ଅମ୍ମଶ୍ୟ ଜାତିର ଲୋକଟିଏ ଦୁଆରକୁ ଭିକ ମାଗି ଆସିଲା । ତାର ଅବସ୍ଥା ଦେଖି ବ୍ରଜ ତାକୁ ଦାଣ୍ଡ ଘରକୁ ଡାକି ନେଇ ଟିକିଏ ଥାନ ଦେଲା । ତା ଆର ଦିନ ହେଲା ପରମଗୁରୁଙ୍କ ଘରେ ପ୍ରାୟଶ୍ଚିତ୍ତର ବ୍ୟବସ୍ଥା !

କେଉଁ ଦିନ ଖରାବେଳେ ବ୍ରଜ ଆପଣ ଢ଼ାଳରେ ବାଉରି ପି.. ପାଣି ପିଇବାକୁ ଦେଲା । ଏ ଅନ୍ୟାୟର ପ୍ରତିକାର କରିବା ପାଇଁ ଗାଁରେ ମହାଜନ ବସିଲେ । ସେ ଥର ଧର୍ମହାନି ଭୟରେ ବ୍ରଜ ବିରୁଦ୍ଧରେ ଗ୍ରାମବାସୀଙ୍କୁ ସତର୍କ କରି ଦିଆଗଲା ।

କୁମାର ପୂର୍ଣ୍ଣମୀ ରାତିରେ ବ୍ରଜ ରୁଅପଡ଼ା ପାଣ ସାଇରେ ପଶି ନାଣଙ୍କ ପିଣ୍ଡାକୁ ଉଠି ଲୋକେ ତାସ ଖେଳି ପଇସାପତ୍ର ବୃଥାରେ ନ ଉଡ଼ାଇବାକୁ ଉପଦେଶ ଦେଇ ଆସିଲା । ଆସିବା ମାତ୍ରେ ଗାଁଲୋକେ ଧରି ବସିଲେ-ବ୍ରଜଠାରେ ଚଣ୍ଡାଳ ଦୋଷ ଲାଗିଛି ।

ମଡ଼ା ପଡ଼ିଛି ଗାଁରେ । ସେଟା ହେଲା ଶୂଦ୍ରମଡ଼ା । ସେହି ସୂଦ୍ରର ବାପ ନାହିଁ, ମା ନାହିଁ, ବନ୍ଧୁବାନ୍ଧବ ମଧ୍ୟ କେହି ହେଲେ ନାହନ୍ତି । ସେହିଠାରେ ବ୍ରଜ ଜଣେ ଦୁଇ ଜଣ ସାଙ୍ଗସାଥୀ ଯୁବକଙ୍କୁ ଧରି ଶୂଦ୍ରର ସାହା ରୂପେ ମଡ଼ା ଉଠାଇବାକୁ ପ୍ରସ୍ତୁତ......ସଙ୍ଗେ ସଙ୍ଗେ ଗାଁ ମୁଣ୍ଡପରେ ତୁମୃଳ ପ୍ରଳୟର ସୃଷ୍ଟି ହେଲା !

ରୋଗିଣୀ ପଡ଼ିଛି । ସେ ଯେ କୂଳକଳଙ୍କିନୀ ! ତା ଦୁଆର ମାଡ଼ିବାକୁ ଗ୍ରାମବାସୀଙ୍କୁ ମନା । ମାତ୍ର ବନ୍ଧୁ ରୂପେ, ସଖା ରୂପେ, ଭାଇ ରୂପେ ବ୍ରଜ ଯାଇ କଳଙ୍କିନୀ ଦୁଆରେ ଓଷଅ ଧରି ଠିଆ ! ଏହି ବେଳା ମଧୁପୁର ଗ୍ରାମବାସୀଙ୍କ ମତରେ ଆସନ୍ନ କଳିକାଳର ପ୍ରଥମ ସୂଚନା ।

ବ୍ରଜ ପରମଗୁରୁ ଓ ବାଳକ ପରମଗୁରୁ ଏହାପରି ଭାବରେ ଦୁଇଟା ବିଭିନ୍ନ ଜଗତର ଭିନ୍ନ ପ୍ରକୃତି, ଭିନ୍ନ ଜାତିର ଦୁଇଟି ପ୍ରାଣୀ । ଏକ ପରିବାର ଭିତରେ ଜଣେ ନୂତନ ସଂସାର ସୃଷ୍ଟି କରିବାକୁ କଳ୍ପନା କରୁଥିବା ବେଳେ ଆଉ ଜଣେ ପରିଚାଳକୁ ଘୋର ପ୍ରଳୟ ବୋଲି ପଦେ ପଦେ ଆଶଙ୍କା କରୁଥିଲେ । ଗ୍ରାମର ମୁଖ୍ୟ ବିଶିଷ୍ଟ ଶକ୍ତରୂପ ଏଥିଲାଗି ବୃଦ୍ଧ ପରମଗୁରୁଙ୍କୁ ବହୁ ମନବେଦନା ସହିବାକୁ ପଡ଼ୁଥିଲା ।

ଏହିପରି ଭାବରେ ସୃଷ୍ଟି ପ୍ରଳୟର ଲୀଳାଖେଳା ଚାଲିଥିଲାବେଳେ ହଠାତ୍ ବୃଦ୍ଧ ପରମଗୁଗଙ୍କ ଅନ୍ୟ ଲୋକରୁ ଡାକରା ଆସିଲା । ଗୃହବାସୀ ବା ଗ୍ରାମବାସୀ କାହା କଥାକୁ ଅପେକ୍ଷା ନ କରି, ଏଠାର ପ୍ରଳୟ ପୂର୍ବରୁ ସେ ସଂସାରରୁ ମୁକ୍ତି ପାଇ ଚାଳିଗଲେ । ବାକୀ ତାଙ୍କର ହୋଇ ରହିଲେ ମଧୁପୁରରେ ନୂତନ ଜଗତର ସ୍ରଷ୍ଟା ବ୍ରଜ ଓ ବ୍ରଜର ବିଧବା ଜନନୀ ସତ୍ୟଭାମା । ତାଙ୍କ ଘରଟା ରାଧାନାଥଙ୍କ ଘରର ଠିକ ପଡ଼ିଶା ଘର ।

ବ୍ରଜର ସାଥି ବଂଶୀ ଗାଁର ଜଣେ ଯୁବକ, ଗାଁ କ୍ଷୁଦ୍ର ପାଠଶାଳାଟିର ଶିକ୍ଷକ । ବ୍ରଜ ପରି ସେ କଟକ ଯାଇ ପାଠପଢ଼ି ନାହିଁ; ମାତ୍ର ପାଠପଢ଼ୁଆ ବ୍ରଜର କଥା ତା ପ୍ରତି ବେଦର ଗାର । ବ୍ରଜ ତାର ଦେବତା, ବ୍ରଜର ସେ ଭକ୍ତ !

ସେ ଦିନ ସନ୍ଧ୍ୟାବେଳେ ଏହି ଦୁଇଟି ଯୁବକ-ବ୍ରଜ ଓ ବଂଶୀ ଏକାଠି ବସି ଗାଁରେ ଲୋକଙ୍କ ଅବସ୍ଥା ନେଇ କଥାବାର୍ତ୍ତା ହେଉଥିଲେ ।

•••

 

-ଦଶ-

 

କେତେ ରାତି ହେଲାଣି ବ୍ରଜ ଜାଣେ ନାହିଁ । ବାରଟାରେ ଲଣ୍ଠନଟା ଜାଳିଦେଇ ସେ ଖବରକାଗଜ ପଢ଼ୁଥିଲା । ଖବରକାଗଜଟା ହାତରେ ଅଛି, ମନେ ମନେ ସେ କଣ ଭାବୁଥିଲା କେଜାଣି, କୌଣସି କଥାକୁ ତାର ଦୃଷ୍ଟି ନାହିଁ । ଆକାଶ ତଳେ କେତେବେଳେ ଖଣ୍ଡେ ମେଘ ଭାସି ଆସି ଚନ୍ଦ୍ରକୁ ଘୋଡ଼ାଇ ପକାଇଲା, କେତେବେଳେ ଲୁଚକାଳି ଖେଳିବା ପରି ଉଜ୍ଜ୍ୱଳ ଜ୍ୟୋତ୍ସ୍ନାଧାରା ଧରଣୀ-ଦକ୍ଷକ ଅଭିନବ ରଜତ ଦେଶରେ ଭସାଇ ଦେଇଗଲା, ସେଥିପ୍ରତି ସେ ଆଦୌ ଲକ୍ଷ୍ୟ ରଖତ ନାହିଁ । ତଳେ କେତେବେଳେ ବୁଲା କୁକରଦଳ ରାତିର ନୀରବତା ଭାଙ୍ଗି ଭୁକି ଉଠିଲେ, ସେ କଥା ସେ ଜାଣି ପାରି ନାହିଁ । ଏକ ଲୟରେ ସେ ଖବରକାଗଜଟାକୁ ଚାହିଁଛି ଭାବୁଛି । ତା ଭାବନା ଯେପରି ସତେ ଅବା ଅକୁଳ ଅନନ୍ତ ମହାସମୁଦ୍ର ପରି ! ତା ଭାବନାର କୁଳଥଳ ସେ ନ ପାଇ ଏଣେ ତେଣେ କଣ ଆଶ୍ରୟ ଖୋଜିବାରେ ଲାଗିଛି ।

 

ଏଣେ ପାଖ ଘରେ ତା ବୋଉକୁ ନିଦ ନାହିଁ । ବୋଉକୁ ଯେ ସେଦିନ ନିଦ ନାହିଁ ତା ନୁହେଁ, ଅନେକ ଦିନ ତାକୁ ଏହିପରି ନିଦ ହୁଏ ନାହିଁ । ଆଖି ପଲକ ପଡ଼େ ନାହିଁ, ରାତି ରାତି ତାର ପାହିଯାଏ । କଣ ଚିନ୍ତା କରି କରି, ବାର କଥା ଏଣୁ ତେଣୁ ଭାବି ଭାବି ଦିନ ରାତି ତାର କଟିଯାଏ । ଅଶେଷ ଚିନ୍ତା ଭିତରେ ବୁଡ଼ି ସେ କେବଳ ଆଗେ ଆଗେ ଦେଖେ ବ୍ରଜକୁ । ବ୍ରଜ ଛଡ଼ା ସଂସାରରେ ସେ ଆଉ କାହାକୁ କିଛି ଭଲ କରି ଜାଣିପାରେ ନାହିଁ-ତା ଆଖି ଆଗରେ ବ୍ରଜ ସବୁବେଳେ ନାଚୁଥାଏ ।

 

ବୋଉକୁ ନିଦ ନାହିଁ ସତ; ମାତ୍ର ସେ ଚାହିଁଚି ବୋଲି କହି ହେବ ନାହିଁ । ଅନ୍ଦାର ଘରଟା କେତେବେଳେ ତାକୁ ଆଲୁଅ ଦିଶୁଛି, କେତେବେଳେ ବା ଘରଦ୍ୱାର କିଛି ନ ଥିଲା ପରି ତାକୁ ଜଣା ପଡ଼ୁଛି । ବେଳେ ବେଳେ ସେ କାହାକୁ କଣ କଥା କହିବାକୁ ଚେଷ୍ଟା କଲାବେଳେ ଆଖି ଭିତରେ କେବଳ ଲୁହ ଆସି ଜମା ହୋଇଯାଉଛି, କଣ୍ଠରୋଧ ହୋଇ ଉଡ଼ୁଛି–ସେ କେବଳ ନୀରବରେ ଅଥୟ ହୋଇ ପଡ଼ୁଛି । ତାର ମନେ ପଡ଼ୁଛି ଅନେକ ଦିନର ତଳର କଥା । ବ୍ରଜ ସେତେବେଳେ ପେଟରେ । ତାପରେ, ବ୍ରଜର ଅତି ପିଲା ଦିନର କଥା । ବ୍ରଜ ହସିଲା, ଖେଳିଲା, ବୁଲିଲା । ପୁଣି ଆଇଲା ଆଉ ଏକ ଖେଳର ଦିନ । ସେ ଗଲା ପାଠ ପଢ଼ି । ସେ ପାଠ ପଢ଼ିଲା, ଗୀତ ଗାଇଲା, ବାପ ମାଆଙ୍କୁ କେତେ ପୁରାଣ ଶୁଣାଇଲା ।

 

ବୋଉ ଭାବିଲା–ବ୍ରଜ ପଢ଼ିଯାଏ; ଏଣେ ଗିରସ୍ତ ଭାରିଯା ଦିହେଁ ଘରେ ବସି କେତେ କଣ କଥା ହୁଅନ୍ତା । କଥା ଭିତରେ ବଡ଼ କଥା ହେଉଛି–ବ୍ରଜ ବଡ଼ ହେବ, ଏମାନେ ତାର ସୁଖ ଦେଖିବେ, ପୁଅ ବୋହୁ ଧରି ଘର କରିବେ। ତା ପାଇଁ ଦିହେଁ କେତେ କାନ୍ଦନ୍ତି, ତା ରୋଗଶେଯ ପାଖେ ରାତି ରାତି ଅନିଦ୍ରାରେ କଟାଇ ଦିଅନ୍ତି । ତା ପାଇଁ ବୋଉ ନାକ କାନର ଅଳଙ୍କାରପତ୍ର କାଢ଼ି ମହାପ୍ରଭୁଙ୍କ ନାଆଁରେ ଥୋଇଦିଏ; ନନା ତା ପାଇଁ ଜମି ବନ୍ଧା ଦେଇ, ଟଙ୍କା ଆଣି ସତ୍ୟନାରାୟଣ ପାଲା କରାନ୍ତି । ଘୋର ବରଷା କାଳରେ କଳା ମେଘ ତଳେ ବିଜୁଳି ପରେ ବିଜୁଳି, ପୁଣି ବିଜୁଳି, ଆହୁରି ବିଜୁଳି ଯେପରି ପୃଥିବୀ ବ୍ରଜ ଲଗାଇ ଦିଏ । ତାକୁ ସଂସାରଟା କ୍ଷଣେ ଉଜ୍ଜ୍ୱଳ, କ୍ଷଣେ ଅନ୍ଧାର ଦିଶେ ।

 

ଏହା ପରେ ବୋଉ ଭାବିଲା–ବ୍ରଜ ବଡ଼ ହେଲା, ଆଖିଦୃଗିଆ ହେଲା । ସଙ୍ଗେ ସଙ୍ଗେ ବାପ ମାଆଙ୍କର ଲାଗିଲା କନ୍ୟା ଖୋଜା । ଆଖି ବେଶି ଦୂରକୁ ଗଲା ନାହିଁ । ରାଧାନାଥଙ୍କ ସଙ୍ଗେ ପରମଗୁରୁ କଥାବାର୍ତ୍ତା ତୁଟେଇ ଦେଲେ । ତାରାମଣିଙ୍କ ସହିତ ସତ୍ୟଭାମା କଥା ପକାଇଲା । ପାଖ ପଡ଼ିଶା ଦୁଇଟା ଘରେ କେତେ ଦିନ କେତେ ରାତି କେତେ ଆଶା ଉତ୍ସାହରେ ଗୁପ୍‌ଚୁପ୍ କଥା ଚାଲିଲା । ଏ କଥା ଚାହୁଁ ଚାହୁଁ ପାଞ୍ଚ କାନ ହେଲା । ସବୁ ଆପେ ଆପେ ହୋଇଗଲା । ପଡ଼ିଶା ଘରର ଗଉରୀଦୋଡ଼ ଥଟାରେ ଥଟାରେ ବ୍ରଜ ବୋଉକୁ ‘ସମୁନ୍ଧିଆଣି’, ‘ସମୁନ୍ଧିଆଣି’ ଡାକୁ ଡାକୁ ସତରେ ଡାକିବାକୁ ହେବ ବୋଲି ସମ୍ଭବ ହେଲା । ଏହିପରି ଭାବରେ ବିଭପ୍ରସଙ୍ଗ ଚାଲିବାରୁ ଗଉରୀ ଆଉ ବ୍ରଜ ଘରକୁ ଆସିଲା ନାହିଁ । ବ୍ରଜ ମଧ୍ୟ ଲାଜରେ ତାଙ୍କ ଘରେ ପାଦ ଦେଲା ନାହିଁ । ସେଠି ବର୍ଷେ କି ଦି’ ବର୍ଷ ଦୁଇଟି କିଶୋର କିଶୋରୀଙ୍କ ଭିତରେ ଏହି ଲୀଳା ଚାଳିଲା । ଦୁଇ ପଡ଼ିଶା ଘରେ ସମସ୍ତେ ଏ କଥା ଗୋପନରେ ଗୋପନରେ ରଖି ମନେ ମନେ ହସିଲେ ।

 

ଏହା ପରେ ବ୍ରଜ ଗଲା କଟକ । ମାସେ ଗଲା, ଦି’ ମାସ ଗଲା । ବଡ଼ଦିନ ଛୁଟି ଯାଇ ଦୋଳ ଛୁଟି ଆସିଲା। ଦୋଳ ଛୁଟି ଡେଇଁ ଖରା ଛୁଟି ମାଡ଼ି ଆଇଲା । ପୁରୁଣା ବର୍ଷ ଯାଇ ନୂଆ ବର୍ଷ ହେଲା । ବ୍ରଜ କେତେ ଥର ଘରକୁ ଫେରିଲା । ଥରେ ଛୁଟି ଭିତରେ ନନାଙ୍କର ଶକ୍ତ ବେମାର । ସେଥିରୁ ଆଉ ନିସ୍ତାର ମିଳିଲା ନାହିଁ । ବ୍ରଜର ସେହି ଛୁଟି ଭିତରେ ସେ ସଂସାରରୁ ଚିରକାଳ ପାଇଁ ଛୁଟି ନେଇ ଆଖି ବୁଜିଲେ-ଭାବୁ ଭାବୁ ବୋଉକୁ ସଂସାରଟା ଘୋର ଅନ୍ଧକାରମୟ ଦେଖାଗଲା । ନିଜେ ନିଜେ ସେ ଚମକି ଉଠିଲା ।

 

ତା ପରେ ପୁଣି ବିଧବା ପ୍ରାଣରେ ଭାବନା ଆସିଲା–ବ୍ରଜ ପାଠ ପଢ଼ିଲା, ବଡ଼ ବଡ଼ଙ୍କୁ ମୁହେଁ କଥା କହିଲା । ଗାଁରେ ଶୁଣା ନଥିବା କଥାସବୁ କୁଆଡ଼ୁ ଶିଖି ଆସି ସମସ୍ତଙ୍କୁ ବୁଝାଇବାରେ ଲାଗିଲା । ତା କଥା ଶୁଣି କିଏ ଆଶ୍ଚର୍ଯ୍ୟ ହେଲା, କିଏ ହସି ହସି ଉଡ଼ାଇ ଦେଲା, କିଏ ବା ମିଛ ବୋଲି କହିଲା । ଏପରି ଚଣ୍ଡାଳଟାକୁ ରାଧାନାଥ ନିଜ କନ୍ୟା ପାଇଁ ପାତ୍ରର ଅଯୋଗ୍ୟ ବୋଲି ମନେ କଲେ ।...ଭାବି ଭାବି ବିଧବା ପ୍ରାଣ ଦୀର୍ଘ ନିଶ୍ୱାସ ଛାଡ଼ି କାନ୍ଦି ଉଠିଲା ।

 

ବିଧବାର ମନେ ପଡ଼ିଲା-ସାଇ ପଡ଼ିଶାର ଲୋକେ କଳି ଲଗେଇ ତାକୁ ଉଘେଇ ଉଘେଇ କହିଲେ–‘ପୁଅ ତୋର ଖାଉଚି ହୋଟଲରେ, ପୁଅ ତୋର ଖାଉଚି ପାଣ ହାତରେ ଲୋ’.....ଏସବୁ କଥା ବିଚାରି ବିଚାରି ତାର ମାତୃନ୍ଦ୍ୱଦୟ ପ୍ରଗାଢ଼ ବାତ୍ସଲ୍ୟଭାବରେ ଉଛୁଳି ଉଠିଲା । ତାର ଜାଗ୍ରତ ନିଦ୍ରା ଭାଜିଗଲା । ସେ ସେହି ଅନ୍ଧାର ଘରେ ବାୟାଣୀ ପରି ହୋଇ ‘ମୋ ବ୍ରଜ ରେ’ କହି ବ୍ରଜକୁ କୋଳକୁ ଟାଣିନେବ ବୋଲି ହାତ ବଢ଼ାଇଲା । ସବୁ ଶୂନ୍ୟ, ସେ ଘରେ ତା ଛଡ଼ା ଆଉ କିଏ ନାହାନ୍ତି ।

 

ବ୍ରଜ ସେହିପରି ବାରଣ୍ଡାରେ ବସିଛି, ବୋଉ ତାର ଘରୁ ଉଠିଆସି ତା ପଛଆଡ଼େ ଠିଆହୋଇ ଡାକିଲା–

 

‘‘ବ୍ରଜ !’’

ବ୍ରଜ ଚମକି ଚାହିଁଲା ।

‘‘ବୋଉ !’’

 

‘‘କଣ ଭାବୁଚୁ ରେ ମୋ ଧନ ? ଏତେ ରାତି ହେଲାଣି, ଶୋଇବୁ ନାଇଁ ? କି ପାଠ ପଢ଼ିଲୁ, କେତେବେଳେ ହେଲେ ହାତରୁ କାଗଜ ଛାଡ଼ିଲୁ ନାହିଁ ?’’

 

ଏତେ ରାତିରେ ବୋଉ ଘର ଭିତରୁ ଉଠି ଆସିବା ଦେଖି ବ୍ରଜ ଟିକିଏ ଆଶ୍ଚର୍ଯ୍ୟ ହେଲା-। ପର ମୁହୂର୍ତ୍ତରେ ବୋଉ ମୁହଁର କଥା ଶୁଣି ଟିକିଏ ହସିଦେଇ କହିଲା–‘‘କାଗଜ ଛାଡ଼ିବି ? କାଇଁକି କାଗଜଟା କଣ ଅଡ଼ୁଆ କରୁଚି ? ଏଟା ଛାଡ଼ିଦେଲେ କଣ ମନରେ କିଛି ଭାବିହେବ ନାଇଁ-?’’

 

‘‘ଭାବି ଭାବି ତ କଣ୍ଟା ପରି ହୋଇଗଲାଣି । କଣ ଏତେ ଭାବୁଚୁ ରେ ଧନ ? ନନା ଗଲା ଦିନରୁ ତ ..... !’’

 

‘‘ବୋଉ, ତୁ କଣ ବିଚାରୁଛୁ ମୁଁ ସବୁବେଳେ ନନାଙ୍କ କଥା ଭାବୁଚି ବୋଲି ? ଭାବିଲେ ତ ସେ ଆଉ ଆସିବେ ନାଇଁ । ଯିଏ ଗଲା ସିଏ ଗଲା । ତାଙ୍କ କଥା ମନେ ପଡ଼ୁଚି; ମାତ୍ର ସଂସାରରେ ଯେ ଅଛନ୍ତି ତାଙ୍କ କଥା ସିନା ବେଶି ଭାବିବାକୁ ହେଉଚି...ମୁଁ ତ ଏବେ...!’’

 

ପୁଅ ମୁହଁରୁ ଏ କଥା ଶୁଣି ବିଧବାର ଶୋକ-ସିନ୍ଧୁ ସତେ ବା ଉଛୁଳିପଡ଼ିଲା । ସେ କଥାକୁ ଅଧେ କହି ଅଧେ ନ କହି, ପୁଅ ମୁଣ୍ଡକୁ ଆଉଁସି ଆଉଁସି କହିଲା–‘‘ମୋ ବ୍ରଜର କି ସଂସାରରେ ଆଉ କିଏ ଅଛି ? ଆହା, ମୋର ଗଣ୍ଠିଧନ ! ଜୀବନରେ କେତେ ଦୁଃଖ ଭୋଗିବାକୁ ଥିଲା । ପିଲାଦିନୁ ତ ଦୁଃଖୀ ହେବାକୁ ଥିଲା ରେ ବାବୁ ଆଉ କାହା କଥା ଭାବିବୁ ? ସବୁ ଚିନ୍ତାରୁ ତୋ ଚିନ୍ତା ମତେ ଏବେ ଦଳେଇଗଲାଣି । ତୁ ଘର କରିବୁ... !’’

 

ବୋଉର ଏ ଅବସ୍ଥା ଦେଖି ବ୍ରଜ ବଡ଼ ଆଶ୍ଚର୍ଯ୍ୟ ହେଲା । କହିଲା–‘‘ବୋଉ, ତୁ ତ ଇମିତି ହେଲେ ଚଳିବନି ! ବିଚାରୁନୁ ଆମେ କଣ ଏ ସଂସାରରେ ଏକୁଟିଆ ଦୁଃଖରେ ଅଛେଁ ? ଆମଠୁ ତ କେତେ କେତେ ଲୋକ କେତେ ଦୁଃଖରେ ସଢ଼ୁଛନ୍ତି । ତୁ ଯେବେ ସେମାନଙ୍କ କଥା ଜାଣି ମୁଁ, ତାହାହେଲେ ଆମର ଏ ଦୁଃଖ ତତେ ଦୁଃଖ ପରି ଲାଗିବ ନାଇଁ । ମୁଁ ସେଇ ଦୁଃଖୀଙ୍କ କଥା ଏଇ ହପ୍ତିକିଆ କାଗଜରେ ପଢ଼ୁଥିଲି-‘ବାଗଲପୁର ବୋଲି ଏକ ଗାଆଁରେ ଦଳେ ପାଣ ଥିଲେ ଯେ, ସେମାନେ ମୂଲ ଲାଗି ବେଶି ମଜୁରୀ କହିବାରୁ ଗାଆଁର ଜାତିଆ କରଣ ସାଆନ୍ତେ ସେଇ ଗରିବଗୁଡ଼ାଙ୍କୁ ହଟହଟା କରି ମାରୁଚନ୍ତି । ତାଙ୍କ ଗାଁ କିଏ ପୋଡ଼ି ଦେଇଚି । ସେମାନେ ଏବେ ନଈକୂଳ ହୁଡ଼ାରେ କୁଡ଼ିଆ ବାନ୍ଧି ରହିଛନ୍ତି। ସେଇ ଗାଁର ଟୋକାମାନେ ଆପଣା ଭିତରେ ଚାନ୍ଦା କରି ପାଣମାନଙ୍କୁ ସାହାଯ୍ୟ ଦେଇଛନ୍ତି। ଏଥିପାଇଁ ସେ ଅଞ୍ଚଳରେ ଭାରି ଚହଳ ପଡ଼ିଛି । ‘କଲଣ’ ବୋଲି ଆଉ ଏକ ଗାଁରେ ଅଛବ ଜାତିର ଲୋକେ ନାଟ ଆଖଡ଼ା କରି ଗୀତ ବୋଲୁଥିଲେ। ସେମାନେ ଭାଗବତ ପଢ଼ିଲେ ବୋଲି ସେଠାରେ ତେଲି ମହାଜନମାନେ ତାଙ୍କଠୁ ଘର ପିଛା ଟଙ୍କାଏ ଲେଖେଁ ଜରିମାନା ଆଦାୟ କରିଚନ୍ତି । ତାଙ୍କର ଦୋଷ-ଅଛଦ ଜାତିରେ ଜନ୍ମ ହୋଇ ସେମାନେ କାହିଁକି ଗୀତ ବୋଲି ନାଟ କଳେ । ଏହାଦ୍ୱାରା ଗାଆଁର ଅମଙ୍ଗଳ ହେଲା । ଯଦି ବା ଗୀତ ବୋଇଲେ, ସେ କାହିଁକି ଭାଗବତ ବୋଇଲେ ? ଏଇ ସବୁ କଥା ଏଇ ଖବରକାଗଜରେ ଛପା ହୋଇ ଆସିଚି । ୟାକୁସବୁ ପଢ଼ିଲେ, ଶୁଣିଲେ କଣ ଦୁଃଖ ଲାଗିବା କଥା ନୁହେଁ ?’’

 

‘‘ତୋର ଏଇ କଥା କେତେବେଳେ ହେଲେ ଗଲାନି ରେ ବ୍ରଜ ! ସବୁବେଳେ ସେଇ ପ୍ରାଣ ହାଡ଼ କଥା ଗୁଣିହେଲୁ। ଏ ତୋର କି ସଂସାରଛଡ଼ା ବୁଦ୍ଧି ? ତୋ ପାଇଁ ଭାବି ଭାବି ପରା ମୋର ମରିଯିବାକୁ ମନ ହେଲାଣି । ତୁ କାହାର ପୁଅ, କାହାର ନାତି, ତୋର ଏଇ ପାଣ ହାଡ଼ିଙ୍କ ପାଇଁ ଏତେ ଚିନ୍ତା କାହିଁକି ରେ ? ତୁ ଯିବୁ କାହାର ଶବ ଉଠେଇ, କିଏ ଆସିଲା ତ ଅଛବ ଲୋକ, ତୁ ଦେବୁ ତାକୁ ପାଣି କାଢ଼ି ପିଇବାକୁ । କୁଠି ଦାଉରି ଟୋକାଟେ ପାଠ ପଢ଼ିଲାନି, ତୁ ଯିବୁ ତାକୁ ବୁଝେଇବାକୁ । ଛି ଧନ, ଏଭଳି ଅଧର୍ମ କଥା ଏ କୁଳରେ କିଏ କେବେ କରି ନ ଥିଲେ । ନନା ଥିଲେ ତ ତୋର ଏକଥା ଦେଖି ତତେ ଘରେ ରଖେଇ ଦିଅନ୍ତେ ନାହିଁ । ଆଗରୁ ଖସି ଯାଇଛ୍ତି ସେ, ରକ୍ଷା ପାଇଛନ୍ତି । ତୋ କଥା ଭାବି ଭାବି ଦହଗଞ୍ଜ ହୋଇ ମରିବାକୁ ମୋତେ ସିନା ରଖେଇ ଦେଇ ଗଲେ !’’

 

ବ୍ରଜ ପୁଣି ହସି ଉଠିଲା ! ଏ ହସ ଯେପରି ତା ଅନ୍ତରରୁ ବାହାରିଲା । ନୈଶ୍ୟ ନୀରବତା ଭଙ୍ଗ କରି ତାର କଳ କଳ କଣ୍ଠରୋଳ ପାଖ ପଡ଼ିଶା ଘରେ ପ୍ରତିଧ୍ୱନିତ ହୋଇ ଉଠିଲା । ହସହସ ମୁହଁରେ ସେ କହିଲା–‘‘ବୋଉ, ତୁ କାହିଁକି, ଆମ ଗାଁର ଅନେକ ଜାଣିବାର ଲୋକ ମଧ୍ୟ ଏଇପରି କଥା କହିବେ । ଆଚ୍ଛା, ମୁଁ ଗୋଟିଏ କଥା ପଚାରୁଚି । ମୁଁ ଯାହା କରୁଚି ଏସବୁ କଣ ଅଧର୍ମ କଥା ? ଶୋଷୀକି ପାଣି ଦେଲେ କି ଅଧର୍ମ ହୁଏ ? ମୁର୍ଖକୁ ପାଠ ଶିଖେଇଲେ କି ପାପ ହୁଏ ? ପର ଦୁଃଖ ଦେଖି ‘ଆହା’ ବୋଲି କହିଦେଲେ କି ଅନ୍ୟାୟ ହୁଏ ?’’

 

ଏ କେତେ ପଦ କଥା ଶୁଣି ବିଧବା ତୁଣ୍ଡରୁ ଆଉ କଥା ବାହାରିଲା ନାହିଁ । ପୁଅ ଯାହା ପଚାରିଲା, ତାର ଉତ୍ତର କଣ ଦେବ, ଖୋଜି ପାଇଲା ନାହିଁ । ସେ ପରା କେତେ ପୁରାଣ ଶୁଣିଚି, କେତେ ଦିଅଁ ଦେବତାଙ୍କ କଥା ଜାଣିଚି ! ସବୁଥିରେ ସେ ଶୁଣିଚି–ଶୋଷୀକୁ ପାଣି ଦେବ, ଭୋକୀକୁ ଅନ୍ନ ସେବ, ଦୁଃଖୀର ସାହା ହେବ.....ଏଇପରି କେତେ କେତେ କଥା ଗାଁରେ, ସାଇପଡ଼ିଶାରେ କେହି କେବେ ନ ଜାଣିଥିବା କଥା ସେ ଜାଣେ ! ପୁଅର ଏ କଥାରେ ସେ ଜବାବ ଦେ ବ ନା କେମିତି ? ପୁଅକୁ କିଛି ନୂଆ କଥା, ସୃଷ୍ଟିଛଡ଼ା କଥା ପଚାରୁ ନାଇଁ । ସତ କଥାକୁ କି ନାହିଁ କରି ହେବ ? ସେ କିଛି କହି ନ ପାରି ପୁଅ ମୁହଁକୁ କେବଳ ବାଲୁ ବାଲୁ ଚାହିଁ ରହିଲା ।

 

ବ୍ରଜ ବୋଉର ହାତ ଧରିପକାଇ କହିଲା–‘‘ବୋଉ, ବାହାରେ ଅବୁଝା ଲୋକେ ମତେ ଯାହା କହିବେ, ଯାହା ବୋଲିଛୁ ଭୁଲେଇ ଦେ, ତୁ କଣ ମତେ ସେଇ କଥା କହିବୁ ? ମୁଁ ତ ତୋ ଠାରୁ......’’ ବ୍ରଜ କଣ କହି ଆସୁଥିଲା, କହି ପାରିଲା ନାହିଁ । ଖାଲି ନୀରବରେ ନିଜର ବଡ଼ ବଡ଼ ଛଳଛଳ ଆଖି ଦୁଇଟାକୁ ପଦ୍ମ ଫୁଲ ପରି ଫୁଟେଇ ଦେଇ ବୋଉ ମୁହଁକୁ ଚାହିଁ ରହିଲା ।

 

ପୁଅର ଏ ଭାବ ଦେଖି ବୋଉ ତୁଣ୍ଡରୁ ଆଉ କଥା ବାହାରିଲା ନାହିଁ । କେବଳ ନିଜର ରସମୟ ମାତୃବକ୍ଷ ତଳେ ମାଆ ଅବୋଧ ଶିଶୁକୁ ଡାକି ଧଇଲା ପରି ବ୍ରଜକୁ ସେ କେବଳ ଡାକି ଧଇଲା ।

 

କେତେ ସମୟ ଏହିପରି ଗଲା । ଦୁହେଁ ନୀରବ । ଜନପ୍ରାଣି-ଳାହଳଶୂନ୍ୟ ଅନନ୍ତ ବସୁନ୍ଧରା-ବକ୍ଷର ଏହି ଯେଉଁ ସନ୍ତାନ-ବାତ୍ସଲ୍ୟର ନୀରବ ଲୀଳା ଚାଲିଲା ତାହା ଆଉ କେହି ଦେଖିଲେ ନାହିଁ । ଶାନ୍ତ ଗମ୍ଭୀର ମହାକାଶ ତଳେ କ୍ଷୀଣ ଦୃଷ୍ଟରେ ଗୋଟି ଗୋଟି ତାରା ନିରୀକ୍ଷଣ କରୁଥିଲେ ଏବଂ ଘର ବାହାରେ ଥିବା ଉଭୂଙ୍ଗ ତରୁଶ୍ରେଣୀ ଶିର ତୋଳି ଏ ଲୀଳା ଦେଖିବାକୁ ଚେଷ୍ଟା କରୁଥିଲେ ମାତ୍ର ।

 

ନୀରବତା ଭାଙ୍ଗି ବୋଉ କହିଲା–‘‘ଯା ବାବୁ, ଶୋଇ ପଡ଼ । ରାତି କେତେ ହେଲାଣି ।’’

 

ସୁବୋଧ, ସୁଶୀଳ ବାଳକ ପରି ବ୍ରଜ କାଗଜ ଖଣ୍ଡିକ ହାତରେ ଧରି ଶୋଇବା ଘରକୁ ପଶିଗଲା ।

 

ବୋଉ ତାର ସେହି ଅଡ଼ଙ୍ଗରେ ଅନ୍ଧାର ରାଜ୍ୟରେ କେତେ ଯେ କଣ ଦେଖିଲି, କେତେ ଯେ କଣ ଭାବିଲି, ତାର ଅନ୍ତରାତ୍ମା କେବଳ ଜାଣିଲା । ସଂସାରରେ ତା ଅନ୍ତର କତା ଆଉ ବୁଝିବ କିଏ ? ସେ ଆକୁଳ ଭାବରେ ମନେ ମନେ ପ୍ରଭୁଙ୍କୁ ଡାକିଲା–

 

‘‘ହେ ପ୍ରଭୁ ଜଗନ୍ନାଥେ, ବ୍ରଜକୁ ମୋର ବୁଢ଼ା କରିଥା, ବ୍ରଜ ମୋର ଯୁଗ ରାଇଜ କରୁ ।’’

 

ବୋଉର ଏହି ଆର୍ଶୀବାଦ ବାଣୀ ଶୂନ୍ୟ ଆକାଶ ତଳେ ଗମ୍ଭୀର ଭାବରେ ପ୍ରତିଧ୍ୱନିତ ହୋଇ କେଉଁ ଦେବଳୋକରେ ଯାଇ ପହଞ୍ଚିଲା କେଜାଣି ! ବୋଉ ପ୍ରାଣରେ ଶାନ୍ତି ଆସିଲା । ସେହିଠାରେ ବସି ବସି, ଭାବି ଭାବି ତାର ଆଖିପତା ଦୁଇଟି ମଡ଼େଇ ହୋଇଗଲା-ଅନେକ ଦିନର ବୁକୁ ଭିତରଟା ଉଶ୍ୱାସ ହୋଇଗଲା ।

•••

 

-ଏଗାର-

 

ଗାଆଁରୁ ଦୂରରେ ଥାଇ ପାଠ ପଢ଼ୁଥିଲା ବେଳେ ଗଉରୀର ବିବାହ ଏବଂ ବିଧବା ହେବା ଉଭୟ କତା ବ୍ରଜ କାନକୁ ଗଲା । ପ୍ରଥମେ ବିବାହ ଖବର ପାଇ ସେ ବଡ଼ ବିଚଳିତ ହୋଇ ପଡ଼ିଥିଲା । ତାକୁ ଜଣା ପଡ଼ିଲା, ସତେ ଅବା ତା ବୁକୁ ଭିତରୁ ହୃତ୍‌ପିଣ୍ଡର ଖଣ୍ଡେ କିଏ କାଟି ଅଲଗା କରିଦେଲା । ତା ଜୀବନଟା ଦି’ ଭାଗ ହୋଇଗଲା । ଭାଗରେ ଗଉରୀ, ଭାଗକେ ସେ ନିଜେ ବ୍ରଜ-ବ୍ରଜ କିଛି ଭାବିପାରିଲା ନାହିଁ । ପିଲା ଦିନର ଖେଳସାଥୀ ଗଉରୀ ବଡ଼ ଦିନରେ ଜୀବନର ନାନା ସୁଖ ଦୁଃଖର ସାଥୀ ହେବ ବୋଲି ସେ ତାର କିଶୋର ଜୀବନର ଯାହା କିଛି ଅନୁଭୁତି ବଳରେ ବୁଝିପାରିଥିଲା । କେତେ ଯେ ସେ ସୁଖ-ସୌଧ ତୋଳିଥିଲା, କେତେ ଯେ ସେ ଜାଲ ବୁଣୁଥିଲା.....ଏ ଖବର ଫଳରେ ମୁହୂର୍ତ୍ତକେ ସବୁ କୁଆଡ଼େ କ୍ଷଣକର ସ୍ୱପ୍ନ ପରି ଜଣାପନିଲା ।

ବ୍ରଜ ବାସ୍ତବିକ ସ୍ୱପ୍ନ ଦେଖିଥିଲା । ଏସ୍ୱପ୍ନ ଯୌବନ ପ୍ରାରମ୍ଭରେ ନ ଦେଖେ କିଏ ? କିଏ ବା କିଶୋର ପ୍ରାଣରେ ସଂସାରଟାକୁ ରହସ୍ୟମୟ ଅରୁଣିମାର ରମଣୀୟ ରଙ୍ଗମଞ୍ଚ ପରି ମନେ ନ କରେ ? ନଦୀ କୂଳରେ କଳ କଳ ଲହରୀମାଳା ପରି କାହା ପ୍ରାଣରେ ବା ଉଦ୍‌ଗତି ଯୌବନର ଭାବ-ତରଙ୍ଗ ନ ଖେଳେ ? କଳିଜାର ଫୁଲ ଆକାରରେ ଫୁଟି ଉଠିଲା ବେଳକୁ କାନ୍ତ କୋମଳ ପାଖୁଡ଼ାଗୁଡ଼ିକୁ କିଏ ଜବତ ରଖିପାରେ କି ? କେହି କେବେ ପାରି ନାହିଁ-ବ୍ରଜ ମଧ୍ୟ ପାରି ନଥିଲା ।

ଗଉରୀର ବିବାହ ଖବର ପରେ ବିଧବା ହେବା ଖବର ବ୍ରଜ କାନକୁ ଗଲା । ଏ ଖବର ପାଇ କେତେ ଦିନ ସେ ନିତାନ୍ତ ବିଚଳିତ ହୋଇ ପଡ଼ିଲା । ମନକଥା କାହାକୁ କହି ପାରିଲା ନାହିଁ କିମ୍ବା କୌଣସି ପ୍ରକାରେ ଗଉରୀକୁ ଜଣାଇବାର ସୁଯୋଗ ପାଇଲା ନାହିଁ । ସମାଜର ନିଷ୍ଠୁର ଆଇନକାନୁନ ଭିତରେ ସେ ଛନ୍ଦି ହୋଇ ଛଟପଟ ହେଲା । ସେତିକିବେଳେ ତା ପ୍ରାଣରେ ସମାଜ ପ୍ରତି ଘୋର ଅବମାନନା ଆସିଲା । ସମାଜ ଯେ ପ୍ରଥମେ ତା ନିଜ ପ୍ରତି ଅନ୍ୟାୟ କରିଛି, ତା ପରେ ଗଉରୀକୁ ବିଧବା କରି ତହୁଁ ବଳି ଶତ ଗୁଣ ଅନ୍ୟାୟ କରିଛି, ଏ କଥା ସେ ଥର ଥର କରି ଶତ ଲକ୍ଷ ଥର ଭାବିଲା । ଭାବିଲେ କଣ ହେବ ? ଭାବିବା ଛଡ଼ା ସେ ଆଉ କିଛି କରିପାରିଲେ ନାହିଁ ।

ବ୍ରଜ ପଢ଼ା ସାରି ଘରକୁ ଫେରିଲା । ସେ ମନେ କରିଥିଲା ଯେ, ଆସିଲା ମାତ୍ରେ ଗଉରୀକି ଦେଖିଲା । ତା ପିଲାଦିନର ସାଥୀ ଗଉରୀ ହସି ହସି ଆସି ତା ପାଖେ ଠିଆ ହୋଇପଡ଼ିବ ! କେତେ କତା ପଚାରିବ, କେତେ ମାନ ଅଭିମାନ କରି ତା ପଖରୁ ରୁଷି ଚାଳିଯିବ । ମାତ୍ର ତାହା ସେ ଦେଖିଲା ନାହିଁ । ଘରକୁ ଆସି ତାକୁ ଦେଖିବାକୁ ସେ ଯେତିକି ଚେଷ୍ଟା କଲା, ସେତିକି ସେ ପାଖରୁ ଦୂର ଦୂର ହୋଇ ରହିଲା । ଏଣେ ପୁଣି ମନ ଭିତରେ ସେ ଗଉରୀ କଥା ଯେତିକି ବ୍ୟାକୁଳ ହୋଇ ଭାବିଲା, ତା ମାନସ-ପଟରେ ଗଉରୀର ଛାୟା, ସେତିକି ପରିଷ୍ଫୁଟ ହୋଇ ଦେଖାଗଲା । କେତେବେଳେ ବାଳିକା ବେଶରେ, କେତେବେଳେ ନୃତ୍ୟରଙ୍ଗିଣୀ କିଶୋରୀ ବେଶରେ, କେତେବେଳେ ବା ବିରହିଣୀ ବିଧବା ବେଶରେ ସେ ଘନ ଘନ ଭାବରେ ତାକୁ ଅଥୟ କଲା, ଅନାହୂତ ଭାବରେ ତା ବୁକୁ ଭିତରେ ଧକ୍‌କା ଦେଇ ତାକୁ ଜାଗ୍ରତ କରାଇଲା ।

ଗଉରୀ ସିନା ବ୍ରଜର ହୃଦୟ ଭିତରେ; ମାତ୍ର ବାହାରେ କାହିଁ ? ଗଉରୀକି ନ ଦେଖି ସେ ବନେ ମନେ ବିଚାରେ-ଗଉରୀର ଓ ମୋର ଦୁଇଟି ବୋଉ ମଧ୍ୟରୁ ଜଣେ ସିନା ମରିଯାଇଛି, ଆଉ ଜଣେ ତ ଅଛି ! କାହିଁ, ଗୁରୀ କାହିଁକି ତା ବୋଉ ପାଖକୁ ଆମ ଘରକୁ ଆସୁ ନାହିଁ ? ଏ କଥାଟା ସାହସରେ ସେ ବୋଉକୁ ପଚାରିପାରେ ନାହିଁ । ଗଉରୀ ବିଧବା ହୋଇଛି, ଖୁଦ୍‌ସମ୍ଭବ ଅଳଙ୍କାରପତ୍ର କାଢ଼ି ଦେଇଛି, ବାଳକୁ ମୁକୁଳା କରି ଦେଇଛି, ମୁହଁକୁ ଶୁଖାଇ ବସିଛି.....ଏହିପରି କେତେ ବିକଟ କରୁଣ ଛବି ବଅଜ ତାର ମାନସ-ପଟରେ ଆଙ୍କି ଜୀବନରେ ସକଳ କର୍ମ ଭିତରେ ପ୍ରତି ନିଃଶ୍ୱାସ ତଳେ ତଳେ ସାଇତି ସତେଜ ରଖିବାକୁ ଚେଷ୍ଟା କଲା ।

ଗାଁରେ ବ୍ରଜକୁ ମୁହୂର୍ତ୍ତେ ହେଲେ ଡର ନାହିଁ । ଗାଁ ସ୍କୁଲ ହାଲ ବୁଝିବ, ବାଉରି ସାଇରେ ଗୋଟିଏ ନୈଶ୍ୟ ବିଦ୍ୟାଳୟ ବସାଇଛି, ମଝିରେ ମଝିରେ ସେଠାକୁ ଯିବାକୁ ହେବ । ଏହା ଛଡ଼ା ଦିନରେ କେତେବେଳେ ରୁଅବଡ଼ା ପାଣସାଇକୁ ବା ଚମ୍ପାଦେଇପୁର ହାଡ଼ିସାଇକୁ ଯାଇ ସେଠାରେ ପତିତ, ଲାଞ୍ଚିତ, ବତଭାଗ୍ୟଗୁଡ଼ିଙ୍କୁ କେତେ ସରସ ମଧୁର କଥା କହି ସେମାନଙ୍କ ହୃଦୟରେ ନାନା ଆଶା ଆଶ୍ୱାସନା ଖେଳାଇ, ସେମାନଙ୍କୁ ଖବରକାଗଜ ପଢ଼ି ଶୁଣାଇ, କେଉଁ ଘରେ ରୋଗୀଟାଏ, କେଉଁ ଘରେ ଭୋକୀଟାଏ ଅଛି, ସେ କଥା ବୁଝି ଘରକୁ ଫେରିବା । ଫେରିଲା ବେଳକୁ କେତେବେଳେ ଦିନ ଦି’ ପହର, କେତେବେଳେ ବା ରାତି ଛ’ ଘଡ଼ି । ବ୍ରଜର ଏହି ସବୁ କଥା ଲାଗି ଗାଆଁରେ ଭାରି ଚହଳ। ଗାଆଁଟାଯାକର ସେ ଚକ୍ଷୁଃଶୂଳ, ଗାଆଁରେ ତା ବିରୁଦ୍ଧରେ ନାନା ବିଚାର-ଦିଅଁ ଦେଉଳ ତାକୁ ମନା ହେବା ଲାଗି ନାନା ଷଡ଼ଯନ୍ତ୍ର ।

ଏହିପରି ଭାବରେ କଠୋର ଅଗ୍ନିପରୀକ୍ଷା ଭିତରେ ଚାଳି ଚାଲି ବ୍ରଜ ଦିନେ ବାଡ଼ିବାଟେ ଘରକୁ ଫେରୁଥିଲା । ଉଦୁଉଦିଆ ଖରାବେଳେ, ତଳ ତାତି ଓ ଉପର ତାତିରେ ଦେହ ସିଝି ଯାଉଛି । ବାହାରେ ଜନପ୍ରାଣୀ କେହି ନାହାନ୍ତି । କେବଳ ପାଖ ବର, କଇଁଆ ଗଛ ଗହଳିରେ କେଉଁଠି ଦୁଇ ଚାରିଟା କପୋତ ବସି କେଉଁ ଯୁଗଯୁଗାନ୍ତର ବିରହ ବେଦନାରେ ବ୍ୟଥିତ ହେଲା ପରି ବୁକୁ ଫଟେଇ ଗୁମୁରେଇ କାନ୍ଦି ଉଠୁଛନ୍ତି । ସେମାନଙ୍କ କାନ୍ଦକୁ ଗମ୍ଭୀର ଭାବରେ ସମର୍ଥନ କଲା ଭଳିଆ ଦୂରର ନାଳକୂଳିଆ ଶୀତଳ କିଆବୁଦା ଭିତରେ କେଉଁଠି କୁମ୍ଭାଟୁଆ ତାର ଗମ୍ଭୀର ସ୍ୱରଲହରୀ ଫିଟାଇ ସତେ ଅବା ଜଡ଼ ପାଷାଣକୁ ଚମକାଇ ଦେଉଛି । ଗଉରୀ ପରି ଗାଁର ଶତ ଶତ ବାଳବିଧବାଙ୍କ ପ୍ରାଣ ଯେ ଏହିପରି ନିଃସଙ୍ଗ ଗମ୍ଭୀରତାରେ ପରିପୂର୍ଣ୍ଣ, ଏ କଥା ସତେ ଅବା ଜଗତରେ ସେମାନେ ଘୋଷଣା କରୁଛନ୍ତି । ଗଉରୀ ପରି କେତେ ବାଳବିଧବାଙ୍କ ଗମ୍ଭୀର ଆର୍ତ୍ତନାଦ ଏହିପରି ଯେ ବେଳେବେଳେ ସମାଜର ଗମ୍ଭୀର ଘରେ ବାଜିଉଠେ, ସେ କଥା ବୋଧ ହୁଏ ଏମାନେ ତାଙ୍କ ନିଜର ବଜ୍ରଭାଷାରେ ପ୍ରଚୁର କରି ଆସୁଛନ୍ତି ଏବଂ ପୁଣି କେତେ କାଳ କେତେ ଯୁଗ ପ୍ରଚାର କରିବେ !

ଏହିପରି ନୁସ୍ତବ୍ଧ ମଧ୍ୟାହ୍ନ ମଧ୍ୟରେ ଏକାକୀ ବ୍ରଜ । ହାତରୁ ତାର ଖଣ୍ଡେ ବାଉଁଶ ଦାଡ଼ ଓ ଦୁଇ ଚାରି ଖଣ୍ଡ କି ବହିପତ୍ର । ନିର୍ଧୁମ ଖରାକୁ ମୁକୁଳା ମୁଣ୍ଡଟା ଦେଖାଇ ଦେଇ, କି ଭାବନାରେ ବୁଡ଼ି ବୁଡ଼ି ଭୂତ ପରି ସେ ଭୁସ୍‌ଭୁସ୍ ମାଡ଼ି ଚାଲିଆସୁଛି !

ଆସୁ ଆସୁ ବାଟରେ ହଠାତ୍ ସେ ଥକି ଠିଆ ହୋଇ ପଡ଼ିଲା । ତାରି ଆଗରେ ଖଣ୍ଡ ଦୂରରେ ଜଣେ କିଏ ପାଣି ମାଠିଆଏ କାଖରେ ଧରି ମୁହଁ ବୁଲେଇ ଆଡ଼େଇ ହୋଇଗଲା । ତା ଉପରେ ବ୍ରଜର ଆଖି ପଡ଼ିବା ମାତ୍ରେ ମୁହୂର୍ତ୍ତେ ସୁଦ୍ଧା ଭାବିବାକୁ ସମୟ ନ ପାଇ ସେ ପଚାରିଦେଲା–‘‘କି ଗଉରୀ ! ବାଃ ! ଆଉ ତ ଦେଖା ନାହିଁ । ତୋ ବ୍ରଜ ଭାଇକି କଣ ଏକାବେଳକେ ପାଶୋରିଦେଲୁ କି ?’’

ବ୍ରଜଭାଇ ଯେ ଗଉରୀର କେତେ ପ୍ରିୟ ଥିଲା, ଏ କଥା ସଂସାରରେ କେବଳ ଗଉରୀ ଜାଣେ, ଆଉ ବ୍ରଜ ଜାଣେ ।

ବ୍ରଜର କଥା ଶୁଣି ଗଉରୀ ମୁହଁ ଟେକି ଚାହିଁଲା ନାହିଁ କି ପଦେ ହେଲେ ଉତ୍ତର ଦେଲା ନାହିଁ ।

ବ୍ରଜ ପୁଣି ପଚାରିଲା–‘‘କଣ, କଥା କହିବୁ ନାଇଁ ବୋଲି ନିୟମ କରିଛୁ ନା କଣ ?’’

ଗଉରୀ କଣ ଉତ୍ତର ହେବ ? ନିର୍ଜନ ମରୁଭୂମି ଭିତରେ ସତେ ଅବା ସେ ପଥହରା ଜୀବଟିଏ ! କି ବିଷମ କଥା ! ଏତେବେଳେ କି ତାର ବ୍ରଜ ଭାଇ ପୁଣି ଉତ୍ତର ଆଶା କରେ ? ଆହା, ଆହୁରି ଆଗରୁ, ଅନେକ ଆଗରୁ ସେ କାହିଁକି ଉତ୍ତର ଆଶା କଲା ନାହିଁ ? ଦୂରରେ ରହି ପାଠ ପଢ଼ୁଥିଲା ବେଳେ କାହିର୍କି ଏ କଥା ପଚାରି ପଠାଇଲା ନାହିଁ ? ଏ କଥା ଭାବି ଭାବି ସେ ଏପରି ଭାବରେ ସଢ଼ିଗଲା ଯେ, ସତେ ଅବା ସେହି ମୁହୂର୍ତ୍ତରେ ସେହିଠାରେ ସେ ଭୂଇଁ ସଙ୍ଗେ ମିଶିଯିବ ! ସେତେବେଳେ ତାକୁ ଜଣା ପଡ଼ିଲା, ସେହି ଉଦୁଉଦିଆ ଖରା କେବଳ ତାହାରି ପାଇଁ ସଂସାରରେ ଏପରି ନିଆଁ ଭଳିଆ ଜଳି ଉଠିଛି; ତାହାରି ପାଇଁ ଏତେ ଝାଞ୍ଜି ପବନ ବହୁଛି । ଆଖି ତାର ଅନ୍ଧ ହୋଇଗଲା । ନିଜେ ସେ ଅଛି କି ନାହିଁ, ନିଜେ ଜାଣିପାରିଲା ନାହିଁ । ଯେତେବେଳେ ବ୍ରଜର ତୃତୀୟ ପ୍ରଶ୍ନ ହେଲା–‘‘କଥା କହିବୁ ନାଇଁ ?’’ ସେତେବେଳେ ତାର ଚେତନା ହେଲା । ଦେଖିଲା, ତାର ଗୋଡ଼ ହାତରୁ ଗମଗମ ହୋଇ ଝାଳ ବୋହୁଛି । ଆଖି ଦୁଇଟା ଲୁହରେ ପୂରି ରହିଛି । ବହୁ କଷ୍ଟରେ ସେ ଚେଷ୍ଟା କରି ପଦେ ମାତ୍ର ପଚାରିଲା–

‘‘ଭଲ ତ ସବୁ...?’’

‘‘ହଁ, ଭଲ ସବୁ; ମାତ୍ର...।’’

ବ୍ରଜ ଭାବିଥିଲା, ଏତେ ଦିନ ପରେ ଗଉରୀ ମୁହଁରୁ କଥା ଶୁଣିଲେ ସେ ଭଲ ଭାବରେ ଉତ୍ତର ହେବ । ଦେଖିଲା, ତାର ମଧ୍ୟ ସେହି ଅବସ୍ଥା । ସେ କଇ କହିବାକୁ ଯାଉଥିଲା, କି ଅଜ୍ଞାତ ମାବନାରେ ତାର ଅନ୍ତରାତ୍ମା ଥରି ଉଠିଲା । ସେ ଆଉ ପଦେ ହେଲେ ଓଲଟା ଉତ୍ତର ଦେଇ ପାରିଲା ନାହିଁ-କେବଳ ମୁହଁଟା ପୋତି କଣ ଭାବିବାରେ ଲାଗିଲା । କେତେ ବର୍ଷ ତଳର କି ଛବି ତା ଆଖି ଆଗେ ଆଗେ ନାଚିଗଲା । ପରମ ରମଣୀୟ ସେ ଛବି, ବୀଣାନିନ୍ଦୀ ସେ ମଧୁର ସ୍ୱର ! କୋମଳ ଚରଣର କି ନିରଳସ ଚାଳି ! ସବୁ ଯେପରି ତା ଆଗରେ ଗୋଟି ଗୋଟି ହୋଇ ଆସି ପ୍ରସ୍ତକୁ ପ୍ରସ୍ତ ଦେଖା ଦେଲା ! ସେହି ଛବି ଦେଖି ଦେଖି କେତେ ସମୟ ସେ ସେଠାରେ ଠିଆ ହୋଇ ରହିଲା, ସେ ଜାରେ ନାହିଁ । ନିକଯରେ କିଆବୁଦା ଭିତରୁ କୁମ୍ଭାଟୁଆଟାକୁ ଯେତେବେଳେ ହୁଙ୍କାରି ଉଠଇଲା, ସେ ମୁହଁ ଟେକି ଗଉରୀ ଆଡ଼କୁ ଆଖି ଫେରାଇଲା । ଦେଖିଲା, ସଂସାରଟା ତା ଆଗରେ ଶୂନ୍ୟ । ପାଖରେ କେହି ନାହାନ୍ତି-କେବଳ ଦୁଇ ଚାରିଟା ଗଛ ଆକାଶରୁ ମୁଣ୍ଡ ଟେକି ନିର୍ଜୀବ ଅବସ୍ଥାରେ ଘୁମେଇଲା ପରି ରହିଛନ୍ତି । ତାହାରି ପରି ସମସ୍ତ ଜଡ଼ ଜଙ୍ଗମ ଯେପରି କି ସ୍ୱପ୍ନ ଦେଖିବାରେ ଲାଗିଛନ୍ତି, ତାହାର ପାଦ ତଳର ମାଟି ଗୋଡ଼ ତାହାରି ପରି କାହାକୁ କଥା କହି ନ ପାରି ମୁକ ହୋଇ ରହିଛନ୍ତି ! ସେ ଆଉ କାହାକୁ କଣ କହିବ ? ଗଉରୀ ସେଠାରୁ କେତେବେଳେ ଯେ ଚାଲି ଯାଇଛି, ସେ ଜାଣେ ନାହିଁ ।

ବ୍ରଜ ଘରକୁ ଯାଇ, ଖବରକାଗଜଟା ସେହିପରି ହାତରେ ଧରି ଖଟଉପରେ ଚିତି ହୋଇ ପଡ଼ିଗଲା । ପଢ଼ିବାକୁ ସେ କାଗଜଟା ଫିଟାଇଲା । ମାତ୍ର ଦେଖିଲା, ସେ ଭିତରେ ଗଉରୀ ଲୁଚି ରହି ତା ସହିତ ଲୁଚକାଳି ଖେଳୁଚି। କି ସୁନ୍ଦର ସେ ଖେଳ ! ଏ ପିଲାକୁ ସେ ପିଲା ! ବାଡ଼ିପଟ ବିଲମାଳକୁ ନଈବଢ଼ି ଆସିଛି; ଦିହେଁ ହାତ ଧରା ଧରି ହୋଇ ହସି ହସି ଧାଇଁ ଧାଇଁ ଯାଇ ସେହି କାଣିରେ ପଡ଼ି ଯାଉଛନ୍ତି-ପାଣି ସୁଅରେ ଏ କିଆରୀରୁ ସେ କିଆରୀକୁ ଭାସି ଭାସି ଯାଉଛନ୍ତି । ଜଣେ ଭାସିଗଲେ ଆଉ ଜଣେ ତାକୁ ଗୋଡ଼େଇ ଯାଉଛି । ହାତକୁ ହାତ ଛନ୍ଦା ଛନ୍ଦି ହୋଇ ସେହି ସୁଅ ମୁହଁରେ ଶୋଇ ପଡ଼ୁଛନ୍ତି ! ଆସିଲା ଅଶିଣ ମାସ । ଜହ୍ନମାମୁଁ ଆକାଶରେ ହସି ଉଠିଲା । ବାଡ଼ି ବାଡ଼ି ହୋଇ ଜହ୍ନିଫୁଲ ଫୁଟି ଉଠିଲା । ଅପରାଜିତା ଫୁଲମାଳରେ ବାଡ଼ିପଟେ ଗଛଲତା ନେଳିଆ ହୋଇଗଲା । ଦୁହେଁ ସାଙ୍ଗ ହୋଇ ଚନ୍ଦ୍ର କିରଣରେ ଶୋଇଲେ, ଫୁଲ ତୋଳି ଗାଲକୁ ଫିଙ୍ଗି ଖେଳିଲେ । ତାପରେ ଆସିଲା ଶୀତଦିନ । ଦୁଇଟି ସାଥୀ ଏକାଠି ଜକାଜକି ହୋଇ ଚୂଲି ମୁଣ୍ଡେ ବସି ପଡ଼ିଲେ । କଥାବାର୍ତ୍ତା ହେଲେ ବୁଢ଼ୀ ଅସୁରୁଣୀ କଥା । ଗୋଟିଏ ଫୁଲ ପାଖେ ଆଉ ଗୋଟିଏ ଫୁଲ-କଥା ହେଉ ହେଉ ଦିହେଁ ଶୋଇପଡ଼ିଲେ । ବସନ୍ତ ସମୟ ଆସିଲା । ଫୁଲ ବଗିଚା ପାଖକୁ କେଉଁ ରାଜ୍ୟରୁ କେତେ ପ୍ରଜାପତି ଉଡ଼ି ଆସିଲେ । ମଧୁପୁର ଗାଆଁରେ ଏହି ଦୁଇଟି ପ୍ରଜାପତି ସେମାନଙ୍କ ପଛେ ପଛେ ଧାଇଁ ଧାଇଁ ଖେଳି ବୁଲିଲେ । ତା ପରେ ଆସିଲା ଖରାଦିନ । ଉଦୁଉଦିଆ ଖରାବେଳେ ଦିହେଁ ଗମ୍ଭୀରୀ ଘରେ ବସି ଗୀତ ଗାଇଲେ । ଆକାଶରେ ଚନ୍ଦ୍ର ଉଇଁଲେ ଅଗଣାରେ ହସିଲେ, ଖେଳିଲେ, ନାଚିଲେ, ତହିଁର ସୀମା ରହିଲା ନାହିଁ । କେତେବେଳେ ଦୁହେଁ ଲୁଚି କରି ଗଲେ ବରକୋଳି ତୋଳି । କୋଳି ଡାଳରୁ ଗଉରୀର ହାତ ପାଇଲା ନାହିଁ । ବ୍ରଜ ବଡ଼ କଷ୍ଟରେ ଆଙ୍କୁଡ଼ ତିଆରି କରି ଡାଳଟାଏ ଭିଡ଼ିଆଣି ତା ହାତକୁ ବଢ଼ାଇ ଦେଲା । ଆହା, ଗଉରୀର ଆନନ୍ଦ ସେତେବେଳେ ଦେଖେ କିଏ ? ମାତ୍ର କଅଁଳ ହାତ ତାର ! ସେହି କଣ୍ଟାର ଦାଉ ହାତ ସମ୍ଭାଳି ପାରିଲା ନାହିଁ । ଡାଳଟାକୁ କିଚି ସମୟ ଧରି ସେ ଛାଡ଼ିଦେଲା । କଣ୍ଟା ବାଜି ତା ଗାଲରୁ ଫାଳେ ରାମ୍ପୁଡ଼ି ହୋଇଗଲା । ବ୍ରଜର ଏଡ଼େ ବଡ଼ ପରିଶ୍ରମର ବହୁମୂଲ୍ୟ ଜିନିଷଟା ଗଉରୀ ଛାଡ଼ିଦେଲା । ସଙ୍ଗେ ସଙ୍ଗେ ବ୍ରଜର ଚାପୁଡ଼ାଟା ଗଉରୀର ପିଠିରେ ଯାଇ ବାଜିଲା । ‘‘ମରିଗଳି ଲୋ ବୋଉ’’ ବୋଲି କହି ସେହିଠାରେ ବସି ପଡ଼ିଲା । ପର ମୁହୂର୍ତ୍ତରେ ବ୍ରଜ ତାକୁ କୁଣ୍ଢେଇ ଧରି ଦେଖିଲା, ତା ଗାଲରୁ ଝର ଝର ହୋଇ ରକ୍ତ ବୋହି ଯାଉଛି। ବ୍ରଜକୁ ବୁଦ୍ଧି ଦିଶିଲା ନାହିଁ । ‘ମୋ ରାଣ, ବୋଉକୁ କହିବୁ ନାହିଁ କହ’ ସେ ତରତରରେ ପୁଞ୍ଜାଏ ବରକୋଳି ପତ୍ର ଚୋବେଇ ଖଣ୍ଡିଆ ଗାଲରେ ଲେସିଦେଲା ପରି ଦେଉଛି......ଏହିପରି ସମୟରେ ନିକଟରେ ପାଟି ଶୁଭିଲା–

‘‘ବ୍ରଜ !’’

ବ୍ରଜ କାଗଜରୁ ମୁହଁ କାଢ଼ି ଚାହିଁଲା, ସେ ବରକୋଳି ଗଛ ନାହିଁ କି ଗଉରୀ ମଧ୍ୟ ପାଖ ଆଖରେ ନାହିଁ । ବୋଉ ତାର ପାଣି ଢାଳଟିଏ ପିଣ୍ଡା ପାଖେ ଥୋଇ ଦେଇ, ବିଞ୍ଚଣା ଖଣ୍ଡେ ହାତରେ ଧରି ଘର ଭିତରକୁ ପଶି ଆସି କହୁଛି–

‘‘ତୋ ଘେନି ମୁଁ କଣ କରିବି କହିଲୁ, ବ୍ରଜ ! ବେଳ ଆସି ଗଡ଼ିଲା । ଲୋକ ଦୋଅଡ଼ ପାଇଟିକି ଗଲେଣି । ଏ ଗାଆଁରେ ଇକିତି କିଏ ଅଛି ରେ, ଏତେ ବେଳଯାଏ ପେଟରେ ଭାତ ପଡ଼ି ନାଇଁ ! ମୋର କପାଳରେ ଏ ଦୁଃଖ ସବୁ ଲେଖା !’’

ସବୁ ଦିନ ପରି ବୋଉକୁ ଆଗ ଆସିବା ଖବରଟା ଦେଇ ପାଣି ଢାଳେ, ବିଞ୍ଚଣା ଖଣ୍ଡେ ମାଗୁବାକୁ ବ୍ରଜର ଆଦୌ ମନେ ନାହିଁ । ଆସିଛି ତ ପଡ଼ି ଯାଇଛି ଖଟରେ । ଘର ବାହାର କତା ତାର ଆଉ କିଛି ଧାରଣା ନାହିଁ । ଏପରି ଅବସ୍ଥାରେ ବୋଉକୁ ଆଗରେ ଦେଖି ଅତି ପିଲାଙ୍କ ପରି ସେ କିଚି କହି ପାରିଲା ନାହିଁ । କିଛି ସମୟ ପରେ ଟିକିଏ ମୁର୍‌କେଇ ହସି ଦେଇ, ବୋଉ ହାତରୁ ବିଞ୍ଚଣା ଖଣ୍ଡକ ଟାଣି ନେଇ ଆପେ ବିଞ୍ଚି ହୋଇ ପଡ଼ି କହିଲା–

‘‘ହଉ, ଭାତ ବାଢ଼େ ! କେତେବେଳୁ ଆସିଲିଣି ଯେ.......ବସି ବସି ଭାବୁ ଭାବୁ.......ନା, ଏ ଖବରକାଗଜଟା ପଢ଼ୁଥିଲି ।’’

ସେତେବେଳକୁ ଦିନ ପ୍ରାୟ ତିନିଟା । ମଫସଲ ଗାଁରେ ଦୋଅଡ଼ ପାଇଟି ବେଳ ହୋଇ ସାରିଥିଲା । ପଡ଼ିଶା ରାଧାନାଥଙ୍କ ଘରେ ଗଉରୀ କାହାକୁ ପାଟି ଶୁଣାଇ କହୁଥିଲା-‘‘ନା, ନା, ତୁ ବସ, ମୁଁ ପାଣି ଆଣିପାରିବି ଯେ !’’

•••

 

-ବାର-

 

ରାଧାନାଥଙ୍କ କ୍ଷୁଦ୍ର ପରିବାରଟିରେ ଆଉ ଜଣେ ଲୋକ ବଢ଼ିବା ସଙ୍ଗେ ସଙ୍ଗେ ଗଉରୀର ଦେହର ପରିଶ୍ରମ, ମନର ଭାବନା ଆହୁରି ବଢ଼ିଗଲା । ଯେଉଁଦିନ ତାଙ୍କ ଦାଣ୍ଡ ଦୁଆରେ ସବାରି ଭିତରେ ଗୋଟିଏ ବୋହୂ ଆସି ଥୁଆ ହେଲା, ସେ ଦିନଟା ତା ଜୀବନରେ ଏକ ସ୍କରଣୀୟ ଦିବସ । ଚାରି ବର୍ଷର ତଳର ତା ନିଜ ବେଶର ଛାୟା ସତେ ଅବା ସେ ଦେଖିପାରିଲା । କିଶୋରୀ ଗଉରୀ ସତେ ଅବା ସେହିପରି ଅଳଙ୍କାରପତ୍ର ପିନ୍ଧି, ସେହିପରି ପାଟପତନି ବେଢ଼େଇ ହୋଇ ବିଧାତାଙ୍କର କେଉଁ ବିଚିତ୍ର ମଶାଣି ଭିତରୁ ଉଠି ଆସିଛି ! ସତେ ଅବା ତାହାରି ହୃଦୟ-ମନ୍ଦିରରେ ତାହାରି ପରି ଆଉ ଗୋଟିଏ ଲଜ୍ଜାଶୀଳା ଖେଳ ସଙ୍ଗିନୀ ଯୁବତୀ ନୃତ୍ୟ ଆରମ୍ଭ କରିଦେଲା । ଏ ସବୁ କଥା ଦେଖି, ଭାବି ସେ କାନ୍ଦିବ କି ହସିବ, କିଛି ଠିକ୍ କରି ପାରିଲା ନାହିଁ । ଦୁଆର ମୁହଁରେ ବାଜୁଥିବା ଶଙ୍ଖଧ୍ୱନିକୁ ସେ ନିଜ ଜୀବନ-ବିଳାପର ପ୍ରତିଧ୍ୱନି ବା ନନାଙ୍କ ଶୁଭ ବିବାହର ମଙ୍ଗଳ ଶଙ୍ଖଧ୍ୱନି କି ଆଉ କ’ଣ କିଛି ବୁଝିପାରିଲା ନାହିଁ । ଚାରିବର୍ଷ ତଳକୁ ତା ମନ ଫେରିଗଲା । ସେ ଖାଲି ବାଦ୍ୟରୋଳ ଶୁଣିଲା, ମଙ୍ଗଳ ମହୁରୀ ଶୁଣିଲା । ଶୁଣି ଶୁଣି ତା କାନ ତାବଦା ହୋଇଗଲା, ଦେହ ଜଡ଼ ପରି ଲାଗିଲା । ନିଜର ପିନ୍ଧିବା ଲୁଗା ତାକୁ ପଥର ପରି ଭାରୀ ବୋଧ ହେଲା ।

ପର ମୁହୂର୍ତ୍ତରେ ତାର ହଠାତ୍‌ମନେ ପଡ଼ିଲା । ଭାବିଲା, ତାର ଯେ ନୂଆ ବୋଉ ଆସୁଛି-। ନନା ତାର କେଉଁ ଦୂର ମୂଳକ ବୁଲି ବୁଲି ତାରି ବୋଉର ଥାନ ପୂରଣ ପାଇଁ ଗୋଟିଏ ବୋଉ ବାଛି ଆଣିଛନ୍ତି । ବୋଉ ଅଭାବରେ ସେ ଏତେ ଦିନ ଛଟପଟ ହେଉଥିଲା । ବର୍ଷ ବର୍ଷ କାଳ ପେଟ କଥା କାହା ଆଗେ ମନ ଫିଟେଇ କହିପାରୁ ନଥିଲା । ଲୁହ ପୋଛିବାକୁ କାହାର ପଣତ କାନି ପାଉ ନ ଥିଲା । ଆଜି ତାର ବୋଉ ଆସିଛି, ଆଜି ତା ଜୀବନର ନୂଆ କଥା ଗୋଟେ ଘଟିଛି.....ତାର ଆଉ ଦୁଃଖଜ କରିବାର କ’ଣ ଅଛି ?

ଯୌବନର ପ୍ରଥମ ପାଦରେ ପାଦ ଦେଇ ରମା ସବାରି ଭିତରୁ ବାହାରି ପଡ଼ିଲା । ତାର କାଚଶଙ୍ଖା-ମଣ୍ଡିତ ହାତଟିକୁ ଗଉରୀର ନିରାଭରଣ ହାତ ସ୍ପର୍ଶ କଲା–ସେତେବେଳେ ଗଉରୀ ଦେହର ରୋମ ଟାଙ୍କୁରି ଉଠିଲା, ଆଉ ରମାକୁ ମଧ୍ୟ ଟିକିଏ ନୂଆ ଜଣା ପଡ଼ିଲା । ସେହି ମୁହୂର୍ତ୍ତରୁ ଗଉରୀ ଝିଅ, ରମା ବୋଉ । ରାଧାନାଥଙ୍କ ନିଃସଙ୍ଗ ଜୀବନ ପାଖେ ପାଖେ, ସେହି ନିରାଟ ନିରାନନ୍ଦ ପଲ୍ଲୀ କୁଟୀରଟିକୁ ମୁଖରିତ କରି ପୁଣି ଏକ ଲୀଳା ଆରମ୍ଭ ହେଲା

ରାଧାନାଥ, ଗଉରୀ ରମା, ଏହି ତିନି ଜଣଙ୍କୁ ଧରି ଏହି ଯେ ଲୀଳା ଚାଲିଲା, ପଲ୍ଲୀ ଜୀବନରେ ଏହା କିଛି ନୂଆ ନୁହେଁ । ଅଗଣିତ ରାଧାନାଥ, ଅସଂଖ୍ୟ ଗଉରୀ, ରମା ଘର ଘର, ଗାଁ ଗାଁ ଦେଶକୁ ଛାଇ ରହିଛନ୍ତି । ଜଣକ ଜୀବନର ପ୍ରଳାପକୁ ଆଉ ଜଣେ ପ୍ରେମର ଆଳାପ ମନେ କଲେ, ଅନ୍ୟ ଜଣକ ଦୁଃଖର ବିଳାପ ବୋଲି ମନେ କରୁଛି। ଜଣକର ଓଠତଳର ହସ ପଛେ ପଛେ ନିଷ୍ଠୁର ସମାଜର ନିର୍ମ୍ମମ ଅଭିଶାପ ମଶାଣି ନିଆଁ ପରି ହୁ ହୁ ଜଳି ଉଠୁଛି । ଜଣେ ମଧୁର ଚୁମ୍ବନ ପାଇଁ ଅଧର ପ୍ରାନ୍ତ ଥରାଇ ଚାହିଁଲା ବେଳକୁ ଆଉ ଜଣକର ନୀରସ, ଶୁଷ୍କ, ନିଃଶେଷ ଜୀବନର ପ୍ରେତ ଛାୟା ଆଗରେ ଉଭା ! ଜୀବନର ସୀମାହୀନ ଗତିପଥରେ ଯୈାବନର ଆରକ୍ତ ଆଭା ଖେଳାଇ ଦେଇ ଜଣେ ଧାଇଁ ଚାଲିଲା ବେଳେ ଆଗରେ ସମାଜର ପଥକ୍ଲାନ୍ତ ଆଇନ ଅଚଳ ହିମାଚଳ ରୂପେ ଠିଆ । ରାଧାନାଥ, ଗଉରୀ, ରମା ଏହି ପରି ଭାବରେ ଗୃହ ପରିବାର ଗଢ଼ିବାରେ ଲାଗିଲେ । ଗଉରୀ ପକ୍ଷରେ ଏ ଏକ ନୂଆ ଅନୁଭୂତି ହେଲା ।

ନୂଆ ବୋଉ ଆସିଲା ଦିନୁ ଗଉରୀ ବୋଉକୁ ଦିନେ ହେଲେ ଘର କାମ କରାଇ ଦେବାକୁ ରାଜି ହେଲା ନାହିଁ । ସବୁ କଥା ସେ ଆପେ ଆପେ କରି ନେଲା । ପ୍ରତିଦିନ ସକାଳୁ ଉଠି ବାସିଆଡ଼ତି କଲା, ପାଣି ଆଣିଲା, ରନ୍ଧା ରନ୍ଧି କରିନନା ବୋଉଙ୍କୁ ଖାଇବାକୁ ଦେଲା । ଧାନ କୁଟି ଆଣି ଚାଉଳ ପତ୍ର ସାଇତି ରଖିଲା....ସବୁ କାମ ସେ ଆପେ ଆପେ କରି ନେଲା ।

ଏ ତ ଗଲା ଘରର କାମ । ଏହା ଛଡ଼ା ତାର ନିଜର କଥା । ଯେତେବେଳେ ନିଶା ଗର୍ଜି ଉଠେ, ସଂସାରରେ ମନୁଷ୍ୟର ସ୍ୱର ଶବ୍ଦ ଶୁଭେ ନାହିଁ, ଯେତେବେଳେ ସେ ନିଜଞ୍ଜାଳୀ ହୋଇ ବସି ତା ବୋଉ କଥା, ତାର ମୁକୁଳା ଦେହ କଥା, ଯାହାଙ୍କୁ ସେ ଦିନେ କେବେ ପତି ରୂପେ ପାଇଥିଲା ବୋଲି ଶୁଣେ, ତାଙ୍କରି କଥା ମନେ ମନେ ବିଚାରି କେତେବେଳେ ଆଖି ମୁଦେ, କେତେବେଳେ ଆଖି ଫିଟାଏ, କେତେବେଳେ ବା କହିଉଠେ–‘‘ପ୍ରଭୁ ହେ !’’

ଖାଲି ଏତିକିରେ ତା ମନ ଭିତରର କାମ ସରୁଥିଲେ ସେ ଅନେକ ପରିମାଣରେ ନିଶ୍ଚିନ୍ତ ହୋଇ ରହି ପାରୁଥାନ୍ତା । ବୋଝ ଉପରେ ନଳିତାବିଡ଼ା ପରି ବ୍ରଜ ଘରକୁ ଅଇଲା ଦିନୁ ତା ମନରେ ଆଉ ଏକ ବାତଚକ୍ର ବହିଛି । ସେ ଚକ୍ରର ଗତିର ବିରାମ ନାହିଁ । ତାର ବ୍ରଜଭାଇ ଯେ ସାଥୀ ହୋଇ ପିଲାଦିନେ ତା ସଙ୍ଗେ ଖେଳୁଥିଲା, ପାଖରେ ଶୁଆଉଥିଲା, ସାଙ୍ଗରେ ଖୁଆଉଥିଲା, ସେ ଆଜି ପୁଣି-! ଆଉ ସେ ବେଶୀ ସମୟ ଭାବିପାରେ ନାହିଁ । ବ୍ରଜ ଦିନେ ତାର ଭାଇ ଭାବରେ ଥିଲା । ପୁଣି ଆସିଲା ଦିନା, ସେ ତାକୁ ଅନ୍ୟ ରୂପରେ ଦେଖା ଦେଲା ! ତାକୁ ଦେଖା ଦେବାକୁ ସେ ଲାଜ କଲା, ତାକୁ କଥା କହିବାକୁ ମୁହଁ ପୋତିଲା । ତା କଥା ଭାବି ଭାବି ଅକୁଳଆନନ୍ଦ-ସମୁଦ୍ରରେ ଭାସିଲାଜ !! ସେ ମନକୁ ମନଜ ଲାଜ ସରମରେ ସଢ଼ି ଯାଇ ବେଳେ ବେଳେ ଭାବେ–‘‘ବୋଉ କାହିଁକି ବା ସେ ସବୁ କଥା ତୁଛାଟାରେ ମୋ କାନରେ ଶୁଣାଉଥିଲା ? କାହିଁକି ବା କହୁଥିଲା,‘ଝିଅ ମୋର ପଡ଼ିଶା ଘରେ ବୋହୂଟିଏ ହୋଇ ରହିବ’ ବୋଲି?’’ ଓହୋ, ତାକୁ ସବୁ ଅନ୍ଧାର ଦିଶେ । ଯାହା କଥା ଭାବି ଦିନେ ତାକୁ ସବୁ ଆଲୁଅ ଦିଶୁଥିଲା, ଏବେ ସେ ହେଲା କ’ଣ ? ସେହି ବ୍ରତ ଅଛି, ସେହି ରମା ଅଛି, ମାତ୍ର ଦୁହିଁଙ୍କ ଭିତରେ କେତେ ଛାଡ଼ବାଡ଼ ହୋଇଗଲା ସତେ !

ଗଉରୀ ପୁଣି ସେହି ମନ ଭିତରର ଅନ୍ଧାର ରାଜ୍ୟରେ ପଡ଼ି ବିଚାରେ, ‘‘ବ୍ରଜ କି ପଡ଼ିଶା ଘରେ ନ ରହିଲେ ଚଳନ୍ତା ନାହିଁ ? ସଂସାର ରେ କ’ଣ ଆଉ କେଉଁଠି ହାଡ଼ସାଇ, ପଣସାଇ ନାହିଁ ? ରାତିରେ ଇସ୍କୁଲ କରିବା ପାଇଁ କ’ଣ ଆଉ ଗାଆଁ ନାହିଁ ? ସେ କି ଦିନରେ ଘରୁ ନ ବାହାରି, କାହାକୁ ଦେଧା ନ ଦେଇ–ଏ ହତ ଭାଗିନୀ ଗଉରୀ ଆଗରେ ନ ହୋଇ ରାତିରେ ଅନ୍ଧାର ଭିତରେ କୁଆଡ଼େ ଗଲେ ହୁଅନ୍ତା ନାହିଁ ? ସେ ବେଳେ ବେଳେ କାହିଁକି ହସେ? ଦୁଃଖରେ ବେଳେବେଳେ କାହିଁକି ବା କଥା କହେ ? ସବୁ କ’ଣ ମୋରି ପାଇଁ ? ହସି ହସି ବୁକୁରେ ମୋର କୀଳା ମାରିବା ପାଇଁ ? କାନ୍ଦି କାନ୍ଦି ମୋ ଆଖିରୁ ଲୁହ ଗଡ଼ାଇବା ପାଇଁ ?’’

ଏହିପରି କେତେ କ’ଣ ଭାବେ । ଭାବି ଭାବି ଭାବନା ତାର ଏଣୁ ତେଣୁ ଅଡ଼ୁଆ ହୋଇଯାଏ । ତା ପରେ ସେ ଆଉ ଭାବି ନ ପାରି ତଳେ ମୁହଁ ମାଡ଼ି ପଡ଼ିଯାଏ । ଉଠିଲା ବେଳକୁ ଭୁଇଁଟାଯାକ ଲୁହରେ ଓଦା ।

Unknown

ସକାଳୁ ତାର ନିଦ ଭାଜେ, ଦେଖେ ତାର ଅଡ଼ୁଆ ହୃଦୟଟା କେତେକ ପରିମାଣରେ ସଜାଡ଼ି ହୋଇ ଯାଇଛି। ପୁଣି ସୁର୍ଯ୍ୟ ଉଏଁ, ଖରା ପଡ଼େ, ଫୁଲ ଫୁଟେ, କୁଆ ରାବେ, ସନ୍ଧ୍ୟା ହୁଏ, ଅନ୍ଧାର ମାଡ଼ି ଆସେ ପୁଣି ରାତିରେ ତାକୁ ଏକୁଟିଆ ହୋଇ ବସିବାକୁ ପଡ଼େ । ପୁଣି ସେହି ଦଶା.....ସେହି କଥା.....ଦିନ ଦିନ, ରାତି ରାତି, ମାସ ମାସ ଗଉରୀର ଭାବନାର ସୀମା ରହେ ନାହିଁ-

ସେ ଦିନ ଖରାବେଳେ ଗଉରୀ ପାଣି ଧରି ଫେରିଲା ବେଳେ ବାଟରେ ବ୍ରଜ ଦେଖିଲା । ସେତେବଳେ ସେ କିଛି ମନ ଫିଟେଇ କହି ନ ପାରି ଚାଲି ଆସିଲା । ଦେଖା ହେଲେ, କହି ପାରିଲେ, ସଂସାର ଯାକର କତା ତାକୁ କହିଦେବ ବୋଲି କେତେ ସେ ଆଗରୁ ଭାବି ନେଇଥିଲା-କିଛି ସେ ପାରିଲା ନାହିଁ । ଭାବିଲା-‘‘ଛିଃ, ବ୍ରତ ଭାଇ ସେତେବେଳେ ସେମିତି କାହିଁକି ଦେଖା ଦେଲା-? ପଚାରିଲା କ’ଣ ନା, ତୋ ବ୍ରଜ ଭାଇକି ପାଶୋରି ଦେଲୁଣି କି ? କେଡ଼େ ବଡ଼ କଥା ସତେ ପଚାରିଲା !’’ ମନର ସବୁ କଥା ଭିତରେ ଏ କଥାଟା ସେ ବେଶୀ ଭାବରେ ଘେନେ । ବୁକୁଟାକୁ ଚିପି ଧରି ସେ କାନ୍ଦେ-ସେ କାନ୍ଦ ସେ ଆଉ କାହାକୁ ଶୁଣାଏ ନାହିଁ । ମନେ ମନେ କହେ–ବ୍ରଜଭାଇ,ବ୍ରଜଭାଇ, ମୁଁ ତମୁକୁ କେଭେଁ ପାଶୋରି ପାରେ ? ତମ ନାଁରେ କେତେ ଲୋକ କେତେ କଥା କହୁଛନ୍ତି-ଗାଳି ଦେଉଛନ୍ତି, ପଛରେ ହସୁଛନ୍ତି । ଭାବି ଭାବି ପୁଣି ସେ କାନ୍ଦି ପକାଏ । ବେଳେ ବେଳେ ସେ ଦେଖେ, ଆଖିରୁ ଦି’ ଧାର ଲୁହ ବୋହି ଆସିଲା ବେଳକୁ ନୂଆ ବୋଉ ରମା କେତେବେଳୁ ପଛଆଡ଼ୁ ଆସି ପଣତ କାନିରେ ତା ମୁହଁକୁ ଚିପିଧରି ପକାଏ । ସେହି ଲୁହବୁହା ମୁହଁରେ ଗଉଁରୀ ଟିକିଏ ହସି ଦେଇ କହେ–‘‘ବୋଉ, ଆଜି ଆଖି ଦୁଇଟା କାହିଁକି ପୋଡ଼ୁଛି ଲୋ.....-!’’

ଏହିପରି ଭାବରେ ଅନେକ ଦିନ ଗଉରୀର ଆଖି ପୋଡ଼େ, ରମା ତାର ଲୁହ ପୋଛି ପକାଇବାକୁ ଚେଷ୍ଟା କରେ। ଦିନକୁ ଦିନ ଗଉରୀର ଲୁହବୁହା ବଢ଼ିଲା ସିନା, ଶୁଖିଲା ନାହିଁ । ରମାକୁ ତାହା ଯେତିକି ଆଶ୍ଚର୍ଯ୍ୟ ଲାଗିଲା, ସେତିକି ଦୁଃଖ ମଧ୍ୟ ଲାଗିଲା ।

•••

 

-ତେର-

 

ମଧୁପୁର ଭଦ୍ରଲୋକଙ୍କ ଗାଁ ଓ ରୁଅପଡ଼ା ପାଣସାଇ । ମଧୁପୁରରରେ ସ୍ୱର୍ଗର ଦେବତା ବାସ କଲେ ରୁଅପଡ଼ାରେ ନରକର ଜୀବ ବାସ କରନ୍ତି। କେଉଁ ଆଦି ଯୁଗରେ ଏହି ଦୁଇଟା ଗାଁକୁ କିଏ ଏତେ ପାଖା ପାଖି ବସାଇଥିଲା, ତାର ଇତିହାସ ଘୋର ଅନ୍ଧକାରରେ । ସ୍ୱର୍ଗର ଦେବତା ଯେବେ ଆଗେ ଆସି ମଧୁପୁରରେ ରହିଥିବେ, ତାହା ହେଲେ ନରକର ଜୀବ ପରେ ଆସି ରୁଅପଡ଼ାରେ କୈାଣସିମତେ ସ୍ଥାନ ପାଇ ପାରି ନ ଥାନ୍ତେ କିମ୍ବା ନରକର ଜୀବ ଯେବେ ସେଠାରେ ଆଗ ବସବାସ କରିଥିବେ, ତେବେ ସେମାନଙ୍କ ଅନୀତି ଆଶଙ୍କାରେ ସ୍ୱର୍ଗର ଦେବତା ସେଠାରେ ରହିବାକୁ କୈାଣସି ପ୍ରକାରେ ଇଚ୍ଛା ବଳାଇ ନ ଥିବେ । ତେଣୁ ଯେତେ ଦୂର ଅନୁମାନ କରାଯାଏ, ଏହି ସ୍ୱର୍ଗବାସୀ ଓ ନରକବାସୀ ଦୁଇ ପ୍ରକାର ଜୀବ ଯେତେବେଳେ ପୃଥିବୀର ଏହି ଅଞ୍ଚଳରେ ପ୍ରଥମେ ପାଖାପାଖି ଦୁଇଟା ଗାଁରେ ରହିଲେ, ଦୁହିଁଙ୍କ ଭିତରେ ତୀବ୍ର ବିରୋଧ ଭାବ ନ ଥିଲା । ଏଥିର ପ୍ରମାଣ ଏବେ ମଧ୍ୟ ବେଳେବେଳେ ମିଳେ ।

 

କାଳର ପ୍ରଖର ଗତିରେ ସବୁ ଓଲଟ ପାଲଟ ହୋଇ ଯାହା ଘଟିଛି, ତାହାହିଁ ଏଠାରେ କୁହାଯାଉଛି–

 

ପ୍ରତିଦିନ ରାତି ପାଇଲେ ରୁଅପଡ଼ାର ଶହଶହ ହାତ ମଧୁପୁରର ବିଲମାଳରେ ଲାଗେ । ଯାଦୁକରର ଯାଦୁମନ୍ତ୍ର ପରି ସେହି ହାତ ଲାଗିବା ମାତ୍ରେ ମଧୁପୁରର ଚାରିପଟେ ଶ୍ୟାମ ଶସ୍ୟ ହସି ଉଠେ । ମଧୁପୁରରେ ଆର୍ଯ୍ୟ ଜାତିର ଆରାଧ୍ୟ ଦେବତା ମା’ ଲକ୍ଷ୍ମୀଠାକୁରାଣୀ ରୁଅପଡ଼ା ପାଣଙ୍କ କର ସ୍ପର୍ଶରେ ଘରେ ବାହାରେ ଜଗତକୁ ଆଶୀର୍ବାଦ ଦେଇଯାନ୍ତି । ପ୍ରତିଦିନ ରାତି ନ ପାହୁଣୁ ଶହ ଶହ ରୁଅପଡ଼ାବାସୀଙ୍କ ବୁକୁ ତଳର ତଟକା ରକ୍ତ ଦିନ ବାରଟା ଭିତରେ ଉଦୁଉଦିଆ ଖରାବେଳେ ପାଣି ପାଲଟି ଝାଳ ରୂପେ ବୋହିଯାଏ । ତାହାରି ଫଳରେ ମଧୁପୁର ଦାସୀଙ୍କ ସକଳ ଧନ ତୃଷ୍ଣା ମେଣ୍ଟେ । ପ୍ରତିଦିନ ପେଟକୁ ପିଠିରେ ଲଗାଇ , ରୁଅପଡ଼ାର କେତେ ଯୁବା, ବୁଢ଼ା, ପିଲା ମୁଣ୍ଡରୁ ଝାଳ, ଆଖିରୁ ଲୁହ ଢ଼ାଳନ୍ତି; ଏଣେ ମଧୁପୁରର ପଥର ଭୂଇଁକି ସରସ କରି ତାଡ଼ି ଦେଇ ଯାଆନ୍ତି । ସେମାନଙ୍କ ଅସରନ୍ତି ଦାନ ଫଳରେ ମଧୁପୁରର ଶୁନ୍ୟ ଭଣ୍ଡାର ବର୍ଷ ବର୍ଷ, ଯୁଗ ଯୁଗ ଧରି ପରିପୂର୍ଣ୍ଣ ହୋଇ ରହିଥାଏ ।

 

ଏହିସବୁ ଦାନର ପ୍ରତିବାଦ ସ୍ୱରୂପ ସ୍ୱର୍ଗର ଦେବତାଙ୍କ ଠାରୁ ନରକର ଜୀବ ପାଆନ୍ତିଦିନ ମଜୁରି । ପୁଣି ଯାହାଙ୍କ ଦ୍ୱାରା ଘରେ ଲକ୍ଷ୍ମୀ ବିଜେ କରନ୍ତି, ଯାହାଙ୍କ ଦ୍ୱାରା ଆପଣା ଦେହର ରକ୍ତ ପରିପୁଷ୍ଟ ହୋଇ ଉଠେ, ସେମାନେ ହୁଅନ୍ତି ଜଗତରେ ନର ଦେହରେ ଅସ୍ପୃଶ୍ୟ ! ମଧୁପୁର ଗାଁରଜ ଦାସେ, ପଟ୍ଟନାୟକେ, ମିଶ୍ରେ, ରଥେ, ଦଳବହେହେରେ ବରାବର ଏ ସବୁର ଆଲୋଚନାରେ ବ୍ୟସ୍ତ ଥାନ୍ତି !

 

ବ୍ରଜର ଜ୍ଞାନ ହେଲା ଦିନରୁ ସେ ଏହି ଭଳିଆ ଦୃଶ୍ୟ ବହୁତ ଦେଖି ଆସିଛି । ମାତ୍ର କେବେ କିପରି ଅବସ୍ଥାରେ ପଡ଼ି ଯେ ସମାଜର ଏହି ନୀତି ବିରୁଦ୍ଧରେ ତା ମନ ବିଦ୍ରୋହୀ ହୋଇ ଉଠିଲା, ସେ କଥା ପରିଷ୍କାର କହି ହେବ ନାହିଁ । ଏତିକି ମାତ୍ର କୁହାଯାଇ ପାରେ ଯେ, ତାଙ୍କ ଖମାରୀ ବାସୁ ନାହାକ ଏ ସମ୍ପର୍କରେ ତାର ପ୍ରଥମ ପଥ-ପ୍ରଦର୍ଶକ ।

 

ବାସୁ ନାହାକୁ ରୁଅପଡ଼ା ନରକର ଜୀବ-ଜାତିରେ ପାଣ । ବ୍ରଜର ଗୋସେଇଁବାପାଙ୍କୁ ସେ ନିଜ ଆଖିରେ ଦେଖିଥିବାର କହେ । ବୟସ ତାର ଅଶୀକୁ ପାଖାପାଖି । ଏତେ ବୟସରେ ମଧ୍ୟ ତାର ଦାନ୍ତ ପଡ଼ି ନାହିଁ କି ମୁଣ୍ଡ ବାଳ ଧଳା ହୋଇ ନାହିଁ । ଜୀବନର ଶେଷ ପାଦରେ ସେ ପହଞ୍ଚିଥିଲେ ମଧ୍ୟ କେହି ଅନୁମାନରେ ହେଲେ ତାକୁ ବୁଢ଼ା ବୋଲି କହିପାରିବେ ନାହିଁ ।

 

ମଧିୁପୁରର ଏକ ଦେବତାଙ୍କ ପୁଅ ଏହି ବ୍ରଜଟି ପିଲାଦିନେ ବେଳେ ବେଳେ ଏହି ନରକର ଜୀବ ବାସୁ ନାହକଟିକୁ ପଚାରେ–‘‘ହଇରେ ବାସୁଆ, କାଲି ସକାଳେ ତୋ ସାନ ପୁଅ ମଧୁଆ କାହିଁକି କାନ୍ଦି କାନ୍ଦି ଯାଉଥିଲା ରେ ?’’

 

ବାସୁଆ ମୁଣ୍ଡକୁ ଟୁଙ୍ଗୁରେଇ ଟୁଙ୍ଗୁରେଇ, ବଡ଼ ବଡ଼ ଆଖି ଡ଼ୋଳା ଦିଟାକୁ ଏପଟ ସେପଟ ଚହଲାଇ ଦେଇ କହେ-‘‘ଛାଡ଼ ସାଆନ୍ତେ, ସେଇ ଦୁଷ୍ଟ ଟୋକାଟାର କଥା । ସରବରାକାର ସାଆନ୍ତେ କାଲି ସକାଳେ ପୋଖରୀରୁ ଗୋଧୋଇ କରି ଆସୁଥିଲେ । ଏଟା ଟିକିଏ ଆଡ଼େଇ ହେଲାନି; ଛାଇଟା ଯାଇ ତାଙ୍କ ଉପରେ ପଡ଼ିଲା । ସର ବରାକାରେ ଦି’ଟା ଟେକା ଧରି ଛାଡ଼ିଦେଲେ.....’’ ତା ପରେ ସେ ସ୍ୱରକୁ ଟିକିଏ ନୁଆଇଁ, ଆଖି ଛଳ ଛଳ କରି କହେ–‘‘ଆଉ କିଛି କି ? ପିଲା ମୋର ପରାଣରେ ଆଉ ଜୀଇବ କି ? ପଟ୍ଟନାୟକେ କହୁଥିଲେ, ଆଉ ଦି’ଟା ମାରିଥିଲେ ପିଲାଟା ଭଲ କରି ବୁଝି ପାରିଥାନ୍ତା ! କ’ଣ ସାଆନ୍ତେ ପଚାରୁଚ..... ।’’

 

ଏ କଥା ଶୁଣି ବ୍ରଜ ତାଟକା ହୋଇ ତା ମୁହଁକୁ ମୁହୁର୍ତ୍ତେ କାଳ ବାଲୁ ବାଲୁ କରି ଚାହିଁ ରହେ । ପାଟିରୁ କଥା ବାହାରେ ନାହିଁ ।

 

ବାସୁଆ କେବେ କିମିତି ତାଙ୍କ ଘରୁ ହାତ ପାତି ଲୁଣ ପୁଞ୍ଜିଏ ମାଗିନେଲେ ବ୍ରଜ ପଚାରେ–‘‘ଖାଲି ଲୁଣ ପୁଞ୍ଜିଏ ନେଇ କ’ଣ କରିବୁ, ବାସୁଆ ?’’

 

ବାସୁଆ ହସି ଦେଇ, ନିଜକୁ ନିତାନ୍ତ ହେୟ ମନେ କରି ଉତ୍ତର ଦିଏ–‘‘ହଁ, ଆଉ ଜିନିଷ କ’ଣ ହବ ? ଆମର ତ ମାଣ୍ଡିଆ ଜାଉକୁ ଲୁଣ, ଆମେ ତୁଉଣ କୋଉଠୁ ପାଇବୁ ?’’

 

ବ୍ରଜ ଏ ଭଳିଆ କଥାକୁ ଆଦୈା ପାଶୋରି ପାରେନାହିଁ । ଖାଇ ବସିଲା ବେଳେ ସେ ବେଳେବେଳେ ଏହି କଥାଟି ମନେ ପକାଇ ଗଉରୀକି ପଚାରି ବସେ–‘‘ଗଉରି, ତୁ ଖାଲି ଲୁଣ ଲଗେଇ ମାଣ୍ଡିଆ ଜାଉ-ନାଇଁ ମା ନାଇଁ, ଭାତ ଖାଇ ପାରିବୁ ?’’

 

ଗଉରୀ ଯେତେବଳେ ହସି ହସି ନାଟ ଟେକି ଦେଇ ନାହିଁ କରିଦିଏ, ବ୍ରଜ ମୁହଁଟା ବାସିପଦ୍ମ ପରି ମଉଳି ପଡ଼େ। ଭାବେ, ବାସୁଆ ପରି ତେବେ କ’ଣ ସଂସାରରେ ଆଉ କିଏ ଚଳିପାରନ୍ତି ନାହିଁ ? ତା ଭାତ କଥା କି ଲୁଣ କଥା କେହି ବୁଝିପାରନ୍ତି ନାହିଁ ?

 

ବାସୁଆ ବ୍ରଜକୁ କେତେ କେତେ ବିଚିତ୍ର କଥା କହେ । ତା ଗାଆଁରେ କିମିତି ଆଖଡ଼ା ନାଟ ହୁଏ, କିମିତି ମାଲ ଯୁଦ୍ଧ ହୁଏ, ତା ଗାଆଁ ପିଲେ କିମିତି ପାହାଡ଼ ଉପରେଜ ଚଢ଼ି ହରିଣ ଶମ୍ବର ଶୀକାର କରନ୍ତି, ଭେଣ୍ଡାମାନେ କିମିତି ବାଘକୁ ଗୋଡ଼େଇ ଟାଙ୍ଗିଆରେ ହାଣି ମାରି ପକାନ୍ତି......ଏହିପରି ବହୁତ କଥା । ବ୍ରଜକୁ ଏ ସବୁ କଥା ବଡ଼ ଆଶ୍ଚର୍ଯ୍ୟ ଲାଗେ । ମାତ୍ର କୈାଣସି କଥାକୁ ସେ ମିଛ ବୋଲି ମନେ କରେ ନାହିଁ । ବାସୁଆ ମୁହଁରୁ ଏ ସବୁ କଥା ଶୁଣି ତାର ଧାରଣା ହୁଏ ଯେ, ସଂସାରରେ ଯେତେ ଲୋକ ଅଛନ୍ତି ସେ ସମସ୍ତଙ୍କ ଅପେକ୍ଷା ବସୁଆ ଗାଁ ଲୋକେ ବଳୁଆ, ବୁଦ୍ଧିଆ,ସାହାସିଆ । ତାର ଏହି ଦୃଢ଼ ବିଶ୍ୱାସକୁ ବାସୁଆର ଏହି କ୍ଷୁଦ୍ର କ୍ଷୁଦ୍ର ସାହାସିକ ଗଳ୍ପ ବଡ଼ ସାହାଯ୍ୟ କରେ । ଶୁଣିଲା ବେଳେ ସେ ଭାବେ, ବାସୁଆ ଗାଆଁଟାକୁ ଯାଇ ପାରିଲେ ସେ ଗୋଟେ ବଡ଼ କାମ କରିପାରିଛି ବୋଲି ମନେ କରିବ । ତାର ସାଙ୍ଗ ସାଥୀ ପିଲେ ଆଶ୍ଚର୍ଯ୍ୟ ହୋଇ ଏଥିଲାଗି ତାକୁ ବାହାବା କରିବେ । ଗଉରୀ ଆଗରେଜ କହି ବାହାଦୂରୀ ନେବା ପାଇଁ ସେ ଅନେକ ଛୋଟ ଛୋଟ କଥା ଶିଖି ଆସି ପାରିବ ।

 

ଏହିସବୁଜ ଗଳ୍ପ ଶୁଣିବା ଭିତରେ, ଶୁଣିବା ପରେ ବ୍ରଜ କେତେ ଥର ତା ନନାଙ୍କ ସହିତ ରୁଅପଡ଼ା ଗାଆଁକୁ ଯାଇଛି । ସେହି ଦାଣ୍ଡରେ ସେ ଠିଆ ହୋଇଛି-କାହା ପିଣ୍ଡାକୁ ସେ ଉଠି ନାହିଁ । ଥରେ ସେ ଜଣକ ପିଣ୍ଡାକୁ ଉଠିଯିବାକୁ ଇଚ୍ଛା କରିଥିଲା । ସେତେବେଳେ ଅଚାନକ ବର୍ଷା । ନନା ତାର ପାଖରେ ଥାଇ କହିଥିଲେ ଆରେ, ଓଲଟା, ଜାତି ଯିବ!’’ ଆଉ ଥରେ ପୁଣି ସେହି ରୁଅପଡ଼ାର ଦୁଇଟା ଚିହ୍ନା ବୁଢ଼ା ସେହିପରି ଘୋର ବର୍ଷା ସମୟରେ ଥୁରୁ ଥୁରୁ ହୋଇ ବାଟ ଚାଲି ନପାରି ଗାଁର ପଟ୍ଟନାୟକଙ୍କ ପିଣ୍ଡାକୁ ଉଠି ଆସିଥିଲେ । ସେ ଥର ତାଙ୍କ ପିଣ୍ଡାରେ ଗୋବରପାଣି ପଡ଼ିଥିଲା । ବ୍ରଜ ତାହା ଦେଖିଥିଲା ।

 

ବ୍ରଜ ଶୈଶବ ଜୀବନ ଭିତରେ ମଧୂପୁର ଓ ରୁଅପଡ଼ା ମଧ୍ୟରେ ଏହିପରି ଶତ ଶତ ଘଟଣା ଘଟିଯାଇଛି । ବର୍ଷ ବର୍ଷ ଧରି ବାସୁଆ ଠାରୁ କଥା କାହାଣୀ ଶୁଣି, ନନାଙ୍କ ସଙ୍ଗେ ରୁଅପଡ଼ା ଗାଆଁ ଭିତରକୁ ଯାଇ, ଗାଆଁରେ ଜାନିଯାତ ଉତ୍ସବରେ ନାନା କଥା ଦେଖି ବ୍ରଜର କୋମଳ ପ୍ରାଣରେ ଲାଞ୍ଛିତ ପତିତ ପ୍ରତି ଯେ କିପରି ପ୍ରଗାଢ଼ ପ୍ରୀତି ଜାଗି ଉଠିଲା, କେହି ଗ୍ରାମବାସୀ ଏଥିର ଆଭାସ କିଛି ପାଇଲେ ନାହିଁ । ଗାଆଁର ବ୍ରାହ୍ମଣ, କରଣ, ଚଷା, ଖଣ୍ଡାୟତଙ୍କ ହୃଦୟରେ ଛୁଆଁ ଅଛୁଆଁ ନେଇ ଧର୍ମ ଅଧର୍ମର ସୀମା-ବନ୍ଧ ଖୁବ୍‌ଦୃଢ଼ ଥିଲା ବେଳେ ବ୍ରଜର କୋମଳ ପ୍ରାଣ ଧର୍ମ୍ମ ଅଧର୍ମ୍ମ, ପାପ ପୁଣ୍ୟ, ଭଲ ମନ୍ଦ ଭିତରେ ବାଟ ଖୋଜି ବାଟ ପାଉ ନ ଥିଲା ।

 

ମଧୁପୁରରୁ ଦୂରକୁ ଯାଇ ବ୍ରଜ ବାହାର ସଂସାର ସହିତ ଯେତିକି ସମ୍ପର୍କ ବାନ୍ଧିଲା, ବାସୁଆ କଥା ସେତିକିତାର ମନେ ପଡ଼ିଲା । ସେ ସୁବିଧା ଖୋଜିଲା, କେତେବେଳେ ତାଠାରୁ ସୁଖ ଦୁଃଖର କାହାଣୀ ଶୁଣିବ । ଛୁଟିରେ ଗାଁକୁ ଫେରିଲେ ସେ ଆଗ ବାସୁଆ ସଙ୍ଗେ ନାନା କଥା ହୁଏ-ତା କଥା, ତା ପୁଅ କଥା, ତା ଗାଆଁରେ କିଏ କିପରି ସୁଖରେ ଦୁଃଖରେ ଅଛନ୍ତି ସେ କଥା, ସବୁ ଗୋଟି ଗୋଟି କରି ବୁଝି ନିଏ । ଯେଉଁ ସମୟରେ ସେ ଏସବୁ କଥା ଶୁଣିବାକୁ ସୁବିଧା ପାଏ ନାହିଁ, ସେ ମନେ କରେ ସତେ ଯେପରି ଗୋଟାଏ କିଛି ସତ୍ୟପଥକୁ ଖୋଜିବା ସେ ଥର ସେ ହେଳା କରିଛି !

•••

 

-ଚଉଦ-

 

ନିବିଡ଼ ଜଙ୍ଗଲବାସୀ ପକ୍ଷୀ ଜଗତର କେତେ କୁଆଡ଼େ ବୁଲି, ତରୁ ଡ଼ାଳରେ ବସି, କେତେ ଝରଣାରୁ ପାଣି ପିଇ ଶେଷରେ ଗଭୀର ଅନୁରାଗରେ ବସାକୁ ଫେରି ଆସିଲା ପରି ବ୍ରଜ ଦିନଯାକ ବୁଲି ବୁଲି ତାର ସେହି ଶାନ୍ତ ସ୍ନିଗ୍ଧ ପଲ୍ଲି କୁଟୀରଟି ଭିତରକୁ ପ୍ରତିଦିନ ଫେରି ଆସେ । ଗାଁର ସେ କେଉଁଠି ବୁଲେ, କେଉଁଠି ନ ବୁଲେ, କେହି କହି ପାରିବେ ନାହିଁ । ଗାଁରେ ସେ କାହା ସଙ୍ଗେ କି କଥା ହୁଏ, ସମସ୍ତେ ହିସାବ ରଖି ପାରିବେ ନାହିଁ । ବେଳେ ବେଳେ ସେ ହସେ, ହସି ହସି ପୁଣି ଗମ୍ଭୀର ହୋଇ ଉଠେ । ନିଜେ ସେ କାନ୍ଦେ, କେତେ ଲୋକଙ୍କୁ ମଧ୍ୟ କନ୍ଦାଏ । ସେ ଠିକ୍‌କରେ କି ଭୁଲ କରେ-ଏଥିପାଇଁ ସେ କାହାର ପରାମର୍ଶ ମାଗିବସେ ନାହିଁ । ନିଜେ ଯାହା ଠିକ୍‌ବୋଲି ବୁଝେ, ତାହାହିଁ କରେ । ତେଣୁ ଗାଁରେ ତାକୁ ଅନେକେ କହନ୍ତି-‘‘ଏ ଗୋଟେ ଗୋଠଛଡ଼ା ବୁଲା ପକ୍ଷୀ ।’’

 

ଗାଁର ପଶ୍ଚିମ ପାଖେ ତରୁତଳବାସିନୀ ଠାକୁରାଣୀ-ଉପରେ ଯୁଗ ଯୁଗ ବ୍ୟାପୀ ବିଶାଳ ତରୁ ଛତ୍ର ଟେକି ରହିଛି । ସେହି ଠାକୁରାଣୀଙ୍କି ବସାଇଲା କିଏ, ତାର ଇତିହାସ ସେହି ଗଛ ଛଡ଼ା ଆଉ କେହି ଜାଣନ୍ତି ନାହିଁ । ବ୍ରଜ ସେଇ ଇତିହାସ ଖୋଜି ବୁଲେ । ଦିନ ଦି’ ପହରେ ସେହି ତରୁ ଡ଼ାଳରେ କେଉଁଠି ପକ୍ଷୀଟିଏ ଗାଇଦେଲେ ଏହି ‘ଗୋଠଛଡ଼ା’ ପକ୍ଷୀଟି ସେହି ସ୍ୱରଲହରୀର କମ୍ପନ ନିଜ ହୃଦୟକୁ ଟାଣିମ ସେହି ପଥର ଠାକୁରାଣୀଙ୍କୁ ପଚାରେ-‘‘ତୁମରି ମହିମା କ’ଣ ଏ ପକ୍ଷୀ ଗାଉଛି-?’’

 

ଗୃହହୀନ ସେହି ପଥର ଦେବତା ସେଠି ଧୁଳି ମାଟିରେ ପଡ଼ି ଫଳଟାଏ, ଫୁଲଟାଏ ଯେତେବେଳେ ଯାହା ଭୋଗ ପାଇଁ ଗାଁର ବାଳିକା, ବୃଦ୍ଧାଙ୍କ ଠାରୁ କୁଙ୍କୁମ, ଚୁଆ, ଚନ୍ଦନ ଘେନି ମଧ୍ୟ କିଛି ହେଲେ ଉତ୍ତର ଦିଅନ୍ତି ନାହିଁ । ତାଙ୍କ ମନ ଅଭିମାନ ବୋଧହୁଏ ବ୍ରଜ ବୁଝେ । ସେତେବେଳେ ତା ପାଖେ ଯେ ଥାଏ ତାକୁ କହେ–

 

‘‘ଠିକ୍‌ହେଲା ନାହିଁ ? ଦେବତା ବୋଧହୁଏ ଘର ନାହିଁ ବୋଲି ମାନବ ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି । ତରୁତଳବାସୀ ଦେବତା ସିନା ତରୁତଳବାସୀ ମାନବ ପ୍ରାଣରେ ବ୍ୟଥା ବୁଝିବେ–ଭୀରୁ, ଗୃହଗାମୀ, ଆପଣାସ୍ୱାର୍ଥୀ କଥା ସେ ବୁଝିବେ କିଆଁ ?

 

ଗାଁର ଛୋଟ କବିରାଜ ଜଣେ-କାଖରେ ବଟୁଆ ଜାକି, ବାର ଗାଁ ବୁଲି ଯେତେବେଳେ ଘରକୁ ଫେରନ୍ତି, ବ୍ରଜ ବେଳେ ବେଳେ ତାଙ୍କରି ସାଥିରେ ଆଳାପ ଲଗାଇ ଦିଏ । ପଚାରେ–‘‘ସତ କହିଲ କବିରାଜେ, ଣେଗୀକୁ ଓଷୁଅ ଦେଲାବେଳେ ତୁମେ ରୋଗୀର କି କାମନା କର ?’’

 

ବ୍ରଜ ପରି ଖୋଲା ଲୋକ ପାଖରେ କବିରାଜେ ମନ ଖୋଲି କହିଦିଅନ୍ତି–‘‘ମଙ୍ଗଳ କାମନା କରେ ଯେ; ମାତ୍ର..... ।’’

 

ବ୍ରଜ କଥାର ଅର୍ଥକୁ ବୁଝିନେଇ କହେ,‘‘ବେଶ୍‌, ବେଶ୍‌, ବୁଝିଲି ! ଯେବେ ମଙ୍ଗଳ ଛଡ଼ା ଆଉ କିଛି କାମନା କରୁ ନ ଥାନ୍ତ, ତାହାହେଲେ କେଡ଼େ ଭଲ ହେଉ ନଥାନ୍ତା ! ଏହିପରି ହେଲେ ଆମ ଏ ମନୁଷ୍ୟ ପ୍ରାଣରେ ଦେବତା ଆସି ବାସ କରନ୍ତେ ! ଫୁଲ ଯେପରି ସୁବାସ ଦେବା ପାଇଁ ମୁଲ୍ୟ ଚାହେଁ ନାହିଁ, ମନୁଷ୍ୟ ସେହିପରି ପର ଉପକାର ପାଇଁ ପ୍ରତିଦାନ ଲୋଡ଼ିବା ଉଚିତ ନୁହେଁ ।’’

 

ଛୋଟ କବିରାଜଟି ବ୍ରଜ ପାଖରେ, ମନେ ମନେ ନତମସ୍ତକ ହୋଇପଡ଼ନ୍ତି ।

 

ଗାଁର ରଘୁଆ ମାଆର ମେଲାଡ଼ିହ ଖଣ୍ଡିକ ସମସ୍ତଙ୍କ ଆଖିରେ ପଡ଼ିବାର କଥା । ଛୋଟ ଛୋଟ ପାହାଡ଼ ପରି କେତେଟା ପଥରରେ ପାହାଚଟା ଗଢ଼ା ।-ସେ ପାହାଚର କ୍ଷୟ ନାହିଁ କି ବୃଦ୍ଧି ନାହିଁ । ମୁହଁ ମାଡ଼ି, ସ୍ଥାନଚ୍ୟୁତ ହୋଇ ବସୁମତୀକୁ ଯାକି ଧରି ପଡ଼ିଛି ତ ପଡ଼ିଛି । ବ୍ରଜ ସେହି ପଥର ଉପରେ ଯାଇ ବସିପଡ଼େ । ତାକୁ ଜଣା ପଡ଼େ,ଘରଟା ଭାଜିଗଲା ପରେ ସେହି ପଥରଗୁଡ଼ାକ ଦୁଃଖରେ ଝାଉଁଳି ପଡ଼ି ମୁହଁ ମାଡ଼ି ହାହାକାର କରୁଛନ୍ତି । ତାହା ଉପରେ ବସି କାହାକୁ ଭୟ ନ କରି ସେ କହିଉଠେ–

 

‘‘ପଥର କ’ଣ କହୁଚି, ଶୁଣୁଚ ! ପଥର କହୁଚି, ଏ ଗାଁ ଲୋକଗୁଡ଼ାକ ବଡ଼ ଭୀରୁ, ବଡ଼ ଦୁର୍ବଳ । ଆମକୁ ଆଣିଥିଲେ ଯେ ସେମାନଙ୍କ ବାହୁରେ ବଳ ଥିଲା, ମନରେ ସାହସ ଥିଲା; ମାତ୍ର ଏବେ.... ଏବେ... ।’’

 

ପାଖରେ ଥିବା ଲୋକେ ହସି ଉଠନ୍ତି । ବ୍ରଜ କହେ–‘‘ଏ ପଥରର ବାର୍ଷିକ ଉତ୍ସବ କରିବା ଉଚିତ ।’’

 

ଆହୁରି ହସ ରୋଳ ଉଠେ ।

 

ବ୍ରଜ ସେ ହସକୁ ଖାତିରି ନ କରି ଆହୁରି ଯୋରରେ ଶର ମାଇଲା ପରି ବାକ୍ୟବାଣ ପ୍ରୟୋଗ କରେ–

 

‘‘ଯେଉଁ ବର୍ଷ, ଯେଉଁ ମାସ, ଯେଉଁ ଦିନ, ଯେଉଁ ମୁହୂର୍ତ୍ତରେ ଏହି ଗାଁର ମନୁଷ୍ୟ ଏହି ପଥରକୁ ଟେକି ଆଣିଲା, ସେହିଦିନ କଥା ମନେ ପକାଇଲେ ଗାଁର ଏହି ବୀର୍ଯହୀନ, ଶ୍ରୀହୀନ ପ୍ରାଣରେ ବଳ ସଞ୍ଚାର ହେବ ନାହିଁ ?’’

 

କଥାଟା କାହା କାହା ପ୍ରାଣରେ ବାଜେ; ମାତ୍ର ରଘୁଆ ମା’ର ଦୁର୍ନାମ କଥା ବିଚାରି ଅନେକେ ଦ୍ରବ ପଛରେ ହସି ତାଳି ମାରନ୍ତି ।

 

ଗାଁର ପରମ ନୈଷ୍ଠିକ ବୃଦ୍ଧ କିଏ ପ୍ରତିଦିନ ଗୀତାପାଠ ଶେଷ ନ କଲେ ଜଳ ଗ୍ରହଣ କରନ୍ତି ନାହିଁ । ବ୍ରଜ ତାଙ୍କରି ପାଖରେ ବସି ଅନେକ ସମୟ ଗୀତା ଶୁଣେ । ନାନା ଆଲୋଚନା ଭିତରେ ପଚାରେ–

 

ଆଚ୍ଛା, ଆପଣଙ୍କର ମତ କ’ଣ ? ଏହି ଯେଉଁ ବାଟରେ ଘାଟରେ ଗଛମୂଳେ ପଥର ଦେହରେ ସିନ୍ଦୂର ବୋଳା ହୋଇ ଦିଅଁ ପୂଜା ପାଉଛନ୍ତି, ସେ ଦିଅଙ୍କୁ ଆପଣ କ’ଣ ବୋଲି ଜାଣନ୍ତି !’’

 

ବୃଦ୍ଧ ଗୀତାକୁ ମୁଦି ଦେଇ ହସି ହସି କହନ୍ତି-‘‘ସମସ୍ତେ କ’ଣ ଆଖିରେ କିଛି ଜିନିଷ ନ ଦେଖି ଭଗବାନଙ୍କୁ ପୂଜା କରି ପାରିବେ ? ଯାହାର ଜ୍ଞାନ ହୋଇ ନାଇଁ ସେ ତାହା କରେ । ଜ୍ଞାନ ହେଲେ ତ ଆହୁରି ଉପରକୁ ଉଠିବାକୁ ହେବ । ସେତେବେଳେ ସେ ଦିଅଁ ଦେବତାକୁ ପଚାରି ହେବ କି ?’’

 

ବ୍ରଜ ଛନ ଛନ ହୋଇ ପଚାରି ବସେ–‘‘ଠିକ୍‌କଥା, ଠିକ୍‌କଥା । ଆପଣଙ୍କର ଏ କଥା ଶୁଣି ମୋର ଆଉ ଗୋଟେ କଥା ପଚାରିବାକୁ ଇଚ୍ଛା ହୁଏ । ଆପଣ କହିଲା ଭଳି ଆମେ ସମସ୍ତେ ଜାତିଆ ଲୋକେ ଯେବେ କଥାଯା ଭଲ ବୁଝନ୍ତେ, ଅବୁଝା ଅଜ୍ଞାନ ଲୋକଙ୍କର ଉପକାର ହୁଅନ୍ତା ନାହିଁ ?’’

 

ବୃଦ୍ଧ ବ୍ରଜର ମନ କଥା ବୁଝିପାରି ହସି ହସି କହନ୍ତି-‘‘ବୁଝିଲି । ତୋ ଭଳି କ’ଣ ଗାଆଁଟାଯାକ ସମସ୍ତେ ହେବେ? ସେ ଭଳିଆ ଅଜ୍ଞାନ ଲୋକେ ଏ ଭିତରେ ମଧ୍ୟ ଅଛନ୍ତି । ନ ହେଲେ ଆମର ଏ ଦେଉଳ କ’ଣ ହୁଅନ୍ତା ? ଦେଉଳ ବାହାରେ ରହି ଆମେ ଅଜ୍ଞାନ ଲୋକଙ୍କୁ ବାଟ ଦେଖାନ୍ତେ ।’’

 

ବ୍ରଜ ଆନନ୍ଦରେ ମନେ ମନେ କେତେ କଥା ଭାବି ଚାଲି ଆସେ ।

 

ଗାଆଁର ସୁଦୂର ଅତୀତର ଶୈଶବ ଯୁଗରେ କିଏ କେଉଁ ରାଜାଙ୍କଠାରୁ କବିଚନ୍ଦ୍ର ଉପାଧି ପାଇଥିଲା, ସେହି ନାଁଟା କେବଳ ଗାଆଁ ଲୋକଙ୍କ ମୁହଁରେ ପବନ ସ୍ରୋତରେ ଭାସୁଛି । ଆଉ ଦସେ କଥା କିଏ ହେଲେ ଭଲ କରି ମନେ ପକାଉ ନାହିଁ । କବିଚନ୍ଦ୍ରଙ୍କର ମେଲା ଡ଼ିହ ଉପରେ ବ୍ରଜ ଠିଆ ହୋଇ ଦିନେ ଦିନେ କାନ୍ଦି ପକାଏ । କେତେ ଯୁଗ ତଳକୁ ତା ମନ ଫେରିଯାଏ । ସେତେବେଳେ ତାର ପ୍ରିୟ ପଲ୍ଲିଟି ଗୌରବରେ ଝଲସୁଥିଲା । ଶ୍ୟାମଳ ତରୁକୁଞ୍ଜ ଭିତରୁ, କେତେ ଶୁଭ ସଙ୍ଗୀତ ଉଠୁଥିଲା । ତା ଗାଆଁର ଖଣ୍ଡାୟତ ବୀର ଥିଲା, ତା ଗାଆଁର ବ୍ରାହ୍ମଣ ରାଜସଭାରେ ପଣ୍ଡିତ ଥିଲେ, ତା ଗାଆଁର କରଣ ସାଆନ୍ତ ରାଜା ମହାରାଜାଙ୍କ ମନ୍ତ୍ରୀ ଥିଲେ....ଗାଆଁ ତାର ନ ହୋଇଥିଲା କ’ଣ ? ଆଖିରୁ ଲୁହ ଢ଼ାଳି ଢ଼ାଳି ସେ କହେ–‘‘ଆହା, ଏଠାରେ କାନ୍ଦିଲେ କିଏ କବିତା ଲେଖିବାକୁ ନାଇଁ କି ହସିଲେ ମଧ୍ୟ କିଏ କବିତା ଲେଖିବାକୁ ନାଇଁ । କବିଚନ୍ଦ୍ର ଏପରି ଗାଆଁରେ କାହିଁକି ଜନ୍ମ ହୋଇଥିଲେ ?’’

 

ବ୍ରଜ ଗାଆଁର ପୁରାଣା ବରଗଛ ମୂଳେ ବସେ, ଗାଆଁର ସବୁଠାରୁ ହତଭାଗ୍ୟ ଭିକାରୀର ଘରକୁ ପଶିଯାଇ ତାକୁ ଚମକାଇଦିଏ । ଗାଆଁର କାଲ ଧୋବା ବୁଢ଼ାଗଉରା ସେଠି ପାଖକୁ ଲାଗି ଯାଇ ପଚାରେ–‘‘ହଇରେ ଗଉରା, ତୋ ପିଲାଦିନେ କ’ଣ ଏଠି ଲୋକେ ଇମିତି ଥିଲେ ?’’

 

ବ୍ରତ କଥା ନେଇ ଗାଆଁ ପଡ଼ିଲା ଉଠିଲା ।

•••

 

-ପନ୍ଦର-

 

କବିରାଜଙ୍କ ବୈଠକ ଘର ।

ଭୀଷଣ ଝଡ଼ ତୋଫାନ ପରେ ଚିଲିକା ବକ୍ଷ ଯେପରି ଧୀର ଗମ୍ଭୀର ବେଶ ଧାରଣ କରିଥାଏ, ଗ୍ରାମବାସୀଙ୍କ ନାନା ଆଲୋଚନା, ବିତଣ୍ଡା ଯୁକ୍ତି ପରେ ବୈଠକ ଘରର ବାୟୁମଣ୍ଡଳ ସେହିପରି ନିସ୍ତବ୍ଧ ହୋଇ ରହିଛି। ବେଳ ପ୍ରାୟ ପହରେ ହେବ, ବୈଠକୀ ଦଳର ମେମ୍ବରମାନେ କିଏ କେଉଁଆଡ଼େ ଯାଇଛନ୍ତି । କ୍ଷୁଦ୍ର ଘର ଖଣ୍ଡିକ ନୀରବରେ ପଡ଼ି ରହିଛି। ସେ ଭିତରେ କାଠ ଖଟ ଖଣ୍ଡେ, ତିନି ବର୍ଷ ତଳର ପୁରୁଣା ପଟିଟାଏ, ତାସ ଗଞ୍ଜପା ଦି’ ମୁଠା, ଚିଲମ ଦି’ ଚାରି ମୁର୍ତ୍ତି, ଭଙ୍ଗା ବାଲଟିଟାଏ, ପଲମ ପୁଞ୍ଜେ ପାଞ୍ଚଟା, -କେତେ ଯେ କ’ଣ ସ୍ଥାନ ଅସ୍ଥାନରେ ପଡ଼ିଛନ୍ତି, ତାର ଠିକଣା ନାହିଁ । ଏହିପରି ସମୟରେ ବୃଦ୍ଧ ରାଧାନାଥ ତରତରରେ ଘର ଭିତରକୁ ପଶି ଆସିଲେ । କବିରାଜେ ସେତେବେଳକୁ ପାନ ଦି’ ଖିଲ ଯାକି କ’ଣ ଔଷଧ ବଟିକା ବଳିବାରେ ବ୍ୟସ୍ତ । ରାଧାନାଥଙ୍କ ଗତିବିଧି ମୁଖଭଙ୍ଗୀରୁ ଜଣା ପଡ଼ୁଥିଲା, କୈାଣସି ଆକସ୍ମିକ ବିପଦରେ ପଡ଼ି ସେ ନିତାନ୍ତ ବିବ୍ରତ ହୋଇ ପଡ଼ିଛନ୍ତି । କବିରାଙ୍କ ଦର୍ଶନ ପାଇବା ମାତ୍ରେ ଗୋଟାଏ ଦୀର୍ଘନିଃଶ୍ୱାସ ଛାଡ଼ି ପିଣ୍ଡାରେ ଲାଦୁକିନା ବସି ପଡ଼ିଲେ। ସେ ଭାବଗତିରୁ କବିରାଜେ ଅନୁମାନ କରିନେଲେ ଯେ, କୈାଣସି ଗୁରୁତର କଥାରେ ତାଙ୍କ ପାଖକୁ ଡ଼ାକରା ଆସିଛି, ମାତ୍ର ରାଧାନାଥେ ଆରମ୍ଭ କଲେ–

‘‘ଖବର କ’ଣ ଶୁଣିଲଣି ?’’

‘‘ଖବର ? କି ଖବର ? କାହାର କ’ଣ ହୋଇଛି ?’’

‘‘ହଁ, ହୋଇଛି । ଆମ ଏ ମଧୁପୁର ଗାଁଟାଯାକର ଦେହ ଖରାପ ଅଛି । ଭଲ ଅଛି କେବଳ କେତେଟା ଟୋକାଙ୍କର । ତା ନ

‘‘ହଁ, ହୋଇଛି । ଆମ ମଧୁପୁର ଗାଁଟାଯାକର ଦେହ ଖରାପ ଅଛି । ଭଲ ଅଛି କେବଳ କେତୋଟା ଟୋକାଙ୍କର। ତା ନ ହେଲେ କି ସେ ଅଜାତିଆ ଟୋକା ବ୍ରଜ ବାପ ଶ୍ରାଦ୍ଧରେ ଗାଁଟାଯାକୁ ନିମନ୍ତ୍ରଣ କରିବାକୁ ସାହସ କରିଥାନ୍ତା ?’’

କବିରାଜେ ଆଶ୍ଚର୍ଯ୍ୟ ହେଲାପରି ପଚାରିଲେ–‘‘ଶ୍ରାଦ୍ଧ ! କାହା ଶ୍ରାଦ୍ଧ ? ଓହୋ, ମନେ ପଡ଼ିଲା । ପରମଗୁରୁଙ୍କମ ଶ୍ରାଦ୍ଧ । ସେ ଥିଲେ ଆଜି ଦେଖନ୍ତେ, ହୋମ ମଣ୍ଡପରେ କୁକୁରର ନାଟ । ସତ କହୁଚି ରାଧୁଭାଇ, ସେ ଲୋକଟା ଆଖି ବୁଜିଲା ଦିନୁ ଗାଁଟାକୁ ସତେ କି ଦଶା ଗୋଡ଼େଇ ଆସିଲା ! ଆଉ କ’ଣ ଏ ଗାଁ ଗାଁ ହୋଇ ରହିଚି ? କୁଳରେ କୁଳାଙ୍ଗାରଟାଏ ଜନ୍ମ ହୋଇ ସବୁ ତ ମାନ ମହତ ବୁଡ଼େଇ ଦେଲା । ଆଝି ଶ୍ରାଦ୍ଧରେ କ’ଣେ ସେ କିଛି କରୁଚି ?’’

ରାଧାନାଥ ମୁଣ୍ଡରୁ ଠେକାଟା ଫିଟାଉ ଫିଟାଉ କହିଲେ–କଲା ପରି କରୁଚି ? ଦୁଧ ଆସୁଚି ଦୁଇ ମହଣ । ମାଛ କୋଡ଼ିଏ ଟଙ୍କା ବରାଦ । ପିଠାପଣା ପାଇଁ ତ ଦଶ ଦଶଟା ଗୁଡ଼ିଆ ସକାଳ ପହରୁ ଆସି ଲାଗିପଡ଼ିଛନ୍ତି । ପନିପରିବା କଥା ଆଉ କହନି । ସେ ସବୁ ଶଗଡ଼ରେ ବୁହା ହୋଇ ଆସିଛି । ଏ ସବୁ କ’ଣ କମ୍‌କଥା ? ପାଞ୍ଚ ଶହ ଲୋକଙ୍କ ପାଇଁ ଏତକ ଯୋଗାଡ଼ । ଏ ଗାଁରୁ ସେପରି ଲୋକବଳ ନ ପାଇଥିଲେ କି ଟୋକାଟା ଏତେ ଦୂର ସାହସ କରିଥାନ୍ତା ?’’

କବିରାଜେ କ’ଣ ଭାବି ଭାବି ଗୁମ୍‌ରହିଲେ । ରାଧାନାଥ କବିରାଜଙ୍କ ମୁହଁରୁ କି ଉତ୍ତର ପାଇବା ଆଶାରେ ଟିକିଏ ଚାହିଁ ରହି ପୁଣି ଆରମ୍ଭ କଲେ–

‘‘ଖାଲି ଏତିକି ନୁହେଁ, ଏହା ସଙ୍ଗେ ଆଉ ଏକ ନାଟ ଅଛି ଆଜି ପୁଣି ସେ କାଙ୍ଗାଳ ଭୋଜନ ଦେବ । କାଙ୍ଗାଳ ଭୋଜନ ବୋଇଲେ କ’ଣ ଜାଣ ? ସେଇ ମ୍ଲେଚ୍ଛଗୁଡ଼ାକୁ ଆଣି ବସେଇବ ।’’

କବିରାଜେ ଅନ୍ତରରରେ ଛଟପଟ ହେଲାପରି ‘ରାମ’ ‘ରାମ’ କହି ଦେଇ ମୁହଁଟାକୁ ବିକୃତ କରିଦେଲେ । ରାଧାନାଥ କହିଲେ–

‘‘ଟୋକାଟା ତ କମ୍‌ଚାଲାକ ନୁହେଁ, କିଏ କ’ଣ କହିବ, ଏଇଥିପାଇଁ ଗାଁ କୋଠକୁ ପଚାଶ ଟଙ୍କା ଦେବ ବୋଲି ଠିକ୍‌କରିଛି । ଟଙ୍କା ବୋଧହୁଏ ଏଇକ୍ଷଣି ତୁମ ପାଖକୁ ଆସିବ । ଏ ସବୁ କଥା ଯେବେ ପ୍ରକୃତ ସତ ହୋଇଥାଏ, ତାହାହେଲେ ଆଉ ତ ରକ୍ଷା ନାହିଁ । ଗାଁ ଦୋଫାଙ୍କ କାହିଁକି, ଦଶ ଫାଙ୍କ ହୋଇଯିବ !’’

କବିରାଜେ କିଛି ସମୟ ନୀରବ ରହି ପଚାରିଲେ -‘‘ତେବେ କ’ଣ ସେ ଗାଁର ସମସ୍ତଙ୍କୁ ନିମନ୍ତ୍ରଣ କରିବ ?’’

‘‘ନିମନ୍ତ୍ରଣ ତ କରିବ ନାଇଁ, କରି ସାରିଲାଣି ବୋଲି କହ । ସେ କ’ଣ ତୁମକୁ ଲେଶ ପ୍ରମାଣେ ଖାତିରି କରିଛି ? ଯାହା କରିବାର ତା’ ମନରାଏ କରି ସାରି ଖାଲି ମନ ରଖିବାକୁ କହିବାକୁ ଆସିବ ନା...ମୋ କଥା ସତ କି ମିଛ ଏଇକ୍ଷଣି ଦେଖିବ ।’’

କବିରାଜେ ଗମ୍ଭୀର ଭାବରେ ବସି ଅର୍ଦ୍ଧପ୍ରକାଶ୍ୟ ଭାବରେ କହିଲେ-‘‘ହୁଁ ବୁଝୁଛି, ବୁଝୁଛି ପାପର ପ୍ରଭାବ ବଢ଼ିଲା ବେଳେ ଏପରି ଘଟିଥାଏ । ଟୋକାଟାତ..... ।’’

ଠିକ୍‌ଏହିପରି ସମୟରେ ବ୍ରଜ ହସି ହସି ଆସି ସେହିଠାରେ ପହଞ୍ଚିଗଲା । ତାକୁ ଦେଖିଲା ମାତ୍ରକେ କବିରାଜଙ୍କର ସକଳ ଗମ୍ଭୀରତା କୁଆଡ଼େ ଉଭେଇ ଗଲା । ହଜିଲା ରତ୍ନକୁ ଫେରି ପାଇଲା ପରି ସେ ବଡ଼ ଆଦରରେ କହିଲେ–

‘‘ଆସ ବାବୁ ! ଆସ, ଆସ, ଆସ, । ଶୁଣୁଛି, ଆଜି ନନାଙ୍କ ଶ୍ରାଦ୍ଧ । ଆହା, ଗାଁରେ ସେ ଜଣେ ଦେବତା ଥିଲେ । କ’ଣ କହୁଛ ରାଧୁଭାଇ, ସେ ଗଲା ଦିନୁ ଗାଁର ଅଧେ ଶ୍ରୀ ତୁଟି ଯାଇଛି !’’

ରାଧାନାଥ ତରତରରେ କହି ପକାଇଲେ–‘‘ଅଧେ କିଆଁ, ଗାଁର ଆଉ ଭଲ ଭାଗ୍ୟ ନାହିଁ କହିଲେ ଚଳେ ।’’

କବିରାଜେ ତାଙ୍କୁ ଆଉ ବେଶି କହିବାକୁ ସୁବିଧା ନ ଦେଇ କହିଲେ–‘‘ବ୍ରଜ ଯେତେବେଳେ ଅଛି, ପରମଗୁରୁ ଭଲ ହୋଇ ପିଣ୍ଡଟାଏ ପାଇବେ, ମୁଁ ଜାଣେ । କ’ଣ ଯୋଗାଡ଼ କରୁଚୁ ତ ବାବୁ ? ପିଲା ତୁ, ତୁ କେତେକେ ବୁଝିବୁ ତାଙ୍କ ମହତ୍ତ୍ୱ ?’’

ବ୍ରଜ ବିନୟକ୍ରମ ଭାବରେ କହିଲା-‘‘ଆପଣମାନଙ୍କ ଆଶୀର୍ବାଦରୁ ଯାହା ହେବ । ଆଜି ଗାଁର ସମସ୍ତଙ୍କୁ ନିମନ୍ତ୍ରଣ କରୁଛି । କିଏ ମୋର ଆପଣାର, କିଏ ମୋର ପର, ବୁଝି ପାରୁନି । ଆପଣମାନେ ସବୁ ଯାଇ କାମପତ୍ର ତୁଲାଇ ଆସିବେ। ଗାଁରେ ତ ଚାରି ପାଞ୍ଚ ଦଳ । ସବୁ ଆପଣଙ୍କୁ ଲାଗେ । ଆପଣଙ୍କୁ କହିଗଲେ ଆଉ କାହାକୁ କହିବା ଦରକାର ନାହିଁ ବିଚାରି ଆସିଗଲି । ଆଉ ଗୋଟିଏ କଥା । ଏଇ ଟଙ୍କା ପଚଶଟି ଆଣିଛି କୋଠକୁ ଦେବା ପାଇଁ । ଦିଅଁଙ୍କ କୋଠ ଭଣ୍ଡାରରେ ଏହା ରହିବ । ପୋଖରୀ ତୋଠ ତ ଖରାପ ହୋଇଛି, ଲୋକେ ବଡ଼ ଅସୁବିଧା ଭୋଗୁଛନ୍ତି । ସେଥିରେ ଏତକ ଖର୍ଚ୍ଚ କରିବାକୁ ହେବ । ଆଉ, ଏ ଯେଉଁ ଇସ୍କୁଲଖଣ୍ଡିକ ଅଛି, ସେଥିପାଇଁ.....ଟଙ୍କା ଦାନ କଥାଜ ଶୁଣି କବିରାଜଙ୍କ ଆଖି ତରାଟି ହୋଇଗଲା। କହି ପକାଇଲେ–‘‘ଏଁ ପଚାଶ ଟଙ୍କା କୋଠକୁ ଆଉରି ପୁଣି ଇସୁକୁଲୁକୁ ?’’

ବ୍ରଜ ଟଙ୍କା ପଚାଶଟି ଝଣ କରି ପିଣ୍ଡାରେ ଥୋଇ ଦେଇ ଅତି ଭଦ୍ରଭାବରେ ଦୁଇ ଜଣଙ୍କୁ ହାତ ଯୋଡ଼ି କହିଲା–

‘‘ମୋ ଭାଗ୍ୟରେ ଯାହା ଥିଲା....’’

ଦୁହେଁ ଏକାବେଳକେ ପାଟିକରି ଉଠିଲେ–‘‘ହଉ, ଯା ବାବୁ, ପ୍ରଭୁ ତୋର ମଙ୍ଗଳ କରନ୍ତୁ-। ଏ ସବୁ ତୋ ବୁଦ୍ଧିର କଥା ନୁହେ, ସେଇ ପ୍ରହୁଙ୍କ ଦିହାତି ଏ ସବୁ ହେଉଛି ।’’

ବ୍ରଜ ବାଲୁ ବାଲୁ କରି କେବଳ ମୁହଁକୁ ଚାହିଁ ରହିଲା । କେତେ ଯେ କ’ଣ ପ୍ରଶଂସା କଥା ଶୁଣିଲା, କିଛି ତାର ମନେ ରହିଲା ନାହିଁ । କେବଳ ସମ୍ମାନରେ ସଢ଼ି ଗଲାପରି ହୋଇ ପଛକୁ ଘୁଞ୍ଚି ଘୁଞ୍ଚି ଗଲା । ତାର ସେତେବେଳେ ମନେ ହେଉଥିଲା କହି ଦେବ ଅବା, ‘‘ଆପଣଙ୍କୁ ମୁଁ ଭୁଲ ବୁଝିଥିଲି । ଆପଣଙ୍କ ପରି ଭଲଲୋକେ ଯେବେ ଏ ଗାଁରେ ଅଛନ୍ତି, ଗାଁ ତ ଆପେ ଆପେ ହସି ଉଠିବ ।’’ ମାତ୍ର ସେ କିଛି କହି ନ ପାରି ନୀରବରେ କ’ଣ ଭାବି ଭାବି ମୁହଁ ଫେରାଇ ଦେଲା ।

ସେ ଦିନ ସନ୍ଧ୍ୟା ପୂର୍ବରୁ କବିରାଜଙ୍କ ବୈଠକ ଘରେ ଗାଆଁ ଲୋକଙ୍କର ଏକ ସଭା ବସିଲା । ବ୍ରତ ଘର ଶ୍ରାଦ୍ଧ ଏବଂ ପଚାଶ ଟଙ୍କା କଥା ନେଇ ବହୁ ଆଲୋଚନା ପରେ ସ୍ଥିର ହେଲା ଯେ, ଅଜାତିଆର ଘରକୁ ଗାଆଁର କେହି ହେଲେ ତୁଣ୍ଡ ଅଇଁଠା କରିବାକୁ ସୁଦ୍ଧା ଯିବେ ନାହିଁ । ସେ ଦୁଆର ଯେ ମାଡ଼ିବ, ପଚାଶ ଟଙ୍କା ଜରିମାନା । ବାକୀ ଏହି ପଚାଶ ଟଙ୍କା ର ରାତିରେ ମହାଦେବଙ୍କ ମଣ୍ଡପରେ ନସଙ୍ଖୁଡ଼ି ଭୋଗ ଲାଗି ଗ୍ରାମବାସୀ ସମସ୍ତଙ୍କୁ ସେହିଠାରେ ପ୍ରସାଦ ପାଇବାକୁ ହେବ। କେବଳ ବ୍ରଜ ଯାଇ ପାରିବ ନାହିଁ ।

କବିରାଜଙ୍କ ବସାଘରେ ଏହି ବୈଠକ ପରେ ବ୍ରଜ ଘରେ ଆଉ ଏକ ବୈଠକ ବସିଲା । ବ୍ରଜର ଖୁବ୍‌ଆପଣାର ଯେ କେତୋଟି ଲୋକ ଥିଲେ, ଲୋକ ମତକୁ ଡ଼ରି, ନ୍ୟାୟ ବୁଝି, ନ୍ୟାୟକୁ ବାହାରେ ବାହାରେ କହିବାକୁ ସାହସ କରୁ ନ ଥିଲେ, ବ୍ରଜ ପ୍ରତି ଏ ବ୍ୟବସ୍ଥା ଦେଖି ବଡ଼ ବିଚଳିତ ହୋଇ ପଡ଼ିଲେ । ସେମାନେ ସଙ୍ଗେ ସଙ୍ଗେ ଅନ୍ଧାରରେ ଅନ୍ଧାରରେ ବ୍ରଜ ଘରକୁ ପଶି ଆସି ଗୁପ୍‌ଚୁପ୍‌ରେ କହିଲେ–

ଖାଇବାକୁ ହେଲେ ହେବ, ଏଇ ଘର ଭିତରେ । ଶୁଣିଲୁ ବ୍ରଜ, ବୋଉ କାହାନ୍ତି ? ହେଇଟି ତ.....ଶୁଣିଲେଣି କି ସବୁ କଥା ? ଆଉ ଶୁଣିଲେ କଣ ନ ଶୁଣିଲେ କଣ ? ସେମିତି ଭୟ କରିବା ଦରକାର ନାହିଁ । ମନରେ ସାହସ ଧରି.....ହଁ, ଆଉ ବିଳମ୍ବ କିଆଁ ? କିଏ ଦେଖିଲେ କହିବେ କଣ ? ଦାଣ୍ଡରେ ନୁହେଁ.....ଦାଣ୍ଡରେ ନୁହେଁ । ଏଇ ଘରେ ବାଢ଼ି ଦଅ ।

ଏହି ଲୁଚି କରି ଆସିଥିବା ଲୋକଙ୍କ ଭିତରୁ କିଏ କହିଲା–‘‘ଏଇ ଭୟ କରୁଥିଲା ।’’ କିଏ କହିଲା–‘‘ଭୟ କଣ ?’’ ଉପରେ ପଡ଼ି ଆଉ କିଏ କହିଲା–‘‘ଚୁପ୍, ଚୁପ୍, ଫେରେ କିଏ ଶୁଣିବ ।’’ ପୁଣି କିଏ କହିଲା–‘‘ମୁଁ ଜାଣି କରି ପାଟି କରୁନି, ତୁମେ ସବୁ ଧରା ପକାଇବ ଦିଶିଲାଣି !’’

ବ୍ରଜ ଏମାନଙ୍କର ଏହି ପ୍ରକାର ଯୁକ୍ତିତର୍କ ଶୁଣି ଅବାକ୍ ହୋଇଗଲା । ଏମାନେ ଏତେ ଗଣ୍ଡଗୋଳରେ ଯୋଗ ଦେଇ, ମିଛ କହି କିମିତି ଯେ ଅଛନ୍ତି ବୁଝି ପାରିଲା ନାହିଁ । ଜଣେ ଚୋର ଆଉ ଜଣେ ଚୋରକୁ କହୁଛି ଚୋର ! ଜଣେ ଭୀରୁ ଆଉ ଜଣ ଭୀରୁକୁ କହୁଛି ଭୟାଳୁ ! ଠିକ୍ ଯେପରି ହାଡ଼ି ପିଲାଟିଏ ବ୍ରାହ୍ମଣ କରଣଙ୍କ ପାଖରୁ ଦୂରରେ ଠିଆ ହୋଇ କଣ୍ଡରା, ଦଣ୍ଡାସୀଙ୍କୁ ‘ଅଛୁଆଁ’, ଅଛୁଆଁ ବୋଲି ହୁରି କରୁଛି । ବ୍ରଜ ଭାବିଲା–‘‘ଓହୋ, ସମସ୍ତେ ଚୋର, ସମସ୍ତେ ଭୀରୁ, ସମସ୍ତେ ଅଛୁଆଁ ! ଏ ଭିତରେ ପୁଣି କିଏ ଭଲ ବୋଲି ମାଡ଼ଗୋଳ ! ଆମେ ମଣିଷ ନା ଆଉ କଣ-! କିଏ ଦେବ ଏ ଉତ୍ତର ?’’

ବ୍ରଜ ବୁକୁର ଦମକାଏ ନିଶ୍ୱାସ ଛାଡ଼ି ଦେଲା । ଆଉ କିଛି ନ କହି ସେହି କେତୋଟି ବନ୍ଧୁଙ୍କୁ ଖାଇବାକୁ ଦେଇ ବିଦାୟ ଦେଲା । ତା ପରେ ବୋଉକୁ ପଚାରିଲା–‘‘ବୋଉ, ଆଉ କଣ କରିବା ?’’

ବୋଉ କିଛି ଉତ୍ତର ନ ଦେଇ କେବଳ ପୁଅ ମୁହଁକୁ ଚାହିଁ ରହିଲା । ରନ୍ଧାବଢ଼ା ସବୁ ସରିଥିଲା । କ୍ରମେ ଜିନିଷପତ୍ର ଶୀତଳ ହେଲା । ତଥାପି ଗାଁ ଲୋକଙ୍କର ଘରେ ବା ବାହାରେ ପାଦ ପଡ଼ିଲା ନାହିଁ । ଯେ ବା ଆଗରୁ ଘରକୁ ରନ୍ଧାବଢ଼ା କରି ଦେବାପାଇଁ ଆସିଥିଲେ, ସେମାନେ କ୍ରମେ କ୍ରମେ ଗୋଟି ଗୋଟି ହୋଇ ଅଦୃଶ୍ୟ ହୋଇଗଲେ । କେବଳ ବାହାରେ କେତେ ଲୋକଙ୍କର ଗୁପ୍‌ଚୁପ୍ ପାଟି ତୁଣ୍ଡ ଶୁଭୁଥିଲା । ବ୍ରଜ ବୋଉକୁ ଯାଇ କହିଲା–

‘‘ବୋଉ, ଆଉ ଅପେକ୍ଷା କଲେ ହବ କଣ ? ଯେବେ ଭୟରେ ରବି ଲୋକେ ଏପରି ହଟହଟା କରି ସାରିଲେଣି, ଚାହିଁ ଚାହିଁ ବା ଲାଭ କଣ ? ପାଞ୍ଚ ଥର ଲେଖାଏଁ ଗଲି, କେତେ ବୁଝେଇ କହିଲା ବୋଉ, ପଥର କଣ କେବେ ପାଣି ପାଲଟେ ? ଦୁଆରେ ଦେଖି କିଏ ଦୁଆର କିଳିଲା । କିଏ ବା କହିଲା, ଦଶ ମାଣ କୋଠକୁ ଦେଲେ ଯିବୁ। କୋଠ କିଏ ଜାଣିଲୁ ବୋଉ ? ଏଇ ଯେଉଁ ଗାଆଁର ପାଞ୍ଚ ଦଶ ଜଣ ଲୋକ ! ଯେବେ କୋଠକୁ ଟଙ୍କା ଦେବାରେ ପାପୀ ପୁଣ୍ୟବନ୍ତ ହୋଇଯିବ ବୋଲି ଶାସ୍ତ୍ରରେ ଲେଖା ଅଛି, ତେବେ ମୁଁ ସେ ଶାସ୍ତ୍ରକୁ ମାନିବି ନାଇଁ, ବୋଉ ।’’

ବୋଉ ତାର ବାୟାଣୀ ପରି ମୁହଁ ଟେକି କହିଲା–‘‘ଅମାନିଆ ହବୁ ବ୍ରଜ, ତୁ ଇମିତି ଅମାନିଆ ହବୁ ? ମୁଁ କଣ କରିବି ?’’

ଜଣା ପଡ଼ୁଥିଲା, ସତେ ଅବା ସେ ବାୟାଣୀ ହୋଇ କଣ କହିବ, କଣ କରିବ, କିଛି ଠିକ୍ କରିପାରୁ ନ ଥିଲା । ବ୍ରଜ ତାକୁ ବୁଝେଇଲା ପରି କହିଲା–

‘‘ମୁଁ ଆଗରୁ ଯାହା କହୁଥିଲି ବୋଉ, ସେହି କଥା ଏବେ କରିବି । ଲୋକେ ଯେ ଆସିବାର ଆସି ଯାଇଛନ୍ତି । ନିରାଶ୍ରୟ ଲୋକଙ୍କର ସନ୍ତୋଷରେ ସିନା ସଂସାରର ମଙ୍ଗଳ ହେବ । ଯେଉଁମାନେ ଦିନରାତି ପର ଛିଦ୍ରରେ ବ୍ୟସ୍ତ, ପର ନିନ୍ଦା ରଟନାରେ ଦିନ କାଟନ୍ତି, ନାନା ଅନ୍ୟାୟର ମାତି ଥାନ୍ତି, ସେମାନଙ୍କ ଉପରେ ରାଗ ରଖିବା କି ଲାଭ ? ନ ହେଲା ନାଇଁ, ସେମାନେ ନ ଆସିଲେ । ସେମାନଙ୍କୁ ଖାଇବାକୁ ଦେଇ ଯେବେ ନନାଙ୍କ ମୁକ୍ତି କାମନା କରୁଥାଉ, ତାହାହେଲେ ଭୁଲ କରୁଚୁ । ସେମାନଙ୍କ ପ୍ରତି ଦୟା ରଖି, ସେମାନଙ୍କ ଧମକ ଚମକ ମାନ ଅପମାନକୁ ମନରେ ନ ଧରି କାମ କରିଯିବା ଭଲ । କଣ କହୁଚୁ ବୋଉ ? ଏ ଲୋକଙ୍କ ଅବସ୍ଥା ଦେଖିଲେ ଆଗ ପଛ ବହୁତ କଥା ଭାବିବାକୁ ହେଉଚି ।’’

ବୋଉ, ଆଉ କିଛି କହି ନପାରି କେବଳ ଦୁଇ ଧାର ଲୁହ ଢ଼ାଳି ଦେଲା । ତା ବୁକୁରୁ ଏକ ଦୀର୍ଘନିଶ୍ୱାସ ଉଠି ସତେ ବା କହି ଦେଲା–‘‘ବ୍ରଜ, ତୁ କି ସତେ ଏ ଗାଆଁରେ ମୁଣ୍ଡ ଟେକି ମଣିଷଟିଏ ହେବୁ ?’’

ଆଉ କୌଣସି କଥାକୁ ଅପେକ୍ଷା କରାଗଲା ନାହିଁ । କିଛି ସମୟ ପରେ ସେହି ଅନ୍ଧାର ରାତିରେ ମଧୁପୁର ଦାଣ୍ଡ ସଜୀବ ହୋଇ ଉଠିଲା । ବହୁ ବର୍ଷର ବୁଭୁକ୍ଷୁ ଜୀବ ପରି ଆସିଥିବା ହତଭାଗା ଦଳ ପ୍ରାଣକୁ ଶୀତଳ କରିବାରେ ଲାଗିଲେ। ଏଣେ ଦାଣ୍ଡରେ ଭୋଜି ଶେଷ ହେଲା ବେଳକୁ ତେଣେ ଠାକୁରଙ୍କ ମଣ୍ଡପ ପାଖରେ ଭୟଙ୍କର ଗୋଳମାଳର ସୃଷ୍ଟି । ବଂଶୀ ଓ ଆଉ କେତେ ଜଣ ଟୋକା ସେହି ରାତିରେ କୁଆଡ଼ୁ ଭୂତ ପରି ଧାଇଁ ଆସି ବ୍ରଜକୁ ଖବର ଦେଲେ ଯେ, ଦେଉଳ ପାଖରେ ମୁଣ୍ଡ ଫଟାଫଟି ହେବାର ସମ୍ଭାବନା ଅଛି ।

‘‘କଥା କଣ ?’’

‘‘କଥା ଆଉ କିଛି ନୁହେଁ ! ଖାଇବା ପିଇବା ପାଇଁ ଯେ ବନ୍ଦୋବସ୍ତ ହୋଇଥିଲା ତାହାରି ଯୋଗୁଁ ଏତେ ଗଣ୍ଡଗୋଳ ।’’

ବ୍ରଜ ଆଉ କାଳ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ଦେଉଳ ପାଖରେ ଯାଇ ହାଜର ହୋଇଗଲା । ଦେଖିଲା, ଗାଆଁର ଆବାଳ ବୃଦ୍ଧ ସମସ୍ତେ ସେହିଠାରେ ଜମା । ମଣ୍ଡପ ଚାରିପଟେ ଚାରି ପାଞ୍ଚ ଦଳ ଲୋକ ବସି ରହି ଅନବରତ ଗର୍ଜିବାରେ ଲାଗିଛନ୍ତି । ଅନେକ ସମୟ ପରେ କଥା ବୁଝା ପଡ଼ିଲା । ପରମଗୁରୁଙ୍କ ଶ୍ରାଦ୍ଧ ଉପଲକ୍ଷରେ କୋଠକୁ ଦିଆ ହୋଇଥିବା ପଚାଶ ଟଙ୍କାରେ ଭୋଜିର ସିନା ବ୍ୟବସ୍ଥା ହେଲା; ମାତ୍ର ଗ୍ରାମବାସୀ ସମସ୍ତେ ଏକସ୍ଥାନରେ ବସି ପ୍ରସାଦ ପାଇବାକୁ ନାରାଜ । ପଟ୍ଟନାୟକ ଓ ଦାସଙ୍କ ମଧ୍ୟରେ ହାତ ଉଠାଉଠି ଯେ, କେବେ କିଏ ଦାସ ଘର ବୋହୂ ଦଉଡ଼ି ଦେଇ ମରିଥିଲା, ସେଥିର ପ୍ରାୟଶ୍ଚିତ୍ତି ଟଙ୍କା ଦାସେ କୋଠକୁ ଦେଇ ନ ଥିଲେ । ତେଣୁ ପଟ୍ଟନାୟକେ ଦାସଙ୍କ ସଙ୍ଗେ ଏକା ପଂକ୍ତିରେ ବସି ଖାଇବେ ନାହିଁ । ଦାସେ ଉଠି ସଙ୍ଗେ ସଙ୍ଗେ କହୁଛନ୍ତି ଯେ ମହାନ୍ତିଏ ଅମୁକ ଥର ଅମୁକ ଦୋଷ ମାନିଥିଲେ, ତାର ପ୍ରାୟଶ୍ଚିତ୍ତ ସେ କରିନାହାନ୍ତି । ଏଣେ ରଥେ ଖଡ଼୍‌ଗହସ୍ତ । କାହା ନଣନ୍ଦର ଶାଶୁର ଦୁର୍ନାମ ଥିଲା । ସେ ଆସି ଯେତେବେଳେ ଗାଁରେ ପତ୍ର ପକାଇ ଖାଇ ଯାଇଛି, ସେତେବେଳେ ମଧୁପୁରବାସୀ କେହି ହେଲେ ସେହି ଲୋକ ସଙ୍ଗେ ଭୋଜନ କରିବା ଉଚିତ ନୁହେଁ । ସୁନ୍ଦରାଙ୍କର ଗର୍ଜନ ସବୁଠୁ ବଳେ । ତାଙ୍କର ଆପତ୍ତି ଯେ, ଜେନା ଘରର ବିଧବା ବୋହୂ ଥରେ ଏକୁଟିଆ ପୁରୀ ଚାଲି ଯାଇଥିଲା । ଏକୁଟିଆ ଯିବା ଫଳରେ ସେ ସେଠାରେ କିଛି ଅନ୍ୟାୟ ନ କରିଥିବ ବୋଲି କିଏ କହିବ ? ତେଣୁ ସେ ବସିଲେ ଏ କେଭେଁ ବସିବେ ନାହିଁ ।

ଏହିପରି କେତେ ଯେ ଗଣ୍ଡଗୋଳ ତହିଁର ସୀମା ନାହିଁ । କିଏ ପାଟି କଲେ କିଏ ଆଖି ତରାଟୁଛି । କିଏ ହାତରେ ବାଡ଼ି ଧରିବାକୁ କହିଲେ କିଏ କାତି କୁରାଢ଼ି ଧରିବାକୁ କହୁଛି । ଦେବତାଙ୍କ ଆଗରେ ଶ୍ରାବ୍ୟ ଅଶ୍ରାବ୍ୟ ସକଳ କଥା ପ୍ରୟୋଗ କରାଯାଉଛି । ଏ ସକଳ ଭାଷା ନିଜେ ଦେବତା ପଥର ଦେଉଳରେ ଥାଇ ଶୁଣୁଛନ୍ତି କି ନାହିଁ କେଜାଣି, ମାତ୍ର ମଧୁପୁରର ନିତାନ୍ତ ଅଜାତ ବ୍ରଜ ଏ ଦୃଶ୍ୟ ଦେଖି, ଏକଥା ଶୁଣି ପ୍ରାଣରେ ଗଭୀର ବ୍ୟଥା ଅନୁଭବ କରୁଛି ଏବଂ ଏହା ଫଳରେ ଗାଁର ଆଉ କେତୋଟି ଯୁବକ, ଆଉ କେତୋଟି ଭଦ୍ର ଲୋକ ଏ ଭୋଜିଭାତ, ଏ ଦିଅଁ ଦେଉଳ ଉପରେ ବିଦ୍ରୋହୀ ହୋଇ ଉଠୁଛନ୍ତି ! ବ୍ରଜର ମନ ହେଉଛି, ଇତିହାସରେ ରାଣା ପ୍ରତାପ ଓ ତାଙ୍କ ସାନ ଭାଇ ଶାକ୍ତ ସିଂହଙ୍କୁ ଚାହିଁ ବିବାଦରୁ ରକ୍ଷା କରିବା ପାଇଁ ପୁରୋହିତ ଆପଣା ବୁକୁରେ ଛୁରୀ ମାରି ମଲା ପରି ଏହି ଗ୍ରାମବାସୀଙ୍କ ହୃଦୟରେ ସଦ୍‌ବୁଦ୍ଧି ଆଣିବା ଲାଗି ସେହିଠାରେ ସେ ଆତ୍ମହତ୍ୟା କରିବ ! କହି ଦେବ-ଦେବତା ପୀଠରେ ମାନବର ଏ ପ୍ରକାର ବିବାଦ ଶୋଭାପାଏ ନାହିଁ !

ରାତି ଯେତିକି ଗଉଲା, ଗୋଳମାଳ ତେତିକି ବଢ଼ିଲା, ଆଉ ସେ ସବୁ କଥା ଶୁଣି ବ୍ରଜ ହୃଦୟ ବ୍ୟଥିତ ହୋଇଉଠିଲା ।

ସେହି ଗୋଳମାଳ ଭିତରେ ହଠାତ୍ ସମସ୍ତଙ୍କ ଆଖି ମଣ୍ଡପ ମଝିକି ପଡ଼ିଲା । ଦେଖିଲେ, ଜଣେ କିଏ ହାତ ଉପରକୁ ଟେକି ଗୁରୁ ଗମ୍ଭୀର ଭାବରେ କହୁଛି–

‘‘ଏଠାରେ କି ଏସବୁ କଥା ଶୋଭା ପାଉଛି । ଏ ଗୋଳମାଳ କଲାବେଳେ ଆପଣମାନେ କି ମନେ କରୁଛନ୍ତି ଏ ପଥର ଦେଉଳରେ ଆଉ ଦିଅଁ ଅଛନ୍ତି ? ଦିଅଁ କି ଏଉଳି ଭକ୍ତଙ୍କ ଭକ୍ତି ଗ୍ରହଣ କରନ୍ତି ? ଏଇ ଦେଖନ୍ତୁ.......ଚାରିପଟେ ଏଇ ଯେଉଁ ହତଭାଗା ଦଳ ଠିଆ ହୋଇଛନ୍ତି, ଏହିମାନେହିଁ ଏ ମନ୍ଦିରର ଅଧିକାରୀ ହେବା ଉଚିତ୍ । ଏହିମାନଙ୍କ ପ୍ରାଣରେ ସରସତା ଅଛି, ଶାନ୍ତି ଅଛି, ଜାଗରଣ ଅଛି । ଯାହାଙ୍କ ଉପରେ ପାପ ଭାରା ଲଦା ହୋଇଛି, ସେମାନେ ଏହା ଦେଖି ହସୁ ନାହାନ୍ତି କି ? ଥରେ ମନକୁ ପଚାରନ୍ତୁ.....ଥରେ ମନ୍ଦିରବାସୀ ଦେବତାଙ୍କୁ ପଚାରନ୍ତୁ.....ଠିକ୍ କରୁଛନ୍ତି କି ଭୁଲ କରୁଛନ୍ତି ଜାଣି ପାରିବେ । ବ୍ରାହ୍ମଣ ତୁମେ, କ୍ଷତ୍ରିୟ ତୁମେ, କରଣ ତୁମେ, ଖଣ୍ଡାୟତ ତୁମେ; କିନ୍ତୁ ତୁମେମାନେ ଅଛୁଆଁ ନୁହଁ ତ ? ତେବେ ଆପଣା ଭିତରେ ଏତେ ଗୋଳମାଳ ।’’

ଏତିକି କହି ବକ୍ତା ହଠାତ୍ କୁଆଡ଼େ ସେହି ଜନ ଗହଳିରେ ମିଶିଗଲା । ଲୋକେ ଦେଖିଲେ, ରୂଅପଢ଼ାର ପାଣଗୁଡ଼ାକ ଯାତ୍ରା ଦେଖି ଗଲା ପରି ଧୀରେ ଧୀରେ ଅଳସ ଭାବରେ ନୀରବରେ ଚାଲିଛନ୍ତି ।

•••

 

-ଷୋହଳ-

 

ମଧୁପୁରର ଗୋଟିଏ କ୍ଷୁଦ୍ର ପରିବାର ଭିତରେ ତିନୋଟି ପ୍ରାଣୀ-ରାଧାନାଥ, ଗଉରୀ ଓ ରମା । କେତେ ଦିନ, କେତେ ରାତି, କେତେ ମାସ ଗଲା; କ୍ରମେ ଏହି ତିନୋଟି ପ୍ରାଣୀଙ୍କ ମନୋଭାବ ପରସ୍ପର ପ୍ରତି ବଡ଼ ଅସହ୍ୟ ହୋଇ ଉଠିଲା । କେହି କାହା ମନକଥା ବୁଝିଲେ ନାହିଁ । କେବଳ ଜଣେ ଚେଷ୍ଟା କଲା ଆଡ଼ ଜଣକର କଥା ବୁଝିବାକୁ । ସେ ହେଉଛି ରମା । ଗଉରୀ ପ୍ରତି ସେ ଏତେ ଚଞ୍ଚଳ, ଏତେ ଆକୃଷ୍ଟ ହୋଇ ପଡ଼ିଲା ଯେ, ଗଉରୀ ଛଡ଼ା ସଂସାରରେ ତାକୁ ଆଉ କିଛି ଦେଖାଗଲା ନାହିଁ ।

 

ଏଣେ ପୁଣି ଗଉରୀ ବୁଝିଲା, ତାର ନିଃସଙ୍ଗ ଜୀବନ ପଥରେ ରମା କାହୁଁ ପ୍ରବଳ ଝଡ଼ ବତାସୀ ବେଶରେ ଆସି ଠିଆ ହୋଇଛି ସେ କିଛି ଦିନ ପରେ ଦେଖିଲା, ସେହି ଝଡ଼ବତାସୀ ଦାଉରେ ସେ ଉଡ଼ିଯିବ ବା ଭୂଇଁରେ ମିଶିଯିବ କିମ୍ବା ରମା ନିଜେ ଝଡ଼ବତାସୀ ପରି କୁଆଡ଼େ କାହିଁ ଧାଇଁ ଚାଲିଯିବ ! ସେ ତାକୁ ମନା କରି ପାରିଲା ନାହିଁ କି ହାତରେ ଏଡ଼ାଇ ଦେଇ ପାରିଲା ନାହିଁ । ସେ ଯେତିକି ଯେତିକି ରମାଠାରୁ ଅଲଗା ରହି ଅନ୍ୟ ପଥରେ ଗତି କରିବାକୁ ଉଦ୍ୟମ କଲା, ରମା ସେତିକି ତା ପାଖେ ପାଖେ ଲାଗି ରହିଲା, ତାର ମର୍ମ୍ମ ଭିତରେ ସିନ୍ଧି କରି ପଶି ଜୀବନର ଗୋପନତର କଥାଟି ବାହାର କରି ଆଣିବାକୁ ଚେଷ୍ଟା କଲା ।

 

ଏହିପରି ଏକ ସମବୟସ୍କା ବୋଉ ରମାକୁ ପାଇ ଗଉରୀର ଜୀବନ ଯେତିକି ଜଟିଳ ହୋଇ ଉଠିଲା, ବେଳେବେଳେ ସେତିକି ଆଲୋକିତ ମଧ୍ୟ ହେଲା । ଗଉରୀ ଆଉ ରମା ଏକ ପରିବାର ପଥରେ ଦୁଇଟି ବିପରୀତଗାମିନୀ ସ୍ରୋତ ହେଲେ ମଧ୍ୟ ଦୁହିଁଙ୍କର ମଝିରେ ମଝିରେ ଯେ ମିଳନ ହେଲା, ତାହା ଗଙ୍ଗା ଯମୁନାର ମିଳନ ପରି ଉଦାର ଗମ୍ଭୀର ଭୀଷଣ ହୋଇ ଉଠିଲା ।

 

ଏକ ଦିଗରେ ଗଉରୀ, ଅନ୍ୟ ଦିଗରେ ରମା-ଏ ମଝିରେ ରାଧାନାଥଙ୍କୁ ବଡ଼ ସନ୍ତର୍ପଣରେ ଦୋଦୋପାଞ୍ଚ ହୋଇ ଠିଆ ହେବାକୁ ପଡ଼ିଲା ! ଏକ ଦିଗରେ ପ୍ରଭାତକାଳୀନ ମଳିନ ଗଙ୍ଗଶିଉଳିର ବେଶ, ଅନ୍ୟ ଦିଗରେ ଫୁଟି ଆସୁଥିବାର ଉଷା-ପଦ୍ମପରି ରମଣୀୟ ଶୋଭା । ବଣକର ପଥ ସଙ୍ଗହୀନ, ବିକଳାଙ୍ଗ । ସେଠି ଗାନ ବାଦ୍ୟ ନାହିଁ, ସେଠି ଆନନ୍ଦ ଉତ୍ସବ ନାହିଁ । ଅଛି, ଖାଲି ବାର ବ୍ରତ, ନୀତି ଉପବାସ । ଆଉ ଜଣକର ପଥ କୁସୁମମୟ !

 

ମଝିରେ ଠିଆ ହୋଇ ରାଧାନାଥ ଏହିପରି ଦୁଇଟି ପ୍ରାଣୀ ଦୁଇ ଦିଗରେ ଦେଖୁଥିଲେ । ସକଳ ବିପଦ ଭିତରେ ତାଙ୍କର ଏ ଏକ ମହା ଘୋର ବିପତ୍ତି ହେଲା । କୌଣସିମତେ ସେ ଦୁଇଜଣଯାକଙ୍କୁ ଏକା ପରି ସ୍ନେହ ଆଦର କରିପାରିଲେ ନାହିଁ । ଜଣକ ଆଖିରୁ ଲୁହ ବୋହୁଥିଲେ ଆଉ ଜଣେ ବା ହସିବ କିମିତି ? ବିବାହ ପରେ ତାଙ୍କୁ ଏହିପରି ଗୁରୁତର ଜଟିଳ ସମସ୍ୟାରେ ପଡ଼ିବାକୁ ହେଲା ।

 

ରାଧାନାଥଙ୍କ ଘରେ ଏହିପରି ତିନି ପ୍ରକାର ମନ ତିନି ଦିଗରେ ଗତି କରୁଥିବା ବେଳେ ପଡ଼ିଶା ବ୍ରତ ଘରେ ଶ୍ରାଦ୍ଧ ପଡ଼ିଲା । ବ୍ରଜ ବୋଉ ସତ୍ୟଭାମା ସେଦିନ ସକାଳେ ଗଉରୀକି ଡାକି କହିଦେଲେ–‘‘ଝିଅ ଲୋ, ବେଳ-ସଅଳରେ ଆସି ଟିକିଏ କାମପତ୍ର ତୁଲେଇ ଦେଇ ଯିବୁ । ବୋଉ ତ ଅଛି, ଘର କାମ ତୁଲେଇ ନେବ ଯେ.....’’

 

ଅନେକ ଦିନ ପରେ ଏହି ମଧୁର ବଚନ ଶୁଣି ଗଉରୀ ପ୍ରାଣରେ ମାତୃସ୍ମୃତି ଜାଗି ଉଠିଲା-। ତା ଆଖି ଛଳ ଛଳ ହୋଇଗଲା । ବୋଉ ମରିବାର ଅନେକ ଦିନ ହୋଇଗଲା । ଏ ଭିତରେ ସେ ବେଳେ ବେଳେ ସତ୍ୟଭାମାଙ୍କ ଠାରୁ ଯାହା ‘ଝିଅ’ ବୋଲି ଡାକି ପଦେ ଶୂଣେ । ଏମିତି କିଛି ଆଦରରେ ପଦେ ଅଧେ ଶୁଣିବା ପାଇଁ ତା ପ୍ରାଣଟା ସବୁବେଳେ ଛଟପଟ ହେଉଥାଏ । ଶୁଣିବା ମାତ୍ରେ ସେ ଧାଇଁ ଯାଇ ରମାକୁ କହି ପକାଇଲା–‘‘ବ୍ରଜ ଭାଇଘରେ ଆଜି କଣ ଦିଖଣ୍ଡ ସିଝେଇ ଦେଇ ଆସିବାକୁ ହେବ–ବୋଉ କହି ଦେଇ ଗଲାଣି । ଏ ଘର କାମ ଆଜି ତୋ ଉପରେ ସବୁ....-।’’ ଏତିକି କହି ଦେଇ ସେ ଟିକିଏ ହସିଦେଲା ।

 

ଲୋକେ ଜାଣିବାକୁ ରମା ଗଉରୀ ମା ଝିଅ; ମାତ୍ର ଘର ଭିତରେ ସେ ଦହେଁ ଦି’ ଭଉଣୀ-। ଦିହେଁ ହସନ୍ତି, ଦିହେଁ ଖେଳନ୍ତି । ଦିହିଙ୍କ ଭିତରେ କେତେ କଣ ଖୁସି ଗପ ଚାଲେ; ମାତ୍ର ଗପ ଭିତରେ ଗଉରୀ ଯେତେବେଳେ ତା ନନା କଥା ଆଣି ପକାଇଦିଏ, ରମାର ମୁହଁ କିଆଁ ଶୁଖିଯାଏ । ସେ ତରତର ହୋଇ ସେଠୁ ଉଠିଯାଏ; ନ ହେଲେ ଆଉ କି କଥା ଆଣି ବାଢ଼ି ବସେ । ରମାର ଏ ମନ କଥା ଆଉ କିଏ ନ ବୁଝନ୍ତୁ ପଛକେ ଗଉରୀ ବୁଝେ । ନିଜ ମନକୁ ବୁଝେଇ ସୁଝେଇ ସେ କେତେ ରାତି ଶୁଏ ନାହିଁ ।

 

ଗଉରୀ ବୁକୁରେ କେତେ ଥର କେତେ ବଜ୍ର ପଡ଼ିଥିଲା । ପୁଣି ଥରେ ବଜ୍ର ପଡ଼ିଲା, ବ୍ରଜ ଘର ଶ୍ରାଦ୍ଧ ଦିନ । ସେ ତାଙ୍କ ଘରକୁ ଯିବ-ଯିବ ଏପରି ଅବସ୍ଥାରେ ଅଛି, ରାଧାନାଥ କାସି କାସି ଆସି ଦୁଆର ମୁହଁରେ ପାଟି କରି କହିଲେ-‘‘ ଆଜିଠାରୁ ବ୍ରଜ ଘରକୁ କେହି ଯିବେ ନାହିଁ । ଗାଆଁ ଲୋକେ ସଭା କରି ମନା କରିଛନ୍ତି । ଶୁଭିଲା, ଗଉରୀ ।’’

 

ଏ ଆଦେଶ ଗଉରୀକୁ ଏପରି ବଜ୍ର ନିର୍ଦ୍ଦୋଷରେ ଶୁଭିଲା ଯେ, ସତେ ଅବା ତା ଅନ୍ତରାତ୍ମା ହତଜ୍ଞାନ ହୋଇଗଲା । ପ୍ରଥମେ ସେ କଣ ଭାବିଲା, ନାତି ମଧ୍ୟ ଜାଣି ପାରିଲା ନାହିଁ । କେବଳ ବ୍ରଜ-ବ୍ରଜ-ବ୍ରଜ,- ତାହା ଛଡ଼ା ତାକୁ ଆଉ କିଛି ଭାବନାର ଉପାଦାନ ଜୁଟିଲା ନାହିଁ । ସେ ପାଟି କଲା ନାହିଁ, ଚିତ୍କାର କଲା ନାହିଁ, ଆଖିରୁ ଲୁହ ମଧ୍ୟ ଗଡ଼ାଇଲା ନାହିଁ । ମନେ ମନେ କହିଲା–‘‘ବ୍ରଜ କି ସତେ ଏକ ଘରିଆ ହେଲା ? ବ୍ରଜର କି ଜାତି ନାହିଁ ? ବ୍ରଜ କି ଗାଆଁ ଟାଯାକରେ ଏଡ଼େ ଖରାପ ? ନା, ନା, ବ୍ରଜ ଦେବତା, ବ୍ରଜ ପିଲାଦିନର ସାଥୀ । ସେ କି କେବେ ହେଲେ ପାପୀ, ଅଜାତିଆ ହୋଇପାରେ ?’’

 

ବ୍ରଜ ଘରେ ଶ୍ରାଦ୍ଧର ଗୋଳମାଳ, ଏଣେ ଗୌରୀ ପ୍ରାଣରେ ବ୍ରଜ ନାଆଁରେ ନାନା ଚିନ୍ତାର ଗୋଳମାଳ । ସେ ଘରେ ବ୍ରଜର ପାଟି ଶୁଣିଲେ ଏ ଘରେ ଏ ଚମକି ପଡ଼େ । ପଡ଼ିଶ ଘରେ ବ୍ରଜ ବୋଲି କିଏ ଡାକି ଦେଲେ ଏ ଘରେ ୟାର ମଧୁର ସ୍ୱପ୍ନ ଭାଙ୍ଗିଯାଏ ।

 

ପାଖରେ ଦେଖେ; ରମା ତାର ମନୋଭାବ କିଛି ନ ବୁଝି କେବଳ ନୀରବ ନିଶ୍ଚଳ ଭାବରେ ଠିଆ ।

 

ସନ୍ଧ୍ୟା ହେଲା, ରାତି ହେଲା, ବ୍ରଜ ଘରେ କେତେ ଲୋକଙ୍କର କେତେ ବିଚାର ପଡ଼ିଲା-। ଶେଷରେ ଗାଁ ଦାଣ୍ଡରେ କାଙ୍ଗାଳ, ଦରିଦ୍ରଗୁଡ଼ାକ ଖାଇ ଦେଇ ଗଲେ ! ଗଉରୀ ଆଖିକି ସେ ପର୍ଯ୍ୟନ୍ତ ନିଦ ନାହିଁ । ତା ପରେ ରାତି ପାହିଲା । ଗୌରୀ ଜାଣେ ନାହିଁ, ସେ ଶୋଇ ଥିଲା କି ଚାହିଁ ଥିଲା । ନିଦ ଭାଜିଳା ଉରାରୁ ଦେଖିଲା, ରମା ତାରି ମୁଣ୍ଡ ଉପରକୁ କାନ୍ଥକୁ ଆଉଜି ଢ଼ୋଳାଉଚି, ଘର ଭିତରେ ଖାଇବା ପାଇଁ ଯେ ଭାତ ତିଅଣ ବଢ଼ା ହୋଇଥିଲା, ତାହା ସେହିପରି ଥୁଆ ହୋଇଛି-

 

ବ୍ରତଘର ଶ୍ରାଦ୍ଧ ବିଷୟ ନେଇ ତା ଆରଦିନ ଗାଁରେ ଘରେ ବାହାରେ ଯେତେବେଳେ ନାନା ଆଲୋଚନା ଭୁଲିଥିଲା, ଗଉରୀ ମନେ ମନେ କଣ ଭାବି ଭାବି ମଝିଘରେ ଗାଲରେ ହାତ ଦେଇ ବସିଥିଲା । ରମା ତାର ମୁଣ୍ଡଟା କୁଣ୍ଡାଇ ଦେବ ବୋଲି ବିଚାରି ପଛ ପଟେ ଆମି ବସି ପଡ଼ି ପଚାରିଲା–

 

‘‘ଦି ଦିନ ହେଲା ଦେଖୁଛି, କଣ ଭାବୁଚ କି ? ସବୁବେଳେ ତ ମନ ମାରି ଦେଇ ବସିଲ-!’’

 

ଗଉରୀ କହିଲା, ‘‘ଯିଏ ଯାହା ଭାବେ, ସବୁ କଣ କହି ହୁଏ ?

ଭାବୁଚି ଯାହା, ସବୁ କହି ପାରିବି ନାହିଁ ।’’

ରମା ହସି ଦେଇ କହିଲା–‘‘ହେଲା ସବୁ ନ କହିଲେ ଅଧେ ହେଲେ କହ ।’’

 

‘‘ଅଧେ ଶୁଣିବାକୁ ମନ ହେଉଚି ? ଦିଅଁଙ୍କ କଥା ଭାବୁଚି, ଦିଅଁଙ୍କ କଥା । ତମେ ସେ ଦିଅଁଙ୍କୁ ଜାଣି ନାହିଁ କି ଦେଖି ନାହିଁ !’’

 

‘‘ତମ ଗାଁରେ ଇମିତି କଣ ଦିଅଁ ଅଛନ୍ତି ଯେ, ମୁଁ ଜାଣିନାହିଁ ବୋଲି କହୁଚ !’’

 

‘‘ହଁ, ଅଛନ୍ତି । ସେ ମାତ୍ରକ ଦେଉଳରେ ନାହାନ୍ତି । ତମେ ତାଙ୍କୁ ଦେଖିବ କିମିତି ? ସେ ଦୁଃଖୀଙ୍କ ଦୁଃଖ ବୁଝନ୍ତି; ଗରିବଙ୍କ ଗୁହାରୀ ଶୁଣନ୍ତି । ସେ ଦିନ ଯେଉଁ ଚମ୍ପୀ, ଆଉ ନେତ ଆମ ଘରକୁ ପେଜ ପାଇଁ ଆସିଥିଲେ, ତାଙ୍କରି ଗାଁଆର ସେଇ ଦିଅଁ !’’

 

ରମା ଆଶ୍ଚର୍ଯ୍ୟ ହୋଇ ପଚାରିଲା–‘‘ପାଣ ସାଇର ଦିଅଁ ? ତୁମେ ତାଙ୍କୁ କିମିତି ପୂଜା କରୁନମ ?’’

 

‘‘ଦିଅଁ ତ ଦିଅଁ, ଆଉ ପାଣଙ୍କ ଦିଅଁ କଣ, ଚଷାଙ୍କ ଦିଅଁ କଣ ? ଆମେ ଜଗନ୍ନାଥ ମହାପ୍ରଭୁଙ୍କୁ ଆମ ଦିଅଁ ବୋଲି କହୁଚେ । ତାଙ୍କୁ କଣ ପାଣ ବାଉରୀ ତାଙ୍କ ଦିଅଁ ବୋଲି କହୁ ନାହାନ୍ତି ? ଦାଢ଼୍ୟତାଭକ୍ତିରେ ପଡ଼େ ଶୁଣିନ, ବାଉରୀ ଘରର ଭୋଗ ଜଗନ୍ନାଥଙ୍କ ପାଖେ ଲାଗି ହୋଇଥିଲା ?’’

 

ରମା ଆଉ କିଛି ଉତ୍ତର ଦେଇ ନ ପାରି ପଚାରିଲା–‘‘ହଉ, ହଉ, ତା ପରେ କଣ ହେଲା-? କହୁ ସେଇଁ ତମ ଦିଅଁଙ୍କ କଥା । ସେ ଦିଅଁଙ୍କୁ ମୁଁ କଣ ଦେଖି ପାରିବି ନାହିଁ ?’’

 

‘‘ଦେଖି ପାରିବ ନାଇଁ କିଆଁ ? ସେହି ଦିଅଁ ଏବେ ଆମରି ଗାଁରେ ଅଜାତିଆ ହୋଇଚନ୍ତି-।’’ ଏତିକି କହି ଗଉରୀ କିଲ୍ କିଲ୍ କରି ହସି ଉଠିଲା ।

 

ରମା ହସି ହସି ଭାଜି ପଡ଼ି କହିଲା-‘‘ମଲା ଯା, ଏଇ ପଡ଼ିଶା ଘରର ପୁଅଙ୍କ କଥା କହୁଚ ? ମୁଁ ଓଲାଟା ବୁଝିପାରୁନି । ସେ କୋଉ ଦିନ ଦିଅଁ ହେଲେମ ? ମଣିଷ କଣ କେବେ ଦିଅଁ ଦେବତା ହୁଏ ?’’

 

‘‘କିଏ କହେ ମଣିଷ ଦିଅଁ ଦେବତା ହୁଅନ୍ତି ନାହିଁ ବୋଲି ? ଆମ ପାଠରେ ପରା ଅଛି, ‘ପତି ଦେବତା !’ ସେ କଣ ତେବେ ମଣିଷ ନୁହନ୍ତି ?

 

‘‘ପତି ଦେବତା’’ ଏହି ପଦକ କଥା ଶୁଣି ରମାର ମୁହଁରୁ ପାଣି ମରିଗଲା । ବୋଧହୁଏ ହଠାତ୍ ତା ଆଗରେ ଜଣେ ପଳିତ କେଶ, ଗଳିତ ବେଶ, ଷାଠିଏ ବର୍ଷର ବୃଦ୍ଧ-ଛବି ଦେଖା ଦେଲା-। ଛାୟା ରୂପରେ ରାଧାନାଥ ଆଗରେ ଆସି ଠିଆ ହୋଇ ପଡ଼ିଲା ! ଏହି ‘‘ ପତି ଦେବତା’’ ଙ୍କୁ ସେ ମାନସପଟରେ ଦେଖି ଛନ୍ନ ହୋଇଗଲା । ତା ପାଟିରୁ ତାର ଅଜଣା ବାହାରି ପଡ଼ିଲା-

 

‘‘ପତି ଦେବତା ।’’

ଗଉରୀ ଉତ୍ତର ଦେଲା–‘‘ହଁ, ପତି ଦେବତା ।’’

•••

 

-ସତର-

 

ଗାଁର ଠିକ୍ ପୂର୍ବ ଦିଗରେ, ଯୁଗଯୁଗାନ୍ତ ତଳର ଏକ ପ୍ରକାଣ୍ଡ ବରଗଛ ତଳେ ଗାଁର ଛୋଟ ସ୍କୁଲ ଘରଟି । ଦୁଇଟି ବଖରା ଘର, ଗାଁର ସବୁ ଘରଠାରୁ ତାହା ସମ୍ପୂର୍ଣ୍ଣ ଅଲଗା । ବଖରାକେ ଦି’ଦିଟା ଦୁଆର ଓ ତିନି ତିନିଟା ଝରକା । ସମିତି ଝରକା ବା ଦୁଆର ଗାଁରେ କାହାର ହେଲେ ନାହିଁ । ସ୍କୁଲର ମାଟି କାନ୍ଥରେ ଚୂନ ବୋଳା ଯାଇ ସ୍ଥାନେ ସ୍ଥାନେ କେତେ କଣ ଚିତ୍ର ଟଣାଯାଇଛି । ସେଥିରେ ଭାରତ ବର୍ଷର ମାନଚିତ୍ର ଅଛି, ସୁନ୍ଦର ବନର ବାଘ ଅଛି, ପଞ୍ଚମଜର୍ଜଙ୍କ ଛବି ଅଛି, ମଶାଣିର ନରକଙ୍କାଳ ମଧ୍ୟ ଅଛି । ଗାଁ ଲୋକେ ଘର ଭିତରକୁ ପଶିଗଲେ, ପ୍ରଥମେ ସେହି ସବୁ ଛବି ଦେଖି ଆଗ ମୁହୂର୍ତ୍ତେ ଅନ୍ୟମନସ୍କ ହୋଇ ପଡ଼ନ୍ତି ।

ବରଗଛଟା କେତେ ପ୍ରାଚୀନ, ଗାଁର କେହି ପ୍ରାଚୀନ ବୃଦ୍ଧ ମଧ୍ୟ ତାହା କହି ପାରିବେ ନାହିଁ । ସେଟା ବୋଧହୁଏ ସେହି ଗାଁ ଠାରୁ ପ୍ରାଚୀନତର । ସେ ବୋଧହୁଏ ଦେଖିଛି, ତାହାରି ତଳେ କେତେ ଲୀଳାଖେଳା ଆରମ୍ଭ ହୋଇଗଲା । କାଞ୍ଚି ଗଡ଼, ବିଜୟ ନଗର, ଦେବରକୋଣ୍ଡା ନେଇଛନ୍ତି-। ତାହାରି ତଳେ ଗାଁର ଯୁବା ଯୁବା ଭେଣ୍ଡା ଭେଣ୍ଡା ଲୋକେ କୁସ୍ତି କସରତ ଶିଖି ରାଜ ଆଜ୍ଞାପାଳିବା ପାଇଁ କେତେ ଯୁଦ୍ଧକୁ ପ୍ରସ୍ତୁତ ହୋଇଛନ୍ତି । କାହିଁ କେଉଁ ନିର୍ଜନ ବିମଳ ପ୍ରଭାତରେ ତାହାରି ତଳେ ବସି ଗାଁର ଶତ ଶତ ବାଳ ବୃଦ୍ଧ ଯୁବା କେଉଁ ଦୂରାଗତ ସାଧୁମହାତ୍ମାଙ୍କର ଉପଦେଶ ଶୁଣିଅଛନ୍ତି ।

 

ଏହିପରି ଲୀଳା ପରେ ଲୀଳା ଚାଲିଛି । ଏହି ପ୍ରାଚୀନ ପବିତ୍ର ବରଗଛ ତଳେ ଗାଁର ଛୋଟ ସ୍କୁଲଟି । ତାହାରି ଭିତରେ ଗାଁର ଭବିଷ୍ୟତ୍, ଦେଶର ଭବିଷ୍ୟତ୍ କେତେଗୁଡ଼ିଏ ସରଳ ସୁଶୀଳ ମାନବ ଶିଶୁ ନବ ଜୀବନ ନବ ଆଲୋକ ପାଇଁ ଗଢ଼ି ହୋଇ ଉଠୁଛନ୍ତି ।

ପ୍ରଭାତ ହେଲା ତ, ଚାଳରେ ବସି କୁଆ ବୋବାଇଲେ ତ, ଗୋଟି ଗୋଟି ହୋଇ କେତେ ଗୋଲାପ, କେତେ ପଦ୍ମଫୁଲ ଫୁଟିଲା ପରି ଗାଁର ଘରୁ ଘରୁ କେତେ କେତେ ଶିଶୁ ବାହାରି ପଡ଼ି ସ୍କୁଲଟିରେ ଜମା ହୋଇ ପଡ଼ନ୍ତି । ବେଳ ପହରକୁ ପୁଣି ସେଗୁଡ଼ିକ ହସି ହସି, ନାଚି ନାଚି କୁଦି ଚକଟି ହୋଇ ନଦୀ ସ୍ରୋତ ସମୁଦ୍ର ଦିଗକୁ ଧାଇଁଲା ପରି ଘରର ଅଗାଧ ଅନନ୍ତ ସ୍ନେହ ମାୟା ମମତା ଆଡ଼କୁ ଧାଇଁ ଯାନ୍ତି । ପୁଣି ବେଳ ଥାଉ ଦି’ଘଡ଼ି ଯାଆନ୍ତି ଯେ ତେଣେ ଗୁହାଳରେ ଗାଈ ଗୋଠ ହମାରଡ଼ି ଛାଡ଼ି ପଶିବା ଆଗରୁ ଆନନ୍ଦରେ ଦାଣ୍ଡକୁ ଦି’ଫାଳ କରି ଦେଇ ଫେରିଆସନ୍ତି ।

ଏହିପରି ପଲ୍ଲି ପାଠଶାଳା, ଏହିପରି ତାର ସରଳ ମଧୁର ଚିତ୍ର ! ବ୍ରଜ ତାର ଏହି ପୁରୁଣା ପରିଚିତ ଘର ଭିତରକୁ ପଶିଯାଇ ଦେଖେ, ପନ୍ଦର କୋଡ଼ିଏ ବର୍ଷ ପରେ ଗାଁର ଭଲ ମନ୍ଦର ବିଚାର ଭାର ଯେଉଁମାନଙ୍କ ଉପରେ ରହିବ, ସେହିମାନେ ସେଠାରେ ଗାଁ ଲୋକଙ୍କ ଛନ୍ଦ କପଟ, ପାପପୁଣ୍ୟର ବହୁତ ଦୂରରେ ରହି ପଢ଼ୁଛନ୍ତି । ପୁଣି ପନ୍ଦର କୋଡ଼ିଏ ବର୍ଷ ପରେ ସେହିମାନଙ୍କ ଠାରୁ ଦୂରରେ ରହି, ମଇଳା ସଫା କରି ସେବା କରିବ ଯେଉଁ ଧୋବା, କ୍ଷୂଦ୍ର ଶିଶୁ ବେଶରେ କ୍ଷୁଦ୍ର ପତର କ୍ଷୁଦ୍ରତର କୋଣରେ ଏକାକୀ କଣ ପଢ଼ିବାରେ ଲାଗିଛି ।

ବ୍ରଜ ତାର ପାଖେ ବସି ତାକୁ କଣ ପଢ଼ାଇବାରେ ଲାଗେ ।

ବ୍ରଜ ପଢ଼ାଏ–

‘‘ସକଳ ଘଟେ ନାରାୟଣ

ଅନନ୍ତ ପରମ କାରଣେ ।’’

ଏ ସତ୍ୟ ନିରାଟ ରହସ୍ୟମୟ ସତ୍ୟ ହେଲେ କଣ ହେଲା, ୟାକୁ ବୁଝିବେ କେତେ ଜଣ-? ବୁଝିଲେ ବା ପାଳିବେ କେତେ ଜଣ ? ତେଣୁ ବ୍ରଜର ଏ ରୀତିନୀତି ସମସ୍ତଙ୍କୁ ଭଲ ଲାଗେ ନାହିଁ-। ଦେଖୁ ଦେଖୁ ଗାଁରେ ସ୍ୱର ଉଠିଲା ଯେ, ସବୁ ଗୋଳମାଳର ମୂଳ ହେଉଛି ସ୍କୁଲ ।

ଏ କଥା କିନ୍ତୁ ସମସ୍ତଙ୍କୁ ଭଲ ଲାଗେ ନାହିଁ । ଗାଁର କୁଲି ମଜୁରିଆ ରାମିଆ, ବୁଦ୍ଧିଆ, ରଘୁଆ, ଦାମିଆଙ୍କ ମନକୁ ଏକଥା ପାଏ ନାହିଁ । ବାଟରେ ଘାରେ କଥା ହୁଅନ୍ତି-

‘‘ଜାଣିଲ କି ଭାଇ, ବଡ଼ ଲୋକଙ୍କର ବଡ଼ ବୁଦ୍ଧି ବୋଲି କହନ୍ତି; ମାତ୍ରକ ଏ କୋଉ କାଳର ବଡ଼ ବୁଦ୍ଧି କହିଲୁ ଭଲା । ଆମେ ଜାଣୁ ଯେ ପାଠ ପଢ଼ିଲେ ଲୋକେ ଭଲ ହୁଅନ୍ତି । ଏ କଣ କହୁଚନ୍ତି ନା ଏଇ ଇସ୍କୁଲଟାକୁ ଭାଙ୍ଗି ଦିଅ-ପିଲେ ପାଠ ପଢ଼ି ଖରାପ ହୋଇ ଗଲେ ।’’

ରାମ ଟିକିଏ ଛୋଟା । ତାର ଛୋଟା ଗୋଡ଼ଟାକୁ ସେ ପାହାରେଇ ପାହାରେଇ ପକାଇ କହେ–‘‘ଆରେ ଭାଇ, ଆମେ ସିନା କହିବୁନି, କଥା କଣ ବୁଝି ପାରୁନୁ ? ଏ ସାନ ପରମଗୁରୁ ନଥିଲେ କି ଏ ଇସ୍କୁଲ୍ ଫିସ୍କୁଲ କିଛି ଥାଆନ୍ତା । ସେ ପରା ମାସକୁ ମାସ ଟଙ୍କା ଗଣୁଛନ୍ତି, ନିଜେ ଯାଇ ପାଠ ପଢ଼ଇ ବୁଝାଇଛନ୍ତି–ବାବୁ ଲୋକ ନା ।’’

ବାମିଆ ତାର କୁତା ପିଠିକୁ ଟିକିଏ ସଳଖ କରି କାଢ଼ି–‘‘ଆରେ ଭାଇ ସତ କହିଲେ କଣ ଏ ଗାଁ ରେ ରହି ହବ? ସେ କହୁଛନ୍ତି ହାଡ଼ି, ପାଣ, ଆମେ କଣ ଏ ଗାଁରେ ହାଡ଼ି ପାଣ ନୋହୁ ? ଆମେ ତ ବଳଦ, ଆମେ ତ କାଠ । ପରମଗୁରୁ ସାଆନ୍ତେ କଣ ମିଛ କହୁଛନ୍ତି ? ସେ କହୁଚନ୍ତି ସମସ୍ତେ ପାଠ ପଢ଼, ଭଲ ହୁଅ । ଆମେ ଯେବେ ପାଠ ପଢ଼ିବା, ଆମେ ଯେବେ ବହି ଧରି ପିଣ୍ଡାରେ ବସିବା ଆଉ ୟାଙ୍କର ଲଦନ ବଳଦ ହବ କିଏ ? ଆମେ କାଗଜରେ ଲେଖି ଶିଖିଲେ ଏଇ କରଣ ସାଆନ୍ତେ କରିବେ କଣ ? ସେଇଥିକି ଗାଁରେ ଦୂରି ପଡ଼ୁଚି-ଅଜାତିଆ, ଅଜାତିଆ, ଇସ୍କୁଲଟା ଖରାପ ! କଣ କହୁନୁ ଈଶରା ଭାଇ ? ଦେଖୁନୁ ଆମ କୁସୁନିକୁ, କିମିତି ଦହି ଧରି ପଢ଼ିଲାଣି ?’’

ଦିନେ ଏହି ପରି କଥାବର୍ତ୍ତା ଭିତରେ ରାମିଆ ହଠାତ୍ ବୁଳିପଡ଼ି ଆଖି ତରାଟି ଦେଲା । ଦେଖିଲା ଆଗରେ କବିରାଜେ । ସମସ୍ତେ ଜିଭ କାମୁଡ଼ି ପକାଇ ବାଟ ତଡ଼କୁ ଘୁଞ୍ଚି ଯାଇ-ଥଙ୍ଗି ଥଙ୍ଗି କହିଲେ–‘‘ସାଆନ୍ତେ, ଏଇ ପାଠପଢ଼ା କଥା କଣ ହେଲା ?’’

କବିରାଜେ ବାହାଦୂରୀ ଦେଖାଇଲା ପରି କହିଲେ–‘‘ଆରେ ହବ କଣ ? ଗାଁ ତ ହେଲାଣି ଦୋଫାଙ୍କ । ନ ହେଲେ ଏ ଧୋବା ପିଲା କି ଇସ୍କୁଲ ଘରେ ଥାନ ପାଆନ୍ତି ? ନ ହେଲେ ବ୍ରଜ ପରମଗୁରୁଏ ଯାଇ କି ତାକୁ ଭାଗବତ ବୁଝାନ୍ତେ ? ଏଇ ପାପରୁ ଗାଁକୁ ରଖିବା ପାଇଁ ଅଣ୍ଟା ଭିଡ଼ି କି, ବାହାରୁଚି ? ଅଧିକରେ କହୁଛନ୍ତି, ‘ଏ କହିଲା, ଏ ଦୁଷ୍ଟ ।’ କରୁ କରୁ ସେଇ ପ୍ରଭୁ ଯାହା କରିବେ.....’’

କହି କହି କବିରାଜେ ଚାଲି ଆସିଲେ ।

ରାମିଆ ଛୋଟେଇ ଛୋଟେଇ ତାଙ୍କ ପଛେ ପଛେ ଥଟା କଲା ପରି କହିଲା–‘‘କରୁ କରୁ ସେଇ ପରମଗୁରୁ କରିବେ–କେହି ନାହିଁ ତାକୁ କେହି ନାହିଁ ।’’

ବ୍ରଜର ସକଳ ଦୋଷ ଭିତରେ ଏଇ ସ୍କୁଲ-ପାଠ ପଢ଼ା ଗୋଟିଏ ବଡ଼ ଦୋଷ ବୋଲି ଗାଁରେ କେତେକଙ୍କୁ ଜଣାଗଲା ।

•••

 

-ଅଠର-

 

ଗଉରୀର ପଦେ କଥାରେ ରମାକୁ ଯେ କେତେ ଦିନ, କେତେ ରାତି ଭାବିବାକୁ ପଡ଼ିଲା, ସେ କଥା ରମା କେବଳ ଜାଣିଲା । ସେଦିନ କୌଣସି କଥାରେ ତାର ମନ ଲାଗିଲା ନାହିଁ ପ୍ରତି ମୁହୂର୍ତ୍ତରେ ‘ପତି ଦେବତା’ଙ୍କ ଛବଟି ତା ଆଖି ଆଗରେ ନାଚିଲା । ଶାଶୁ ଘରକୁ ଆସିବାର ଏତେ ଦିନ ଭିତରେ ସେ ଏପରି ଭାବରେ ‘ପତି ଦେବତା’ଙ୍କୁ କେଭେଁ ଦେଖି ପାରି ନ ଥିଲା । ନିଜ ହୃଦୟର ଅସନ୍ତୋଷକୁ ଏପରି ଭାବରେ ସେ କେଭେଁ ବୁଝିପାରି ନ ଥିଲା ।

 

କି ଦାରୁଣ ମାନସିକ ଯନ୍ତ୍ରଣାରେ ସେ ସନ୍ତୁଳି ହେଲା । ରାତିରେ ଆଖି ପକାଇଲା ମାତ୍ରେ ଦେଖିଲା, ଗଉରୀ ହସି ହସି ଆସି ପାଖରେ ଠିଆ ହୋଇ କହୁଛି ‘‘ଆସମ, ବୋଉ ଆସ । ମୁଣ୍ଡଟା ବାନ୍ଧି ଦେବି । ଫୁଲଗୁଡ଼ାକ ଶୁଖି ଗଲାଣି । ଅବନ୍ଧା ମୁଣ୍ଡରେ ଫୁଲ ଘେନିଲେ କଣ ସୁନ୍ଦର ଦିଶିବ ?’’

 

ଗଉରୀ ସେତେବେଳେ ହସୁଥିଲା ସତ; ମାତ୍ର ତା ହସରେ ଆଦୌ ସରାଗ ନଥିଲା । ଶୁଖିଲା ଓଠ, ଶୁଖିଲା ମୁହଁ, କଥାଗୁଡ଼ାକ ସବୁଦିନ ପରି ଟାଣ ଟାଣ ନୁହେଁ । ସେ ଦିନ ଏକାଦଶୀ । ଗଉରୀର ଏକାଦଶୀ...ଗଉରୀ ସେଦିନ ଜଳ ସ୍ପର୍ଶ କରି ନାହିଁ ।

 

ଏକାଦଶୀ ଉପବାସଟା ଗଉରୀ ଅପେକ୍ଷା ରମାକୁ ବେଶୀ ବାଧେ । ଦୁଃଖଟା ସବୁବେଳେ ସବୁ ଜାତିରେ ସମସ୍ତଙ୍କ ପ୍ରତି ସମାନ । ଦୁଃଖର କି ଜାତି ବିଚାର ଅଛି । ଦୁଃଖଟା କଣ ଜଣକର ବୋଲି କିଏ କହି ପାରିବ ? ଦୁଃଖର କି ନିର୍ଦ୍ଦିଷ୍ଟ ସୀମା ଅଛି ?

 

ଗଉରୀର ଏହି ବୈଧବ୍ୟପୂର୍ଣ୍ଣ ଅସୀମ ଦୁଃଖ ରମାର ହୃଦୟକୁ ଛୁଇଁ ତାକୁ ଅଧୀର କରି ପକାଉଥିଲା । ଏକାଦଶୀରେ ମୁଣ୍ଡ ବାନ୍ଧି, ଫୁଲ ପିନ୍ଧି ଦେଶବାସ ହେବାକୁ ତାର ଆଦୌ ମନ ହେଲା ନାହିଁ । ଶେଯରେ ଶୋଇ ଶୋଇ ସ୍ୱପ୍ନରେ ଗଉରୀର କେତେ ଆଦର ସୁଆଗ କଥା ଶୁଣି ସ୍ୱପ୍ନରେ କହିଲା–

 

‘‘ଆଜି ପରା ଏକାଦଶୀ ।’’

 

ଦେଖିଲା, ଗଉରୀ ଚମକିଲା ପରି ହୋଇ କହିଲା–‘‘ଏକାଦଶୀ ! ହଁ, ଆଜି ତ ଏକାଦଶୀ-!’’

 

ସେ ଜାଣେ, ଏକାଦଶୀ କଥା ଶୁଣିଲେ ଗଉରୀ ଏହିପରି ଚମକି ପଡ଼େ; ମାତ୍ର ସେ ଉପବାସ କରେ । ଯେଉଁଦିନ ସେ କାଚ ମାଛ ଛାଡ଼ିଥିଲା, ସେହିଦିନ ଜୀବନରେ ସେ ପ୍ରଥମେ ଚମକି ଥିଲା । ସେହି ଚମକ ତାର ସେହିପରି ରହି ଯାଇଛି । ବିଧବାର ବ୍ରତ କଥା ପଡ଼ିଲେ ସେ ଚମକି ଯାଏ, ଆଉ କାହାର ବିଭାଘର କଥା ପଡ଼ିଲେ ତା ହୃଦୟ ଭିତରେ ଥରେ ଉଠେ ।
 

ଏକାଦଶୀରେ ରମା ମୁଣ୍ଡ କୁଣ୍ଡେଇବ ନାହିଁ, ଏ କଥାଟା ଗଉରୀକି ଭଲ ଲାଗିଲା ନାହିଁ । ରମା ସ୍ୱପ୍ନରେ ଶୁଣିଲା, ଗଉରୀ କହୁଛି–

 

‘‘ଛି, ଏକାଦଶୀରେ ସଧବାମାଇପିଏ ମୁଣ୍ଡ ନ କୁଣ୍ଡାଇଲେ ବଡ଼ ଦୋଷ.....।’’

 

କାହାକୁ ଦୋଷ, କିପରି ଦୋଷ ସେ କହି ଆସୁଥିଲା, ହଠାତ୍ କହିଲା ହେଲା ପରେ କହିଗଳା ।

 

ରମା ପଚାରିଲା ‘‘ଦୋଷ କଣ ?’’

‘‘ଦୋଷ ଆଉ କିଛି ନୁହେଁ ଯେ, ଦୋଷ ଆପଣା କାଚ ସିନ୍ଦୂରକୁ ।’’

ରମା ବଡ଼ ସାହସରେ ପଚାରି ପକେଇଲା-

‘‘ତୁମେ କଣ ଇମିତି କେବେ ଦୋଷ କରିଥିଲ ?’’

 

ଗଉରୀ ଆଉ ସମ୍ଭାଳି ପାରିଲା ନାହିଁ । କୂଳ ଥଳ ହରେଇଲା ପରି ରମାର ବେକକୁ ଧରି ଯାକି ପକାଇଲା । ରମା ତା ବେକକୁ କୁଣ୍ଢାଇ ଧରି କହିଲା–

 

‘‘ଗଉରୀ !’’

 

ଚାହିଁ ଦେଖିଲା, ଘରଟାରେ କେହି ନାହାନ୍ତି । ସବୁଆଡ଼ ଅନ୍ଧାର । କେବଳ ତା ଆଖିପତା ଦି’ଟା ଓଦା ହୋଇଯାଇଛି । ସେ କେବଳ ତକିଆଟାକୁ କୁଣ୍ଢେଇ ଧରିଛି । ତା ବୁକୁ ଦୁମ୍ ଦୁମ୍ ପଡ଼ୁଛି, ଉଠୁଛି ।

 

କେତେ ସମୟ କଣ ହେଲା । ପୁଣି ସେ କେତେ କଥା ଭାବିଲା, ପୁଣି ଆଖି ବୁଜିଲା । ତା ପରେ ଦେଖିଲା, ଗଉନୀ ଧୀରେ ଧୀରେ ଆସି ତା ମୁଣ୍ଡ କୁଣ୍ଡେଇ ଦେଲା । କହିଲା–‘‘ଯା ବୋଉ, ଉଠୁ ।’’

 

ସନ୍ଧ୍ୟା ହେଲା । ଗଉରୀ ଉପାସରେ ଆସକତିଆ ହୋଇ ତଳେ ପଡ଼ିଗଲା । ସେ ରାତିରେ ଖାଇବା ପାଇଁ ରମାର କିଛି ମନ ହେଲା ନାହିଁ । ସେ ମୁଣ୍ଡବନ୍ଧା ତାକୁ ସୁଖ ଲାଗିଲା ନାହିଁ-। ଶୋଇବା ଘରକୁ ଯିବାକୁ ତାର ମନ ବଳିଲା ନାହିଁ । ମୁଣ୍ଡଟାକୁ ମୁକୁଳା କରି ଦେଇ ମଇଳା ଲୁଗା ଖଣ୍ଡିଏ ପିନ୍ଧି ଉପାସରେ ଅଗଣା ବାରଣ୍ଡାରେ ଆସି ଶୋଇ ପଡ଼ିଲା ।

 

ସେହିପରି ଶୋଇଛି, ଦେଖିଲା, ଗଉରୀ ପୁଣି ଧୀରେ ଧୀରେ ଆସି ତା ପାଖେ ଠିଆ ହେଉଛି । ଆଗ ଅପେକ୍ଷା ତା ହାତ ଆହୁରି ଶୀର୍ଣ୍ଣ ହୋଇ ଯାଇଛି । ପାପୁଲି ଦୁଇଟା କଇଁଫୁଲ ପରି ଧଳା । ଆଖିରେ ଆଉ ଜ୍ୟୋତି ନାହିଁ । ସତେ ବା ଅକାଳରେ ଗଙ୍ଗଶିଉଳି ଫୁଲ ଝଡ଼ି ପଡ଼ୁଛି ।

 

ଗଉରୀ ଡାକିଲା–‘‘ଉଠ, ଉଠ, ମୁଣ୍ଡଫିଟିଗଲାଣି, ଆଉ ଥରେ ବାନ୍ଧି ଦେବି ।’’

ରମାର ନିଦ ଭାଜିଗଲା । ଦେଖିଲା, ସବୁ ଶୂନ୍ୟ, ଶୂନ୍ୟ, ଶୂନ୍ୟ, ଅନ୍ଧକାର !

 

ପୁଣି କେତେବେଳେ ତାକୁ ନିଦ ଲାଗିଲା, ସେ ଜାଣେ ନାହିଁ । ଏ ଥର ଦେଖନ୍ତା, ଗଉରୀ ଆସୁଛି ହସି ହସି । ତାର ସେହି ଆଉ ବିଧବା ବେଶ ନାହିଁ । ଗୋରା ଅଙ୍ଗରେ ଅଳଙ୍କାର ମଣ୍ଡି ହୋଇ ଯାଇଛି । କେତେ ଯତ୍ନରେ ତାର ମୁଣ୍ଡ କିଏ ବାନ୍ଧି ଦେଇଛି । କି ହସ ମୁହଁରେ । ପବନରେ ନୂଆ ପାଟଶାଢ଼ୀ ଫର ଫର ଉଡ଼ୁଛି । ସତେ ବା ବା ସାତଟା ସାଗର ଉଛୁଳି ଉଠିଛି । ସେ ହସି ହସି, ଖେଳି ଖେଳି ଆସି କହୁଛି-

 

‘‘ଏଥର ମୁଣ୍ଡ ବାନ୍ଧି ଦେବି ?’’

 

ରମାର ଆନନ୍ଦର ସୀମା ନାହିଁ । ହସ ହସ ତାର ମୁହଁ ସମୁଉ ନାହିଁ । ଗଉଣୀର ବେକକୁ ଦି ହାତରେ ବାକି ଧରି ଓହଳିକା ପରି ହୋଇ ମୁହଁକୁ ମୁହଁ ଲଗାଇ କହୁଛି–‘‘ଗଉରି, ଗଉରି, ତୁମକୁ ଫେରେ ଏ ଦେଶ କିଏ ଦେଲା ? ଆହା, କେଡ଼େ ସୁନ୍ଦର, କେଡ଼େ ସିନ୍ଦୂର ଦିଶୁଛି । ତୁମେ ଇମିତି ବେଶ ହେଲେ ସିନା ମତେ ସୁଖ ଲାଗେ । ମତେ ହସିବାକୁ ମନ ହୁଏ–ଖେଳିବାକୁ ଇଛା ହୁଏ । ଗଉରି ତୁମେ ଆଉ ଏକାଦଶୀ କରିବ ନାହିଁ, ବାରବ୍ରତ ପାଳିବ ନାହିଁ । ତୁମେ ପାଳିଲେ ମୁଁ ପାଳିବି, ତୁମେ ବାର ବ୍ରତ ପାଳିବ ନାହିଁ । ତୁମେ ପାଳିଲେ ମୁଁ ପାଳିବି, ତୁମେ ବାର ବ୍ରତ କଲେ ମୁଁ କରିବି । ତୁମେ ଆଉ ମନା କରିବ ନାହିଁ ସେତେବେଳେ । ତୁମର ତ ମୁଁ ବୋଉ ନୁହେଁ, ମୁଁ ତୁମର ଭଉଣୀ । ଡାକିବ ନାଇଁ ଭଉଣୀ ବୋଲି ?’’

 

ରମାର ଆଖି ଦୁଇଟା ଅନେକ ସମୟ ବନ୍ଦ ହୋଇ ପଡ଼ିଥିଲା । ଆଖି ଫିଟିଲା; ଦେଖିଲା, ଘରଟା ଆଲୁଅ ହୋଇ ଯାଇଛି । ଆଗରେ ରାଧାନାଥ ଆଖି ତରାଟି ମୁହଁକୁ ଚାହିଁ ରହିଛନ୍ତି । ଆଉ ତାଙ୍କରି ବେକଟାକୁ ଏ ନିଜେ ଦୁଇ ହାତରେ ଟାଣି ଧରି, ମୁହଁକୁ ମୁହଁ ଲଗେଇ ‘ଗଉରି, ଗଉରି’ ବୋଲି ଚିତ୍କାର କରିବାରେ ଲାଗିଛି !

 

ସତେ କି ରମା ପିଣ୍ଡରୁ ପ୍ରାଣ ଛାଡ଼ି ଗଲା । ସେ କାହାକୁ କଣ ବୋଲି କହୁଥିଲା ! କେତେବେଳେ ଯେ ସେ ଆସି ଶେଯରେ ଶୋଇଛି, ଛଟପଟ ହୋଇ ‘ପତି ଦେବତା’ କଥା ବିଚାରି ବିଚାରି କେତେ ସମ୍ଭବ ଅସମ୍ଭବ ସ୍ୱପ୍ନ ଦେଖିଛି, କେତେବେଳେ ଯେ ‘ପତି ଦେବତା’ ରାଧାନାଥ ଲଣ୍ଠନଟିଏ ଧରି ଆସି ଘରେ ପହଞ୍ଚଛନ୍ତି, ସେ ଜାଣେ ନାହିଁ । ସେ ଆଖି ଫିଟେଇ ଦେଖିଲା, ଆଗରେ ମଧୁର ସ୍ୱପ୍ନ ଭିତରେ ଗଉରୀ ପରିବର୍ତ୍ତନରେ ବୁଦ୍ଧ ବିକଳାଙ୍ଗ ଛବିଟାଏ ! ...ତା ପ୍ରାଣ କି ସମ୍ଭାଳିବା କଥା !

 

ରମା ସେହି ଶେଯରେ ସେହିପରି କେତେ କଣ ଭାବି ଭାବି ପଡ଼ି ରହିଲା, ଏଣେ ରାଧାନାଥଙ୍କର ଦୁଃସ୍ୱପ୍ନର ସୀମା ରହିଲା ନାହିଁ । ସେହି ରାତିରେ ସେ ଆଖି ପକାଇଲା ମାତ୍ର ଦେଖିଲେ, କେତେବେଳେ ବିଧାତାର ଅଭିଶାପରେ ସେ ଦହି ହେୁଛନ୍ତି, କେତେବେଳେ ବା ନାରୀ ଅଭିଶାପରେ ଘାଣ୍ଟି ହେଉଛନ୍ତି । ପୁଣି କେତେବେଳେ ଯୁବତୀର ଗଳାକୁ ଧରି ସହଳିଲା ପରି ହୋଇ କହୁଚନ୍ତି–‘ଶାସ୍ତ୍ରରେ କଣ ମନା ଅଛି ? ଶାସ୍ତ୍ରରେ କଣ ମନା ଅଛି ? ତେବେ ମୁଁ ତୁମକୁ ବିଭା ହେବା ଭୁଲ ହେଲା ବୋଲି କିଏ ବା କହିଁକି କହିବ ?’

 

ସକାଳ ହେଲା । ରମା ଶେଯରୁ ଉଠି ବସିଆଡ଼ତି ପାଇଁ ଗଲା ବେଳକୁ ରାଧାନାଥ ଗୋଟାଏ କଣରେ ବସି ଘୁମାଉଥିଲେ ।

•••

 

-ଊଣଶି-

 

ରମାର ପ୍ରେମରେ ରାଧାନାଥ ବହୁ ଦିନରୁ ଆଶଙ୍କା କରୁଥିଲେ । ଆଶଙ୍କା ଭିତରେ ମଧ୍ୟ ସେ ବେଳେ ବେଳେ ମଧୁର ସ୍ୱପ୍ନ ଦେଖୁଥିଲେ । କେବେ କେବେ ତାଙ୍କର ସନ୍ଦେହ ହେଉଥିଲା ଯେ, ରମା ତାଙ୍କୁ ମନ ପ୍ରାଣଦେଇ ସୁଖ ପାଉଛି। ସେ ବୋଧହୁଏ ନିଜ ଦୋଷରୁ ସବୁକଥାକୁ ଭୁଲ୍‌ବୁଝୁଛନ୍ତି !

 

ମାତ୍ର ରମାର ପୂର୍ବ ଦିନର ବାଉଳି ଚାଉଳି ଶୁଣି ତାଙ୍କ ମନ ଭିତରେ ଛଳନା ପଶିଗଲ । ଆଖି ତାଳୁକୁ ଖୋସି ହୋଇଗଲାଣି । ରମା ଘରକୁ ମସିଲା ଦିନୁ ସେପର୍ଯ୍ୟନ୍ତ ଯେତେ ଯେତେ ସାନ ବଡ଼, ଭଲ ମନ୍ଦ କଥା ଘଟିଯାଇଛି, ସବୁ କାହୁଁ ଆସି ମୁହୂର୍ତ୍ତକେ ମନ ଭିତରେ ଖେଳି ଉଠିଲା । ସୁପ୍ତ ସ୍ମୃତି ଜାଗିଉଠିଲା ହୃଦୟ ଭିତରେ ଦଳି ଚକଟି ହୋଇଗଲା । ଜୀବନର କିଛି ଦୂର ସେ ପଛକୁ ଫେରି ଚାହିଁଲେ । ସବୁ କଥା ତାଙ୍କୁ.....ଅନ୍ଧାକାରମୟ ଦେଖାଗଲା ।

 

ଶେଯରୁ ଆସି ସେ ପିଣ୍ଡାରେ ବସିଲେ । ସବୁ ଦିନ ସେ ପିଣ୍ଡାରେ ବସନ୍ତି, ସେ ଦିନ କିନ୍ତୁ ସେଠାରେ ଆଦୌ ସୁଖ ଲାଗିଲା ନାହିଁ । ପୁଣି ଘରକୁ ଅଇଲେ । ଘର ଧକ୍‌କା ମାଇଲା ପରି ଲାଗିଲା । କାହାକୁ କଥା କହିବାକୁ ଇଚ୍ଛା ହେଲା ନାହିଁ; ମାତ୍ର କିଛି ନ କହିବାରୁ ଆଗ୍ନେୟଗିରି ପରି ସବୁ ଥା ବୁକୁ ଭିତରେ ଗୁମରେଇ ଗୁମୁରେଇ ଥରିଲା । ଭାବିଲେ, ସତରେ କଣ ରମା ମତେ ମେ ମନେ ଘୃଣା କରୁଛି ?

 

ନିଶ୍ଚୟ ଘୃଣା କରୁଛି !

 

ସେ ଦିନ ମୁହଁ ମାଡ଼ିକରି ଶୋଇଥିଲା । ମୁଣ୍ଡ ବାନ୍ଧିବାକୁ କହିବାରୁ ସେ ମୁହଁ ଶୁଖାଇ ଦେଲା । ଠିକ୍‌ସେହି ସମୟରେ ଭିତରୁ ଗେଣ୍ଡାଟାଏ ବାହାରିଲା ବୋଲି ଗଉରୀ ଦିନେ ନିର୍ଜଳ ଉପବାସ କରିବା ପାଇଁ ସେ ନିଜେ ପୋଥି ଦେଖି ବ୍ୟବସ୍ଥା ଦେଇଥିଲେ । ଏ ବ୍ୟବସ୍ଥାଟା କଣ ରମାର ମନକୁ ପାଇ ନଥିଲା ?

 

ପୁଣି ଦିନେ ସାବିତ୍ରୀ ଅମାବାସ୍ୟା ପଡ଼ିଲା । ରମା ବେଶବାସ ହେବାକୁ ଆଦୌ ରାଜି ହେଲା ନାହିଁ । କହିବାରୁ ଉତ୍ତର ଦେଲା–‘‘ଗଉରୀ ଝିଅ ଘରେ ଥାଉ ଥାଉ ମୁଁ ପାଟପତନି ପିନ୍ଧି ବେଶ ବାସ ହୋଇ ପାରିବି ନାହିଁ ।’’ ଏତ କମ୍‌ସାହାସର କଥା ନୁହେଁ !

 

ଆଉ ଦିନେ–ସେ ଦିନଟ ବୈଶାଖ ମାସର ବଡ଼ ଏକାଦଶୀ ରାଧାନାଥଙ୍କ ଏକାଦଶୀ ପାରଣା ପାଇଁ ଘିଅ ଦୁଧର ନାନା ବ୍ୟବସ୍ଥା ହେଲା । ରାତିକି ଦେଖାଗଲା, ରମା-ଦିନଟାଯାକ ନିର୍ଜଳ ରହି ଗଉରୀ ପାଦତଳେ ଶୋଇଛି !

 

ଏହିପରି କେତେ କତେ ପାରିବାରିକ ସାନ ବଡ଼ ଘଟଣା ରାଧାନାଥଙ୍କ ସ୍ମୃତିପଟରେ ସଜୀବ ହୋଇ ଉଠିଲା । ଏସବୁ କଥା ଭିତରେ ରମା କେତେବେଳେ ତାଙ୍କୁ ଘୃଣା କଲା, କେତେବେଳେ ଉପହାସ କଲା, କେତେବେଳେ ବା ବିରାଗରେ ମୁହଁ ବୁଲେଇ ନେଇ ପୁଣି ଭ୍ରୁକୁଟୀ କଟାକ୍ଷରେ ଚାହିଁଲା । ମାତ୍ର ଥରେ ହେଲେ ସେ ତାର ଯୌବନ ଛଳଛଳ ବୁକୁ ପାଖେ ତାଙ୍କୁ ଆଲିଙ୍ଗନ କଲା ନାହିଁ କି ସରସ ମଧୁର ବଚନ ପଦେ କହି ମନ ମୋହି ନେଇ ପାରିଲା ନାହିଁ । ସେ ତା ପାଇଁ ଯେଉଁ ପ୍ରେମର ପୁଷ୍ପଶର୍ଯ୍ୟା ବିଛେଇ ରଖିଥିଲେ, ସେଥିରେ ସେ ସଗର୍ବରେ ପଦାଘାତ କରି ତୁମୁଳ ବିବାଦ ସୃଷ୍ଟି କରିଦେଲା । ସେ କଥା ନ କହି ବୁଦ୍ଧ ରାଧାନାଥଙ୍କ ବୁକୁରେ ଛୁରୀ ମାଇଲା । ସ୍ନେହ ସୁଆଗ ବଚନରେ ସେ ଥରେ ହେଲେ ହସି ନ ଦେଇ ତାଙ୍କର ବୃଦ୍ଧ ପ୍ରାଣକୁ ଆହୁରି ନିର୍ଜୀବ କରିଦେଲା ।

 

ଏ ସବୁ ଭୋଗି ଭୋଗି ରାଧାନାଥଙ୍କ ଆସନ୍ନ ଶୁଷ୍କ ପ୍ରେମ ହୃଦୟ ଭିତରେ ରାଗ ମଉ ହିଂସାରେ କୁହୁଳି ଉଠିଲା। ଅଶାନ୍ତ ନିଆଁରେ ପୋଡ଼ି ଜଳି ହୋଇ ସେ ଛଟପଟ ହେବାକୁ ଲାଗିଲେ । ଏହି ଅଶାନ୍ତିରୁ ଆତ୍ମରକ୍ଷା କରିବାପାଇଁ ସେ କେତେଥର କେତେ ବେଶ ବଦଳାଇଛନ୍ତି, ବାଧ୍ୟ ହୋଇ କେତେ ମଧୁର ହାସ୍ୟହସିଛନ୍ତି, ରମା କାନରେ କେତେ କୋମଳ ବଚନ ଶୁଣାଇଛନ୍ତି–ମାତ୍ର ସବୁ ବିଫଳ ହୋଇଛି ।

 

ମନଟା ଫାଟି ଯାଇପାରେ; ମାତ୍ର ସେଥିପାଇଁ ଛାତିଟା ଫାଟି ଯାଏ ନାହିଁ । ତେଣୁ ରମା ଭିତରର ଫଟା ମନ ଦେଖିବା ପାଇଁ ରାଧାନାଥଙ୍କୁ ବହୁତ ଭ୍ରମି ହେବାକୁ ପଡ଼ିଲା ।

 

ରମା ବାଉଳି ହୋଇ କଣ ନ କହିଲା ! ‘ତୁ ଏକାଦଶୀ କଲେ ମୁଁ ଉପାସ ରହିବି !’ ଭାବି ଦେଇ ରାଧାନାଥଙ୍କ ସବୁ ଶିର ଥରି ଉଠିଲା । ବହୁତ ଭାବି ଭାବି ସ୍ଥିର କଲେ ଯେ, ସେ ସବୁ ଗଉରୀ ହାତର କାମ ! ନ ହେଲେ ରମା କିଆଁ ତା ପାଇଁ ଏକାଦଶୀ କରିବାକୁ...‘‘ରାମ, ରାମ, ରାମ, ଅଲକ୍ଷଣୀଟାକୁ ଘରେ ପୋଷି ତେବେ କଣ ଏଇ ପଲ ଫଳିଲା ।’’

 

ଅଭାଗିନୀ ଗଉରୀ ଉପରେ ସମାଜରା ପ୍ରହାର ବାଜିଥିଲା, ସେଥିରେ ସେ ଘରେ ରହିପାରିବାକୁ ସମର୍ଥ ଥିଲା । ଏବେ ନନା ଙ୍କର ପୁଣି ପ୍ରହାର.....ୟାକୁ ସେ ସମ୍ଭାଳିବ କିମିତି ?

 

ସେହି ଦିନୁ ଗଉରୀ ଉପରେ ରାଦାନାଥଙ୍କ ତୀବ୍ର ଦୃଷ୍ଟି ପଡ଼ିଲା । ସ୍ୱାର୍ଥରେ ଅନ୍ଧ ହୋଇ ଗଉରୀକୁ ସେ ଆଉ ‘ଗଣ୍ଠିଧନ’ ଗଉରୀ ରୂପରେ ଦେଖି ପାରିଲେ ନାହିଁ । ତାଙ୍କ ପ୍ରାଣରୁ ସନ୍ତାନ ବାତ୍ସଲ୍ୟର ମଧୁର ନିର୍ଜର କୁଆଡ଼େ ଶୁଖିଗଲା। କଳ୍ପିତ ବ୍ରହ୍ମରାକ୍ଷସ ପରି ତାଙ୍କ ମନ କେବଳ ଗଉରୀ ପଛେ ପଛେ ରହି ତାର ଦୋଷ ଦେଖିବାରେ ଲାଗିଲା । ଏଣିକି ଗଉରୀ ଘରେ ଭାତ ରାନ୍ଧିଲେ ଦୋଷ, ନ ରାନ୍ଧିଲେ ଦୋଷ । ସେ ନନାଙ୍କ ଆଗେ କଥା କହିଲେ ଦୋଷ, ନ କହିଲେ ଦୋଷ ।

 

ରାଧାନାଥଙ୍କର ଏ ମତି ଗତି ଗଉରୀକି କିଛି ଅଛପା ରହିଲା ନାହିଁ । ଅଳ୍ପ ଦିନ ଭିତରେ ରମା ଆଧ୍ୟ ସବୁ ବୁଝି ପାରିଲା । ରମା ଯେତିକି ବୁଝିଲା, ରାଧାନାଥଙ୍କ ରାଗ ସେତିକି ବଢ଼ିଲା ।

•••

 

-କୋଡ଼ିଏ-

 

ଦିନେ ସତ୍ୟଭାମା ପୁଅ ମୁଣ୍ଡକୁ ଧୀରେ ଧରେ ଆଉଁସି ମଉଁସି କହିଲେ–‘‘ବୁଲି ବୁଲି ତ କଣ୍ଟା ଦି’ଖଣ୍ଡ ରହିଗଲାଣି। ଲୋକେ ସବୁ ପଛରେ କଣ କହୁଛନ୍ତି ଶୁଣୁନୁ ? ଯାହା ତ ହେଲା ହେଲା, ଏତେ ଏତେ କଥା ଶୁଣାଇବାକୁ ଦଇବ ମତେ କାହିଁକି ଜୀଆଇଛି ?’’

ବ୍ରଜ ବୋଉ ମୁହଁକୁ ଚାହିଁ ଟିକିଏ ରହି କହିଲା–‘‘ବୋଉ, ମୁଁ ଇମିତି କି ପାପ କରିଛି ଯେ ସବୁବେଳେ ତୁ ଇମିତି କଥା ଭାବୁଛୁ ? ମୁଁ ତ ଚୋରି କରୁନି କି କାହାକୁ ମାରଧର କରୁନି । ଲୋକେ ମତେ କାହିଁକି କଣ ବୋଲି କହିବେ ?’’

‘‘କଣ କହିବେ ବୋଲ କହୁଚୁ ? କାଲି ମତେ ନୀଳ ବୋଉ ଯାହା କହିଲା.....ହରରେ ଦଇବ, ଏତେ ଏତେ କଥା ମତେ ସହିବାକୁ ଥିଲା ? ମୁଣ୍ଡ ପୋତି ପୋତି ଅଇଲା ଭାରି ।’’

ସେତେବେଳେ ବୋଉ ମନର ଭାବ ଦେଖି ବ୍ରଜର ମନ ବଡ଼ ନଇଁଗଲା । କେବେ ହେଲେ ସେ ବୋଉ ମନରେ କଷ୍ଟ ଦେବ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା । ଯେ କୌରସି କାର୍ଯ୍ୟ କଲାବେଳେ ସେ ଆଗେ ଆଗେ ତା ବୋଉର ହସ ହସ ମୁହଁଟିକୁ ଦେଖେ । ସତେ ଅବା ତା ବୋଉ ସର୍ବଂସହା ବସୁନ୍ଧରା ପରି ପୁଅର ଭାବ ଦେଖି ସେ ନିତାନ୍ତ ଶିଶୁ ପିଲାଟି ପରି ଅତି ବିନୟନମ୍ର ସ୍ୱରରେ କହିଲା–‘‘ବୋଉ, ଯେ କହୁଛନ୍ତି ସେ କଣ ସତ ମିଛ କିଛି ଜଣି ପାରୁଛନ୍ତି ? ତାଙ୍କ କଥାକୁ ଧରି ବସିଲେ ବା ତାଙ୍କ କଥାରେ ରାଗ ଅଭିମାନ କଲେ ଲାଭ କଣ ? ଜାଣୁଥିଲେ କି ସେମାନେ ଇମିତି କଥା କିଛି କହନ୍ତେ ?’’

‘‘ସତ ମିଛ କଣ କହିବେ ରେ ? ତୁ ତ ଯାହା କରୁଚୁ ସବୁ କହି ବୁଲୁଚୁ । ସେଇ କଥା ସେ କହୁଚନ୍ତି, ଆଉ ସତ ମିଛ କଣ କହିବେ ?’’

‘‘ମୁଁ ଯାଉଚି, ଏ କଥା ସତ । ଯାହା କରୁଚି, ତା ମଧ୍ୟ ସତ । ମାତ୍ର ମୁଁ ସତ କଥା ପାଇଁ କରୁଚି କି ମିଛଟାରେ ଇମିତି କରୁଚି, ସେମାନେ ସମସ୍ତେ ତା ବୁଝି ପାରୁଛନ୍ତି ?’’

ସେମାନେ ବୁଜନ୍ତୁ ନ ବୁଝନ୍ତୁ, ତୋର କଣ ଗଲା ? ତୋତେ ଏଘରିଆ କଲା ବେଳେ କଣ କିଏ ପିଠିରେ ପଡ଼ିଲେ ? ଗାଁରେ ମେଳି.....ତୁ ଇମିତି ଏଡ଼େ ବଳୁଆ ହୋଇଚୁ ଯେ ସମସ୍ତଙ୍କ କଥା ଏଡ଼ି ଦେଇ ଚଳିବୁ..... ।’’

ବ୍ରଜ ଆହୁରି ହସି କହିଲା-‘ଆଲୋ ବୋଉ, ମେଳି କଥା ସିନା କହୁଚୁ; ମାତ୍ର ପ୍ରକୃତରେ ମେଳି ନାହିଁ । ଖାଇବା ପିଇବା ବାହାର କଥାରେ ଲୋକେ ଖାଲି ମାନ ମହତ୍ତ୍ୱ ଜଗି ଜଗି ମରୁଛନ୍ତି । ସେ ଦିନ ତ ଦେଖିଲୁ, ଗାଁଯାକ ମେଳି କରି ମନେ କଲେ; ମାତ୍ର ଜଣ ଜଣ ହୋଇ କେତେ ଜଣ ଶ୍ରାଦ୍ଧରେ ଆସି ଖାଇଗଲେ । ଏ ଯେଉଁ ସ୍କୁଲରେ ବଶୀ ଅଛି ସେଥିରେ ଗୋଳମାଳ ଭିଆଇ ଭାଙ୍ଗି ଦେବାକୁ କେତେ ଚେଷ୍ଟା ଚାଲିଛି । ସେଇଥିରୁ ଲୋକ ଆସି ମୋ ପାଖେ କହିଦେଇ ଯାଉଛନ୍ତି, ‘‘ଯାହାର ପିଲେ ନାହାନ୍ତି ସେ ବସିଛନ୍ତି ଭାଙ୍ଗି ଦେବାକୁ । ତୁ ନ ବିଚାରିଲେ ଆମ ପିଲାଗୁଡ଼ାକ ମୂର୍ଖ ହୋଇଯିବେ, ବାବୁ ।’’ ଏ ସବୁ କଥା କଣ ମେଳି ଥିବା ଲୋକେ କରନ୍ତି ? ଖାଲି ସବୁଠି ଛଳନା ଚାଲିଚି । ଆମ ବଡ଼ ଜାତି ଲୋକେ ଯେମିତି ଛୋଟ ଜାତି ଲୋକଙ୍କୁ ଛୁଇଁଲେ ମାରା ହୋଇ ଯାଉଚନ୍ତି ବୋଲି ହୁରି ହେଉଚି, ଛୋଟ ଜାତିଙ୍କ ଭିତରେ ମଧ୍ୟ ଏହିପରି କେତେ କଥା ରହିଚି । ଦେଶଟା ଯାକ ଇମିତି ରୋଗ ଚାଲିଚି । ମେଳି ଭିତରେ ଅମେଳ ଅଛି, ଅମେଳ ଭିତରେ ଖାଲି ବିଷ ଅଛି ।’’

ପୁଅର କଥାଗୁଡ଼ାକ ସତ୍ୟଭାମା ବୁଝିଲେ କି ନାହିଁ କେଜାଣି, ଖାଲି ବାଲୁବାଲୁ କରି ଚାହିଁ ରହିଲେ । ତା ପରେ ବୋଧହୁଏ ଉତ୍ତର ଦେବା ପାଇଁ କୂଳଥଳ ନ ପାଇ କହିଲେ-

‘‘ତତେ ଏତେ କଥା କିଏ କହିଲା ? ଗାଁରେ ତ ଏତେ ଲୋକ ଅଛନ୍ତି, ତୁ ପଞ୍ଜାକୁ ଧରି ଏତେ ନାଟ କିଆଁ କରୁଚୁ? ନରି ବୋଉ କହୁଥିଲା, ହରି ବୋଉ କହୁଥିଲା, ଲୋକା ବୋଉ କହୁଥିଲା-ମସ୍ତେ କହୁଥିଲେ ତୋରି କଥାରେ ସମସ୍ତେ ମାନିଚନ୍ତି । ହଁ, ଗୋଟିଏ କଥା ମନେ ପଡ଼ିଲା । ତୁ ପୁଣି କୁମଡ଼େ ଗାଁ ପିଲାଙ୍କୁ ମତେଇଚୁ ଯେ ଆମେ ଯିଏ ବାଉରୀ ଲୋକ ସିଏ ? ଏ ବୁଦ୍ଧି ତତେ କିଏ ଦେଲା ?’’

‘‘ଆଚ୍ଛା, ବୋଉ, ମୋ କଥା ଟିକିଏ ଭଲ କରି ଶୁଣ୍‌। ଆମେ ଯେବେ ବାଉରୀ ସାଇରେ ଥାନ୍ତେ, ଆଉ ସେଠି ଆଆ ବାସୁଆ ପରି ଆମେ ଚଳୁଥାନ୍ତେ–ମଦ ଖାଉଥାନ୍ତେ, ଗୋରୁ ମାରୁଥାନ୍ତେ, ପାପ କରୁ ଥାନ୍ତେ, ମିଛ କହୁଥାନ୍ତେ, ସେତେବେଳେ ଆମକୁ ଯେବେ କିଏ କହନ୍ତା–‘ପାପ କରନାଇଁ, ଗୋରୁ ମାର ନାଇଁ, ମିଛ କହ ନାଇଁ, ପାଠ ପଢ଼, ସତ କଥା କହ, ଦେହକୁ ସଫା ସୁତୁରା ରଖ’-ତାହା ହେଲେ କଣ ଆମେ ତାକୁ ଗାଳିଦିଅନ୍ତେ ବୋଉ ? ଆମକୁ ତ ସେ ସବୁ କଥା ଭଲ ଲାଗନ୍ତା–ନୁହେଁ ? ଆଉ ସେତେବେଳେ ଆମକୁ ଏସବୁ ଭଲ କଥା ଶିଖାଉଥାନ୍ତେ, ତାଙ୍କୁ ଯେବେ ଆଉ କିଏ ଲୋକ ଗାଳି ଦିଅନ୍ତା, ଆମେ କଣ ସେ ଲୋକକୁ ପ୍ରଶଂସା କରନ୍ତେ ? ନା, ତା କେଭେଁ କରନ୍ତେ ନାହିଁ ।’’

ବୋଉ ପୁଅର ଏ ଥାର ଉତ୍ତର କଣ ଦେବ ? କେବଳ ତାର ସ୍ନେହ ଢଳଢଳ ମକି ଦୁଇଯାର ଚାହାଣୀ ପୁଅର କପାଳ ଉପରେ ପଡ଼ି ରହିଲା ।

ଏହିପରି ସମୟରେ ବାଡ଼ି ଦୁଆରେ ପାଟି ଶୁଭିଲା-

‘‘ସାଆନ୍ତେ ଅଛ କି ସାଆନ୍ତେ ?’’

ବ୍ରଜ ଚମକିଲା ପରି ହୋଇ କହିଲା–‘‘ବୋଉ, ଗୋଟିଏ କଥା ମନେନାହିଁ । କହିବି କହିବି ବୋଲି ପାଶୋରି ଦେଲି । ଗୋଟିଏ ପରିବକୁ ଆଜି ଭାତ ମୁଠିଏ ଦେବାକୁ ହେବ ।’’

‘‘ତୋର ତ ସେଇ କଥା ସବୁବେଳେ । ଏ ଦିମ ନିଆ ଦିନେ ହେଲେ ଛାଡ଼ ହେଲା ? ଆଜି ବୁଢ଼ା ଆସିଲେ କାଲି ପିଲା ଆସିଲା, କାଲି ଅନ୍ଧ ଆସିଲେ ପରଦିନ ଛୋଟା ଆସିଲା । ଥିଲା ଘର ପରି ସବୁବେଳେ ବିଭାଘର ଭୋଜି ଭାତ ଚାଲିଚି । ଆସିବ କୁ’ଠୁ ଏତେ ?’’

‘‘ଭାତ ମୁଠାକରେ କଣ ବୋଉ ସବୁ ସରିଯିବ ? ଯାଇଥିଲି ରୁଅପଡ଼ାକୁ ଯେ, ମାଇପି ଲୋକଟିଏ ତିନି ସଳି ହେଲା ଉପାସ ଅଛି, ଦେଖିଲି । କହି ଆସିଥିଲି ମୁଠେ ଆମ ଘରଠି ଖାଇ ଦେଇ ଯିବାକୁ ।’’

ପାଟି ଶୁଭିଲା–‘‘ସାଆନ୍ତେ, ଅଛ କି ?’’

Unknown

‘‘ଯା, ଯା, ବୋଉ ! ପୁଣି ସେ ଡାକ ପକାଇଲାଣି । ଇମିତି ଲୋକକୁ ଖାଇବାକୁ ଦେଲେ କଣ ଲୋକେ ମତେ ଗାଳି ଦେବେ ବୋଲି ଭୟ କରୁଚୁ ? ସେମାନେ ପରା ଦରିଦ୍ର । ତାଙ୍କର ସଂସାରରେ ଆଉ କିଏ ଅଛି ?’’

କିଛି ସମୟ ପୂର୍ବରୁ ବୋଉର ହୃଦୟରେ ବ୍ରଜ ପ୍ରତି ଯେଉଁ ବିରୋଧଭାବ କ୍ଷୀଣ ଭାବରେ ଜାଗି ଉଠିଥିଲା, ଏହି କେତେ ପଦ ଶୁଣି ତାହା କୁଆଡ଼େ ଉଭେଇ ଗଲା ।

ଶୁଭିଲା–‘‘ସାମନ୍ତେ....’’

‘‘ଓହୋ, ତୁ ଯେମିତି, ଯାହାକୁ ଡାକି ମଣିଚୁ, ସିଏ ସିମିତି । ବସେଇ ଉଠେଇ ଦେବନି ପରା ।’’ କହି ବୋଉ ଉଠି ଚାଲିଗଲା ।

ବ୍ରଜ ସେହିଠାରେ ସେହିପରି ପଡ଼ି ରହି ମନେ ମନେ ବିଚାରିଲା-‘‘ବୋଉ ମୋର ବୁଝୁନି କଣ ? ସବୁ ତ ବୁଝୁଚି। ବୁଝେଇ ଦେଲେ ସତ କଣ, ମିଛ କଣ, ଜାଣି ପାରୁଚି ।’’

•••

 

-ଏକୋଇଶି-

 

ସେ ଦିନ ରାତିରେ ସତ୍ୟଭାମା ପଲକ ଉପରେ ମାତ୍ର ତାଙ୍କ ଆଗରେ ଗୋଟିଏ ଦୀନଦରିଦ୍ରା ଅନାଥା ଆସି ଠିଆ ହେଲା । ଅନାଥାର ଦେହରେ ଚିରାକନା ଖଣ୍ଡିଏ । ଆଖି ଦୁଇଟି ସହସ୍ର ଯୁଗର ନିରାଶା ଦାଉରେ ସତେ ଅବା କୋଟରଗତ । ଗାଲ ପଶିଯାଇଛି, ଓଠ ଦୁଇଟି ପାଚଲା ଜାମୁକୋଳିପରି କଳା ପଡ଼ିରହିଛି । ହାତର ଶିରା ଗୋଟି ଗୋଟି ହୋଇ ବାରି ହୋଇଯାଉଛି । ଏପରି ଅବସ୍ଥାରେ ସେ ଆସି ସତ୍ୟଭାମାଙ୍କ ପାଖେ ଲୁହ ଢାଳି ଢାଳି ଠିଆ ହେଲା-। ସେ ଓଠ ମେଲେଇ କଣ କହୁ ନ କହୁଁ ସତ୍ୟଭାମାଙ୍କ ଆଖି ପଲକ ଫିଟିଗଲା । ଚମକି ଚାହିଁଲା, ଘରେ ସେ ଏକାକିନୀ ଶୋଇଛନ୍ତି, କେହି କୁଆଡ଼େ ନାହିଁ ।

 

ପୁଣି ଆଖି ମୁଦିଲେ, ପୁଣି ଦେଖିଲେ ସେହି ଅନାଥାର ଛବି । ସତେ ଅବା ସେ ତାକୁ କେବେ ଚିହ୍ନିଛନ୍ତି । ଦୋଦୋଚିହ୍ନା ହୋଇ କେତେ କଥା କଣ ଭାବୁଛନ୍ତି, ଅନାଥା ହଠାତ୍‌ଓଠ ମେଲାଇ କ୍ଷୀଣ କଣ୍ଠରେ କହିଲା–

 

‘‘ମା, ତମ ପୁଅ ଯୁଗୁରାଇଜ କରନ୍ତୁ । ମୋର ଜାତି ନାଇଁ କି ପତି ନାଇଁ, ମତେ ତୋରାଣୀ ମନ୍ଦିଏ ଦେଇ ପ୍ରାଣ ରଖିଲ ।’’

 

ସତ୍ୟଭାମା ମଖି ମେଲାଇଦେଲେ । ହଠାତ୍‌ତାଙ୍କର ମନେ ପଡ଼ିଲା ଦି’ପହର ବେଳର ସେଇ ଅନାଥାଟିର କଥା । ସେଇ ଆସି ତାଙ୍କୁ ଖାଇବାକୁ ମାଗିଥିଲା–ତାକୁ ଏ ତୋରାଣୀ ମନ୍ଦିଏ ପିଇବାକୁ ଦେିଥିଲେ । ସେହି କରୁଣ ଦୃଶ୍ୟରେ ସେ ଏଡ଼େ ବିଚଳିତା ହୋଇ ପଡ଼ିଥିଲା ଯେ, ଛାଇନିଦ ହେଉଁ ନ ହେଉଁ ତାହା ସ୍ୱପ୍ନରେ ଦେଖାଗଲା ।

 

ସତ୍ୟଭାମା ଶେଯରୁ ଉଠି ବସିଲେ । ଦିନର ସକଳ କଥା ତାଙ୍କ ମାନସପଟରେ ଲେଖି ହୋଇଗଲା । ଆଉ କିଏ ନ କହିଲେ ମଧ୍ୟ ସେହି ସ୍ୱର ସେହି ପରି ତାଙ୍କ କାନରେ ବାଜିଲା–

 

‘‘ଆଚ୍ଛା, ବୋଉ, ଆମେ ଯେବେ ବାଉରୀ ହୋଇଥାନ୍ତେ, ମଦ ଖାଉଥାନ୍ତେ, ପାପ କରୁଥାନ୍ତେ ଆମକୁ ଯେବେ କିଏ କହନ୍ତା-ମଦ ଖାଅନି, ପାପ କରନି, ତାହାହେଲେ ଆମେ କଣ ତାକୁ ଗାଳି ଦିଅନ୍ତେ ?’’

 

ମନେ ମନେ ଏ କଥାଟା ଶୁଣି ତାଙ୍କ ଦେହ ଶୀତେଇ ଉଠିଲା । ପୁଣି ଶୁଭିଲା, ବ୍ରଜ କହିଲା-‘‘ବାୟା ନ ହେଲେ କି ମୁଁ ରୁଅପଡ଼ା ଯାନ୍ତି ?’’

 

ତାପରେ ଶୁଣିଲେ, ଦୁଆରେ ଶୁଭିଲା ସାଆନ୍ତେ !

ଭାତକଂସେ, ତୋରାଣୀମନ୍ଦେ ନେଇ ସେ ଦୁଆରେ ଯାଇ ପହଞ୍ଚିଲେ ।

 

ଅନାଥ ଗୋଟେଇ ଆଣିଥିବା ଆଟିକାଟି ପତେଇ ଦେଲା । ଭାତ ତୋରାଣୀ ସେଥିରେ ଅଜାଡ଼ି ଦେଇ ସେ ପଚାରିଲେ–

 

‘‘ତୋର କଣ ଆଉ କିଏ ନାହାନ୍ତି କି ଲୋ ?’’

‘‘ପୋଡ଼ି ଯାଉଲୋ ସେ ଥିବା କଥା, ମା ! ମରୁନି...କେମିତି ମରିବି ବୁଦ୍ଧି ଦିଶୁନି ।’’

‘‘ଧ, ଧ, ଲୁଣ ପୁଞ୍ଜିକ କାନିରେ ଧ । ମା ବାପ ନାହାନ୍ତି, ଘର କଣ ଏଇ ପାଣ ଗାଁରେ-?’’

 

‘‘ହଁ ଲୋ ମା, ଏଇଠି ମୋର ମଶାଣି । ଗଲା ରହିଜଳା ଏଙ୍ଗାମ ଯେ କୁଆଡ଼େ ସିଆଡ଼େ ପୋଡ଼ା ହେଲା । ପେଟ ବିକଳରେ, ମା, ଏଣେ ତେଣେ ବୁଲି ଖାଇଲେ । କୁଳରେ ଏବେ ଧରିଛନ୍ତି-ମୋର ଜାତି ନାଇଁ ।’’

 

‘‘ପାଣଘରର ବୋହୂଟି କି ଲୋ ତୁ ?’’

‘‘ହଁ, ସେଇ ପୋଡ଼, ଗାତ ।

‘‘ଆଉ କଣ ଜାତି କଥା କହୁଚୁ ?’’

 

‘‘ଆଉ କଣ ଜାତି ? ବରଜ ବାବୁ କଣ କହୁ ନାହାନ୍ତି ? ଆହା, ପ୍ରଭୁ ବୁଢ଼ା କରିଥାନ୍ତୁ । ଦିଅଁଟିଏ ଲୋ ମା, ଦିଅଁଟିଏ !

 

ସତ୍ୟଭାମାଙ୍କ ଆଖି ଛଳଛଳ ହୋଇଗଲା । ସେ କଣ କହି ପକାଇବେ ବୋଲି ଓଠ ମେଲାଉ ମେଲାଉ ପୁଣି ଶୁଭିଲା–‘‘ଯାଇଥିଲି ଭିକ ମାଗି ଯେ, ଗୋଟେଇ କରି ଖଲିପତ୍ରରୁ ଖାଇଲି ବୋଲି କୁଳରେ ଧରିଛନ୍ତି । ବରଜବାବୁ ଗାଁକୁ ଗଲା ଦିନୁ ସେ କଥା ପାଞ୍ଚ ଲୋକରେ ପଡ଼ିଚି । ଏ କହୁଚି.....ମତେ କଣ ଆସୁନି ଲୋ ମା, ୟାକୁ ମାନି ମତେ ଆଜି ଜାତି କୁଳର ଲୋକେ ମାନିନେବେ ବୋଲି କହିଲେଣି ଆହା-ପ୍ରଭୁ ତାଙ୍କୁ ଶହେ ବରଷ ଆୟୁଷ ଦିଅନ୍ତୁ ।’’

 

ଅନାଥର ମୁହଁରୁ ପୁଅର ଆଶୀର୍ବାଦ ଶୁଣି ସତ୍ୟଭାମାଙ୍କ ହୃଦୟ ନିଚି ଉଠିଲା । ଆଖି ମେଲାଇ ଦେଖିଲେ, ସେ ବସିଛନ୍ତି ଅନ୍ଧାର ଘରେ କାନ୍ଥକୁ ଆଉଜି । ସେ ସ୍ୱପ୍ନ ଦେଖିଛନ୍ତି-କାଲିର ସତ୍ୟ ଘଟଣାକୁ ଆଜି ସେ ସ୍ୱପ୍ନ ଦେଖିଛନ୍ତି, ଏଥିରେ ଆଦୌ ସନ୍ଦେହ ରହିଲା ନାହିଁ । କାଲି ଠିକ୍‌ଏହିପରି ଅନାଥଟି କହୁଥିଲା, ଏହି ପରି ପୁଅକୁ ଆଶୀର୍ବାଦ କରୁଥିଲା । ତା ପରେ ସତ୍ୟଭାମା ପୁଅ କଥା ଭାବିବାରେ ଲାଗିଲେ-

 

ତେବେ କଣ ବ୍ରଜ ଯାହା କହୁଚି ସତ କହୁଚି । ରୁଅପଡ଼ାର ପାଣଙ୍କ ଭିତରେ ସତେ କଣ ଦେବତାଙ୍କ ଅଂଶ ଅଛି? ପ୍ରଭୁ କଣ ଆମରି ପରି ତାଙ୍କୁ ଦେଖୁଥିବେ ? ପତିତପାବନ ବାନା ତାଙ୍କରି ପାଇଁ କଣ ଉଡ଼ୁଛି ? ବ୍ରଜ କହୁଚି ତାଙ୍କରି ପାଇଁ । ସେ କହୁଚି ଦରିଦ୍ର ନାରାୟଣ । ଦରିଦ୍ର ପାଖେ କଣ ତେବେ ନାରାୟଣ ସତରେ ଅଛନ୍ତ ?’’

 

ଭାବି ଭାବି ସେ କାନରେ ହାତ ଦେଲେ । ନିଜର ଭାବନାକୁ ନିଜେ ସେ ବିଶ୍ୱାସ କଲେ ନାହିଁ । ସେହି ଅନ୍ଧାର ଘର ଭିତରୁ ସେ ବାହାରକୁ ବାହାରି ଆସି ଆଗଣାରେ ଠିଆ ହେଲେ । ବାହାରେ ମଧ୍ୟ ଘୋର ଅନ୍ଧାର । ଅନ୍ଧାରରେ ଠିଆ ଆଲୁଅ ଦେଖି ପାରିଲେ ନାହିଁ । ତାଙ୍କର ବୈଧବ୍ୟ ଜୀବନକୁ ଘେରି ନାନା ଦୁଃଖ ଦୁର୍ଦ୍ଦଶା ସଙ୍ଗେ ଜୀବନର ଏ ଏକ ମହାସମସ୍ୟା ମଧ୍ୟ ଘୋର ଅନ୍ଧକାର ରୂପେ ଘୋଟିଗଲା । ଏ କଥାର କୂଳଥଳ ସେ ପାଇଲେ ନାହିଁ ।

 

ବ୍ରଜର ଶୋଇବା ଘର ଦୁଆରମୁହଁରେ ଯାଇ ପହଞ୍ଚିଲେ ମନେ କଲେ, ବ୍ରଜକୁ ପଚାରି ଦେବେ–‘‘ବ୍ରଜ, ତୁ ମୋ ବେଶଳ ନ ମାନି କାହିଁକି ରୁଅପଡ଼ା ଯାଉଚୁ ? ତୁ ଯେତେ କହିଲେ ମୁଁ ତୋ କଥା ଆଉ ଶୁଣିବି ନାହିଁ, ବୁଝିବି ନାହିଁ । ବ୍ରଜ...ବ୍ରଜ...’’ ସେ ଆଉ ଡାକି ପାରିଲେ ନାହିଁ । ପିଣ୍ଡାରେ ଆଉଜି ବସି, ଗାଲରେ ହାତ ଦେଇ ଆଉରି ଥରେ ସବୁ କଥା ଭାବିବାରେ ଲାଗିଲେ ।

•••

 

-ବାଇଶି-

 

ବିଧବା ହେଲା ଦିନୁ ବ୍ରଜ ଘରେ ଗଉରୀର ପାଦ ଆଦୌ ପଡ଼ି ନାହିଁ କହିଲେ ଚଳେ । ତା ପୂର୍ବରୁ, ବିଭା ହେବା ପରେ ସେ ଥରେ ବା ଦି’ଥର ଘରକୁ ଆସିଥିବ; ମାତ୍ର ତାହା ନିତାନ୍ତ ଅନିଚ୍ଛେ ସତ୍ତ୍ୱେ । ବ୍ରଜ ଘରେ ପାଦ ଦେଲାବେଳେ ତା ବୁକୁ ଭିତରଟା କିୀପରି ଦାଉଁ ଦଉଁ ହୋଇ ପଡ଼େ ଉଠେ । ଯାହାକୁ ସେ ସୁଖରେ ଦୁଃଖରେ ସାଥୀ କରି ଖେଳୁଥିଲା, ତା କଥା କାହାକୁ ପଚାରି ଦେବାକୁ ତାକୁ କିପରି ଲଜ୍ଜା ବୋଧ ହୁଏ ।

 

ବ୍ରଜ ଯେତେବେଳେ ଘରକୁ ଆସିଲା, ଗଉରୀ ମେଘ ଭିତରେ ବିଜୁଳି ଲୁଚି ରହିଲା ପରି ବେଳେ ବେଳେ ବାହାରକୁ ବାହାରେ । ବ୍ରଜ ଆଗରେ ଦେଖା ନ ଦେବା ପାଇଁ ବରାବର ଚେଷ୍ଟା କରୁଥାଏ । ବ୍ରଜ ସିନା ତାକୁ ଦେଖିପାରେ ନାହିଁ; ମାତ୍ର ବ୍ରଜକୁ ସେ ବରାବର ଦେଖେ । ଦୁଇ ପଡ଼ିଶା ଘର ଅଗଣା ମଝିରେ ଗୋଟିଏ ଛୋଟ କାନ୍ଥ । ସେିରେ ପୁଣି ଦୁଇ ଚାରଟି ଛୋଟବଡ଼ ଜଳା-। ସେହି କାନ୍ଥକୁ ଲାଗି ରାଧାନାଥଙ୍କ ଅଗଣା ପାଖେ ଯିବା ଆସିବା ବାରଣ୍ଡା । ଗଉରୀ ସେହି ବାଟେ ଅନେକ ଥର ବ୍ରଜକୁ ଦେଖେ ଏବଂ ଘର ଭିତରେ ଥାଇ ବରାବର ତାର ପାଟି ଶବ୍ଦ ଶୁଣିପାରେ । ଦେଉଳ ଭିତରେ ଶବ୍ଦ ହେଲେ ଯେପରି ପ୍ରତିଧ୍ୱନି ଉଠେ, ବ୍ରଜର ପାଟି ଶବ୍ଦ ଶୁଣି ଗଉରୀ ହୃଦୟ ଦେଉଳ ସହିପରି କିଛି ନା କିଛଇ ପ୍ରତିଧ୍ୱନିତ ହୋଇଉଠେ । ଦୁଇ ଚାରିଟା ପ୍ରତିଧ୍ୱନିରେ ସେ ମ୍ରିୟମାଣ ହେଲାପରି ହୋଇଯାଏ ।

 

ଗଉରୀ ଶୁଣେ, ବ୍ରଜ ତା ବୋଉକୁ କେତେ ଦେଶରେ କେତେ ବିଚିତ୍ର କଥା କହେ । ରୁଅପୋଡ଼ାର ପାଣମାନଙ୍କ ସାମାନ୍ୟ ଛୋଟ ଛୋଟ ଜୀବନ କଥାଠାରୁ କେଉଁ ଦେଶର କେତେ ବଡ଼ ବଡ଼ ଲୋକଙ୍କ କଥା କହି ବସେ । ମାତ୍ର ସେହି ଛୋଟ ଛୋଟ ଅବହେଳିତ ଲାଞ୍ଛିତ ଜୀବନ କାହାଣୀଗୁଡ଼ିକ ତା ତୁଣ୍ଡରେ ଏତେ ଭଲ ଶୁଣାଯାଏ ଯେ, ତାକୁ ଥରେ ଶୁଣିଲେ ପ୍ରାଣରେ ତୃପ୍ତି ଆସେ ନହିଁ । ସୁମଧୁର ବଂଶୀସ୍ୱର ସରି ତାହା ବଡ଼ କୋମଳ, ବଡ଼ ମଧୁମୟ ଜଣାପଡ଼େ । ସତେ ଅବା ସେ ଦରିଦ୍ର ଜୀବନର ହୃଦୟ-ବଂଶୀକି ଥର ଥର କରି ବଜାଇ ମାତୃ ହୃଦୟର ସରସ ଭାବଧାରାକୁ ଆହୁରି ମଧୁମୟ, ଆହୁରି ସୁଧାମୟ କରିବାକୁ ଚେଷ୍ଟା କରେ । ତା ବୋଉ କେବଳ ଶୁଣେ, କହେ-‘‘ଦାୟାଧ ମୋର କେତେ କଥା କହୁଛି । ଏ ତୁଣ୍ଡକୁ ବାଟୁଳି ବାଜିବ ନାଇଁ ପରା !’’

 

ବଜ୍ର ତ ବୋଉକୁ ବୁଝାଏ–‘‘ଆର ଓଳିକି ଦାନା ନାହିଁ, ତଥାପି ସେମାନେ ପରମ ସୁଖୀ । ଭଗବାନ ସେମାନଙ୍କୁ ଏତିକି ଦୟା କରିଛନ୍ତି ଯେ ସେମାନଙ୍କ ପ୍ରାଣରେ ବେଶୀ ଧନ ଲୋଭ, ବେଶୀ ମାନ ଲୋଭ ଦେଇ ନାହାନ୍ତି । ପାପ କହ ବା ଅନ୍ୟାୟ କହ, ସବୁ ଏଇ ଅସନ୍ତୋଷ ମୂଳରେ-। ମୁଣ୍ଡର ଝାଳ ତୁଣ୍ଡରେ ମାରି ପେଟ ପାଇଁ ଅର୍ଜୁଛି, ତା ପାଖେ ପାପର ସ୍ଥାନ ବେଶି ନାହିଁ କହିଲେ, ଚଳେ । ଜଗତ ସଂସାର ସବୁଠି ଅନ୍ୟାୟ ଅଛି, ସବୁଠି ନ୍ୟାୟ ଅଛି । ଏ ଅନ୍ୟାୟ ନ୍ୟାୟକୁ ବାରିହୁଏ କେବଳ ହୃଦୟରେ ଓ କାର୍ଯ୍ୟରେ । ପାପର ଆକାର ପ୍ରକାର କିଛି ନାହିଁ । ମନୁଷ୍ୟଟା ନିଜେ ଅନ୍ୟାୟ ବା ନ୍ୟାୟ, ସତ ବ ମିଛ ନୁହେ । ତାର କାର୍ଯ୍ୟ ହେଉଛି ନ୍ୟାୟ ଅନ୍ୟାୟ, ସତ ମିଛର ସାକ୍ଷୀ । ଯାହାଙ୍କୁ ଆମେ ଅଛୁମଁ ବୋଲି କହି ବୁଲୁଚେ, ସେହି ପାଣ ହାଡ଼ି ଅଛବ ଜାତିର ଲୋକେ ଅନ୍ୟାୟ ବା ପାପର ମୂର୍ତ୍ତି ନୁହନ୍ତି କି ବ୍ରହ୍ମଣ କରଣ ଚଷା ଖଣ୍ଡାୟତ ସତ୍ୟର ଅବତାର ନୁହନ୍ତି । ପାଣ ହାଡ଼ି ବୋଲି ଗୋଟେ ଜାତି ଆଗେ ଭଗବାନ ଗଢ଼ି ନଥିଲେ । ତାଙ୍କୁ ଆମେ ଗଢ଼ିଛେ, ତାଙ୍କୁ ଆମେ ଆମରି ସୁବିଧା ପାଇଁ ଅଲଗା କରି ରଖିଛେ । ଆମର ସେ ମଲା ଗୋରୁ କାଢ଼ିଲେ, ଆମର ସେ ମଇଳା ଉଠାଇଲେ । ତାଙ୍କୁ ଆମେ ଓଲଟି ପୁରଷ୍କା ଦେବା କଣ, ମଲା ଗୋରୁକୁ ଘୃଣା କଲା ପରି, ମଇଳାକୁ ନାକ ଟେକିଲା ପରି ସେ ଲୋକଗୁଡ଼ାକୁ ମଧ୍ୟ ସେହିପରି ଘୃଣା କଲେ, ପାଖରୁ ଦୂର୍‌ଦୂର୍‌, ମାର୍‌ମାର୍‌କରି ତଡ଼ିଲେ । ଏହିପରି ହୋଇ ହୋ କ୍ରମେ ସେମାନେ, ସେମାନଙ୍କ ପିଲାମାନେ, ସେମାନଙ୍କ ବଂଶଧରମାନେ ପାଣ କହ, ହାଡ଼ି କହ ବା ଚଣ୍ଡାଳ କହ-ଯାହା ଇଚ୍ଛା ତାହା ପାଲଟି ଗଲେ । ସମାଜ-ଘରେ କାହାର ଆଦର ଯତ୍ନ ନ ପାଇ ସେମାନେ ପାଲଟିଗଲେ ମ୍ଳେଚ୍ଛ-ନ ହେଲେ ତ ସେ ଆମରି ପରି ମଣିଷ ।’’

 

ଗଉରୀ କାନ୍ଥ ସେ ପଟେ ଏ ସବୁ କଥା ଶୁଣି ମନେ ମନେ କହେ, ‘‘ବ୍ରଜ ଭାଇ ସତେ କେତେମନ୍ତେ କେତେ କଥା ଜାଣେ !’’

 

ବ୍ରଜ ତା ବୋଉକୁ ପୁଣି ବୁଝାଏ-

 

ବୋଉ ଯିମିତି ତା ନିଜ ପୁଅଟିକୁ ସ୍ନେହ କରେ, ଆଦର କରେ, ସମସ୍ତେ ଯେବେ ପର ପୁଅ ଝିଅକୁ ସିମିତି ସ୍ନେହ ଆଦର କରୁଥାନ୍ତେ, ତାହା ହେଲେ କଣ ଭଲ ହୁଅନ୍ତା ନାହିଁ ?’’

 

ବୋଉ କହେ-‘‘ପୁଅ ପରି କଣ ସମସ୍ତଙ୍କୁ କିଏ ସ୍ନେହ କରିପାରିବ ?’’

 

‘‘କାହିଁକି ପାରିବ ନାହିଁ ? ମନେକର, ତୁ ଯେବେ ଭାବିବୁ ଯେ କେବଳ ବ୍ରଜ ତୋର ପୁଅ ନୁହେଁ, ଏ ରୁଅପୋଡ଼ାରେ ଯେତେ ପିଲା ଆଚନ୍ତି ସମସ୍ତେ ତୋର ପୁଅ, ସେତେବେଳେ କଣ ହେବ ?’’

 

ବୋଉ ହସିଦିଏ, କହେ-‘‘ବାୟାଟା ମୋର କେତେ କୁଆଡ଼େ ଶିଖିଚି । ସେ ପରା ହେଲେ ଛୋଟ ଜାତି, ଆମେ ପରା ହେଲେ ବଡ଼ ଜାତି ।’’

 

‘‘ହେଲା ପାଣ ନୁହନ୍ତୁ , ତାଙ୍କ କଥା ଗୁଡ଼ା ଆମ ଗାଁର ବଡ଼ ଜାତିର ପିଲାଯାକୁ ଯେବେ ତୋର ପିଲାଝିଲା ବୋଲି ଦେଖନ୍ତୁ ତେବେ ?’’

 

ବୋଉ ପୁଣି ହସି ଦେଇ କହେ–‘‘ଆରେ ସମସ୍ତେ କିମିତି ପିଲାଝିଲା ହେବେ ରେ ?’’

 

‘‘କାହିଁକି ଦେବେନି ? ଯାହାର ପୁଅ ନାହିଁ ବା ପୁଅ ମରି ଯାଉଛି, ସେ ପର ପିଲାଟିକୁ ତ ପୋଷିଆ ପୁଅ କରି ଆଣିଲେ ତାକୁ ପୁଣି ପୁଅ ପରି ସ୍ନେହ କରୁଚି !

 

ଧର, ସେ ଯେବେ ବିଚାରିବ ଯେ ତାର ଗାଁଟିଯାକ ପୋଷିଆ ପୁଅ ତେବେ କଣ ହେବ-?

 

‘‘ତେ ପାରି ହବନି ରେ ବ୍ରଜ, ପାରି ହବନି । କେତେ କୁଆଡ଼ୁ ଯୋଡ଼ୁଚୁ ଆଣି !

 

‘‘ପାରି ହେବନି କିଆଁ? ବିରାଡ଼ି, କୁକୁରକୁ ଯେବେ ସୁଖ ପାଇ ହେଲା, ମଣିଷ କଣ ତାଙ୍କଠୁ ଊଣା ଯେ ତାଙ୍କୁ ଘୃଣା କରିବାକୁ ପଉଦ ? ମନ ନେଇ ସବୁ କଥା, ବୋଉ ସବ କଥା । ‘ଆପଣାର’ ‘ଆପଣାର’ ବୋଲି ସମସ୍ତେ ହୁଅନ୍ତି । ସେହି ‘ଆପଣାର’ ଟିକକ ଛାଡ଼ିଦେଲେ ଆଉ କଣ ପର ଆପଣା ସେତେ ରହିପାରିବ ? ବୁଝନ୍ତୁ ପର ଝଇଅଟିକୁ ବୋହୂ କଲାମାତ୍ରେ ମଣିଷ ତାକୁ ଝିଅ ପରି ଦେଖୁଛି ଆଗରୁ କାହିଁକି ବା ସେ କଥା ଭାବୁ ନାହିଁ ? ଅସଲ କଥା ହେଉଛି, ସେଠି ରହିଲା ନିଜର ସ୍ୱର୍ଥ, ଆପଣାର ଲାଭ ! ସେତକ ଛାଡ଼ି ଦେଲେ ଆଉ କଣ ଅଛି ?

 

ଗଉରୀ ଅନେକ ଦିନ ସ୍ୱପ୍ନାବିଷ୍ଟ ଭାବରେ ନିଜ ଘର ବାରଣ୍ଡା ପାଖେ ବସି ଏହିପରି ଅନେକ କଥା ଶୁଣେ । ରାତିରେ ନିର୍ଜନରେ ଯେତେବେଳେ ଶୁଏ, ଦିବସର ସକଳ କ୍ଳାନ୍ତ ଗ୍ଲାନି ପ୍ରାଣରୁ ଦୂର କରି କେବଳ ଏହି ବ୍ରଜ କଥା ଭୋବେ । ଭାବି ଭାବି କେତେବେଳେ ବ୍ରଜ ଉପରେ ରାଗ ହୁଏ, କେତେବେଳେ ବା ଡାକ୍ତରେ ତା ପାଦ ତଳେ ମୁଣ୍ଡ ନୁଆଇଁ ମନେମନେ କହେ, ‘‘ବ୍ରଜ ଭାଇ, ଆଉ କଣ ତୁମ ପାଖରେ ବସି ସବୁ କଥା ଶୁଣି ପାରିବି ନାଇଁ ।’’

•••

 

-ତେଇଶି-

 

ରୁଅପଡ଼ା ଗାଁଟା ଲୋକ ଚକ୍ଷୁରେ ନିତାନ୍ତ ହେୟ । ସେ ଭିତରେ ନିତାନ୍ତ ହେୟ ପାଣ ଜାତିଟାର ବାସ । ସେମାନଙ୍କୁ ଧରି ବ୍ରଜ ଯେ କିପରି ଦିନ ରାତି କାମ କରିବାକୁ ଲାଗିଲା, ସେ କଥା ମଧୁପୁର ଅଞ୍ଚଳରେ ସବୁଆଡ଼େ ରାଷ୍ଟ୍ର ହୋଇଗଲା । ପାଣ ଗାଁରେ ବ୍ରାହ୍ମଣ କରଣ ଉଚ୍ଚ ହିନ୍ଦୁ ଲୋକଙ୍କର ପାଦ ପଡ଼ିବା କଥା ନୁହେ । ପାଣକୁ ଛୁଇଁଲେ ମହାପାପ, ଗୋବର ଲଗାଇ ସ୍ନାନ କରିବା ସେ ପାପର ପ୍ରୟଶ୍ଚିତ୍ତ ରୂପେ ବିଧାନ ଲେଖାଅଛି । ଏପରି ଗାଁ, ଏପରି ଜାତି, ଏପରି ପାପୀମାନଙ୍କ ଉଦ୍ଧାର ପାଇଁ ଦିନେ ଚୈତନ୍ୟ ମହାପ୍ରଭୁ ଦେଶଯାକ ପାଟି କରି ବୁଲୁଥିଲେ । ଏବେ ମଧୁପୁରର କେତୋଟି ଲୋକ ସେହିମାନଙ୍କ ଉନ୍ନତିରେ ଲାଗିଗଲେ ।

 

ବ୍ରଜ ଆଉ ତାର ସାଥୀ କେତେ କଣ କେବଳ ସେମାନଙ୍କର ଶିକ୍ଷାଗୁରୁ ହେଲେ ବୋଲି କହିଲେ ଚଳିବ ନାହିଁ, ସେମାନେ ସେମାନଙ୍କର ସାହା ଭରସା ହେଲେ, ସେମାନଙ୍କ ଦୁର୍ବଳ ହୃଦୟରେ ବଳ ହେଲେ, ସେମାନଙ୍କର ଅଜ୍ଞାନ ଅନ୍ଧକାରମୟ ପ୍ରାଣରେ ଆଲୋକର ରେଖାପାତ କଲେ । ଯୁଗରମାଦ୍ଧୀ ଧରି ନାନା ଉତ୍ପୀଡ଼ନରେ ସେମାନଙ୍କ ଅନ୍ତରାତ୍ମା ପେଷି ହୋଇ ଯାଇଥିଲା । ସେହି ଲାଞ୍ଛିତ, ପତିତଗୁଡ଼ିକ ବ୍ରଜର ବିଚିତ୍ର ସ୍ମୃତିରେ ଜୀଇ ଉଠିଲା ପରି ହେଲେ । ସେମାନଙ୍କର ମଳିନ ମୁଖମଣ୍ଡଳରେ ଆନନ୍ଦ ଉଲ୍ଲାସରେ ଢେଉ ଖେଳିଗଲା ! ସେମାନଙ୍କ ଭୟଶଙ୍କିତ ଚାହାଣୀ ଭିତରେ ସାହସା ଉତ୍ସାହର ଜ୍ୟୋତି ଦେଖାଗଲା ।

 

ସେମାନେ ପଚାରିଲେ-‘‘ବ୍ରଜ ବାବୁ, ଆମେ କଣ ପାଠ ପଢ଼ିପାରିବୁ ? ଆମକୁ କଣ କିଏ ମନା କରିବେ ନାହିଁ ?’’

 

‘‘ଆରେ ମନା କରିବ କିଏ ରେ ? ସମସ୍ତଙ୍କର ପାଠ ପଢ଼ିବା ଅଧିକାର ଅଛି । ଖାଇ ପିଇ ଜୀବନ ରଖିବାରେ ସମସ୍ତଙ୍କର ଯେପରି ସମାନ ଅଧିକାର, ଭଲ ହୋଇ ସତ୍‌ପଥରେ ଚଳିବାରେ ସମସ୍ତଙ୍କର ସେହିପରି ଅଧିକାର ରହିଛି ! ମଣିଷ ମାତ୍ରେ ଭଲ ହେବା ପାଇଁ ବାଟ ଫିଟି ରହିଛି- ସେ ବାଟ ଯେ ଭୁଲୁଛି ସେ ଦୁଃଖ କଷ୍ଟ ସହୁଛି !’’

 

ପାଣମାନେ ପାଠ ପଢ଼ିବେ, ବହି କିତାପ ଧରି ଗୀତ ବୋଲିବେ, ସେମାନଙ୍କର ଆନନ୍ଦର ସୀମା ପାଏ କିଏ ? ବୁଢ଼ା ଠାରୁ ପିଲା ଯାଏ ସମସ୍ତେ ମାତି ଉଠିଲେ । ସମସ୍ତେ ପ୍ରାଣ ପଣେ କାର୍ଯ୍ୟରେ ଲାଗିଲେ । ଚାହୁଁ ଚାହୁଁ କେତୋଟା ଦିନ ମଧ୍ୟରେ ଗାଁ ମୁଣ୍ଡ ବରଗଛ ପାଖେ ଗୋଟିଏ ସ୍କୁଲଘର ତୋଳା ହୋଇଗଲା । କିଏ କାଠ ଖଣ୍ଡିଏ, କିଏ ନଡ଼ା ବିଡ଼ାଏ, କିଏ ବା ଲଇ କେରାଏ-ଯିଏ ଯାହା ପାରିଲା ଆଣି ଦେଲା । ସଙ୍ଗେ ସଙ୍ଗେ ସେହି ଘରେ ପାଠପଢ଼ା ଆରମ୍ଭ ହେଲା ।

 

ପାଣ ପଚାରିଲେ–‘‘ବାବୁ, ଆମେ ଯେବେ ଧୋବ ଲୁଗା ପିନ୍ଧି ବାହାରକୁ ବାହାରିବୁ, ମୂଲ ମିଳିବଟିକି ?

 

ବ୍ରଜ ଏ କଥା ଶୁଣି ହସି ହସି ସେମାନଙ୍କୁ ଉପଦେଶ ଦିଏ–‘‘ସତ୍‌ପଥରେ ଚଳି ସତ କହି ନିଜ ମନକୁ ଯେପରି ସଫା ରଖିବାକୁ ହେବ, ନିଜ ଦେହକୁ ସେହିପରି ସଫା ସୁତୁରା ରଖିବା ଦରକାର । ଆଜି ଯେ ତୁମେମାନେ ଦୂର୍‌ଦୂର୍‌ମାର୍‌ମାର୍‌କଥା ଶୁଣୁଚ, ସେଥିପାଇଁ ତୁମମାନଙ୍କର ଏଇ ମଇଳା ବେଶ, କଦର୍ଯ୍ୟ ବ୍ୟବହାର ଅନେକ ପରିମାଣରେ ଦାୟୀ । ତୁମେ ସଫାସୁତୁରା ହୁଅ, ଭଲ ଲୁଗା ପିନ୍ଧ–ଦେଖିବ ତୁମ ପ୍ରତି ଲୋକଙ୍କର କେତେ ଧାରଣା ବଦଳିଯିବ । ଭଗବାନ ପବିତ୍ର ମନ୍ଦିରରେ ରହିବାକୁ ଇଚ୍ଛା କରନ୍ତି–ଖତଗଦାରେ ରହିବାକୁ ଚାହାନ୍ତି ନାହିଁ । ତୁମେମାନେ ଖତଗଦା ପରି ରହିଚ । ତୁମର ଭିତର ବାହାର ସବୁଆଡ଼ ଆବର୍ଜନାପୁର୍ଣ୍ଣ । ତୁମର ଏ ବେଶବାସ, ଏ ମନର ଭାବ ବଦଳି ଗଲେ ତୁମେ ଆମ ପରି ଭଲ ଭଲ ମଣିଷ ହୋଇପାରିବ । ବୁଝିଲ ?’’

 

ଏ ଉପଦେଶ ଶୁଣି ରୁଅପଡ଼ା ଗାଁରେ ଉତ୍ସାହର ତରଙ୍ଗ ଖେଳିଗଲା । ତାଙ୍କର ବ୍ରଜ ଦେବତା- ଯାହା କହିଲେ, ତାହା ଅକ୍ଷରେ ଅକ୍ଷରେ ପାଳିବା ପାଇଁ ସମସ୍ତେ ବାହାରି ପଡ଼ିଲେ ।

 

ଦେବତା କହିଲେ–‘‘ଆପଣ ଭିତରେ ବଳି ଲଗାଅ ନାହିଁ ।’’

ସେଟା ହେଲା ସେମାନଙ୍କର ମନ୍ତ୍ର ।

 

ଦେବତା ବୁଝାଇଲା ମଦଖିଆର ଅପକାରିତା । ତାହା ସୋମନଙ୍କ ମନରେ ପଥର ଗାର ପରି ଲେଖି ହୋଇଗଲା ।

 

ଦେବତା ବୁଝାଇଲା–‘‘କାହାର ମନରେ କଷ୍ଟ ଦେବା ମହାପାପ !’’

 

ଦେବତା ଆଦେଶ ଦେଲେ–‘‘ଦି’’ ଦିନ ଭିତରେ ପାଇଁ ଚାରିପାଖ ମଇଳା, ଆବର୍ଜନା, ଖତଗଦା ସବୁ ଉଠାଇ ଦେବାକୁ ହେବ ।’’

 

ଚାହୁଁ ଚାହୁଁ ଦିନ ଦୁଇଟା ଭିତରେ ରୁଅପଡ଼ା ଗାଁଟା ପରିଷ୍କାର ପରିଚ୍ଛନ୍ନ ସତେ ଅବା ତାହା ଦେବତା ମନ୍ଦିରର ଯୋଗ୍ୟ !

 

ରୁଅପଡ଼ା-ଦେବତାଙ୍କର ଏ ସକଳ କାର୍ଯ୍ୟରେ ସାହା ହେଲେ ମଧୁପୁର ଗାଁର କେତୋଟି ଯୁବକ । ଦେବତାଙ୍କ ମୁହଁରୁ ପଦେ କଥା ବାହାରିଲା ତ ବଂଶୀ ଆସି ତାହା ପାଳିବାକୁ ପ୍ରସ୍ତୁତ, ନରହରି ଆସି ତାହା ଶୁଣିବାକୁ ଜାଗ୍ରତ, ଶ୍ରୀଧର, ରଘୁ, ବଳି, ଗୋବିନ୍ଦ ପାଖେ ପାଖେ ଉପସ୍ଥିତ ।

 

ଏହିପରି ଭାବରେ ମଧୁପୁର ଓ ରୁଅପଡ଼ା ଗାଁ ଭିତରେ ଗୋଟାଏ ମହା ସମସ୍ୟାପୂର୍ଣ୍ଣ ଆନ୍ଦୋଳନରେ ସୁତ୍ରପାତ୍ର ହେଲା । ରୁଅପଡ଼ାର ଦରିଦ୍ରଗଣ ନବ ଜାଗରଣରେ ଯେପରି ଜାଗି ଉଠିଲେ, ଏଣେ ମଧୁପୁରର ଅଚଳ ମଣ୍ଡପୁର ଚାଳକଗଣ ସେହିପରି ଉତ୍ତେଜିତ ହୋଇ ଉଠିଲେ । ଆନ୍ଦୋଳନ ପ୍ରଥମେ ପରମଗୁରୁଙ୍କ ଅଗଣା ଭିତରେ ବ୍ରଜ ପାଖରେ ସୀମାବଦ୍ଧ ଥିଲା । କ୍ରମେ ତାହା ମଦୁପୁରର ଗାଁର ପ୍ରତି ଅଗଣକୁ ଛୁଇଁଲା । ବାପମା’ଙ୍କ ଅଜ୍ଞାତରେ ସେମାନଙ୍କ କୋଳର ସଙ୍ଖାଳି, କୁଳର ଭିବଷ୍ୟତ କୋମଳପ୍ରାଣ କିଶୋରଗଣ କେଜାଣି କାହିଁକି ବ୍ରତର ଭକ୍ତ ହୋଇ ଉଠିଲେ । ବ୍ରଜ ପ୍ରାଣର ବଂଶୀ କିପରି ଭାବରେ ସେମାନଙ୍କୁ ଡାକିଲା, ସେହିମାନେ କେବଳ ବୁଝିଲେ । ରୁଅପଡ଼ାଲାଞ୍ଛିତ ପ୍ରାଣର ବ୍ୟଥା କିପରି ଭାବରେ ସେମାନଙ୍କ ପ୍ରାଣକୁ ଛୁଇଁଲା, ସେହିମାନେ କେବଳ ଜାଣିଲେ । ଗାଁରେ ଯେତେବେଳେ ଚିତ୍କାର ଉଠିଲା–‘‘ଗାଁ ଉଚ୍ଛନ୍ନ ହୋଇଗଲା ପାଖେଇ ଅଇଲା’’ ସେତେବେଳେ ଗଭୀର ନିର୍ଜନ ରାତିରେ ବ୍ରଜ ଘର ଅଗଣାରେ କୋଡ଼ିଏ ଜଣ କିଶୋରଙ୍କ କଣ୍ଠସ୍ୱର ଏକାଠି ଗାଇ ଉଠିଲା–

 

ଆଗ ଚଲା ଦଳଆଗେ ଚାଲ ଚାଲ

ପଛେ ପଡ଼ିଥାଉଖାଲି ସଂସାର

ଗତି ସୀମାହୀନ-କାଟି ଦୁର୍ଦ୍ଦିନ

ଲଙ୍ଘିବା ଆଜିପଥ ଦୁସ୍ତର !

ଚାଲ ଚାଲ ଆଜିଚାଲ ଚାଲ ଚାଲ !!

•••

 

-ଚବିଶି-

 

ଯେଉଁଠାରେ ସ୍ନେହ ଆଦର ଯେତେ, ସେହିଠାରେ ମାନ ଅଭିମାନ ସେତେ–ଗଉରୀ ଏପର୍ଯ୍ୟନ୍ତ ଏହା ବୁଝିଥିଲା । ନନା ତାକୁ କେଡ଼େ ସୁଖ ପାଉଥିଲେ, ସେହି କେବଳ ଜାଣେ । ନନା ପାଖରେ ସେ କେତେ ଅଳିଝଳି, ଅଭିମାନ କରୁଥିଲା, ତାହା ଛଡ଼ା ଆଉ କିଏ ଜାଣନ୍ତି ନାହିଁ । ସେ ହାତରୁ କାଚ କାଢ଼ିଥିଲା, ମୁଣ୍ଡରୁ ସିନ୍ଦୂର ପୋଛିଥିଲା, ମନରୁ ସୁଖ ଆଶା ଛାଡ଼ିଥିଲା । ମାତ୍ର କେବଳ ନନାଙ୍କୁ ଆଗେ ଆଗେ ଦେଖି ତା କାମ ସେ କରି ଯାଉଥିଲା ।

 

ଦିନ ଏକାଦଶୀ ବାସି-ଦ୍ୱାଦଶୀ । ତା ଜୀବନରେ ଏପରି ଦଶ ପଚାଶ ଦ୍ୱାଦଶୀ ଗଲାଣି; ମାତ୍ର ଏ ଦ୍ୱାଦଶୀ ପରି କୌଣସି ଦ୍ୱାଦଶୀ ତାକୁ ଏଡ଼େ ନିଷ୍ଠୁର ନିରାଦନ୍ଦ ଜଣା ପଡ଼ୁନଥିଲା । ରମା ଦେଖିଲା, ଗଉରୀର ମୁଣ୍ଡ ମୁକୁଳା, ଦେହରେ ଓଦା ଲୁଗା । ଏପରି ଅବସ୍ଥାରେ ତା ଆଖିରୁ ଥପଥପ ଲୁହ ବୋହି ପଡ଼ୁଛି । କାଳେ କିଏ ଦେଖି ପକାଇବ, ଏଥିପାଇଁ ସେ ଲୁହ ଧାରକୁ ଓଦା କାନିରେ ପୋଛି ପକାଉଛି । ଗଉରୀକି ସେ ଏପରି ଭାବରେ କେବେ ହେଲେ ଦେଖି ନ ଥିଲା । ଦେଖିଲା ମାତ୍ରେ ତା ମନ ମରିଗଲା- କର କହିବ କିଛି ପାଟି ଫିଟିଲା ନାହିଁ । ନ ଜାଣିଲା ପରି ମୁହଁ ଆଡ଼େଇ ଘର ଉପରକୁ ଉଠିଗଲା ।

 

ରମା ଯେ ଘରକୁ ଯାଇଛି, ସେ ଆଉ ମୁହଁ ଟେକି ବସି ନାହିଁ, କି ଠିଆ ହୋଇ ନାହିଁ -ତଳେ ମୁହଁ ମାଡ଼ି ପଡ଼ିଯାଇଛି। ଦୁଇ ଧାର ଲୁହରେ ଭୂଇଁତଳ ଓଦା ହୋଇଯାଇଛି ।

 

କେତେ ସମୟ ଗଲା । କାହାର କୋମଳ କରସ୍ପର୍ଶ ପାଇ ସେ ଯେତେବେଳେ ମୁହଁ ଟେକିଲା, ଦେଖିଲା ଗଉରୀ ପାଖରେ ବସି ତା ପିଠିକି ଆଉଁସି ଆଉଁସି ଡାକୁଛି–

 

‘‘ବୋଉ, ବୋଉ..... !’’

ଡାକ ଶୁଣି ରମା ଆହୁରି କାନ୍ଦି ଉଠିଲା ।

 

ଗଉରୀ ଉପାୟ ନ ଦେଖି ତାକୁ ଜାକି ଧରି ପକାଇଲା । କେହି କାହାକୁ କିଛି କଥା କହିଲେ ନାହିଁ । ଏହିପରି କେତେ ସମୟ ଗଲା ।

 

ଗଉରୀ ହାତକୁ କୋହଳ କରି ଦେଇ କହିଲା -‘‘ବୋଉ, ବେଳ କେତେ ହେଲାଣି ! ଇମିତି ତୁମେ....’’

 

ଗଉରୀ ମୁହଁରୁ କଥା ଶୁଣି ତାର କୋହ ପୁଣି ବଢ଼ିଲା । ପୁଣି ସେ ମୁହଁ ପୋତି ଲୁହ ଢାଳିଲା ।

 

ଗଉରୀ ପଚାରିଲା–‘‘କଣ ବୋଉ, କଣ ହେଲା ?’’

ରମା ଜଡ଼ିତ କଣ୍ଠରେ ପଚାରିଲା–‘‘ତୁମର କଣ ହେଲା ଆଗ କହ ।’’

‘‘ମୋର ? ମୋର କିଛି ହୋଇ ନାହିଁ !’’

‘‘ତାହାହେଲେ ମୋର କିଛି ହୋଇନାହିଁ ।’’

‘‘ବାୟାଣୀ ହେଲ କି ?’’

‘‘ହଁ, ବାୟାଣୀ ହୋଇଚି । ମୁଁ ବାୟାଣୀ ନ ହେଲେ କି ତୁମକୁ ଇମିତି କିଏ କନ୍ଦାନ୍ତା ?’’

 

ଗଉରୀ ତରତରରେ କହି ପକାଇଲା- ‘‘ନାଇଁ, ମତେ କିଏ କାଇଁକି କନ୍ଦାନ୍ତା, ମୁଁ ମନକୁ କାନ୍ଦୁଚି ।’’

 

ରମା ତେଜି ଉଠିଲା ପରି କହିଲା–‘‘ମନକୁ ? ମାଇପୀ ଲୋକେ କି ସଂସାରରେ କେମେ ମନକୁ କାନ୍ଦନ୍ତି ? ନା, ନା, ତାଙ୍କୁ ଆଉ ଲୋକେ କନ୍ଦାନ୍ତି..... ।’’

 

ଗଉରୀର ମର୍ମସ୍ଥଳରେ ଯେପରି କଥା ପଦକ ବାଜିଲା । ସେ ସେହି କଥାକୁ ଭାବି ବସିଲା ପରି କିଛି ସମୟ ତୁନି ହୋଇଗଲା । ତା ପରେ ପଚାରିଲା –

 

‘‘ସତ କହୁଚ ? ଆଉ କିଏ କନ୍ଦାନ୍ତି ?’’

‘‘ହଁ ସତ କହୁଚି ।’’

‘‘ଆଚ୍ଛା, ତମକୁ କିଏ କନ୍ଦାଇଲା ତାହାହେଲେ ?’’

‘‘ତମକୁ ଯିଏ କନ୍ଦେଇଲା, ମତେ ସେ କନ୍ଦାଇଲା ।’’

‘‘ମୋତେ ମୋ ଭାଗ୍ୟ କନ୍ଦାଇଲା । ତୁମକୁ ?’’

 

‘‘ଭାଗ୍ୟ ? ମିଛ ଗୋ ଗଉରୀ, ମିଛ । ଭାଗ୍ୟଠୁ ଆହୁରି ଉପରେ...... ପୁରୁଷ....... ପୁରୁଷ....... ପୁରୁଷ..........

 

ଦାଣ୍ଡ ଦୁଆରେ ପାଟି ଶୁଭିଲା–‘‘ଗଉରୀ ?’’

 

ଗଉରୀ ଘର ଭିତରୁ ବାହାରକୁ ଚାଲି ଆସିଲା । ନନାଙ୍କୁ ଆଗରେ ଦେଖି ତା ମୁହଁଟା କିମିତି ଶୁଖିଗଲା । ସେ କଣ କହିବ- ନ କହିବ, ଥଙ୍ଗଥଙ୍ଗ ହେଉଛି, ନନା ପାଟି କରି ଉଠିଲେ–

 

‘‘ଏସବୁ ଘର ଓଳା ଯାଇଛି, ଦୁଆର ଲିପା ହୋଇଛି, ଦିଶୁଛି ଟିକି ? ସୁବୁବେଳେ ଖାଲି ଗପସପ, ସୁବୁବେଳେ ଖାଲି ଶୁଆ ବସା......ଏ ସବୁ ଅନୀତି ଦେଖିଲେ ବିଧାତା ସହିବ ? ତୁ ତ ସାନ୍ତାଣୀ ହବୁ, ଏ ଘର କାମ କରିବ କିଏ ?’’

 

ଗଉରୀର ମୁଣ୍ଡ ତଳକୁ ଆହୁରି ପୋତି ହୋଇଗଲା । କାନ୍ଥ ତଳକୁ ଲେସି ହେଲାପରି ସେ ଠିଆ ହେଲା । ନନା ସେହିପରି ବକର ବକର ହୋଇ, ଘରର ଯାହା କିଛି ଅଭାବ ଅସୁବିଧା ସବୁଥିରେ ଏକା ଗଉରୀକି ଦୋଷ ଦେଇ ଦେଇ ଦାଣ୍ଡଆଡ଼େ ପୁଣି ଚାଲିଗଲେ । ପାହାଚ ଓହ୍ଲାଇଲା ଯାଏଁ ତାଙ୍କ ପାଟି ଗୁରୁ ଗୁରୁ ହୋଇ ଘରକୁ ଶୁଭୁଥିଲା ।

 

ଆଉ ଗଉରୀ ? ନନାଙ୍କ କଥାକୁ କାନେଇଥିଲା ? ....ନା, ନା.... ସେ ଭାବୁଥିଲା ।

ରମା ଡାକିଲା–ଗଉରୀ ‘‘ଗଉରୀ !’’

 

ଗଉରୀ ଲୁହ ପୋଛି ପୋଛି ଯାଇ କହିଲା–‘‘ଯା ବୋଉ, ତୁ ଖାଇପକା । କାଲି ଉପାସରୁ ମୋ ପେଟ କାଟି କାଟି ହେଉଚି, ବୁକୁକୁ ମାରୁଚି... ମୁଁ ଏଇକ୍ଷଣି ଖାଇବି ନାହିଁ ।’’

•••

 

-ପଚିଶି-

 

ରମାର କିନ୍ତୁ ସେ ଦିନ ଖିଆପିଆ କିଛି ହେଲା ନାହିଁ । ଗଉରୀ କରିଥିଲା ଏକାଦଶୀରେ ଏକାଦଶୀ, ରମା ଦ୍ୱାଦଶୀରେ ଏକାଦଶୀ କଲା ।

 

ସଧବାର ଏକାଦଶୀ ! ଘରେ ପତି ଥାଉ ଥାଉ ସଧବାର ନିର୍ଜଳ ଉପବାସ ! ରମାକୁ ଏ ବୁଦ୍ଧି ବତାଇଲା କିଏ ? ଗଉରୀର ଦୁଃଖରେ ଦୁଃଖିନୀ ହେବା ପାଇଁ ତାକୁ ଶିଖେଇଲା କିଏ ? ବିଧବାର ନିଶ୍ୱାସରେ ଆପଣା ନିଶ୍ୱାସ ମିଶାଇ କାନ୍ଦିବା ପାଇଁ ତାକୁ ବାଟ ବତାଇଲା କିଏ ? ତା ହୃଦୟ ଭିତର ଫାଟିଗଲା ତା ମନ ଭିତର ଢଳିଗଲା । ବିଗତ-ଯୌବନ ରାଧାନାଥ ଯୌବନର ଏ ନିରାଟ ସହାନୁଭୂତିକୁ ବୁଝିବେ କୁଆଡ଼ୁ ?

 

ସାତ ସମୁଦ୍ର ସେ ପାଖ ତରୁଣୀର ଦୁଃଖ ବେଦନା ଓ ଏ ପାଖ ମଧୁପୁରବାସିନୀ ଗଉରୀର ଦୁଃଖ ବେଦନା ଭିତରେ ଜାତିଗତ ବା ଧର୍ମଗତ କିଛି ହେଲେ ଭେଦ ବିଚାର ନାହିଁ । ବିଧବାର ହୃଦୟଦୁଃଖ ଯେ କାଚ ସିନ୍ଦୁର ଲଗା ତରୁଣୀର ପ୍ରାଣକୁ ନ ଛୁଇଁବ, ଏପରି କିଛି କଥା ନାହିଁ-। ଯୌବନ ପରି ବେଳେ ବେଳେ ଦୁଃଖ ବିପଦ ମଧ୍ୟ କାହା ପ୍ରାଣରେ ମୁର୍ତ୍ତିମାନ୍‌ହୋଇ ଉଠେ । ତାହା କ୍ଷଣସ୍ଥାୟୀ ହେଲେ ମଧ୍ୟ ଏପରି ଭାବରେ ଜୀବନଟାକୁ ଗ୍ରାସିଦିଏ ଯେ, ଖୁବ୍‌ଆପଣାର ଲୋକ ଆଖିକୁ ତାହା ସ୍ୱଚ୍ଛ ଦର୍ପଣ ଭଳିଆ ଦିଶେ ।

 

ତେଣୁ ଗଉରୀର ଦୁଃଖ ବୁଝିବାକୁ ରମା ମନରେ କିଛି ବାଧା ପଡ଼ିଲା ନାହିଁ । ସେ ଦେଖିଲା, ଗଉରୀର ବୈଧବ୍ୟ ଦୁଃଖ ଯେତେ, ତା ଠାରୁ ତା ପିତାଙ୍କର ଅବିଚାର ବେଶି । ତାଙ୍କରି ଅବିଚାରରେ ସେ ବିଧବା ହେଲା । ତସଦ୍‌ବୁଦ୍ଧି ତ ଏବେ ହେଲେ ତାଙ୍କର ଜାଗ୍ରତ ହେଲା ନାହିଁ । ତହିଁରେ ପୁଣି ଆହୁରି ଅବିଚାର ! ସବୁଥିରେ ସବୁ କଥାରେ ଦୋଷ ହେଲା ଗଉରୀର । ରମା ତାଙ୍କୁ ହସି କରି କଥା ନ କହିଲା ତ ସେ ହେଲା ଗଉରୀର ଦୋଷ ! ରମା ଭଲ ହୋଇ ବେଶବାସ ହେଲାନାହିଁ ତ ସେ ହେଲା ଗଉରୀର କୁମନ୍ତ୍ରୀଣାର ଫଳ ! ରମା ତାଙ୍କ କଥାରେ ଜବାବ ଦେଲା ତ ସେଟା ହେଲା ଗଉରୀର ଉଦ୍ଧତ କାରଣ !

 

କିନ୍ତୁ ରମାର ତ ଜୀବନ ଅଛି । ସେ ତ ନାରୀସୁଲଭ ଜୀବନ ପାଇଛି ! ତାର ତ ପର ଦୁଃଖ ବୁଝିବାର ବୁଦ୍ଧି ବିଚାର ଅଛି । ଘରେ ତାରି ସାଙ୍ଗର ଝିଅ ନିର୍ଜଳ ଉପବାସ କରିବ, ତଳେ ମୁହଁ ମାଡ଼ି ପଡ଼ି ରହିବ, ସେତେବେଳେ ସେ କି ଏଡ଼ିକି ପଶୁ ହୋଇଛି ଯେ ତୁଳିତଳ୍ପରେ ଯାଇ ଶୋଇ ପତିକି ପ୍ରେମର ଆଲିଙ୍ଗନ କରିବ ? ଘରେ ଯୁବତୀ କନ୍ୟା ଧାର ଧାର ଲୁହ ନ ଢ଼ାଳି ରକ୍ତ ଢ଼ାଳୁଛି, ସେତେବେଳେ ରମା ଯାଇ ପୁଣି ପତି ପାଖେ ବସିବ ? ଘରେ ଜଣକ ପ୍ରାଣରେ ନିଆଁ କୁହୁଳି ଉଠିଲା ବେଳେ ରମା କି ଗୀତ ବୋଲି ମନ ମୋହିପାରେ ?

 

ରମା ଜାଣି ଜାଣି ପତିଙ୍କି ଆଲିଙ୍ଗନ କଲା ନାହିଁ, ପତିଙ୍କି ପାଖେ ହସିଲା ନାହିଁ, କି ପତିଙ୍କି ମନ ଦେଇ କାମ କଲା ନାହିଁ । ବେଳେବେଳେ ସେ ମନଖିଆଲରେ ଚଳେ । ଗଉରୀକି ଦେଖେଇ ଦେଖେଇ କହେ–

 

‘‘ଗଉରି, ତୁମ ଦେହରେ କାଚ ଅଳଙ୍କାର ନାହିଁ ବୋଲି ତୁମେ ତ ଏମିତି ଦିଶୁଛ, ମୋ ଦେହରେ ନ ଥିଲେ ମୁଁ କିମିତି ଦିଶନ୍ତି ?’’

 

ଏ କଥା ଶୁଣିବା ମାତ୍ରେ ଗଉରୀ ଜିଭଟା କାମୁଡ଼ି ପକାଏ । ରମା ହସି ହସି ଭାଜିପଡ଼ି ସାଙ୍ଗେସାଙ୍ଗେ ନାକରୁ କାନରୁ ଅଳଂକାର ଗୁଡ଼ାକ କାଢ଼ି ତଳେ ଜମା କରି କହେ- ‘‘କିମିତି ଦିଶିଲା ଗଉରି, କହ ଦେଖି ।’’

 

ଗଉରୀ ତାକୁ ମଧୁର ଭତ୍ସନାରେ କଣ ପଦେ କହି ଗୋଳି ଗୋଳ କରି ଅଳଙ୍କାର ପୁଣି ପିନ୍ଧାଇଦିଏ ।

 

କେତେ ଦିନ ପରେ ଦେଖାଗଲା, ରମାର ଏ ଲୀଳା ପିଲାଖେଳ ପରି ପ୍ରତିଦିନ ଚାଲିଲା-। ଗଉରୀ ହସିଲେ ସେ ହସିଲା, ଗଉରୀ କାନ୍ଦିଲେ ସେ କାନ୍ଦିଲା, ଗଉରୀ ଶୋଇଲେ ସେ ଶୋଇଲା-! କୌଣସି କଥାରେ ଗଉରୀ ତାକୁ ମନା କରିପାରିଲା ନାହିଁ ।

 

ଏଣେ ରାଧାନାଥଙ୍କ ପ୍ରାଣରେ ଦିନକୁ ଦିନ ବିଷ ସଞ୍ଜରିବାକୁ ଲାଗିଲା । ସେ ଜୀବନର ଦିନ ରାତି ଗଣିବାରେ ଲାଗିଲେ । ଦୁଃସ୍ୱପ୍ନର ସୀମା ରହିଲା ନାହିଁ । ରମା କଥା ମନେ ପକାଇଲେ ସଙ୍ଗେ ସଙ୍ଗେ ଗଉରୀ ଆସି ତାଙ୍କ ମନୋରାଜ୍ୟର ତୋରଣ ଦୁଆରେ ଠିଆ ହେଲା । ତାର ଶୀର୍ଣ୍ଣ ଶୁକ ହାତ ଦୁଇଟା ତାଙ୍କ ଆଖି ଆଗରେ ବରାବର ଝୁଲିଲା। ତାର ବିମଳ ବିରସ ମୁଖମୁଣ୍ଡଳ ସୁବଆଡ଼େ ଦିଶିଲା ଏବଂ ତାରି ପଛେ ପଛେ କେତେ ଗୋପନରେ ଲୁଚି ଲୁଚି ରମା ବେଳେବେଳେ ତାର ଉଦ୍ଧତ ଯୌବନ ଗର୍ବରେ କ୍ରୁର କଟାକ୍ଷ ପକାଇ ଅବହେଳାରେ ମୁହଁ ବୁଲେଇ ଦେଲା ।

 

କ୍ରମେ ଗଉରୀର ନାଁଟା ତାଙ୍କୁ ବଡ଼ ଅସହ୍ୟ ହେଲା । ଏପରି କି ନିଜ ବାଉଳିରେ ସେ ବେଳେବେଳେ ରମା ହାତକୁ ଟାଣି ଧରି ଗଉରୀକି ଗାଳି ଦେବାରେ ଲାଗିଲେ । ତାଙ୍କର ବାଉଳି ଚାଉଳି ମତି ଭ୍ରମ ଯେତିକି ବଢ଼ିଲା, ରମା ସେତିକି ବିଚଳିତ ହୋଇ ଉଠିଲା ।

 

ଏଣିକି ଗଉରୀର କାମ ହେଲା, ନନାଙ୍କୁ ପ୍ରତି କଥାରେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବା-। ରାତିରୁ ରାତି ଯାଏ ତା ହାତ କ୍ଷଣେ ହେଲେ ବନ୍ଦ ହେଲା ନାହିଁ । ନନାଙ୍କ ଚାର୍ଚ୍ଚା ବୁଝିବାଳ ନନାଙ୍କ କଥା ଶୁଣିବା ତାର ପ୍ରତିଦିନର କାର୍ଯ୍ୟ ହେଲା । କିନ୍ତୁ ଫଳ ହେଲା ଓଲଟା । ତାର ପ୍ରତି କାମ ପଛେ ପଛେ ରମା ଛାଇ ପରି ଲାଗି ରହିଲା । କାହା ଦୁଃଖ କିଏ ବୁଝୁ ନ ବୁଝୁ ଗଉରୀ ଦୁଃଖ ରମା ବେଶ୍‌ବୁଝିପାରିଲା ।

•••

 

-ଛବିଶି-

 

ମଧୁପୁର ଗାଁର କୋଠା ମଣ୍ଡପଟିରେ କେତେ ଯୁଗର କେତେ ସ୍ମୃତି ଯେ ଲୁଚି ରହିଛି, ସେ କଥା ମନୁଷ୍ୟ ମୁଖରେ ସ୍ଫୁରିବା ବଡ଼ ଅସମ୍ଭବ । ସେହି ପଥର ଇଟା ଜୀବନ ପାଇ ପାରିଲେ ବା ମଧୁପୁର ଗାଁର ମଧୁମୟ ଇତିହାସ ସଙ୍ଗେ କେତେ ପୁଣ୍ୟଶ୍ଲୋକ ମହାତ୍ମାଙ୍କର ଯଶୋଗାନ କରି ପାରନ୍ତେ । ସେଠାର ପ୍ରତି ଧୂଳିକଣା ଭିତରେ କେତେ ପୁଣ୍ୟସ୍ମୃତି ଯେ ବିଜଡ଼ିତ ରହିଚି, ସେ କଥା ସେତେବେ୍ରଳେ ଜଗତ୍‌ଜାଣି ପାରନ୍ତା । ଏବେ ସେ କଥା ଗାଇବାକୁ ବସିଲେ ଜନଶ୍ରୁତିର ବହୁ ଅନ୍ଧକାରମୟ ଗହ୍ୱର ଭିତରେ ପଶି ଆଲୁଅ ଖୋଜିବାକୁ ପଡ଼ିବ !

 

ଚଣ୍ଡାଳକୁ କୋଳରେ ଧରି, ଯବନକୁ ସାଥୀ କରି ପତିତପାବନ ପତାକା ତଳେ ଚୌତନ୍ୟ ଯେତେବେଳେ ନାଚୁଥିଲେ, ନିର୍ଜନ ତରୁ ତଳେ ଯୋଗ-ଲୟରେ ବସି ମହାତ୍ମା ଜଗନ୍ନାଥ ଯେତେବେଳେ ଭାଗବତ ଲେକୁଥିଲେ, ପ୍ରାୟ ସେହି ସମୟରେ ମଧୁପୁର ଗାଁର ପ୍ରତିଷ୍ଠା । ଓଡ଼ିଶାର ପ୍ରତାପୀ ଗଜପତି ବଡ଼ଦାଣ୍ଡରେ ଧୁଳିରେ ଗଡ଼ି ଯେତେବେଳେ ଶତ୍ରୁ ମନ୍ତ୍ର, ଧନୀ ଦରିଦ୍ରଙ୍କୁ ସମାନ ଭାବରେ ଦେଖୁଥିଲେ, ସେତେବେଳେ ମଧୁପୁର ଗାଁର ମହାତ୍ମାମାନଙ୍କ ହୃଦୟ ଦୟା ଧର୍ମ ଦେବ ଭାବରେ ପୁରି ରହିଥିଲା ।

 

ମଧୁପୁର ଗାଁର ଏହି ସୁବର୍ଣ୍ଣ ଯୁଗର ସାକ୍ଷୀ ହେଉଛନ୍ତି ଚନ୍ଦ୍ର ସୂର୍ଯ୍ୟ ଗ୍ରହ ନକ୍ଷତ୍ର । ସେହିମାନେହିଁ କହିପାରନ୍ତି, ଗାଁର କେଉଁ ମହାତ୍ମା ପଟ୍ଟନାୟକ କିପରି ଭାବରେ ଭୋକୀ, ଶୋଷୀ, ରୋଗୀର ସେବା କରି ମରଲୋକର କଳ୍ପନାତୀତ କେଉଁ ମଧୁମୟ ସ୍ୱର୍ଗରେ ଅମର ହୋଇ ରହିଛନ୍ତି-। ପୁଣି କେଉଁ ମହାପାତ୍ର ପର ଦୁଃଖରେ ଦୁଃଖୀ ହୋଇ, ନିଜର ସର୍ବସ୍ୱ ଦାନ କରି ପରମ ସୁଖରେ ଅନ୍ତିମ ଜୀବନ କଟାଇ ପାରିଛନ୍ତି । କେଉଁ ବିଷୋୟୀ ଦେଶ ସେବା ପାଇଁ ରଣକ୍ଷେତ୍ରକୁ ଯାଇ ଘର ସଂସାର ମାୟା କଟାଇ ହସି ହସି କରି ପାରିଛନ୍ତି । କେଉଁ ବିଶ୍ୱାଳ, କେଉଁ ରଥ, କେଉଁ ଆଚାର୍ଯ୍ୟ ପରମ ବନ୍ଧୁ ଭାବରେ ଜୀବନ କଟାଇ ଜଗତରେ ବନ୍ଧୁତାର ଅମର ବନ୍ଧନର ପରିଚୟ ଦେଇଛନ୍ତି । କେଉଁ ନନ୍ଦ ଧନ ଗର୍ବରେ ଦରିଦ୍ର ଉପରେ ଅତ୍ୟାଚାର କରିଥିଲେ ବୋଲି ଏହି ମଣ୍ଡପରେ ଗ୍ରାମର ମହାତ୍ମାଗଣ ତାର ବିଚାର କରି ତାକୁ କଠୋର ଦଣ୍ଡ ଦେଇଛନ୍ତି । କେଉଁ ପରିଡ଼ା ବନ୍ଧୁର ପରମ ବିଶ୍ୱାସରେ ଗୋପନରେ ବିଷ ଦେଇ ସ୍ୱାର୍ଥରେ ଘାଣ୍ଟି ହୋଇଥିଲା ବୋଲି କେଉଁ ଦାସ ମହାତ୍ମା ତାକୁ ସତ୍‌ପଥକୁ ଆଣିବା ପାଇଁ ଚୈତନ୍ୟ ପରି ସେହି ଜଗାଇ ମାଧାଇ ଆତ୍ମାକୁ ଏହି ମଣ୍ଡପରେ କୋଳ କରି ନେଇଛନ୍ତି । ଏହିପରି କେତେ କେତେ ମଧୁର ବିଚିତ୍ର ଚିତ୍ର, କେତେ ଅପୁର୍ବ କାହାଣୀ ମଧୁପୁର ଇତିହାସ ବୁକୁରେ ଲେଖା ।

 

ଆଜି ପୁଣି କେତେ ଯୁଗ, କେତେ ବର୍ଷ ପରେ ସେହି ମଧୁପୁର ମଣ୍ଡପରେ ମଧୁପୁରବାସୀଙ୍କର ସଭା ବସିଲା । ସେଠି ଆଉ ପୂର୍ବର ସାମ୍ୟ ନୀତିର ବିଚାର କରାଗଲା ନାହିଁ । ପଟ୍ଟନାୟକ ଦଳ ବସିଲେ ଅଲଗା, ରଥ ଦଳ ବସିଲେ ଅଲଗା । ନନ୍ଦେ ସା ପାଖେ ବସିଲେ ଓ ପାଡ଼ୁଶୀଏ ଏ ପାଖେ ବସିଲେ । କିଏ ପରକୁ ଦାନ କରିଛି ବୋଲି ସେଠି ପୁରସ୍କାର ଘୋଷଣା କରାଗଲା ନାହିଁ । କିଏ ଦରିଦ୍ରର ସେବାକରିଛି ବୋଲି ସେଥିର ବିଚାର ହେଲା ନାହିଁ । କିଏ କେଉଁ ମଣିଷକୁ ଛୁଇଁଛି, କିଏ ଛୁଆଁ ମଣିଷ ପାଖରେ ବସି ଅଧାଛୁଆଁ ହୋଇଛି, ଖରାବେଳ କିଏ ଶୋଷୀ ଲୋକକୁ ପାଣି ଟୋପେ ପିଇବାକୁ ଦେଇ ଘୋର ପାପ ଅର୍ଜନ କରିଛୁ.......ଏହିପରି କେତେ କେତେ ପାପ, ମହାପାପର କଥା ବିଚାର ଚାଲିଲା ।

 

ସେଠି ସମସ୍ତେ ନାୟନ୍ତେ, ବିଚାରକ; ପୁଣି ସମସ୍ତଙ୍କ ନାଁରେ ଘୋର କଳଙ୍କ । କିଏ ସହିଠାରେ ବସି କାହା କାନରେ କାନୀ ବିରୁଦ୍ଧରେ କେତେ କଥା କହୁଛି । କିଏ କାହାକୁ ଚାହିଁ ବାହାରେ ହସି ଦେଇ ଭିତରେ ଭିତରେ ମୁହଁ ମୋଡ଼ି ଚାଙ୍ଗ ଉପହାସ କରୁଚି । ମଧୁପୁରରେ ସେ ଥିଲା ଏକ ଦିନର ଚିତ୍ର, ଏ ଆଉ ଏକ ଦିନର ଚିତ୍ର ! ସେହି ମଧୁପୁର ଅଛି, ସେହି ମଣ୍ଡପ ସେହିପରି ଶାଶ୍ୱତ ଭାବରେ ପଡ଼ିଛି, ଗାଁରେ ମଣିଷ ଅଛନ୍ତି, ସ୍ତ୍ରୀ ପୁରୁଷ ବାଳକ ବାଳିକା ସମସ୍ତେ ଅଛନ୍ତି, ଗାଁ ପାଖର ଛୋଟ ପଈଟା ସେହି କାଳରୁ ସେହିପରି ଆପଣା ଗର୍ବରେ ମୁଣ୍ଡ ଟେକି ଠିଆ ହୋଇ ରହିଛନ୍ତି–ମଧୁପୁରର ସବୁ ସେହିପରି ଅଛି; ମାତ୍ର ବଦଳିଛି ମଣିଷ ଜାତିଟାର ଭିତର ଜିନିଷଟା, ହୃଦୟଟା ! ପ୍ରକୃତିର ସକଳ ଶାଶ୍ୱତ ସମ୍ପଦ ଭିତରେ ମନୁଷ୍ୟର ସୀମାବଦ୍ଧ ଆଇନ ନୀତି ଏକାପରି ଗତି କରିପାରି ନାହିଁ । ତାହା କେବଳ ଗାଁରେ ଜମିରହି ଲୋଭ, କୁସଂସ୍କାର ହିଂସା, ଦ୍ୱେଷ, ଦାରିଦ୍ରତା ଏ ବଦ୍ଧ ପୁଷ୍କରିଣୀ ସୃଷ୍ଯି କରିଛି ମାତ୍ର !

 

ବ୍ରଜଘର ଶ୍ରାଦ୍ଧ ଭୋଜି ପରେ ବ୍ରଜକୁ ଯେତବେଳେ ଜାତି ବାସନ୍ଦ କରାଗଲା, ସେଥିରେ କାହା କାହା ମନରେ ତୃପ୍ତି ଆସିଲା ନାହିଁ ଜାତି ବାସନ୍ଦ ହେବା ପରେ ଯେ ବ୍ରଜକୁ କିଏ କିଏ ଭିତିରି ସବୁ କଥା ସାହାଯ୍ୟ କରୁଛନ୍ତି, ଏହା କେତେକଙ୍କୁ ବଡ଼ ଅସହ୍ୟ ହେଲା । ବ୍ରଜ ଭଳିଆ ଲୋକକୁ ଯେବେ ସାହାଯ୍ୟ କରିବା ଲୋକ ମଧୁପୁରରେ ଥାଇ ପାରନ୍ତି, ତାହାହେଲେ ମଧୁପୁରରେ ରାକ୍ଷସ ଅଛନ୍ତି ବୁଝିବାକୁ ହେବ ।

 

କବିରାଜଙ୍କ ବୈଠକ ଘରେ ଏହି ସିଦ୍ଧାନ୍ତ ହୋଇ ସଭା ବସିଲା । କାହାର ବାପକୁ, କାହାର ଭାଇକି, କାହାର ବା ଜ୍ଞାତି ବନ୍ଧୁଙ୍କୁ କୁହାଗଲା–ଅମୃକକୁ ଘରୁ କାଢ଼, ଅମୃକଙ୍କର ପ୍ରାୟଶ୍ଚିତ କର, ଅମୃକଙ୍କ ପାଇଁ ଦରକାର ହେଲେ ତୁମେ ଗ୍ରମତ୍ୟାଗୀ ହୁଅ । ଏ ଆଲୋଚନା ଭିତରେ କଥା ଏତେ ଦୂର ଉଠିଲା ଯେ, କାହା କଥା କିଏ ଶୁଣିପାରିଲେ ନାହିଁ ।

 

ଶେଷରେ କବିରାଜେ ତାଙ୍କର ବିକୃତ ମୁହଁକୁ ଅବିଚଳିତ ଭାବରେ ଥରାଇ ଗର୍ଜି ଉଠି କହିଲେ–‘‘ବିନା, ରଘୁ, ଗୋବିନ୍ଦ, ଗୋପାଳ, ତମୁମାନଙ୍କ ଯୋଗୁଁ ଗାଁର ଏପରି ଅବସ୍ଥା । ଗାଁର ଷାଠିଏ ଘର ମଧ୍ୟରୁ ପଚିଶି ଘର ଏବେ ଅଜାତିଆ ସଙ୍ଗେ ଚଳି ଅଜାତିଆ ହୋଇସାରିଲାଣି । ତୁମର ପିଲେ ଅଜାତିଆ ପିଲାଙ୍କ ପାଖେ ବସି ପାଠ ପଢ଼ୁଛନ୍ତି. ଅଜାତିଆଙ୍କ ଟଙ୍କାରେ ଧର୍ମ, ଜ୍ଞାନ ଅର୍ଜା ହେଉଛି । ଏହାଠୁ କି ଆଉ ବଡ଼ ପାପା ଅଛି ? ଥରେ ନୁହେ, ଦଶ ଦଶ ଥର ମୁଁ କହିଲାଣି–ପୁଅ ପୁତୁରାଙ୍କୁ ଛାଡ଼ି ଦିଅ, ନ ହେଲେ ଅଲଗା ହୋଇ ଯାଅ ।’ ଆଉ ଏଥିରେ କଣ ରହିଲା ? ଚଣ୍ଡାଳ ସଙ୍ଗେ ଚଣ୍ଡାଳ ହେବାକୁ ଇଚ୍ଛାଥିଲେ ଆଉ ଏ ଦେବ ମଣ୍ଡପରେ କାନ୍ଦ କାନ୍ଦ ହୋଇ ବସିବାରେ ଲାଭ କଣ.... ?’’ ହଠାତ୍‌ମଣ୍ଡପ ପ ପ ଟ ଦୁଇଚାରିଟା ସ୍ୱର ଏକାବେଳକେ ଉଠିଲା । ତାହା ସତେ ବା ଜୀବନର ମର୍ମସ୍ଥଳରୁ ବାହାରିଲା ! ଶୁଭିଲା –

 

ଚଣ୍ଡାଳ ଜାତିକୁ ସୃଷ୍ଟି କରିଥିବା ଭଗବାନ ଆମକୁ ସୃଷ୍ଟି କରିଛନ୍ତି । ଏ କଥା କଣ ମିଛ ବୋଲି କିଏ କହି ପାରିବ ? ଆଜି ଏହି ପତିତ ଦେଶରେ ବେଶରେ ଆମେ ପତିତଙ୍କ ପାଇଁ ବୁଲୁଛୁ-। ଆମ ପାଇଁ କିଏ କାହିଁକି କଷ୍ଟ ପାଇବ ? ଆମର ଯେବେ ଅପରାଧ ସେଥିପାଇଁ ଆମେ ସିନା ଦାୟୀ, ଆମ ପାଇଁ ଆଉ କିଏ କାହିଁକି.... ’’

 

ସମସ୍ତେ ମୁହଁ ବୁଲେଇ ଦେଖିଲେ, ସେହି ଜାତିଛଡ଼ା ଅଭାଗାଦଳ....ଚଣ୍ଡାଳ ଗାଁରୁ ରାତିରେ ପାଠ ପଢ଼ାଇ ଫେରି ଆସୁଛନ୍ତି । ତାଙ୍କ କଥା ଭିତରେ କିଏ କାହାକୁ କଥା କହିଲେ ନାହିଁ, ସେ କଥାର କିଏ ପ୍ରତିବାଦ ସୁଦ୍ଧା କଲେ ନାହିଁ। ସେତିକିବେଳେ ଦେଖାଗଲା, ମଣ୍ଡପ ଉପରୁ ଜଣେ ହଠାତ୍‌ଓହ୍ଲେଇ ପଡ଼ି ସେହି ଜାତି ଛଡ଼ା ଦଳ ଭିତରୁ ଜଣକୁ କୁଣ୍ଢାଇ ଧରି କହିଲା–

 

‘‘ବାବୁ ମୋର, ସବୁ ମୋର ତୁ, ତତେ ମୁଁ ଛାଡ଼ି ପାରିବି ନାହିଁ । ତୋ ସାଙ୍ଗେ ସାଙ୍ଗେ ମୁଁ ନରକକୁ ଯିବି ପଛକେ.....’’

 

ଚାହୁଁ ଚାହୁଁ ଆଉ ଜଣେ, ଆଉ ଜଣେ, ପୁଣି ଜଣେ-ଦଶ କି ବାର ଜଣ ତଳକୁ ଓହ୍ଲାଇ ପଡ଼ିଲେ ।

 

ସେହି ନୀରବ ନିଶ୍ଚଳ ଉଦାର ଦୃଶ୍ୟ ଦେଖି ବହୁ ଯୁଗର ମଣ୍ଡପବାସୀ ମୁକ ପାଷାଣ ଦେବତାଙ୍କ ଭିତରେ ପ୍ରାଣ ସଞ୍ଚାର ହୋଇ ଥିବ ବୋଧହୁଏ; ମାତ୍ର ମଧୁପୁରର ବୃଦ୍ଧ କେତେ ଜଣ ‘ରାମ’ ‘ରାମ’ କହି କହି କାନରେ ହାତ ଦେଇ କହିଲେ–

 

‘‘ଏପରି ପୁଅଙ୍କୁ କୁଳରେ ପିଣ୍ଡ ଦେବାପାଇଁ ରଖିବା ଅପେକ୍ଷା କୁଳ ବୁଡ଼େଇ ଦେବା ଉଚିତ ।

•••

 

ସତେଇଶି

 

କଥା ଶୁଣୁ ଶୁଣୁ ବ୍ରଜ ହସି କହିଲା–‘‘ତାହା ହେଲେ ତ ଏକ ନାଟକ ଅଭିନୟ ହେଲା ।’’

 

ବ୍ରଜ ଘର ଭିତରେ ଛୋଟ ସଭାଟିଏ–ଦଶ ପଚିଶି ଜଣ ଯୁବକଙ୍କର ସମ୍ମିଳନୀ । ଗାଁର ଯେ ଅବସ୍ଥା କ୍ରମେ କ୍ରମେ ଭିନ୍ନ ଦିଗକୁ ଗତି କରୁଛି, ଏଥିର ବିଚାର ଲାଗିସ ସମସ୍ତେ ଏକାଠି ହୋଇଛନ୍ତି । ମାସେ ପନ୍ଦର ଦିନ ତଳେ ଯେଉଁମାନେ ଏସବୁ କଥାର ଠାର ଧରୁ ନ ଥିଲେ, ସେ ଭିତରୁ କେତେ ଜଣ ମଧ୍ୟ ଆସି ଯୋଗ ଦେଇଛନ୍ତି । ବିଶେଷରେ ଜାତି ବାସନ୍ଦ ଗୋଳମାଳ ଫଳରେ କଥାଟା ସମସ୍ତଙ୍କ ମନକୁ ଧରିଛି ।

 

ମଣ୍ଡପ ବିଚାର କଥାକୁ ଲକ୍ଷ୍ୟ କରି ବ୍ରଜ ଯେତେବେଳେ ନାଟକ ଅଭିନୟ କଥା କହିଲା, ନରହରି ଥାଇ ଆଗ ଉତ୍ତର ଦେଲା–‘‘ହଁ, ନାଟକ ତ କୃତ୍ରିକ, ମାତ୍ର ଏ ହେଲା ପ୍ରକୃତ କ୍ୟାଚ ଅଭିନୟ । ନନା ଯେତେବେଳେ ମଣ୍ଡପରୁ ଓହ୍ଲାଇପଡ଼ି ମୋତେ କୋଳକୁ ଟାଣି ନେଲେ, ମୋ ଦେହଟା କେବଳ ଥରିଲା । ତାଙ୍କୁ ମୁଁ ସେତେବେଳେ କଣ କହିବି ବୁଝି ପାରିଲି ନାହିଁ । ନନା ମୋର କାନ୍ଦ କାନ୍ଦ ହୋଇ କହିଲେ, ‘ତତେ ମୁଁ ଛାଡ଼ିପାରିବି ନାହିଁ’....ତାଙ୍କର କଣ୍ଠରୋଧ ନ ହୋଇଥିଲେ ଆଉ କଣ ବା କହିଥାନ୍ତେ । କହୁ କହୁ ସେ ମୋ ଉପରେ ଲୁହ ଅସରା ଅଜାଡ଼ିଦେଲେ ।’’

 

ରାମ କହିଲା–‘‘ବହୁ ଦିନରୁ ତାଙ୍କ ହୃଦୟ ଭିତରେ ଏ ଭାବ ଜାଗି ରହିଥିଲା । ପିତୃସ୍ନେହ କି କେବେ ଶୁଖିବା କଥା ? ଗଙ୍ଗା ନଦୀ ପରି ତାହା ସବୁବେଳେ କୁଳ ଡେଇଁ ଉଛୁଳି ଉଠିବାକୁ ଚେଷ୍ଟା କରେ । ସମାଜର ଅତ୍ୟାଚାରରେ ତାହା ଏବେ ଉଛୁଳି ପଡ଼ିଛି, ଭାଇ !’’

 

ଗଙ୍ଗା ହସି ହସି ତା କଥା ଆରମ୍ଭ କଲା -‘‘ଶୁଣିଚ ନା, ମୋ ନନା କଣ କହିଛନ୍ତି ? ସେ କହୁଛନ୍ତି ମୋ ସଙ୍ଗେ ନରକକୁ ଯିବେ..... ।’’ କହି ସେ ପୁଣି ଠୋଠୋ ହସି ଉଠିଲା ।

 

ହରି ଟିକିଏ ଆଶ୍ଚର୍ଯ୍ୟ ହେଲାପରି ପଚାରିଲା–‘‘ନରକ ? ଆମେ କଣ କେବେ ନରକକୁ ଯିବାପାଇଁ ବାଟ ଠିକ୍‌କରୁଛେ ବୋଲି ସେ ମନେ କରନ୍ତେ ? ତାଙ୍କୁ ବୁଝାଇଦେଲେନି ?’’

 

ବ୍ରଜ କହିଲା–‘‘ଏଡ଼େ ଅଧୀର ହେଲେ କି ଚଳିବ ? ଆମେ ନରକକୁ ଯାଉଛେ କି ଆଉ କୁଆଡ଼େ ଯାଉଛେ, ଏ କଥା ସେ ଆମ କାର୍ଯ୍ୟରୁ ଜାଣି ପାରିବେ, କଥାରୁ ନୁହେ । ବୁଝାଇବା ଦରକାର ପଡ଼ିବ ନାହିଁ । ପତିତଙ୍କୁ ଉଦ୍ଧାର କରିବା ଯେବେ ନରକ ଯିବାର ଏକ ବାଟ ବୋଲି ଧରାଯାଏ, ତାହାହେଲେ ତ ପତିତପାବନ ଜଗନ୍ନାଥଙ୍କୁ ଖାଣ୍ଟି ନରକବାସୀ ବୋଲି କହିବାକୁ ହେବ-। ସେ ପରା ପତିତଙ୍କ ମୁକ୍ତି ପାଇଁ ପତିତପାବନ ବାନା ଦରି ରହିଛନ୍ତି ? ଲୋକ ଭୁଲରେ ଅନେକ କଥା କହିପାରେ; ମାତ୍ର ଜ୍ଞାନଚକ୍ଷୁ ଫିଟିଲେ ସେହି ସବୁ ପୂର୍ବ କଥା ଭାବି ଅନୁତାପରେ ସେ ପୁଣି ଶୁଦ୍ଧ ପବିତ୍ର ହୋଇ ଉଠେ । ଜାଣିନି, ଆମରି ଶାସ୍ତ୍ରେ ପରା ଅଛି, ଜଣେ ସନ୍ନ୍ୟାସୀ ପବିତ୍ର ଭାବରେ ନଈକୂଳରେ ବସି ତପସ୍ୟା କରୁଥାନ୍ତି । ସବୁବେଳେ ତାଙ୍କର ଭୟ ଥାଏ ଯେ, ଏହି ଚଣ୍ଡାଳ ଶ୍ରେଣୀର ମନୁଷ୍ୟ ଜୀବଗୁଡ଼ାକ କାଳେ ତାଙ୍କୁ ଛୁଇଁଦେବେ। ମାତ୍ର ଥରେ ହଠାତ୍‌ଏକ ବିପଦ ପଡ଼ିଲା-। ଜଣେ ଧୋବା-ଚଣ୍ଡାଳ ସେହି ପାଖରେ ଲୁଗା କାଚୁ କାଚୁ ତାଙ୍କ ଉପରେ ପାଣି ଟୋପାଏ ପଡ଼ିଗଲା । ସନ୍ନ୍ୟାସୀ ରାଗରେ ଜଳି ଉଠି ଧୋବାକୁ ଧରି ନିସ୍ତୁକ ମାଡ଼ ମାଇଲେ । ତାପରେ ନଈରେ ପଶି ଗାଧୋଉଛନ୍ତି, ଦେଖିଲେ, ଅଳ୍ପ ଦୂରରେ ସେହି ଧୋବାଟା ମଧ୍ୟ ଗାଧୋଉଛି । ତାକୁ ସେ ପାଖକୁ ଡାକି ପଚାରିଲେ, ‘‘କି ରେ ତୁ-ଚଣ୍ଡାଳଟାକୁ ଛୁଇଁବାରୁ ମୁଁ ସିନା ଗାଧୋଇଲି; ମାତ୍ର ମୋତେ ଛୁଇଁ ତୁ କିଆଁ ଗାଧୋଉଛୁ ?’’ ଧୋବା ହାତ ଯୋଡ଼ି କହିଲା–‘‘ପ୍ରଭୁ, ମୁଁ ମଣିଷ-ଚଣ୍ଡାଳ ଆପଣଙ୍କ ମାରା କହିଦେଲି; ମାତ୍ର ଆପଣଙ୍କ ଭିତରେ ଥିବା ରାଗ-ଚଣ୍ଡାଳ ମୋତେ ଛୁଇଁଲା । ସେଥିଯୋଗୁଁ ତ ଆପଣ ମୋତେ ମାଇଲେ । ନ ହେଲେ କି ତୁଛାଟାରେ ମଣିଷକୁ ମଣିଷ କେବେ ମାଇଲାଣି ? ସେହି ରାଗ-ଚଣ୍ଡାଳ ଛୁଆଁ ଦୋଷ ଛଡ଼ାଇବା ପାଇଁ ମୁଁ ଗାଧୋଉଛି ।’’ ଏ କଥା ଶୁଣି ସନ୍ନ୍ୟାସୀଙ୍କ ଆଖି ତାଳୁକୁ ଖୋସି ହୋଇଗଲା । ମନକୁ ମନ କହିଲେ, ବାସ୍ତବିକ ଦବେତା ଏହିଠାରେ । ମୁଁ ଏତେ ଜପତପ କରି ବୃଥାରେ ଦେବତା ଖୋଜି ବୁଲୁଛି । ଏହା ଭାବି, ସେ ଚଣ୍ଡାଳକୁ କୁଣ୍ଢାଇ ପକାଇ ଗଦ୍‌ଗଦ୍‌ସ୍ୱରରେ କହିଲେ, ‘ତୁ ଆଜି ମୋତେ ମହାଶିକ୍ଷା ଦେଲୁ, ତୁ ମୋର ଗୁରୁ ।’ ଆମ ଏ ଗାଁ ଲୋକ ଠିକ୍‌ଏହିପରି ଚଣ୍ଡାଳ ଛୁଇଁବା ପୂର୍ବ ସନ୍ନ୍ୟାସୀଙ୍କ ପରି ଶୁଦ୍ଧ ପବିତ୍ର ଭାବରେ ଅଛନ୍ତି । ଆମପରି ‘ଚଣ୍ଡାଳ’ଙ୍କ ବ୍ୟବହାରରେ ତାଙ୍କର ଦିନେ ହେଲେ ଜ୍ଞାନ ଉଦୟ ହେବ । କଣ କହୁଚ, ଜଗନ୍ନାଥ..... !’’

 

ବ୍ରଜ ଘରେ ଏହି ଛୋଟ ସଭାଟି ଚାଲିଥିଲା ବେଳେ ସଭା ଘର ଭିତରକୁ ବ୍ରଜ ବୋଉ କଣ ପାଇଁ ପଶି ଆସିଲା। ବୋଉକୁ ଦେଖି ନରହରି ହସି ହସି ପଚାରିଲା-‘‘ହେଇଟି ତ ବୋଉ । ଆଚ୍ଛା, କହିଲ ବୋଉ, ମୁଁ ନରକକୁ ଯାଉଛି ବୋଲି ଶୁଣି ମୋ ନନା ହସି ହସି ନରକକୁ ଯିବାକୁ କହିଲେଣି । ଆଉ ତୁମ ପୁଅ ନରକକୁ ଗଲେ ତୁମେ ଘରେ ରହିବ ନା ତାଙ୍କ ସାଙ୍ଗେ ସେଆଡ଼େ ଯିବ ?’’

 

ବୋଉର ବିଶାଳ ଆୟତ ଲୋଚନଯୁଗଳ ସ୍ନେହ ସୌହାର୍ଦ୍ର୍ୟରେ ଉଜ୍ଜ୍ୱଳ ଦେଖାଗଲା । ସେ ସ୍ନେହଜଡ଼ିତ କଣ୍ଠରେ କହିଲା–‘‘ବାୟାଗୁଡ଼ାକ ତୁମେ, ତୁମେ ନରକକୁ କିଆଁ ଯିବ ରେ ?’’

 

‘‘ଆମେ ତ ଯାଉ ନାହୁଁ । ଧର, ଯଦି ଯାଉ, ତେବେ ?’’

‘‘ତେବେ କଣ ?’’

‘‘ତେବେ କଣ ତୁମେ ଯିବ ପୁଅ ସାଙ୍ଗରେ ?’’

 

ବୋଉ ଆଦରପୂର୍ଣ୍ଣ ସାହାଯ୍ୟ ଦୃଷ୍ଟିରେ ପୁଅ ଆଡ଼କୁ ଟିକିଏ ଚାହିଁ ଦେଇ କହିଲା–‘‘ସାଙ୍ଗରେ ଯିବ ନାହିଁ, ଆଉ କଣ ପୁଅକୁ ଏକୁଟିଆ ଛାନି ଦେବି ?’’

 

ସଭାରେ ସମସ୍ତେ ଆନନ୍ଦ ଉତ୍ତେଜନାରେ ଠୋ ଠୋ ତାଳି ମାରି କହି ଉଠିଲେ–‘‘ବ୍ରଜ ବାବୁ, ବ୍ରଜ ବାବୁ, ତୁମ ବୋଉ ମଧ୍ୟ ଯିବାକୁ ପ୍ରସ୍ତୁତ ହେଲେଣି । ଆଉ ପରୁଆ କଣ । କେୁଁ ଦିନ ଯିବାକୁ ହେବ, ତେବେ କହ ।’’

 

ଜଗନ୍ନାଥ କହିଲା–‘‘ତେବେ ଦିନ ଠିକ୍‌କର, ସେହି ଦିନ ନାରକୀଯାକ ଏକାଠି ଜମା ହେବେ’’-କହି ସେ ହସି ହସି ଭାଜି ପଡ଼ିଲା ।

 

ବୋଉ ଏପର୍ଯ୍ୟନ୍ତ କଥାଟାକୁ ଥଟାରେ ଥଟାରେ ନେଇଥିଲା । ଏହି ଶେଷ ପ୍ରଶ୍ନ ଶୁଣି ସେ ଆହୁରି ଆଶ୍ଚର୍ଯ୍ୟ ହୋଇ ପଚାରିଲା–

 

‘‘କି ରେ ଯିବ କୁଆଡ଼େ ? ସତରେ କୁଆଡ଼େ ଯିବ ?’’

ନରି କହିଲା–‘‘କୁଆଡ଼େ ? କହିଲୁ ପରା ନରକକୁ !’’

 

‘‘ନରକକୁ ? ହଇରେ, ତମେ ସବୁ କଣ ବାୟା ହୋଇଗଲ କି ରେ ? ନରକ କୁଠି, ତୁମେ ଯିବ କୁଆଡ଼େ ?’’

 

ବ୍ରଜ ଏ ପର୍ଯ୍ୟନ୍ତ ନୀରବରେ ବସି ସବୁ ଶୁଣୁଥିଲା, ମୁଚୁ ମୁଚୁ ହସୁଥିଲା । ଶେଷରେ କହିଲା-‘‘ନାଇଁ ଲୋ ବୋଉ; ନାଇଁ । ଆମ ପିଲାଗୁଡ଼ାକଙ୍କର କଥା ଶୁଣୁଚ କଣ ? ନରକ କଣ ବୁଝି ପାରୁନୁ ? ସେଇ ରୁଅପଡ଼ା ଗାଆଁଟା ! ଗାଁ ଲୋକେ ପରା କହୁଚନ୍ତି ସେଟାକୁ ନରକ ବୋଲି ! ଆଉ ସେହି ଲୋକଗୁଡ଼ାକ ନରକର କୀଟ ! ଆମେ ଯେ କେତେ ଜଣ ସେଠାରେ ଲୋକଙ୍କୁ ଭଲ କଥା ବତାଉନୁ ଆମେ ହେଉଛୁ ସେହି ନରକଗାମୀ ପ୍ରାଣୀ । କଥା ହେଉଛି ଯେ ଆହୁରି ସେହିପରି ଦଶ ପନ୍ଦର ଖଣ୍ଡ ଗାଁର ଲୋକ ଦିନେ ସେହି ରୁଅପଡ଼ାଠାରେ ଏକାଠି ହେବେ । ଗୋଟେ ବଡ଼ ସଭା ହେବ । ସମସ୍ତଙ୍କ ସେହିଠାରେ ଭଲ କଥା ଶୁଣାଇଦେବାକୁ ହେବ । ପିଲାଝିଲା ଧରି ସମସ୍ତେ ସଭାକୁ କଥା ଶୁଣିବାକୁ ଆସିବେ । ସେଇ କଥାକୁ ନରହରି ଥଟାରେ କହୁଛି, ଆମ ସାଙ୍ଗରେ ତୁ ସେଇ ନରକକୁ ଯିବୁ କି ?’’

 

ବୋଉ କଥାଟାକୁ ବୁଝିପାରି ଟିକିଏ ହସିଦେଲା । ଯିବାକୁ ନାହିଁ କଲାନି କି ହଁ କଲାନି । ସେ ଘରୁ ଗଲାବେଳେ ଏତିକି କେବଳ କହିଲା -‘‘ନରକ କହ, ସ୍ୱର୍ଗ କହ, ସବୁ ମୋର ତୁଇ ରେ ବାବୁ ।’’

•••

 

-ଅଠେଇଶି-

 

ରାତିରେ ଶେଯରେ ଶୋଇଲା ବେଳେ ଗଉରୀ ମୁହଁରୁ ନରକ କଥା ଶୁଣି ରମାର ହାତ ଗୋଡ଼ର ରୋମ ଟାଙ୍କୁରି ଉଠିଲା ! କି ଭୟଙ୍କର, କି କଦର୍ଯ୍ୟ ଚିତ୍ର ସେ ! ନରକପୁରୀ !! ଖାଲି ସେ ଭିତରେ ପଚା ଦୁର୍ଗନ୍ଧ ପାଣି ବହି ଯାଉଛି ! ମାଛି, ମଶା, ଡାଆଁଶ ଭଣଭଣ ହେଉଛନ୍ତି ! ସେ ଭିତରେ ଜୀବଗୁଡ଼ାଏ କେତେ କାଳୁ କିମିତି ପଡ଼ିଛନ୍ତି କେଜାଣି! ସେ ଭିତରେ ପଶୁ ଅଛନ୍ତି, ମଣିଷ ଅଛନ୍ତି । ସେଠାରେ ପଶୁଙ୍କ ଖତଗଦା ଅଛି, ତାହାରି ପାଖକୁ ଲାଗି ମଣିଷର ଖାଇବା ଜିନିଷ ମଧ୍ୟ ଅଛି । ପଶୁ ପାଖରେ ମଣିଷ ଶୋଉଛି, ପଶୁ ଗୁହାଳରେ ମଣିଷ ଖାଉଛି । ନରକବାସୀ ଜୀବଗୁଡ଼ାକର ଖୁଣ ଅଛି, ମାତ୍ର ସେହି ଭିତରେ ଆଉ କିଛି ଭଲ ଗୁଣ ଅଛି କି ନାହିଁ ବାହାରକୁ ଜଣା ପଡ଼ୁ ନାହିଁ । କାହାର କି ଅଭିଶାପ ଫଳରେ ଯେ ସେମାନେ ସେଠି ଯୁଗ ଯୁଗାନ୍ତ କାଳରୁ ପଡ଼ି ରହି ଏତେ ଯନ୍ତ୍ରଣା ଭୋଗୁଛନ୍ତି, ସେମାନେ ମଧ୍ୟ ଜାଣନ୍ତି ନାହିଁ । ସେଇ ନରକଭିତରେ ସେମାନେ ହସୁଛନ୍ତି.....ଆନନ୍ଦ ଉପଭୋଗ କରୁଛନ୍ତି ! ଆହା, ନରକଟାର ନାଁ ରୁଅପଡ଼ା !!

ରମା ଆଶ୍ଚର୍ଯ୍ୟ ଗଉରୀକି ପଚାରିଲା-‘‘କଣ କହିଲ, ସେଟା ନରକ ? ସେଟା ନରକ କିଆଁ ହେବ ମ ? ସେଟା ପରା ରୁଅପଡ଼ା ଗାଁ, ସେଠି ପରା ମଣିଷ ଅଛନ୍ତି ?’’

ଗଉରୀ କହିଲା–‘‘ନରକ ବୋଇଲେ କଣ ତାହା ଆଉକୁଠି ଥିବ, ରୁଅପଡ଼ାରେ ରହିବ ନାଇଁ ? ଯେଉଁଠି ଲୋକର ସାହାଭରସା କେହି ନାହିଁ, ଯେଉଁଠି କେତେ ଯୁଗରୁ,କେତେ ଜନ୍ମରୁ ଦୁଃଖ ବିପଦ ଏକାପରି ଚାଲିଛି, କାନ୍ଦିଲେ କିଏ ଲୁହ ପୋଛିଦେବାକୁ ନାହିଁ କି ଡାକିଲେ କିଏ ଶୁଣିବାକୁ ନାହିଁ, ମନ କଥା କହିବାକୁ ଯେଉଁଠି ଭଲ ହୋଇ ପାଟି ତୁଣ୍ଡ ଫିଟୁ ନାହିଁ, ମନଦୁଃଖ ମନରେ ମାରି ମଣିଷ ମାଟିଠାରୁ ବଳି ନିଦା ହୋଇ ଯାଉଛି, ସେହି ତ ନରକ ! ଆଉ ନରକ ପୁଣି କଣ ? ଆଉ କଣ ଯେବେ ନରକ ଥିବ, ସେ ଥିବ ଆଉ କେଉଁଠି ? ଆଖିରେ ଦେଖୁଥିବା ନରକ କଥା ନ ଭାବି ଅଜଣା, ଅଶୁଣା ଅଦେଖା ନରକ କଥା ଭାବିଲେ ଜାଣିବ କଣ ?’’

ରମା ଗଉରୀର ଏପରି କଥା ଶୁଣି ତାଟକା ହୋଇଗଲା । ଏକା ଘରେ ଦିହେଁ ଅଛନ୍ତି; ମାତ୍ର ଗଉରୀ ଏତେ କଥା ଶିଖୁଛି କେଉଁଠୁଁ ? ପଚାରିଲା–‘‘ଗଉରି, ତମେ ଏତେ କଥା ଶିଖିଲ କେଉଁଠୁ ? ତମେ ତ.....’’

‘‘ମୋ ଦିଅଁ ଙ୍କ ମୁହଁରୁ ।’’

‘‘ଦିଅଁ ? ’’ତାର ବହୁତ କଥା ମନ ପଡ଼ିଗଲା । ଶେଯରେ ପଡ଼ି ଭାବି ଭାବି କେତେବେଳେ ତାର ଆଖିପତା ମଡ଼େଇ ହୋଇଗଲା । ଗଉରୀ ମଧ୍ୟ କେତେବେଳେ ଶୋଇ ପଡ଼ିଲା ।

ତାର ଆର ଦିନ ଦିବସର ସବଳ ଗୌରବ ଘେନି ସୂର୍ଯ୍ୟ ଦବେତା ପୂର୍ବଦିଗରେ ହସି ଉଠିଲେ । ଜଗତରେ ଆଲୋକୋତ୍ସବ ଆରମ୍ଭ ହୋଇଗଲା । ଘର ଦୁଆର ଲିପା ପୋଛା କରୁ କରୁ ରମା ଗଉରୀକି ପଚାରିଲା–

‘‘ଆଚ୍ଛା, ଗଉରୀ, କହିଲ, ସତେ କଣ ଦିଅଁ ଦବେତା ଏ ସଂସାରରେ ସତ’’

‘‘ସତ ନୁହେ କଣ ମିଛ ?’’

‘‘ସେ କଣ ଆମ କଥା ଜାଣିପାରନ୍ତି ।’’

‘‘ହଁ, ସଫା ଜାଣିପାରନ୍ତି ।’’

‘‘ସତ କହୁଚ ?’’

ଗଉରୀ କଥାରେ ଜୋର୍‌ଦେଲା ପରି କହିଲା–‘‘ମୁଁ ସତ କହିବାରେ, ମିଛ କହିବାରେ କଣ ଥାଏ ଲୋ ? ଦିଅଁ ଯେବେ ଆମ କଥା ବୁଝୁ ନ ଥାନ୍ତେ, ଆମେ ରହିପାରନ୍ତେ ନା ?’’

ରମାର କଣ୍ଠ କାହିଁକି ରୁଦ୍ଧ ହୋଇ ଆସିଲା, ଗଉରୀ ଜାଣି ପାରିଲା ନାହିଁ । ସେ ଆବେଗମୟ ହୃଦୟରେ କହିଲା–‘‘ଗଉରି, ଗଉରି, ତମ ଦୁଃଖ ....ନା, ନା, ତମ କଥା କଣ ଦିଅଁ ତେବେ.....’’

ସେ ଆଉ ପଚାରିପାରିଲା ନାହିଁ । ବୁକୁର ତାର କୋହ ଉଠିଲା । ଗହୀର ପଣତ ତଳେ ସେ ମୁହଁକୁ ଲୁଚାଇ ଦେଇ ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦି ପକାଇଲା । ଗଉରୀ ତାର ଶୁଭ୍ର ଶୀତଳ ହାତ ଦୁଇଟି ତା ଦେହରେ ବୁଲାଇ ଦେଇ, ଆଖିର ଲୁହଧାରକୁ ବହୁ କଷ୍ଟରେ ସଂଯତ କରି ଡାକିଲା–

‘‘ବୋଉ, ଏଇକ୍ଷଣି ନନା ଆସିବେ ଇମିତି ହେବା ଭଲ ଦିଶୁଚି ଟିକି ?’’

ରମା ମୁହଁ ଟେକି କେବଳ ଗଉରୀ ମୁହଁକୁ ଚାହିଁ ରହିଲା । ସେ ଗଉରୀ ମୁହଁକୁ ଅଶ୍ରୁମୟ ସୌନ୍ଦର୍ଯ୍ୟ ପାନ କରୁଥିଲା କି ଦୁଃଖବେଦନା ପାନ କରୁଥିଲା, ସେହି ଜାଣେ ।

•••

 

-ଅଣତିରିଶି-

 

ଗଉରୀ ଅନେକ ଦିନ ଆପଣା ଘର ପାଖେ ରହି ବ୍ରଜଘର ସଭାର କଥା ଶୁଣିଛି । ବ୍ରଜ ମୁହଁରୁ କେତେ ବିଚିତ୍ର ଘଟଣାର କାହାଣୀ, କେତେ ଜୀବନର ଦୁଃଖପୂର୍ଣ୍ଣ ଇତିହାସ, କେତେ ହୃଦୟର ନିଖୁଣ ବିକଳ ଚିତ୍ର ବ୍ରଜ ନିଜେ ଆଖିରେ ଦେଖିଲା ପରି ସେ ବ୍ରଜ କଥା ଭିତରେ ଦେଖିବାକୁ ପାଇଛି । କିନ୍ତୁ ସେ ଦିନ ସଭାରେ ବ୍ରଜ ଯେଉଁ କଥା ସବୁ କହିଲା, ସେପରି କଥା ସେ କେବେ ଶୁଣି ନ ଥିଲା । ସେ କଥା ପରି ଆଉ କୌଣସି କଥା ତା ମନକୁ ଏତେ ଅଧିକାର କରି ନ ଥିଲା ।

 

ଗାଁ ଲୋକ ଥଟା କଲେ, ବ୍ରଜ ହସି ହସି ଉଡ଼େଇ ଦେଇ ଥିଲା । ଗାଁ ଲୋକେ ତାକୁ କଥା କହିଲେ ନାହିଁ, ବ୍ରଜ ସେଥିରେ ଦୁଃଖିତ ହୋଇ ନ ଥିଲା । ଗାଁ ଲୋକେ ଅପମାନ ଦେଲେ, ବ୍ରଜ ପ୍ରାଣକୁ ତାହା କାଟିଲା ନାହିଁ । ଶେଷରେ ଗାଁ ଲୋକେ ବ୍ରଜକୁ ନରକ ଯିବା କଥା କହିଲେ, ତେବେ ମଧ୍ୟ ବ୍ରଜ ତାକୁ ଧୈର୍ଯ୍ୟ ଧରି ଶୁଣିଲା !!

 

କେବଳ ଯେ ବ୍ରଜ ଶୁଣିଲା, ଏପରି ନୁହେଁ; ବ୍ରଜର ବୋଉ, ତାର ଧର୍ମର ବୋଉ ଏହା ଶୁଣି କିପରି ସହିଲା ! ନରକ ନାଁ ଶୁଣି ଯେ ‘ରାମ’, ‘ରାମ’ କହେ; ସେ ପୁଣି ପୁଅ ସଙ୍ଗେ ଲୋଡ଼ା ହେଲେ ନରକକୁ ଯିବାକୁ ରାଜି ହେଲା !! ପଲ୍ଲି ଗାଁର ବିଧବା, ସେ କି କେବେ ଏହା କରିପାରେ ? ଏ ସବୁ ହୃଦୟ ସତେ କଣ ପଥର ପାଲଟିଗଲା ନା ପଥର ହୃଦୟ ଅମୃତ ପାଲଟିଗଲା ?

 

ସଂସାରରେ ସନ୍ତାନ ସ୍ନେହରେ ବନ୍ଧନ କି ଏଡ଼େ ଟାଣ ! ପୁଅ କାନ୍ଦିବ, ମାଆ ଆଖିରୁ ଲୁହ ବୋହିବ । ପୁଅ ନରକକୁ ଯିବାକୁ କହିବ, ମାଆ ପୁଣି ସେଥିକି ପ୍ରସ୍ତୁତ ହେବ ! ପୁଅ ପାଇଁ ମାଆ ଆଉ କଣ କରି ନ ପାରେ ?

 

ଦିନେ ବ୍ରଜ ବୋଉ କଥା ଭାବି ଭାବି ଗଉରୀର ନିଜ ବୋଉ କଥା ମନେ ପଡ଼ିଗଲା । ଦିନେ ସେ ତାକୁ ଏହିପରି କଥାଟିଏ କହିଥିଲା–‘‘ଗଉରୀ ପାଇଁ ମରିଯିବି !’’ ଏତେ ଦିନ ପରେ ବ୍ରଜ ବୋଉ କଥା ଶୁଣି ତା ମନରେ ସେ କଥାଟା ସଜୀବ ଜାଗ୍ରତ ହୋଇ ଉଠିଲା । ଭାବିଲା, ‘‘ବୋଉ ଯେବେ ମୋର ଥାନ୍ତା, ସେ କଣ ମୋ ସଙ୍ଗେ ନରକକୁ ଯିବାକୁ ହଁ କରନ୍ତା ? ସେ କି ମୋତେ କୋଳ କରି ତା ଲୁହରେ ମୋ ଲୁହକୁ ମିଶାଇ ଦିଅନ୍ତା ?’’ ଗଉରୀ ଆଖିକୁ ସଂସାରଟା କେବଳ ତା ବୋଉମୟ ଦେଖାଗଲା । ସେ ଆଖି ମୁନ୍ଦି ଦେଲା । ଦେଖିଲା, ତା ବୋଉ ଆଉ ଆଗରେ ନାହିଁ । ରମା ତାର ସ୍ଥାନ ଅଧିକାର କରି ଆଖିରୁ ଧାର ଧାର ଲୁହ ଗଡ଼ାଇ ପକାଇ ତାକୁ କୋଳ କରିବାକୁ ଆସୁଛି । କହୁଛି–ଗଉରି, ଗଉରି.....ତୁମେ ଯେବେ ନରକକୁ ଯିବ, ମୁଁ କଣ ଯାଇ ପାରିବି ନାହିଁ ? କାହା ପାଇଁ ନରକକୁ ଯିବ ? କିଏ ତୁମକୁ ନରକକୁ ପଠାଇବ ? ନରକ ! ସତେ କଣ ସେ ଗାଁଗୁଡ଼ାକ ନରକ ? ଗଉରୀ, ତୁମ ଦେବତା କି ତୁମକୁ ଇମିତି କଥା କହି ତୁମ ମନକୁ ଭୁଲାଇ ନେଇ ପାରେ ? ତୁମେ ଯେବେ ତାଙ୍କୁ ଦେବତା କହିଲ, ମୁଁ କି କହି ପାରିବି ନାହିଁ ? ସେ କି ଆଉ କାହା ଦେବତା ହୋଇପାରିବେ ନାହିଁ ?’’

 

ଗଉରୀର କାନ ତାବଦା ହେଲା ପରି ହୋଇ ଆସିଲା । ସେ ଧାର ବ୍ୟାକୁଳ ଭାବରେ କାନରେ ହାତ ଦେଇ ଆଖି ଫିଟେଇ ଜାକି ହୁଏତ–‘ବୋଉ, ବୋଉ’.....ଦେଖିଲା ତା ଆଗରେ ସତକୁ ସତ ସତ୍ୟଭାମା ଆସି ଠିଆ । ଏପରି ଅତର୍କିତରେ, ଅସମୟରେ ଆଗରେ ବ୍ରଜ ବୋଉକୁ ଦେଖି ସେ କଣ କହିବ କିଛି ଠିକ୍ କରି ପାରିଲା ନାହିଁ । ଆଖିରୁ ଅଜାଣତରେ ଲୁହଧାର ବୋହି ଯାଉଛି- ସେ ବାୟାଣୀ ପରି ଧାଇଁ ଯାଇ ବ୍ରଜ ବୋଉକୁ ଜାକି ଧରି କହିପକାଇଲା–‘‘ବୋଉ, ବୋଉ...!’’

 

ସତ୍ୟଭାମା କୋଳ ଭିତରେ ଗଉରୀକି ଏପରି ହଠାତ୍ ପାଇ ଏକାବେଳକେ ଜାକି ପକାଇଲେ । ସତେ ଅବା କେତେ ଯୁଗ ପରେ ଦୁଃଖିନୀ ମାଆ ତାର ପ୍ରାଣର ସମ୍ପଦ ସନ୍ତାନକୁ ଫେରି ପାଇଲା ! ସତେ ଅବା ଯୁଗ ଯୁଗାନ୍ତରର ଦୁଃଖ ସିନ୍ଧୁ ଏପରି ଭାବରେ ବ୍ରଜ ବୋଉର ବୁକୁ ତଳେ ପୂର୍ର୍ଣ ଆଶ୍ରୟ ପାଇ ଉଛୁଳି ଉଠିଲା !! ସେ ଆପଣାର ଶୁଦ୍ର ଶୀତଳ ବାହୁ ଦୁଇଟିରେ ଗଉରୀକି ଜାକି ଧରି ଏତିକି ମାତ୍ର କହିଲେ-

 

‘‘ମା ମୋର, କେତେ ଦୁଃଖ ପାଇଲୁ !’’

 

ଗଉରୀ ମନର ସକଳ ଲଜ୍ଜା ସଙ୍କୋଚ କୁଆଡ଼େ ଲୁଚି ଗଲା । ସେ ବଡ଼ ଧର୍ଯ୍ୟ ଧରି ବ୍ରଜ ବୋଉ ମୁହଁକୁ ଚାହିଁ ପଚାରିଲା–

 

‘‘ବୋଉ, ଆଜି କିଆଁ ତମେ ଏଠାକୁ ଆସିଲ ?’’

 

ବୋଉ ତା ପିଠି ଆଉଁସି ଆଉଁସି କହିଲା–‘‘ଆସିଲି ଲୋଡ଼ା ହେଲା ବୋଲି । ସବୁ ଜାଣି ଶୁଣି ତୁନି ଥିଲି ଲୋ ଗଉରି, ତୁନି ଥିଲି । ଆଜି ନ ଆମ ଆଉ ରହିପାରିଲି ନାହିଁ ।’’

 

‘‘ସବୁ ଶୁଣିଚି ? କଣ ଶୁଣିଚ ?’’

‘‘ଶୁଣିଚି, ତୋ ବୋଉ ତୋକଥା ଭଲ କରି ବୁଝିପାରୁନି ବୋଲି ।’’

 

ଏ ପଦକରେ ଗଉରୀର ଆଖି ଆଗେ ଆଗେ ଏକ ବିଚିତ୍ର ଦୃଶ୍ୟ ଦେଖାଗଲା । ଦେଖିଲା, ତା ବୋଉ ତାରାମଣି ରୋଗଶେଯରେ ଶୋଇ ରହି, ଲୁହ ଦି’ ଧାର ବୁହାଇ ଦେଇ, ତାର ମୁକୁଳା ଦେହରେ ହାତ ବୁଲାଇ ଶେଷ ଥର ପାଇଁ ସଂସାରରୁ ବିଦାୟ ନେଉଛି । ପୁଣି, ପାଖକେ ରମା ତାର ବୋଉ ରୂପରେ ଆସି ଆପଣା ଦେହରୁ ଅଳଙ୍କାରପତ୍ର କାଢ଼ି ଦେଇ ହସି ହସି କହୁଛି-‘‘ଗଉରି, କିମିତି ଦିଶୁଛି ?’’ ପୁଣି ଆଉ ଏକ ବୋଉ ‘ବ୍ରଜ ବୋଉ’ ତାକୁ କୋଳରେ ଧରି କହୁଛି–‘‘ଆଜି ନ ଆସି ରହି ପାରିଲା ନାହିଁ ।’’

 

ଗଉରୀ ଉତ୍ତର ଦେଳା–‘‘ବୋଉ ଆସିଚ ଭଲ କରିଚ । ମାନ ମୋ ପାଇଁ ଆଉ କାନ୍ଦିବ ନାହିଁ ।’’ ଏହି ପଦକ କହି ଦେଇ ସେ ତାକୁ କନ୍ଦାଇଦେଲା ।

•••

 

-ତିରିଶି-

 

ଗଉରୀର ମନ ଗତଚକ୍ର ପରି ଉଡ଼ିଲା । ନନା ତାକୁ ଯେତିକି ଦୂର୍ ଦୂର୍, ମାର୍ ମାର୍ ଜ ଜ, ରମା ସେତିକି ତାର ପାଖକୁ ପାଖକୁ ଲାଗି ଆସିଲା । ତା ସଙ୍ଗେ ସଙ୍ଗେ ଆସି ଏବେ ବ୍ରଜ ବୋଉ ହାଜର । ତାର ଦୁଃଖମୟ ଜୀବନ ଭିତରେ ପୁଣି ଯେ ଏ କି ଏକ ନାଟ ଆରମ୍ଭ ହେବା ଉପରେ ବସିଲା, ପ୍ରଥମେ ପ୍ରଥମେ କେତେ ଦିନ ସେ ଆଦୌ ବୁଝି ସୁଦ୍ଧା ପାରିଲା ନାହିଁ । ଯାହା କଳ୍ପନା କଲା ସବୁ ଅସ୍ପଷ୍ଟ ମଳିନ ଜଣା ପଡ଼ିଲା । ଦିନେ, ଦି’ ଦିନ, ସପ୍ତାହେ ଦି’ ସପ୍ତାହ ଗଲା, ସେ ପୁଣି ଜାଣିପାରିଲା ଯେ ଖାଲି ବ୍ରଜ ବୋଉ ତା ପାଖକୁ ଆସିଲା ନାହିଁ, ଆଉ ଜଣକୁ ସେ ସାଥିରେ ନେଇ ଆସିଲା । ସେ ହେଉଛି ତାର ପୁରୁଣା-ପରିଚିତ ବ୍ରଜ । ବ୍ରଜ ବୋଉ ତାକୁ ଯେତିକି ଆଦରରେ ଡାକ ଦେଲା-‘ଗଉରୀ’ ତାକୁ ଜଣା ପଡ଼ିଲା ସତେ ଅବା ତାର ପଦେ ପଦେ କଥାରେ ବ୍ରଜ ପାଦେ ପାଦେ ଆଗକୁ ଆଗକୁ ତା ଆଡ଼କୁ ମାଡ଼ି ଆସୁଛି । ଯେତେବେଳେ ସେ ଦେଖିଲା ଯେ ତାର ଆତ୍ମରକ୍ଷାର ଆଉ ଉପାୟ ନାହିଁ, ମନେ ମନେ କାତର ଭାବରେ ପ୍ରାର୍ଥନା କଲା–‘‘ପ୍ରଭୁ ହେ, ମତେ ପୁଣି ଆଉ ହଟହଟା କରନି । ମୋ ଆଖିରେ ଆଉ ଲୁହ ନାହିଁ, ମୋ ବୁକୁରେ ଆଉ ବଳ ନାହିଁ ।’’ ମାତ୍ର ଯେତେ ଯାହାକୁ ପ୍ରର୍ଥନା କଲେ ମଧ୍ୟ ବେଳେବେଳେ ତାର ପୀଡ଼ିତ ସୁପ୍ତ ଯୌବନ ବ୍ରଜ ଆଡ଼କୁ କାତର ସପୂର୍ଣ୍ଣ ଭାବରେ ଦୀର୍ଘ ନିଶ୍ୱାସ ଛାଡ଼ି ଚାହିଁଲା ! ସେ ଭାବନାରେ ଲାଜରେ ତାର କାନ ମୂଳ ଆରକ୍ତ ହୋଇ ଉଠିଲା !!

 

ଶେଷକୁ ଏପରି ହେଲା ଯେ, ତାର ମନେ ହେଲା, ସେ ଧାଇଁ ଯାଇ ବ୍ରଜ ଆଗରେ ଠିଆ ହୋଇ ପଡ଼ିବ । ନିଜ ବୁକୁରେ ଛୁରୀ ମାରିବା ଆଗରୁ ବ୍ରଜକୁ କହିଦେବ, ‘‘ବ୍ରଜ ! ଏ ଯେତେ ଯେତେ କଥା, ସବୁଥିରେ ତୁମେ କେବଳ ଦାୟୀ । ମୋ ଆଖିରେ ତୁମେ ଲୁହ ବୁହାଇଛ, ମୋ ବୁକୁ ତୁମେ ଭାଙ୍ଗି ଦେଇଛ। ଖାଲି ଏତିକି ନୁହଁ, ମୋରି ପାଇଁ ଏବେ ମୋରି ପରି ଆଉ ଏକ ନାରୀ-ପ୍ରାଣ କାନ୍ଦି ଉଠୁଛି । ମୋରି ପାଇଁ ଆଉ ଜଣକ ଜୀବନରେ ସୁଖଶାନ୍ତି ବିଷ ପାଲଟି ଯାଇଛି । -ସେ ସବୁ ପାଇଁ ତୁମେ କେବଳ ଦାୟୀ । ମୁଁ ଯାଉଚି, ତୁମେ ବାକୀ ବୁଝ ।’’

 

ଗଉରୀ ପରି ଯୁବତୀର ଏ ମନୋବୃତ୍ତି ବେଶୀ ସମୟ ରହେ ନାହିଁ । ସେ ଭୋ କରି କାନ୍ଦି ଉଠେ । ମନେ ମନେ ପୁଣି ଦିଅଁ ଦେବତାଙ୍କୁ ପ୍ରାର୍ଥନା କରେ-‘‘ପ୍ରଭୁ ହେ ।’’ ଦେଖେ ସେ ଯେଉଁ ଦିଅଁଙ୍କ ପାଖେ ନିଜର ପ୍ରାର୍ଥନା ଜଣାଉଛି, ସେହି ଦିଅଁ ଠିକ୍ ବ୍ରଜ ବେଶରେ ତାହାରି ହୃଦ-ମନ୍ଦିର ଭିତରେ ପୁଜା ଗ୍ରହଣ କରିବାକୁ ପ୍ରସ୍ତୁତ । ଉଃ.......ସେ ଭାବେ, ବୁକୁ ଫାଟିଯାନ୍ତା ହେଲେ !!

 

କିନ୍ତୁ ତା ହେଲା ନାହିଁ ।

 

ଏ ମଦ୍ୟରେ ଭିତରେ ଭିତରେ ଅନେକ କଥା ବୁଝିପାରି ବ୍ରଜ ତା ବୋଉକୁ ଦିନେ ପଚାରିଲା-‘‘ବୋଉ, ଗଉରୀ କଥା କି ଗାଁରେ ଆଉ କିଏ ବୁଝୁ ନାହାନ୍ତି ?’’

 

‘‘ଆଉ ବୁଝିବେ କଣ ବା କିଏ ?’’

‘‘ଜଣେ ଦୁଃଖରେ ଥିଲେ କି ଦେଖିବା ଲୋକକୁ ବାଧେ ନାହିଁ ?’’

‘‘ବାଧେ ନାଇଁ ଆଉ କଣ, ବାଧେ ?’’

‘‘ତେବେ କାହାକୁ ବାଧୁଚି ?’’

 

‘‘ତତେ ବାଧୁଚି, ନ ହେଲେ ତୋ ପରି ଆଉ କାହାକୁ ବାଧୁଚି । ନ ହେଲେ ତୁ ଏତେ କଥା ପଚାରନ୍ତୁ କିଆଁ ?’’

 

ବ୍ରଜର ମନ ଭିତରେ ଏକ ଗଭୀର ଦୁଃଖଛାୟା ଘୋଟିଗଲା । ବୋଉ ତ ଏତିକି କହି ଦେଇ ଚାଲିଗଲା; ମାତ୍ର ତା ମନ ଜଗତରେ ଏ କଥାର ପତିଧ୍ୱନି ସହଜରେ ଶାନ୍ତ ହେଲା ନାହିଁ । ସେ ସବୁବେଳେ ଶୁଣିବାକୁ ଲାଗିଲା–‘‘ତତେ ବାଧୁଚି, ତତେ ବାଧୁଚି !’’

 

ବ୍ରଜ ତା ନିଜ ହୃଦୟକୁ ନିଜେ ଦିନେ ପରୀକ୍ଷା କରିବାକୁ ଲାଗିଲା ଦେଖିଲା ସ୍ମୃତିର କେଉଁ ଗଭୀର ଗର୍ଭତଳେ ହାସ୍ୟମୟୀ କିଶୋରୀ ଗଉରୀର ଅଭିନବ ଛବିଟିଏ ଅନ୍ଧାରରେ ପଡ଼ି ଜକ୍‌ଜକ୍ ଦିଶୁଛି । ତାକୁ ସେ ଆଦରରେ ମୁହଁ ପାଖକୁ ଟାଣି ଆଣିଲା । ଆଖି ଝଲସିଗଲା, ଓଠ ଥରି ଆସିଲା–ଶିରାପ୍ରଶିରାରେ ବିଜୁଳି ଖେଳ ଖେଳିଲା.......ଉଃ.......ପର ମୁହୂର୍ତ୍ତରେ ତାର ଚେତନା ଆସିଲା । କହିଲା-‘‘ଛଃ, ଏତେବେଳେ କି ଏ କଥା ଆଉ ସମ୍ଭବ ?’’

•••

 

-ଏକତିରିଶି-

 

ରମା ଯେ ଦିନେ କି ସାହସରେ ବ୍ରଜ ଘରକୁ ପଶିଯାଇ ବ୍ରଜ ବୋଉ ଆଗରେ ମୁହଁ ଫିଟେଇ କଥା କହିଲ, କେହି କଳ୍ପନା କରିପାରିବେ ନାହିଁ । ଘରକୋଣରେ ବୋହୂ ସେ, ଅଇଲା ଦିନୁ ବ୍ରଜ ଘରେ ତାର ଥରେ ହେଲେ ପାଦ ପଡ଼ି ନଥିଲା । ତାର ଯିବା କଥା ଜାଣି ଗଉରୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା-

 

‘‘ବୋଉ, ତମେ କି ବ୍ରଜଭାଇ ଘରକୁ ଯାଇପାରିଲ ?’’

 

ସେ ଲୁଚେଇଲା ପରି ହସି ହସି କହିଲା-‘‘କିଆଁ ମ, ଯାଇ ପାରନ୍ତି ନାଇଁ କିଆଁ ? ସେଠି ବାଘ ଅଛି ନା ଭାଲୁ ଅଛି ?’’

 

‘‘ନନା ଶୁଣିଲେ ଆଉ ରଖିବେ ଟିକେ ?’’

‘‘ନ ରଖିଲେ ତଡ଼ିଦେବେ !’’

‘‘ତଡ଼ିଦେବେ ?’’

‘‘ହଁ, ତଡ଼ିଦେବେ ନାହିଁ ଆଉ କଣ । ନ ରଖିଲେ ତଡ଼ିଦେବେ ନାହିଁ ?’’

 

‘‘ବୋଉ, ତୁମେ ଆଉ ଇମିତି କଥା କହ ନାଇଁ । ନନାଙ୍କ ଦୁଃଖ ଦେଖିଲେ ମୋତେ କାନ୍ଦ ଲାଗେ ।’’

 

‘‘ଆଚ୍ଛା, ଗଉରୀ ତୁମକୁ ଦେଖିଲେ କାହାକୁ କାନ୍ଦ ଲାଗୁଥିବ ବୁଝିପାରୁନି ?’’

 

‘‘ତୁମେ ସବୁବେଳେ ଇମିତି କଥାଗୁଡାଏ କହ । ହାତରୁ କାଚ ଗଲେ, ମୁଣ୍ଡରୁ ସିନ୍ଦୂର ଲିଭିଲେ ସଂସାରରୁ ନାରୀ ଜନମର ସବୁ ସରିଲା । ମୋର ଆଉ ସଂସାରରେ କଣ ଅଛି କହିଲ ଦେଖି ! ସବୁ ତ ସରିଚି, ମୋ ପାଇଁ ଆଉ କିଏ କାହିଁକି କାନ୍ଦିବ ?’’

 

‘‘ନାଇଁ ଗୋ, ଗଉରୀ, ନାଇଁ । ତୁମ ପାଇଁ କାନ୍ଦିବାକୁ ଲୋକ ଅଛନ୍ତି । ତୁମ କଥା ବୁଝିବାକୁ ଦିଅଁ ଦେବତା ଏ ସଂସାରରେ ଅଛନ୍ତି ।’’

 

ଗଉରୀ ମୁହଁରେ ହାସ୍ୟରେଖାଟିଏ ଦେଖା ଦେଲା । ସେ କଉତୁକ ହେଲା ପରି ରମାର ପଣତ କାନିଟାକୁ ଟିକିଏ ଟାରିଦେଲା କହିଲା–‘‘ସତ କହୁଚ, ମୋ ପାଇଁ ଦିଅଁ ଦେବତା ଅଛନ୍ତି ? ମତେ କଣ ସେ ଚିହ୍ନନ୍ତି ? ଦେଖଷଇ ଦିଅନ୍ତି ମୋ ଦିଅଙ୍କୁ ମତେ !’’

 

‘‘ୟା କଣ କହୁଚମ ! କଣ ବେଶି ବାଟ କି ? ଏଇ ପଡ଼ିଶା ଘରକୁ ଗଲେ ତ ଦେଖି ଆସିବ ! ମୁଁ ଯାଇଥଇଲି ଯେ ବାଟରୁ ଫେରି ଅଇଲ । ତମ ଦିଅଁଙ୍କୁ ମୁଁ କାହିଁକି ଦେଖନ୍ତି ?’’

 

ଗଉରୀ ଥଟାରେ ହସି ହସି କହିଲା, ‘‘ହଁ, ହଁ, ଜାଣିଚି, ଜାଣିଚି । ଦିଅଁଙ୍କ ବୋଉ ସାଙ୍ଗେ କଥା ହୋଇ ଆସିଲ ପରା ! ମୁଁ କଣ ଏସବୁ କଥା ବୁଝିପାରୁନି ? ତୁମକୁ କିଏ ଏତେ ବୁଦ୍ଧି ବତେଇଲା ? କିମିତି ତାଙ୍କୁ ମୁହଁ ଟେକି କଥା କହିଲମ ?’’

 

‘‘କାହିଁକି, କଥା କହିବାକୁ କଣ ଭୟ ଲାଗୁଚି ? ଗଳି ହସି ହସି ଠିଆ ହେଲି । ମୁହଁ ଫିଟେଇ କହିଲି-‘ଗଉରୀ କର ଇମିତି ଘର କୋଣରେ ପସି କାନ୍ଦୁଥିବେ, ତମେ କିଏ କିଛି ବୁଝିବ ନାହିଁ ? ଆହା, କେଡ଼େ ସେନେହୀ ଲୋକଯିଏମ ସିଏ । ମତେ ପରା କତା ଦିପଦ କହି କିଣି ନେଲେ ! ମୋ ପିଠି ଆଉଁସି ଦେଲେ, କୋଳକୁ ଟାଣି ନେଇ କଅଁଳେଇ କଅଁଳେଇ କେତେ କଥା ବୁଝାଇଲେ । ସେତେବେଳେ ଭାବିଲି, ମୋ ବୋଉ କୋଳରେ ମୁଁ ସ୍ୱପ୍ନ ଦେଖୁଛି କି !’’

 

‘‘ତାଙ୍କୁ ତମେ ସିନା ଏବେ ଜାଣିଲ ପିଲାଦିନୁ ମୁଁ ଜାଣିଥିଲି । ତାଙ୍କୁ ମୁଁ ଜାଣିଥିଲା । ତାଙ୍କୁ ମୁଁ ବୋଉ ବୋଲି ଡାକେ । ସତକୁ ସତ ସେ ମୋର ବୋଉପରି । ପିଲାଦିନଯାକ ତାଙ୍କରି ଘରେ କେତେ ଖେଳ, କେତେ କଉତୁକ ।’’ ଗଉରୀ କଣ କଥାରୁ ଅଧା କହି କିଛି ସମୟ ଥଙ୍ଗି ରହିଗଲା । ତାର କଣ୍ଠ ପାଖରେ କଣ ଅଟକି ଗଲା ପରି ଜଣା ପଡ଼ିଲା। ତା ମନ ଭିତରେ କିଏ ଜଣେ ବ୍ରଜପରି ଆସି ଠିଆ ହୋଇଗଲା । ସେ କତାକୁ ବାଆଁରେଇଲା ପରି କହିଲା–‘‘କାଲି ଆସି ମତେ କେତେ କଥା ସିଏ କହି ଦେଇ ଗଲେ-ତୁମରି କୃତ୍ୟ ସବୁ ଇଏ । ମତେ ତୁମେ ହଟହଟା କରି ମାରିବ; ଦିଶିଲାଣି । ହେଇଟି କିଏ.....ନନା ଆସିଲାଣି ପରା..... ।’’

 

‘‘ଗଉରି, ଗଉରି !’’

 

ଅଗଣାରେ ରାଧାନାଥଙ୍କୁ ଦେଖିବା ମାତ୍ରେ ଗଉରୀର ଦେହ ଗୋଟାସୁଦ୍ଧା ଥର ଉଠିଲା-। ଠିକ୍ ଏହିପରି ସମୟରେ ଆର ପାଖରୁ ବ୍ରଜ ବୋଉର ପାଟି ଶୁଭିଲା-

 

‘‘ଗଉରି !’’

 

ସେ କାହା ଡାକକୁ ଶୁଣିବ, କିଛି ସ୍ଥିର କରି ପାରିଲା ନାହିଁ । ମଝିରେ ଖାଲି କାଠଟାପରି ସ୍ଥିର ହୋଇ ରହିଗଲା । ତା ପାଟିରୁ ଆଯୌ କଥା ବାହାରିଲା ନାହିଁ । ଆଗରେ ନନାଙ୍କୁ ଦେଖି, କି ଅଜଣା ଭୟରେ ବାୟାଣୀ ପରି ହୋଇ ବ୍ରଜ ଘର ଆଡ଼କୁ ଧାଇଁ ଚାଲିଗଲା । ବାଟରେ ବ୍ରଜ ବୋଉକୁ ପାଇ ଜାକି ପକାଇ କହିଲା–

 

‘‘ବୋଉ, ବୋଉ !’’

 

ରମା ସେତେବେଳେ ସେହି ମଝିରେ ଠିଆ ହୋଇ ନୀରବ ନିସ୍ପନ୍ଦ ଭାବରେ ଏହି ବିଚିତ୍ର ଦୃଶ୍ୟ ଦେଖିବାରେ ଲାଗିଲା ।

•••

 

-ବତିଶି-

 

ଠିକ୍ ଏହି ଯେଉଁ ଘଟଣା ଘଟିଲା, ତାହା ବ୍ରଜ ଘର ଓ ରାଧାନାଥଙ୍କ ଘର ମଝିରେ ଥିବା ଗୋଟିଏ ଚୋର-ଦୁଆର ପାଖେ । ପରମଗୁରୁ ମଲା ଦିନୁ ସେ ଦୁଆରଟା ବନ୍ଦ ଥିଲା । ରମା ଦିନେ ସାହାସରେ ତାହା ଫିଟେଇ ପକାଇଲା। ଗଉରୀ କଥା ବ୍ରଜ ବୋଉ ଆଗରେ କହିବା ଯେତେବେଳେ ସେ ଦରକାର ମନେ କଲା, ସବୁଲାଜ ସଙ୍କୋଚ, ସକଳ ମନା ବାସନ୍ଦ କଥା ପାଶୋରି, ଗଉରୀର ଶତ ଆପତ୍ତି ସତ୍ତ୍ୱେ ସେ ତାହା ନିଜ ହାତରେ ଫିଟେଇ ଦେଇ ସେହି ବାଟେ ବ୍ରଜ ଘରକୁ ପଶି ଯାଇଥିଲା । ସେହି ଛୋଟ ଦୁଆରଟି ଏବେ ହେଲା ଗଉରୀ ଓ ରମା ଜୀବନରେ ଏକ ବିଷମ ଚୋରି ଦୁଆର ! ସମାଜର ସଂକୀର୍ଣ୍ଣ ବଳ ପଥରେ ଗଲାବେଳେ ସେହି ପଥହିଁ ହେଲା-। ସେମାନଙ୍କର ସଦର ରାସ୍ତା-ବଡ଼ ଦାଣ୍ଡ । ହୃଦୟର ଦୀର୍ଘ ନିଶ୍ୱାସ ସେହି ବାଟରେ ଆଦାନ ପ୍ରଦାନ ହେଲା, ଆଖିର ତପ୍ତ ଲୋତକଧାର ସେହି ପଥ ଦେଇ କହିଲା ଜୀବନର ସକଳ ଆଶା ଆଶ୍ୱାସନା, ସ୍ନେହ ମମତାର ଗତି ସେହି ବାଟ ଦେଇ ଗଲା ।

 

ଏ ଘରେ ରାଧାନାଥ, ସେ ଘରେ ବ୍ରଜ-ଏ ମଝିରେ ତିନୋଟି ନାରୀ । କାହା ପ୍ରାଣରେ କି ଭାବନା, କି ଗଭୀର ସହାନୁଭୂତିର ଗଙ୍ଗାଧାରା ବହି ଯାଉଛି, କି ମର୍ମ-ବେଦନାରେ ତିନୋଟି ପ୍ରାଣ ଛଟପଟ ହେଉଛି, ଏ ସଂସାର ସୃଷ୍ଟ କରୁଥିବା ଲୋକ କେବଳ ଜାଣେ !

 

ବ୍ରଜ ସେହି ଛୋଟ ଦୁଆର ପାଖେ ଆସି ଠିଆହୋଇ ଡ଼ାକି ଦେଲା–‘ବୋଉ !’

 

ବୋଉ ଡାକ ତା ମୁହଁରୁ ଶେଷ ହୋଇ ନାହିଁ, ସେ ହଠାତ୍ ଚମକି ପଡ଼ିଲା । ଦେଖିଲା, ପୁଅର ପାଖେ ବୋଉ ତାର କୌଣସି କରୁଣମୟୀ ଦେବୀ ରୂପରେ, କୌଣସି ପତିତପାବନୀ ଜନନୀ ରୂପରେ, ସତେ ଅବା କେଉଁ ଶତ ସହସ୍ର ଯୁଗର ପତିତା, ଲାଞ୍ଚିତା, ଚିରଦୁଃଖିନୀ କେଉଁ ଯୁବତୀକୁ କୋଳ କରି ଘନ ଘନ ସ୍ନେହ ଚୁମ୍ବୂ ଦେବାରେ ଲାଗିଛି ! ଆଖିରୁ ଧାର ଧାର ଲୁହ ବୋହି ଯାଉଛି ଦୁହେଁ ଦୁହିଁକି ଚାହିଁ ରହନ୍ତି । ସେ ଚାହାଣୀ ଏ ପାପକଳପିତ ମର୍ତ୍ତ୍ୟର ନୁହେଁ–ତାହା ସ୍ୱର୍ଗର । ସେ ଆଉ ପଦେ ଡ଼ାକିପାରିଲା ନାହିଁ । ମର୍ତ୍ତ୍ୟଧାମରେ ଏ ଅପରୂପ ଦୃଶ୍ୟ ସେ କେବେ କେଉଁଠି ଦେଖି ନ ଥିଲା। କେବଳ ନିର୍ନିମେଷ ଲୋଚନରେ ସେହି ଅମୃତମୟ, କରୁଣାମୟ ଦୃଶ୍ୟ ପାନ କରିବାରେ ଲାଗିଲା !

 

ତେଣେ ଅଗଣାର ସେ ପାଖେ ରାଧାନାଥଙ୍କ ଆଖିକି ଦେଖାଗଲା ଗୋଟିଏ ରାକ୍ଷସୀର ମୂର୍ତ୍ତି । ସେ କେତେ ଯୁଗର କୌଣସି ବଭୁଷିତା ରାକ୍ଷସୀ ମୂର୍ତ୍ତି ମୁଣ୍ଡ ମୁକୁଳା କରି ମର୍ତ୍ତ୍ୟଦାସିନୀ ଏକ ନାରୀକୁ କୋଳରେ ଚିପି ଧରି ସତେ ଅବା ତାର ରକ୍ତ ପାନ କରୁଛି ! ତାର ଆଗମନରେ ଘରଟା ନୀରବ ନିସ୍ତଦ୍‌ଧ । ଏଡ଼େ ବଡ଼ ସଂସାରଟାରେ ଧର୍ମ ଦେବତା ଲୁଚିବାକୁ ସ୍ଥାନ ନ ପାଇ ଦେବୀ ରୂପରେ ତାହାରି ଆଗରେ ଘରେ ଠିଆ ହୋଇ କେବଳ ଦୃଶ୍ୟ ଦେଖିବାରେ ଲାଗିଛନ୍ତି । ତାଙ୍କ ଘରେ ଏ କି ନାଟ ! ପବିତ୍ର ଦେବମନ୍ଦିରରେ ଏ କି ପେଶାଚିକ କାଣ୍ଡ ! ତାଙ୍କ ହାତରୁ ପାଣିଢ଼ାଳ ଖସିପଡ଼ିଲା । ଫୁଲଚାଙ୍ଗୁଡ଼ା ଥରି ଥରି ପଡ଼ିଗଲା । ସେ ଅସମ୍ଭାଳ ହୋଇ ପୁଣି ଡ଼ାକ ଦେଲେ–

 

‘‘ଗଉରୀ !’’

ରମା ଟିକିଏ ମୁହଁ ବୁଲେଇ ଚାହିଁଲା ।

ଘରର ସେ ପଟେ ଶୁଭିଲା-

‘‘ବୋଉ !’’

ରମା ପୁଣି ମୁହଁ ବଳେଇ ଦେଖିଲା-ଶୂନ୍ୟ-କେହି ନାହାନ୍ତି । କାହିଁ କେଉଁଠି ଦେବବାଣୀ ଶୁଭୁଛି !

 

ବ୍ରଜ କଣ୍ଠରେ ପ୍ରତିଶବ୍ଦ ସତେ ଅବା ଗଉରୀ ହୃଦୟରେ ଯାଇ ବାଜିଲା ! ସେ ମୁହଁ ଟେକି କହିଲା–‘‘ବୋଉ !’’

 

କେତେ ସମୟ ପରେ ବୋଉ ଗଉରୀ ମୁଡଁରୁ ଲୁହ ପୋଛିଦେଇ କହିଲା-‘‘ଯା, ମା’ ନନା ଡ଼ାକୁଥିଲେ, ଯା ଶୁଣିବୁ ।’’

 

ଏହି ଜକାଜକି, ଲୁହ ବୁହାବୋହିରେ ଦୁଇଟା ହୃଦୟ ଅନେକ ପରିମାଣରେ ଉଶ୍ୱାସ ହୋଇଗଲା ! ଦୁହେଁ ଏକାବେଳକେ ଦୀର୍ଘ ନିଶ୍ୱାସ ଛାଡ଼ି ମୁହଁକୁ ମୁହଁ ଚାହାଁଚାହିଁ ହେଲେ ।

 

ବୋଉ ଯେତେବେଳେ ସେହି ଛୋଟ ଦୁଆର ବାଟେ ଘରକୁ ଫେରି ଆସିଲା, ଦେଖିଲା, ପୁଅର ପାଖେ ବ୍ରଜ ଠିଆ ହୋଇ ସେ ଧ୍ୟାନମଗ୍ନ ଭାବରେ ରହିଛି । ତାର ଆଖି ଦୁଇଟା ଲୁହ ଛଳ ଛଳ ହୋଇ ଯାଇଛି । ହୃଦୟର ଅଶ୍ରୁ-ନଦୀର ଉପକୂଳରେ ସେ ଆସି ଠିଆ ହୋଇ ଗଉରୀ ଜୀବନରେ ତରଙ୍ଗ ଆଣିବାରେ ଲାଗିଛି । ବୋଉ ପଚାରିଦେଲା–

 

‘‘ବ୍ରଜ, ଆଜି ଏତେ ଉଛୁର କିଆଁ ରେ ?’’

 

ବ୍ରଜ ବୋଉ ମୁହଁକୁ ବାଲୁ ବାଲୁ ଚାହିଁ ରହି କହିଲା–‘‘ସେଇ ମାଗିଖାଇ ପାଇଁ କୁଡ଼ିଆ ଖଣ୍ଡିଏ ତିଆରି ହେବ ଯେ, ଚାନ୍ଦା ମାଗିବାକୁ ଯାଇଥିଲି ।’’

•••

 

-ତେତିଶି-

 

ରମା ମଝିରେ ଏହି ଯେଉଁ ଦୃଶ୍ୟ ଦେଖିଲା, ସେଥିରେ ତାର ମନ ବିଦ୍ରୋହ ହୋଇ ଉଠିଲା । ରାଧାନାଥଙ୍କ ସଂସାରଟା ତାକୁ ନିତାକ୍ତ ବିଷ ବୋଧହେଲା । ଜଣେ ଯେ ଜଣକପାଇଁ ଏପରି କାନ୍ଦେ, ଜଣକ ଦୁଃଖ ଦୁର୍ଦ୍ଦଶା ଯେ ଆଉ ଜଣେ ଏପରି ନିବିଡ଼ ଭାବରେ ଅନୁଭବ କରିପାରେ, ରମା ସେ ଦିନ ପ୍ରଥମେ ସେହିଠାରେ ଦେଖିଲା । ସଙ୍ଗେ ସଙ୍ଗେ ଦେଖିଲା, ତାହାରି ଆଗରେ ତାହାରି ‘ପ୍ରାଣ-ଦେବତା’ ରାଧାନାଥ କାଠ ଖଣ୍ଡେ ପରି ଠିଆ ହୋଇ ସବୁ ଦେଖିଲେ, ଅଥଚ ପଦେ ହେଲେ କଥା କହିଲେ ନାହିଁ । ଯେତେବେଳେ ତାଙ୍କୁ କଥା କହିବାକୁ ଦରକାର ପଡ଼ିଲା, ସେ ଷୋଳ ବରଷର ବିଧବା କନ୍ୟା ଉପରେ ପ୍ରାୟଶ୍ଚିତ୍ତର ଏକ ଗୁରୁ ଭାର ଲଦି ଦେଇ କହିଲ–‘‘ଯାହାର ଜାତି ନାହିଁ, ଯେ ପାଣ ହାଡ଼କୁ ଛୁଇଁବାରେ ସାହାଯ୍ୟ କରୁଚି, ସେପରି ଲୋକକୁ ଜାଣି ଶୁଣି ଛୁଇଁବା ଫଳରେ ଗଉରୀକୁ ଦି’ଦିନ ନିର୍ଜଳ ଉପବାସ କରିବାକୁ ପଡ଼ିବ !’’

 

ଗଉରୀ ମୁଣ୍ଡ ପୋତି ନନାଙ୍କର ଏ ଆଦେଶ ପାଳି ନେଲା; ମାତ୍ର ଏଥିରେ ରମା ପ୍ରାଣ କେତେକରେ ଶାନ୍ତ ହୁଏ? ସେ ଜୀବନସର୍ବସ୍ୱ ପତିଙ୍କ ଉପରେ କୋପଦୃଷ୍ଟ ପକାଇ ଜଳି ଉଠିଲା ! ସେ ହୃଦୟ ଭିତରେ ବହି ହୋଇ ପାଇଁ ଗଉରୀକି ଚାହିଁ ପଚାରିଲା–

 

‘‘ଗଉରୀ, ସତେ କଣ ତୁମେ ନିର୍ଜ୍ଜଳ ଉପାସ କରିବ ?’’

‘‘ହଁ, କରିବି ।’’

‘‘କରିବି ?’’

‘‘କରିବି ନାଇଁ କିଆଁ ? ନନା ପରା କହିଗଲେ ଏଥିକି ୟା ପ୍ରାୟଶ୍ଚିତ୍ତ !’’

‘‘ସତେ କଣ ତୁମେ ଦୋଷ କରିଚ, ଗଉରୀ ?’’

‘‘ମୁଁ ଦୋଷ କରିଚି କି ନାଇଁ, ମୁଁ କିମିତି କହିବି ?’’

ରମା ରାଗିଲା ପରି ମୁହଁ ଟେକି ପଚାରିଲା-‘‘ତୁମେ କହିବ ନାହିଁ, ଆଉ କିଏ କହିବ ?’’

 

ମୁଁ କହିବି ? ନାରୀଏ କଣ ନାରୀଙ୍କ କଥା କହିପାରନ୍ତି ? ତାଙ୍କ ପାଇଁ କହନ୍ତି ଆଉ ଲୋକେ । ତାଙ୍କ ପାଇଁ ଗାଁର ମହାଜନ ଅଛନ୍ତି, ତାଙ୍କ ପାଇଁ ଶାସ୍ତ୍ର ତିଆରି ହୋଇ ରହିଚି । ବୁଝିପାରୁନି ?

 

‘‘ବୁଝିପାରୁଚି । ମାତ୍ର କହ ଦେଖି, ମୁଁ ଗୋଟିଏ କତା ପଚାରିବି । ମୁଁ ତୁମକୁ ଛୁଇଁଲେ ମାରା ହେବି ?’’

 

‘‘ନାଇଁ ମ, ମାରା କିଆଁ ହେବ ?’’

‘‘ତେବେ, ପଡ଼ିଶା ବୋଉକୁ ଛୁଇଁ ତମେ କିଆଁ ମାରା ହେବ ?’’

 

‘‘ସେ ପରା ହେଲେ ଗାଁର ଜାତି ବାସନ୍ଦ ଘରର ଲୋକ । ତାଙ୍କ ପାପ ହେଉଛି-ହାଡ଼ି ପାଣ ଲୋକଙ୍କୁ ଛୁଇଁଛନ୍ତି ବୋଲି କହୁଥିବା ଲୋକଙ୍କ ଘରେ ସେ ଅଛନ୍ତି ।’’

 

ଏହିଠାରେ ରମା ପ୍ରାଣରେ ଘୋସନ୍ଦେହ ଆସି ଦେଖା ହେଲା । ମଣିଷ ମରିଷକୁ ଛୁଇଁଲେ, ସେ ଗଉରୀକି ଛୁଇଁଲେ ଛୁଆଁ ହେବ ନାହିଁ-ଏ କଥା ସେ ମନ ରାଗରେ ବୁଝି ନେଇଥିଲା । ମାତ୍ର ବହୁ ଯୁଗର ସଂସ୍କାର ଫଳରେ ହାଡ଼ି ପାଣ କଥା ମନେ ପଡ଼ିବା ମାତ୍ରେ ସେ ହଠାତ୍ ଥଙ୍ଗି ଯାଇ ଗଉରୀ ମୁହଁକୁ କେବଳ ଚାହିଁ ରହିଲା । ନିଜର ଅକାଟ୍ୟ ଯୁକ୍ତିକୁ ନେବା ପାଇଁ ତାକୁ ଆଉ କୂଳ ଥଳ ମିଳିଲା ନାହିଁ । ନିଜ ଭାବନାରେ ନିଜେ ବିବ୍ରତ ହୋଇ ପଚାରିଲା–

 

‘‘ଛୁଇଁଲେ କି ଘୋର ପାପ କରିବା ହେଲା ?’’

‘‘ହେଲା ବୋଳି ତ ନନା କହୁଛନ୍ତି !’’

 

ରମା ଏ ବିଷୟରେ ଆଉ କଣ କହିବ, କିଛି ବୁଝିପାରିଲା ନାହିଁ । ‘ନନା’ଙ୍କ ପ୍ରତି ନିଜ ମନର କ୍ରୋଧ ମେଣ୍ଟାଇବା ପାଇଁ ପଚାରିଲା–

 

‘‘ଗଉରି, ସଂସାରରେ ସମସ୍ତଙ୍କର ସାହା ଭରସା ଅଛନ୍ତି । ପଶୁକୁ ବିପଦ ପଡ଼ିଲେ ସେ ତାର ଆଶ୍ରା ଥାନ ଖୋଜି ପକାଉଛି । ପକ୍ଷୀ ଜନ୍ତୁ ବିପଦ ପଡ଼ିଲେ ତା ଜାତି ଲୋକେ ଯେବେ ତାକୁ ଆଶ୍ରା ନଦେବେ, ତେବେ ସେ ରହିବ କିମିତି ?’’

 

ଗଉରୀ ଏ କଥାର ଅର୍ଥ ବୁଝି ନ ପାରି ପଚାରିଲା-

‘‘ଏ କଥା କିଆଁ ପଚାରିଲା ?’’

‘‘ପଚାରିଲି, ଦୁଃଖରେ ମଣିଷକୁ ଆଶ୍ରା ମିଳୁ ନାଇଁ ବୋଲି ।’’

 

‘‘ମିଳୁ ନାଇଁ ? କିଏ କହିଲା ? ମଣିଷକୁ ଆଶ୍ରା ମିଳିଲା ପରି ଆଉ କାହାକୁ ମିଳୁ ନାଇଁ-!’’

 

‘‘ନା, ନା, ମିଳୁ ନାଇଁ; ମିଛ କଥା, ମିଛ କଥା । ମିଳୁଥିଲେ କି ଗଉରୀ ପରି ଜଣେ ଝିଅ ପର ବୁକୁ ଭିତରେ ମୁହଁ କାଢ଼ି ଆଣି ଏ ଘରେ ନିର୍ଜଳ ଉପାସ କରିବାକୁ ବସିଥାନ୍ତା ? ପୋଡ଼ି ଯାଉ ଏ ଶାସ୍ତ୍ର; ପୋଡ଼ିଯାଉ ଏ ଧର୍ମପଣିଆ ! ଦୁଃଖ କିଏ ବୁଝିଲା ? ମଣିଷ କିଏ ଚିହ୍ନିଲା ? ମନ କିଏ ଜାଣିଲା ? ମିଛ କହୁଛି କି ଗଉରି, ମୁଁ ?’’

 

ଗଉରୀ କିଛି ସମୟ ନୀରବ ରହି କଣ ଭାବିବାରେ ଲାଗିଲା । ମନ ଭିତରେ ତାର କି ରହସ୍ୟର ଯବନିକା ଫିଟିଗଲା; କହିଲା–

 

‘‘ରମା, ତୁମେ କଣ ସତେ ବିଚାରିଚ କାହାର କିଏ ଆଶ୍ରା ନାହାନ୍ତି ବୋଲି ? ଅଛନ୍ତି, ଅଛନ୍ତି । ଏ ଗଉରୀ ପାଇଁ କିଏ ହେଲେ କଣ ଭାବୁଚି । ତୁମେ ତ ଭାବୁଚ, ରମା, ଇମିତି କଥା ଆଉ ପଚାରିବ ନାଇଁ !’’

 

ରମା ଆଉ ଧୈର୍ଯ୍ୟ ରଖି ପାରିଲା ନାହିଁ । ଗଉରୀ ବେକକୁ ଡାକିଲା ପରି ଧରି ପକାଇ, ମୁହଁକୁ ମୁହଁକୁ ଲଗାଇ, ଆଦ୍ର କଣ୍ଠରେ କହିଲା-

 

‘‘ଗଉରୀ, ଗଉରୀ, ସତେ କଣ ତୁମ ପାଇଁ କିଏ କଣ ମାବୁଚି ? ସତ କହୁଚ, ତୁମେ ଜାଣିଚ କିଏ ଭାବୁଚି ? ଭାବୁଥିଲେ ତୁମେ ଏଠି କିଆଁ ପଡ଼ିଚ ?’’

 

ଗଉରୀ ଦେଖିଲା, ଉମାର ଆଖିରୁ ଧାର ଧାର ଲୁହ ବୋହି ଯାଉଚି । ତା ଲୁହ ଦେଖି ୟା ଆଖିପତା ଓଦା ହୋଇ ଆସିଲା । କହିଲା–‘‘ଏଠି ପଡ଼ିବି ନାଇଁ ତ ଯିବି କୁଆଡ଼େ ?’’

 

‘‘ନା, ନା, ତୁମେଯାଅ–ତୁମେ ଯାଅ । ତୁମେ ଏଠି ପଡ଼ ନାହିଁ-ଏଠି ପଡ଼ିବାକୁ ମୁଁ ଜନ୍ମ ହୋଇଚି । ମୁଁ ପଡ଼ିଥିବି, ମୁଁ ସଢ଼ି ସଢ଼ି ଏଠି ମରିବି । ଯାଅ ତୁମେ, ଏ ନିର୍ଜ୍ଜଳ ଉପାସ କରିବା ଆଗରୁ କୁଆଡ଼େ ଚାଳିଯାଅ । ଆଉ କିଏ ଜାଣନ୍ତୁ ନ ଜାଣନ୍ତୁ ତୁମକୁ, ମୁଁ ଜାରି ସାରିଚି । ତୁମେ କାହାକୁ ଛୁଇଁଲେ କାରା ହେବ ନାଇ, ତୁମକୁ ଯେ ଛୁଇଁବ ସେ ପବିତ୍ର ହୋଇଯିବ! ସଂସାର କି ଏଡ଼ିକି ଅନ୍ଧ ହୋଇଚି ? ତୁମକୁ ଦେବୀ ତୁମକୁ ରକ୍ଷା କରିବେ । ତୁମେ ହସି ହସି ଯାଅ ଗଉରୀ, କାନ୍ଦି କାନ୍ଦି ଇାଅ ନାଇଁ । କାନ୍ଦ ଦେଖିଲେ ମତେ କାନ୍ଦ ମାଡ଼େ । ତୁମ ମୁହଁରେ ଲୁହଧାର ଦେଖିଲେ ମୋ ଲୁହ ମୋ ମନ ମାନେ ନାଇଁ । ଆଉ କଣ କହିବି ଗଉରୀ !’’

 

ଗୁରୀ ଦେଖିଲା, ରମା ତାର ମନ କଥା ଅନେକ ପରିମାଣରେ ବୁଝି ପାରିଛି । ସେ ଆଉ କିଛି ନ କହି ଘର କାମରେ ଲାଗିଗଲା । ସବୁ କାମ ସାରି ସେ ଯେତେବେଳେ ସନ୍ଧ୍ୟାବେଳେ ବାଡ଼ି ପିଣ୍ଡାରେ ହାଲିଆ ହୋଇ ଆଉଜି ବସିପଡ଼ିଲା ତେଣେ ତା ନନା ହବିଷ ସାରି ଦାଣ୍ଡଆଡ଼େ ବିଶ୍ରାମ ନେଉଥିଲେ ଏବଂ ରମା ବ୍ରଜଘର ଚୋରି କବାଟ ବାଟେ ନିଜ ଘର ଭିତରକୁ ପଶି ଆସୁଥିଲା ।

•••

 

-ଚଉତିରିଶି-

 

ପେଟରେ ଅନ୍ନ ପଡ଼ି ନାହିଁ, ତୁଣ୍ଡରେ ପାରି ଟୋପେ ବାଜି ନାହିଁ, ଗଉରୀ ତଳେ ପଡ଼ି ଭାବିଲା–‘‘ସତେ କି ମୁଁ ପାପ କଲି ?’’

 

ପାପ ! ତା ପଅତି କି ଭୟଙ୍କର କଥା ! ପିଲାଦିନୁ ସେ ପାପ କଥା କେତେ ଥର କାହା ତୁଣ୍ଡରୁ ଶୁଣି ଆସିଛି। କିଏ ଗୋରୁ ମାଇଲା, ପାପ କଲା; କିଏ ଚୋରିକଲା, ପାପ କଲା; କିଏ ପରର ଅହିତ ପାଞ୍ଚିଲା; ପାପ କଲା, କିଏ ବା ଅବାଟରେ ଗଲା, ପାପ କଲା; ମାତ୍ର ସେ କଣ ପାପ କଲା ?

 

ଓହୋ ! ପାପତ କି ଭୀଷଣ ରୂପ ସେ କଳ୍ପନା କରିଛି । କିଏ ଗୋଟା ସୁଦ୍ଧା କଣିଷକୁ ଗିଳି ଦେଉଛି, କିଏ ଅଧା ଗିଳି ରଖୁଛି, କିଏ ତା ମଣିଷକୁ ଛୁଇଁ ଦେଇ ପତିତ, ପଙ୍ଗୁ କରି ଦେଉଛି । କିନ୍ତୁ ଗଉରୀ ପାପର ରୂପ ବର୍ଣ୍ଣ କାହିଁ ? ଗଉରୀ କି ପାପିନୀ ?

 

ଛି ! ତା ପକ୍ଷରେ ପାପ କି କଦର୍ଯ୍ୟ ! ସଂସାରରେ ମରିଷକୁ ସେ ଛୁଇଁ ଦେଇ ଶେଷ କରିଦିଏ, ମରିଷକୁ ଅକର୍ମଣ୍ୟ କରିପକାଏ । ପାପ ଯୋଗୁଁ ମଣିଷ ଆପେ ଆପେ ପେଟ ଭିତରେ ଘାଣ୍ଟି ହୋଇ ମରେ । ସଂସାରଟା ତାକୁ ନିତାନ୍ତ ଅନ୍ଧକାରମୟ ଦିଶେ । କାହିଁ ଗଉରୀର ତ ସେପରି କିଚି ବିକାର ଘଟୁନାହିଁ ? ସେ କି ସତେ ପାପ କରିଛି !

 

ରାଧାନାଥଙ୍କ ଘରେ ସେହି ଯେଉଁ ‘ପାପ’ ତାକୁ ଦୁଇବାହୁ ତଳେ କୁଣ୍ଢାଇ ପକାଇ ଅଜସ୍ର ଧାରରେ ତା ଉପରେ ଲୋତକ ଢାଳି ଦେଇଗଲେ, ସେ କି ମଧୁମୟ, କି କମନୀୟ ମୂର୍ତ୍ତି ! ସେ ଜ୍ୟୋତ୍ସ୍ନା ପରି ହସିଲା, ଶିଶିର ବିନ୍ଦୁ ପରି କାନ୍ଦିଲା, ଫୁଲ ପରି ପୁଣି ହସେଇଲା ! ତାକୁ କି ପାପ କୁହାଯାଇ ପାରିବ ?

 

ସେ ପାପ ତ ଗଉରୀ କୁ ଗ୍ରାସ କଲା ନାହିଁ, ତାକୁ ନବଜୀବନ ଦାନ କଲା । ଗଉରୀର ଦୁଃଖଦଗ୍‌ଧ ପ୍ରାଣ ତାହାରି ସ୍ପର୍ଶରେ ଶୀତଳ ହୋଇ ଉଠିଲା-ତାର ଲୋତକରୁଦ୍ଧ ହୃଦୟଟା ଶରତକାଳୀନ ଆକାଶ ପରି ସ୍ୱଚ୍ଛ ସୁନ୍ଦର କମନୀୟ ହୋଇ ପଡ଼ିଲା । ତାର ଜଡ଼ ଅଙ୍ଗରେ କି ଅଭିନବ ଜୀବନ-ସ୍ରୋତ ଖେଳିଗଲା ।

 

ସେହି ପାପ ଗଉରୀକି ପଙ୍ଗୁ କଲା ନାହିଁ ଯେ ତାକୁ ଚିରଚଞ୍ଚଳ କରିଦେଲା । ତା ଆଖିକୁ ସବୁ ଦିଶିଲା ଦିବ୍ୟ ସୁନ୍ଦର । ତାହାରି ଦିବ୍ୟ ଦୃଷ୍ଟିରେ ସଂସାରର ସକଳ ପତିତ, ଲାଞ୍ଚିତ ତାକୁ ପୁଣ୍ୟବନ୍ତ ଜଣାପଡ଼ିଲେ । ସେ ତାକୁ କିମିତି କହିବ ପାପ ବୋଲି ?

 

ଗଉରୀ ଭାବିଲା, -‘‘ତେବେ କଣ ଏହି ପାପ ପାଇଁ, ଯେଉଁ ପାପ ମତେ ପମିତ୍ର କରି ଦେଇଚି-ଏହି ପାପ ପାଇଁ ମୁଁ ନିର୍ଜ୍ଜଳ ଉପବାସ କରି ପଡ଼ିଚି ? ମୋରି ଧର୍ମର ମୋଉକୁ ଛୁଇଁବା ଫଳରେ ମତେ ଏତେ ଶାସ୍ତି ଭୋଗିବାକୁ ପଡ଼ିଚି ! ଛି-ଛି-ଛି, ଏକଥା ମୁଁ ତୁଣ୍ଡରେ ଧରିବି କିପରି ? ଏ କଥା ମୁଁ ମନରେ ଭାବିବି କିମିତି ? ଧର୍ମର ବୋଉ ମୋର ! କେଡ଼େ ପବିତ୍ର ତୁ ! ତତେ ଦେଖିଲେ ମୁଁ ପରା ହସେ, ତତେ ଦେଖିଲେ ମୁଁ ପରା ସବୁ ଦୁଃଖ..... !

 

ନନା, ଓହୋ, କି ନିଷ୍ଠୁର ! ୟାକୁ ତୁମେ ପାପ ବୋଲି କହିଲ ? ଆଉ ମୋ ଉପରେ ଏହି ପାପ ଭାରି ଲଦି ଦେଇ ତୁମେ ତୁମେ ନିଶ୍ଚିନ୍ତ ରହିଲ ! ...ପାପ...ପାପ...ପାପ...!!! ନା, ନା, ବୋଉ, ସେ ମୋର ବୋଉ ।

 

ଗଉରୀ ଆଉ ଶୋଇ ପାରିଲା ନାହିଁ । ମନ ଭିତରେ ଏ ସବୁ କଥା ତୁଳି ବିଚାରି ପାରିଲା ନାହିଁ । ତା ଆଖିକୁ ନନା ବେଳେ ବେଳେ ଏକ ପ୍ରକାଣ୍ଡ ଖତଗଦା ପରି ଦେଖାଗଲେ, ଆଉ ବୋଉ ତାହାରି ପାଖେ ସ୍ୱଚ୍ଛ ସୁନ୍ଦର ନିର୍ଝରିଣୀଟିଏ ପରି ପବିତ୍ର ମଧୁମୟ ଜଣାପଡ଼ିଲା !

 

ଏକ ଲୟରେ ଉଠି ସେ ସିଧା ସିଧା ବ୍ରଜଘର ପାଖ ସେହି ଚୋରିଦୁଆର ନିକଟରେ ଯାଇ ପହଞ୍ଚିଲା । ସେଠି ସେ କଣ କହିବ, କିଛି ଠିକ୍ କରିପାରିଲା ନାହିଁ । ଥରେ ବ୍ରଜଘର ପାଖକୁ ପାଦ ବଢ଼ାଇ ଦେଇ ପୁଣି ସ୍ଥିର ହୋଇ ରହିଗଲା । ଭାବିଲା–‘‘ସତେ କି ମୁଁ ପାପ କରୁଛି ? ଏଇବାଟେ ତ କେତେ ଥର ହସି ହସି ଯାଇଚି, ହସି ହସି ଆସିଚି.......ଯିବି ନା ଫେରିବି ?’’

 

ପୁଣି ପାଦେ ପକାଇଲା, ପୁଣି ରହି ଭାବିଲା । ପାଦେ ଘୁଞ୍ଚି ଆସି ଆହୁରି ପାଦେ ବଢ଼ାଇଲା । ଏ ପାଖକୁ ଚାହିଁ ସେ ପାଖକୁ ଫେରିଲା । କି ଗୁରୁତର ସନ୍ଦେହଦୋଳାରେ ତାର ଚିତ୍ତ ଆନ୍ଦୋଳିତ ହେବାକୁ ଲାଗିଲା !

 

ସେ ଥରିଲା, ତା ମନ ଥରିଲା, ଚାହୁଁ ଚାହୁଁ ସେହି ଅନ୍ଧାର ରାଜ୍ୟ ଭିତରେ ସେହି ଘରଟା ମଧ୍ୟ ଥରିଲା । ତାର ମନ ହେଲା, ପାଟି କରି ଡାକି ଦେବ । କାହାକୁ ଡ଼ାକିବ ? ପାଖରେ କେଉଁଠି କୁମ୍ଭାଟୁଆ ହୁଙ୍କାରି ଉଠିଲା ! ତାକୁ ଜଣାପଡ଼ିଲା, ତା’ କାନ ପାଖେ କିଏ ବଜ୍ରଗମ୍ଭୀର ସ୍ୱରରେ ତାହାରି ଯିବା ନ ଯିବା କଥା କି ଅବୋଧ୍ୟ ଭାଷାରେ କହିଦେଇ ଯାଉଛି !

 

କଣ କରିବ ସେ ? କ୍ଷଣେ ରହି କ୍ଷଣେ ଚାଲିଲା । ପାଦେ ଫେରି ପାଦେ ପକାଇଲା । ରମା ଉଠିପଡ଼ିବ ପରା ! ଡ଼ାକିଦେବ ବା ଗଉରୀ ବୋଲି ! ଏ କି ଏଠି ଥାଇ; ବ୍ରଜ ଘର ଭିତରେ ଥାଇ ଏପରି ନିର୍ଜନ ଅନ୍ଧାର ରାତିରେ ପାଟି ଶୁଣାଇ ଦେବ ? ...ଛି, ଛି...ରମା କଣ ସତେ ନ ଭାବିବ !! ଭାବି ଭାବି ତା ଦେହ ଶୀତକଣ୍ଟା ମାରିଗଲା । ଭାବିଲା, ଧାଇଁଯାଇ ରମାକୁ ସତ କଥାଟା କହି ଦେଇ ଆସିବ, ମନ କଥାଟା ଫିଟେଇ ଦେଇ ଆସିବ ।

 

କିନ୍ତୁ ସେ କହିବ କଣ ? ସେ କି ଚୋରି କରୁଛି ? ସେ କି ପାପ କରୁଛି ! ସେ ଆସୁଛି, ତାର ବହୁଦିନର, ପ୍ରତିଭୁହୂର୍ତ୍ତର ପରିଚିତ ବ୍ରଜ-ଘରକୁ । ସେ ଆସୁଛି, ତାର ଧର୍ମର ବୋଉ ଘରକୁ । ଏତେଦିନ ବିଚାରି ବିଚାରି, ଦିନରେ ଶାନ୍ତି ନ ପାଇ, ରାତିରେ ନ ଶୋଇ, ସେ ତାର ପ୍ରକୃତ ବାଟ ଖୋଜି ପାଇଛି । ବାଟ ମୁହଁରୁ ଫେରିଯିବ କିପରି ? ପୁଣି.....ଏତେବେଳେ ଏପରି ଭାବରେ ଗଲେ ବ୍ରଜ କି କଣ ମନେ କରିବ..... ?

 

ପାଦ ପରେ ପାଦ ଆଗକୁ ପଡ଼ିଲା । କିନ୍ତୁ ଏ କି ବିପଦ ! ତଳଘରୁ ଅଗଣା ଭିତରକୁ ପଶିଯାଇ ଦେଖେ ତ ଆଗରେ ବ୍ରଜ !! ଲଣ୍ଠନଟା ଜଳୁଛି, ହାତରେ କାଗଜ ଖଣ୍ଡେ ଧରି ବ୍ରଜ ହସି କଣ ଭାବିାରେ ଲାଗିଛି ।

 

ତା ଦେଖି ଗଉରୀର ଗୋଡ଼ ଆଉ ଚଳିଲା ନାହିଁ । ସତେ ଅବା ସେ ପଥରର ଏକ ଦେବୀ-ମୂର୍ତ୍ତି ପାଲଟିଗଲା । ବ୍ରଜ ଅଭିଭୂତ ଭାବରେ ତାକୁ ଆଗରେ ଦେଖି ଚମକିଲା ପରି କହିଲା–‘‘ଗଉରି !’’

 

ଠିକ୍ ସେହି ସମୟରେ ଗଉରୀ ‘ବୋଉ’ ବୋଲି ଡ଼ାକିଦେଇ ସେହିଠାରେ ବସିପଡ଼ିଲା । ତାର ନିଶ୍ୱାସର ଗତି ବନ୍ଦ ହୋଇଗଲା । ଚାହୁଁ ଚାହୁଁ ଫୁଲ ଝାଉଁଳିଲା ପରି ତା ଦେହଟା ଯାକ ଝାଉଁଳିଗଲା । ଏ ଆକସ୍ମକ ଘଟଣାରେ ବ୍ରଜର ବିସ୍ମୟର ସୀମା ରହିଲା ନାହିଁ । ସେ କିଛି ବିପଦ ଆଶଙ୍କା କରି ପୁଣି ପଚାରିଲା-

 

‘‘ଗଉରି, ଏତେ ରାତିରେ.....ଉପାସରେ କି ଇମିତି ହୁଅନ୍ତି ?’ କହି କହି ସେ ଗଉରୀର ହାତ ଦି’ଟାକୁ ଦୁଇ ହାତରେ ଧରି ତଳେ ଉଠାଇ ପକାଇବାକୁ ଚେଷ୍ଟା କଲା । ଗଉରୀ ସେତେବେଳେ ନିତାନ୍ତ କାତର ଅଧୀର ଭାବରେ ତା ମୁହଁକୁ ଚାହିଁ ରହି ପଚାରିଲା–

 

‘‘ମୁଁ କି ସତରେ ପାପ କରିଛି ? କିଏ କହି ପାରିବ କି ପାପ କରିଛି ?’’

 

ବ୍ରଜର ଭୟରେ ସୀମା ଲୁଚି ଗଲା । ତାର ମନେ ପଡ଼ିଲା ଆଉ ଏକ କଥା । କହିଲା–‘‘ପାପ ! କିଏ କହିଲ, ପାପ କରିଛୁ ବୋଲି ?’’ ମିଛ, ମିଛ । ସେମାନେ ଯାହାକୁ ପାପ ବୋଲି କହୁଛନ୍ତି ମୁଁ ତାକୁ ପାପ ବୋଲି କହିପାରୁ ନାହିଁ । ସଂସାରରେ ଏହିପରି ଅଲଗା ଅଲଗା ଅନେକ କଥା ଅଛି । ମୁଁ ସବୁ ଜାଣିଛି, ସବୁ ବୁଝିଛି, ଗଉରି ! ତୋ ମନ ଭିତରେ ତ ଆଲୁଅ ଜଳୁଛି, ପାପ ସେହି ଭିତରେ ଲୁଚି ରହିବ କିମିତ ? ମିଛରେ ତୁ ପାପ ବୋଲି ଭାବୁଛୁ ।’’

 

ଗଉରୀ ବ୍ରଜ ଭାଇ ବୁକୁ ଭିତରେ ମୁଣ୍ଡ ଗୁଞ୍ଜି ଦୁଇ ତିନିଟା ଦୀର୍ଘଶ୍ୱାସ ଛାଡ଼ିଲା । ସେତିକିରେ ସତେ ଅବା ତା’ ବୁକୁ ଭିତରୁ ବହୁ-ଯୁଗର ସଞ୍ଚିତ ଅସରନ୍ତି ଦୁଃଖ ବେଦନା ସେହି ମୁହୂର୍ତ୍ତରେ ସେହି ଠାରେ ଅପସାରିତ ହୋଇଗଲା । ପଦେ ହେଲେ କଥା କହିବାକୁ ତାର ଆଉ ଓଠ ଫିଟିଲା ନାହିଁ । ତାର କପାଳ ଦେଶରେ ବ୍ରଜର ତପ୍ତ ନିଶ୍ୱାସ ଘନ ଘନ ଭାବରେ ବାଜିବାରୁ ସେ ମୁହଁ ଟେକିଲା ।

 

ଦୁହେଁ ନୀରବ, ନିର୍ଜନ ରାତି । ବାହାରେ କୌଣସି ଅଜ୍ଞାତ କୀଟ ପତଙ୍ଗର କ୍ଷୀଣ ଚିତ୍କାର ସଂସାରର ଦୁଃଖ ବିପଦକୁ ନିଜ ବୁକୁରେ ଜମାଟ ବାନ୍ଧି କାହାକୁ ଶୁଣାଉଥିଲା ପରି ଜଣାପଡ଼ୁଥିଲା । ଆକାଶରେ ଗ୍ରହ ନକ୍ଷତ୍ରଗୁଡ଼ାକ କାହିଁ ଲକ୍ଷ ଯୋଜନ ଦୂରରେ ଥାଇ କି ମହାମନ୍ତ୍ର ସାଧନାରେ ରତ ଥିଲେ । ବ୍ରଜ ଦେଖିଲା, ତା ବୁକୁ ପାଖରୁ ଗଉରୀର ମୁଣ୍ଡଟା ଧୀରେ ଧୀରେ ଖସିଗଲା । ତା ପରେ ଗଉରୀର ଦେହ ହଲ ଚଲା ହେଲା । ଥରେ ମୁହଁ ଟେକି ବ୍ରଜ ମୁହଁକୁ ଚାହିଁ ଦେଇ ଧୀରେ ଧୀରେ ସେ ଅନ୍ଧାରରେ କୁଆଡ଼େ ମିଶିଗଲା । ବ୍ରଜ ସେଠି ଚିତ୍ର ପିତୁଳା ପାଲଟିଗଲା-

•••

 

-ପଞ୍ଚତିରିଶି-

 

ଏତେ ଦିନ ମଧ୍ୟରେ ରୁଆପଡ଼ାରେ ଯେ ଉତ୍ତେଜନାର ସୃଷ୍ଟି ହେଲା, କୌଣସି ଦେବତା ସୁଦ୍ଧା ତାହା ବନ୍ଦ କରିବା ସମ୍ଭବପର ହେଲା ନାହିଁ । ଲୋକଙ୍କ ଭିତରେ ଜାଗରଣ, ସେମାନେ ମଣିଷ ହେବେ, ପାଠ ପଢ଼ିବେ, ସଂସାର ଯାକର ନାନା କଥା ଜାଣିବେ ।

 

ଖାଲି ରୁଆଡ଼ା ନୁହେଁ, ରୂଆପଡ଼ାକୁ କେନ୍ଦ୍ର କରି ଦଶ ପାଞ୍ଚ କୋଶ ମଧ୍ୟରେ ଯେତେ ଯେଉଁଠି ଅଛୁଆଁ ଜାତିର ଲୋକ ଥିଲେ, ସମସ୍ତଙ୍କ ଭିତରେ ଗୋଟାଏ ନୂଆ ଚହଳ ପଡ଼ିଗଲା । ନିଜକୁ ନିଜେ ସେମାନେ ଚିହ୍ନି ପାରିଲେ ଯେ, ସେମାନେ ଜଣେ ଜଣେ ମଣିଷ-ପଶୁ ନୁହନ୍ତି କି ନରକର ଜୀବନ ନୁହନ୍ତି । ରୂଷି ମହର୍ଷିଙ୍କ ପରି ସାଧନା ବଳେ ସେମାନେ ମଧ୍ୟ ଦେବତା ପାଲଟି ଯାଇ ପାରିବେ ।

 

ଏହି ନବ-ଜାଗ୍ରତ ଜୀବଗୁଡ଼ାକର ମହାଜାତିଅଣ ସଭାଡ଼କା ହେଲା । ସେହି ସଭାରେ ପ୍ରଧାନ ପୁରୋଧା ହେବ ବ୍ରଜ ଏବଂ ସଭାକୁ ଆସିଥିବା ନାରୀମାନଙ୍କୁ ସେମାନେ କଥା ବୁଝାଇବା ଭାରି ରହିବ ଚକ୍ର ବୋଉ ସତ୍ୟଭାମାଙ୍କ ଉପରେ। ବ୍ରଜ ଘରେ ସତ୍ୟଭାମାଙ୍କ ଆଗରେ ‘ନରକ’ ଯିବା କଥା ପଡ଼ିବା ଦିନୁ ଏହାହିଁ ଠିକ୍ ହୋଇଥିଲା । ଠିକ୍ ସେହି ଦିନଟା ପଡ଼ିଲା ଗଉରୀର ନିର୍ଜଳ ଉପବାସର ପ୍ରଥମ ଦିନ ।

 

ସଭା ଦିନ ସକାଳୁ ବ୍ରଜ ତା ବୋଉକୁ ପଚାରିଲା–

‘‘ବୋଉ ତୁ ଆଜି ଏପରି ଉପବାସ କରିବା କି ଠିକ୍ ହୋଇଛି ?’’

 

ବ୍ରଜ ଏ କଥା ପଚାରିବା ଆଗରୁ ସକାଳୁ ଉଠି ଆକାଶ ପାତାଳ ବହୁତ କଥା ବିଚାରି ସାରିଥିଲା । ରାତିରେ ସେ ପ୍ରକୃତରେ ଗଉରୀକି ଦେଖିଛି କି ସ୍ୱପ୍ନ ଦେଖିଛି; ଏହି କଥା ସେ ଅନେକ ସମୟ ଭାବିଲା । ଏ ଭାବନାରେ ସେ ଏପରି ଅନୁଭୂତ ହୋଇ ପଡ଼ିଲା ଯେ, ସେହି ଜାଗ୍ରତ ଅବସ୍ଥାରେ ତାକୁ ଜଣା ପଡ଼ିଲା–ସତେ ଅବା ସେ ସେହିଠାରେ ଗଉରୀକି ଟେକି ଠିଆ କରି ଦେଇଛି; ତାର ତତଲା ଲୁହ ଦୁଇ ଧାରକୁ ନିଜ ବୁକୁରେ ଦାଗ ପକାଇ ଦେଇଛି । ଲୁହ ଦେଖି କିଏ କଣ ବିଚାରିବ ବୋଲି ସେ ଆପଣା ହାତରେ ବୁକୁଟାକୁ ପୋଛି ଦେଲା । ପର ମୁହୂର୍ତ୍ତରେ ନିଜ ଲାଜରେ ସେ ନିଜେ ସଢ଼ିଗଲା ।

 

ପୁଅର ଏହି ପ୍ରଶ୍ନ ଶୁଣଇ ବୋଉ ହସି ହସି କହିଲା-

 

‘‘ଠିକ୍ ହେଇ ନାଇଁ କିଆଁରେ ? ଠିକ୍ ହେଇଚି ? ଠିକ୍ ହେଇଚି ! ମତେ ଛୁଇଁବା ଯୋଗୁ ଯେବେ ଆଉ ଜଣକୁ ନିଷ୍କାରଣରେ ନିର୍ଜନ ଉପବାସ କରିବାକୁ ପଡ଼େ, ସେତେବେଳେ କି ମୁଁ ଭାତ ଖାଇ ରହିବା ଉଚିତ ? ଏ ଉପାସରେ ମତେ ଏକାଦଶୀ ଅପେକ୍ଷା ଆହୁରି ପୁଣ୍ୟ କଲା ପରି ଲାଗୁଚି । ମତେ ଆଉ ଭୋକ ନାଇଁ କି ଶୋଷ ନାଇଁ !’’

 

ବ୍ରଜ ଆଶ୍ଚର୍ଯ୍ୟ ହୋଇ ପଚାରିଲା-‘‘ପୁଣ୍ୟ କଲୁ ? କେମିତି ବୋଉ ପୁଣ୍ୟ ପଲୁ ? ତୋ ଯୋଗୁଁ ପରା ଜଣେ ଉପାସରେ ଛଟପଟ ହେଉଚି ! ଆଉ, ତୋର ପୁଣ୍ୟ ହେଲା କିମିତି ?’’

 

‘‘ପୁଣ୍ୟ ହେଲା କିମିତି ? ସେ ଛଟପଟ ହେଉଚି ବୋଲି ମୋର ପୁଣ୍ୟ ହେଲା ।’’

 

‘‘ଜଣେ କି ଉପାସରେ ଛଟପଟ ହେଲେ ଆଉ ଜଣକର ପୁଣ୍ୟ ହୁଏ ? ଏ ତ ସଂସାର ବାହାର କଥା ମତେ କହୁଚୁ !’’

 

ପୁଅର ଏ ପ୍ରକାର ଯୁକ୍ତି କଥା ଶୁଣି ବୋଉ ହସି ହସି କହିଲା,-‘‘ବୁଝି ପାରୁନି ଏଇ କଥା-? ତାକୁ ପରା ଏଇ କୋଳରେ ମୁଁ ପାଳିଥିଲି ରେ......’’

 

‘‘ହଁ, ତା ତ ବୁଝୁଚି; ମାତ୍ର ଏ ଉପାସ କଥା......’’

‘‘ଏଇ ମୋ କୋଳରେ କି ସେ ମୁଣ୍ଡ ପୋତି କାନ୍ଦିଲେ ତାର ପାପ ହେବ ?’’

 

‘‘ତା ତ କେଉଁ ହେବ ନାଇଁ, ମୁଁ ଜାଣେ । ମାତ୍ର ଲୋକେ ଜାଣିବାକୁ ତ ପାପ ନ କରି ପାପର ପ୍ରାୟଶ୍ଚିତ୍ତ କରିବାକୁ ହେଲା ।’’

 

‘‘ସତ କଥା, ଲୋକେ ଜାଣିବାକୁ ୟା ହେଲା । ମାତ୍ର ସେ ତ ୟାକୁ ପାପ ବୋଲି ବିଚାରି ନାଇଁ !’’

 

‘‘ସେ କଣ ବୋଲି ବିଚାରିଚି, ଭାବୁଚୁ ?’’

 

‘‘ସେ ମନେ ମନେ ଭାବୁଚି-‘ନାନା ମୋର କେଡ଼େ ଅବୁଝା ଲୋକ, ସତେ ! ବୋଉ କୋଳକୁ ଝିଅ ଗଲେ କଣ ପାପ ହେଲା ? ମତେ ଛୁଇଁ ସେ ଯେବେ ଉପାସ କରି ନ ଥାନ୍ତା, ତାହାହେଲେ ତା ନାନାଙ୍କୁ ସେ ଦୋଷୀ ବୋଲି ବୁଝନ୍ତା କିମିତି ? ମୁଁ ଜାଣେ, ତା ନନା ଏପରି କଥା କରି ଘୋର ଅନ୍ୟାୟ କରିଚନ୍ତି । ଆଉ ସେହି ଅନ୍ୟାୟଟା ଜଣା ପଡ଼ିଗଲା କେବଳ ମୋରି ଯୋଗୁଁ-। ସେହି ଅନ୍ୟାୟ କଥା, ଗଉରୀ ବୁଝିଲା, ରମା ବୁଝିଲା, ଦିନେ ସେଇ ନିଜେ ବୁଝିବେ ମଧ୍ୟ-। ବୁଝି ପାରିଲେ କି ମଣିଷ ଆଉ କି ପାପ କରେ ? ଜଣକ ଯୋଗୁଁ ଜଣେ ଯେବେ ନିଜ ଅନ୍ୟାୟ ବୁଝି ଭଲ ବାଟକୁ ଆସିବ, ତାହାହେଲେ କଣ ସେଟା ଏକ ପୁଣ୍ୟ କାର୍ଯ୍ୟ ନୁହେ ? ମୁଁ ଆଜି ଏମିତି ପୁଣ୍ୟ ଅର୍ଜିଚି, ବୁଝିଲୁ ?’’

 

ବ୍ରଜ ତା ବୋଉର ସେହି ଶାନ୍ତସ୍ନିଗ୍‌ଧ ମୁଖମଣ୍ଡଳକୁ ଥରେ ଚାହିଁ ରହି ପୁଣି ପଚାରିଲା–

‘‘ବୋଉ, ତୁ କଣ ସତରେ ଗଉରୀ ମନ କଥା ଜାଣି କରି କହୁଚୁ ?’’

 

‘‘ଜାଣି ପାରିବି ନାଇଁ ? ମାଇପି ମନ କଥା ମାଇପିଏ ଜାଣିବେ ନାଇଁ ତ ଜାଣିବ କିଏ-?’’

 

ବ୍ରଜ ଆଉ କଣ ପଚାରୁ ପଚାରୁ ବୋଉ କହିଲା –

 

ଗଉରୀକି ଜାଣିଚି, ତାର ଦୋଷ କିଛି ନାହିଁ । ପାପ କଣ ଏଥିରେ, ସେ ବୁଝି ନାହିଁ । ସେ ଏତେ କଷ୍ଟ ସହି କାହାକୁ ଦୋଷ ଦେଉ ନାହିଁ । ଦୋଷ ନ ଦେଇ ସେ ତା ନନାକୁ ଦୟା କରୁଚି । ତା ମନଟା ଏବେ ବଡ଼ ଥିର ଅଛି । ତା ମୁହଁରୁ କଥା ଶୁଣିଲେ ମତେ ଆଉ ଦୁଃଖ ଲାଗୁ ନାହିଁ । କେଜାଣି କାହିଁକି ଅନେକ ଦିନ ହେଲାଣି ମୋ ପାଖକୁ ସେ ଭରସି କରି ଆସୁ ନ ଥିଲା । କାଲି ସେତିକିବେଳେ କାନ୍ଦି କାନ୍ଦି ମତେ କହି ପକାଇଲା-‘ମୁଁ ଆଉ ଏ ଘରେ ରହି ପାରିବି ନାହିଁ, ରହି ପାରିବି ନାହିଁ। ମୋ ଘେନି ଆଉ ଗୋଟିଏ ପ୍ରାଣୀ ମରିବ ସିନା, ଆଉ କିଛି ଲାଭ ହେବ ନାହିଁ । ଅଜାତିଆ ହୋଇ ତମେ ଯୁଆଡ଼େ ଯିବ ମତେ ସିଆଡ଼େ ନିଅ । ମତେ ଏ ବିପଦରୁ ରକ୍ଷା କର.... । କେତେ କଥା କହିଲା, ସବୁ କଣ ମୋର ମନେ ଅଛି କି ରେ, ପୁଅ ?’’

 

ବ୍ରଜ ପଚାରି ଆସୁଥିଲା–

‘‘ତେବେ କଣ ସେ.....’’

ତେଣେ ଦୂରରେ ଶୁଭିଲା–

‘ଆଗଚଲା ଦଳ ଆଗେ ଚାଲ ଚାଲ,

ପଛେ ପଡ଼ିଥାଉ ଖାଲି ସଂସାର’

 

ବ୍ରଜ କାନେଇଲା ପରି ତରତର ହୋଇ କହିଲା–‘‘ହେଇଟି, ଲୋକେ ଆସି ଗଲେଣି । ଏଇକ୍ଷଣି ବାହାରିବାକୁ ହେବ ।’’

 

ବୋଉ ମୁହଁର ରଙ୍ଗ ହଠାତ୍ ବଦଳିଗଲା । ତା ମନ ଭିତରେ ଏକ ଘୋର ଆନ୍ଦୋଳନ ଆରମ୍ଭ ହେଲା । ‘‘ଭାବିଲା, ସତେ କି ଆଜି ମଧୁସୁର ଗାଁରେ ଗୋଟେ ନୂଆ କଥା କରି ବସିବି ? ସତେ କି ଏ ପର କୋଣ ଛାଡ଼ି ତାଘରକୁ, ଦାଣ୍ଡକୁ ବାହାରି ପଡ଼ିବି ?’’

 

ସେତେବେଳେ ଦୋଡ଼କୁ ଦୁଇଟା ବାଟ ଦେଖାଗଲା । ଗୋଟେ ଅନ୍ଧାରରେ ଏବଂ ଆଉ ଗୋଟେ ଆଲୁଅରେ । ସେ ଦେଖିଲା, ପଛରେ ତାର କେତେ ଯୁଗ ତଳର ବଂଶ, –କିଏ କେତେ ଗଙ୍ଗାସ୍ନାନ କରି ମରିଛି, କିଏ ଗୟାରେ ପିଣ୍ଡ ଦେଇ ବାପମାଆଙ୍କୁ ଉଦ୍ଧାର କରିଛି, କିଏ ବାର ବରଷରେ ଗୋଦାବରୀରେ ବୁଡ଼ ପକାଇ ବଂଶର ମୁଖ ଉଜ୍ଜ୍ୱଳ କରିଛି, କିଏ ରାମାୟଣ ମହାଭାରତ ଅଠର ଥର ଶୁଣି କେତେ ପୁଣ୍ୟ ଅର୍ଜିଛି, ପୁଣି କିଏ କାର୍ତ୍ତିକରେ ପୁରୀରେ ହବିଷ କରି ନୀଜ ଜୀବନକୁ ଧନ୍ୟ କରିଛି, କିଏ ପତିଙ୍କ ଆଗରେ ହାତରେ ଅହ୍ୟ କାଚ ଦେଖି ହସି ହସ ମରିଛି, କିଏ ବା ସତୀ ହୋଇ ପତିଚିତାକୁ ଡେଇଁ ପଡ଼ି ଗାଁଯାକରେ ସତୀ ଦୋଲେଇଛି ।

 

ଆଗରେ ଦେଖିଳା, ଏ ସବୁ କିଛି ନାହିଁ । ବ୍ରଜ,-ତା କୋଳର ସଙ୍ଖାଳି, ନୟନର ମଣି ବ୍ରଜ, ଆଗେ ଆଗେ ବାଟେ ବାଟେ ହସି ହସି ଡେଇଁ ଡେଇଁ ଚାଲି ଯାଉଛି । ତା ପଛେ ପଛେ ସେହି ବାଟଟା ଆଲୁଅ ହୋଇ ପଡ଼ୁଛି । ସେ ହସି ହସି କେତେ ସୁନ୍ଦର ଡାକି ଦେଇ ପୁଣି ଥରେ ହସି ଦେଉଛି । ସେହି ବାଟ କଡ଼ରେ କେତେ କିଏ କାତର ଭାବରେ, ବ୍ୟାକୁଳ ଭାବରେ ପଡ଼ି ହାହାକାର କରୁଛନ୍ତି । ବ୍ରଜ କହୁଛି–

 

‘‘ବୋଉ, ଏ ଶୋଷିକ ପାଣି ମନ୍ଦିଏ ଦେଲେ କି ପାପ ହେବ ?’’

 

ବୋଉ ଦୁଃଖରେ ଲୁହ ଢାଳି ଦେଉଛି । ସେହି ଲୁହକୁ ସେମାନେ କାତର ଭାବରେ ପିଇ ଦେଇ କହୁଛନ୍ତି, ‘ମା, ତୋର ଗଙ୍ଗା ସ୍ନାନ ଫଳ ହେଉ ।’

 

ବ୍ରଜ କହୁଛି–‘‘ବୋଉ, ଏହି ମଣିଷଗୁଡ଼ାକ ପଶୁ ପାଲଟି ଯାଇଛନ୍ତି । ଆମେ ତାଙ୍କୁ ମଣିଷ ବୋଲି ଚିହ୍ନାଇ ଦେଲେ କଣ ଲୋକେ ନିନ୍ଦା କରିବେ ?’’

 

ବ୍ରଜ କହୁଛି, ‘‘ବୋଉ, ଏହି ଯେଉଁ କୁଡ଼ିଆ ଖଣ୍ଡିକ ଦେଖୁଛୁ, ଏ ଖଣ୍ଡିକରେ ମଣିଷ ନ ରହିବା କଥା; ମାତ୍ର ବାଧ୍ୟ ହୋଇ ରହିଛନ୍ତି । ଆମେ ଏମାନଙ୍କୁ ସାଙ୍ଗରେ ଡାକି ନେଲେ କଣ ଅନ୍ୟାୟ ହେବ ?’’

 

ବ୍ରଜ କହୁଛି, ‘‘ବୋଉ, ନଈ ବଢ଼ିରେ ଏହି ଯେଉଁ ଲୋକ-ଗୁଡ଼ାକ ଭାସି ଆସିଛନ୍ତି, ଏଗୁଡ଼ିକର ଜାତି ଗୋତ୍ର କିଛି ନାହିଁ । ଏମାନଙ୍କ ତୁଣ୍ଡରେ ତୋରାଣି ମନ୍ଦିଏ ଲେଖାଏଁ ଦେଲେ କଣ ଭଲ ହେବ ନାହିଁ !’’ ବ୍ରଜ କେତେ ଏହିପରି କହୁଛି, ବୋଉ ସେହି ବାଟେ ବାଟେ କେତେ ଏହିପରି ଦେଖୁଛି !

 

ବ୍ରଜ–ବୋଉ ପକ୍ଷରେ ତ ଏହା ଘର ଛାଡ଼ି ବାହାରକୁ ଯିବା କଥା ନୁହେଁ; ଏହା ହେଉଛି, ଏକ ପୃଥିବୀ ଗ୍ରହରୁ ଅନ୍ୟ ଗ୍ରହକୁ ଯିବା କଥା । ଏହି ଦୁଇଟା ପଥରୁ କେଉଁ ପଥରେ ସେ ପାଦ ଚାଳିବ, ଭାବିଛି; ବ୍ରଜ ଡ଼ାକିଲା–

 

‘‘ବୋଉ !’’

 

ବୋଉ ଭାବୁଥିଲା; ମୁହଁ ଟେକି ଚାହିଁ କହିଲା–‘‘ବ୍ରଜ, ମତେ କଣ ତୁ ଟାଣି ଟାଣି ଦାଣ୍ଡକୁ ନେବୁ, ସତରେ ?’’

 

ବ୍ରଜ ବୋଉର ହାତ ଧରି ପକାଇ କହିଲା–‘‘ତୁ ଯେବେ ଇଚ୍ଛା ନ କରିବୁ ମୁଁ କି ନେଇପାରିବି ? ନେଲେ କି ମୋର ମଙ୍ଗଳ ହେବ ? ମୁଁ ଆଜି ଯେ ଏତେ ବାଟ ଆସିଛି, ତୋର ଆଶୀର୍ବାଦ ନ ଥିଲେ କି ମୁଁ ଏ ସବୁ ସମ୍ଭାଳି ପାରନ୍ତି ?’’

 

ପୁଅର ଏ କଥା ଶୁଣି ବୋଉ ମନେ ମନେ କି ଆଶୀର୍ବାଦ କରୁଥିଲା କେଜାଣି, ତେଣେ ଦୁଆରେ ଶୁଭିଲା–

 

‘‘ଲଙ୍ଘିବା ଆଜି ପଥ ଦୁସ୍ତର

ଚାଲ, ଚାଲ ଆଜି, ଚାଲ, ଚାଲ, ଚାଲ ।’’

 

ଦାଣ୍ଡ ଆଡ଼େ ଭୟଙ୍କର ଗହଳ ଚହଳ । ଖୋଳ କରତାଳ ଧରି ଦଳେ ଆସି ଦଆରେ ହାଜର । ଏ ଘଟଣା ଦେଖିବା ଲାଗି ଗାଁର ବାରପଣ ଲୋକ ଦାଣ୍ଡରେ, ପିଣ୍ଡାରେ ଆସି ଠିଆ । ମଧୁପୁର ଗାଁର ଏ ବିଚିତ୍ର କଥା ଦେଖି କିଏ କହୁଛି–‘‘ଏହିଠାରେ କଳିକାଳ ଶେଷ ହେଲା !’’

 

ସଙ୍ଗେ ସଙ୍ଗେ କିଏ ଉତ୍ତର ଦେଉଛି–‘‘ଏହିଠାରୁ ନବଯୁଗ ଆରମ୍ଭ ହେଲା ।’’

 

କାଳ ଶେଷ ହେଲା କି ଯୁଗ ଆରମ୍ଭ ହେଲା, ଏ ବିଷୟରେ ଜନତା ମଧ୍ୟରେ ଯୁକ୍ତିତର୍କ ଗୋଳମାଳ ଚାଲିଥିବା ବେଳେ ବ୍ରଜ ହଠାତ୍ ପିଣ୍ଡାକୁ ବାହାରି ଗମ୍ଭୀର ମୂର୍ତ୍ତିରେ ଠିଆ ହୋଇ ପଡ଼ିଲା-। ତା ପଛେ ପଛେ ଆଉ ଏକ ବିଚିତ୍ର ଦୃଶ୍ୟ ଦେଖାଗଲା । ଶୁଭ୍ର ସିଗ୍ଧ ବସନ ଖଣ୍ଡିଏ ପିନ୍ଧି ମସ୍ତକକୁ ଟିକିଏ ଅବନତ କରି ତାହାରି ପାଖରେ ଆସି ତା ବୋଉ ସତ୍ୟଭାମା ଠିଆ ହୋଇ ପଡ଼ିଲେ। ତାହା ଦେଖିଲା ମାତ୍ରେ ଜନତା ଭିତରେ ମହାଚାଞ୍ଚଲ୍ୟ ଦେଖାଗଲା । ସତେ ଅବା ପ୍ରବଳ ବତାସରେ ସମୁଦ୍ର ବକ୍ଷ ଅତିମାତ୍ରାରେ ଆନ୍ଦୋଳିତ ହୋଇ ଉଠିଲା ! ଦଳେ ସେ ଦୃଶ୍ୟ ଦେଖି ନ ପାରି ‘ରାମ’ ‘ରମ’ ‘ରାମ’ କହି କହି ଆଖିକି ଟିକିଏ ଟିକିଏ ମୁଦି ଦେଲେ, ମାତ୍ର ଆୁ ଦଳଙ୍କ ଖୋଲା ଆଖିକି ଦେଖାଗଲା, ସତେ କୌଣସି କରୁଣାମୟୀ ଦେବୀ ମୂର୍ତ୍ତି ଅକାଳରେ ଆସି ଏହି ନିଷ୍ଠୁର ନିରାନନ୍ଦ ମଧୁପୁରପ୍ରାଣରେ ଅବତୀର୍ଣ୍ଣ ହେଲେ କି ? ଦେବୀ ମୁହଁରୁ ଏତିକି ମାତ୍ର କଥା ବାହାରିଲା–

 

‘‘ଚା’ ବାବୁ, ଆଉ କାହିଁକି ?’’

ଏହିପରି ସମୟରେ ପଛ ପଟୁ ଶୁଭିଲା-‘‘ବୋଉ, ବୋଉ !’’

ବୋଉ ବୁଲି ଚାହିଁଲା ।

ପଛରେ ଗଉରୀ ।

 

ଗଉରୀ ଦେହରେ ଖଣ୍ଡିଏ ମାତ୍ର ଶୁଭ୍ର ବସନ । ମୁହଁଟା ଫୁଟିଲା ପଦ୍ମ ପରି ଈଷତ୍ ଆରକ୍ତ ହୋଇ ଉଠିଛି । ଆଖି ଦୁଇଟି ଛଳ ଛଳ । ସେ ଧାଇଁ ଆସି ସତ୍ୟଭାମାଙ୍କ ପଣତଟା ଧରି ମୁହଁ ଲୁଚାଇଲା ପରି ରଖି କହିଲା–

 

‘‘ବୋଉ, ମତେ ଏକୁଟିଆ ଛାଡ଼ି ତୁମେ କୁଆଡ଼େ ଚାଲି ଯାଉଚ ? ତୁମେ ଯୁଆଡ଼େ ଯାଉଚ ମୋତେ ସେହି ଆଡ଼େ ନିଅ ।’’

 

ବୋଉ ତା ପ୍ରଶ୍ନର କିଛି ଉତ୍ତର ଦେଇ ପାରିଲା ନାହିଁ । ଅସ୍ଥିର ଭାବରେ ତା ମୁହଁକୁ ମୁହଁ ପାଖକୁ ଟାଣି ଆଣି ଘନ ଘନ ଭାବରେ ଦୁଇ ଚାରି ଥର ଚୁମ୍ବନ ଦେଲା । ଲୁହ ଜର ଜର ଚୁମ୍ବନ ଖାଇ ଗଉରୀର ସାତ ଜନ୍ମର ତପସ୍ୟା ଫଳ ଯେପରି ମିଳିଗଲା । ସେ ଟିକିଏ ମୁହଁ ସଳଖି ଆଡ଼ଆଖିରେ ଚାହିଁଲା–ବ୍ରଜ ସେତେବେଳେ ପୁଲକ ବିସ୍ଫାରିତ ନେତ୍ରରେ ତାହାରି ଆଡ଼କୁ ଭାବବିମୁଗ୍‌ଧ ପ୍ରାଣରେ ଚାହିଁ ରହିଛି !!

 

ବ୍ରଜକୁ ଥରେ ଚାହିଁ ଦେଇ ଗଉରୀ ମୁହଁ ପୋତିଦେଲା ।

ଏ ଦୃଶ୍ୟ ଦେଖି ସେଠି ମୁହୂର୍ତ୍ତେ ଖଣ୍ଡେ ଜନତାର କୋଳାହଳ ବନ୍ଦ ହୋଇଗଲା ।

ତା ପରେ ଗୀତ ଶୁଭିଲା !

ତା ପରେ ଯାତ୍ରା ଚାଲିଲା ।

ସେତିକିବେଳେ ବୃଦ୍ଧି ରାଧାନାଥ ପିଣ୍ଡାରୁ ଉଠି ଘର ଭିତରକୁ ପଶିଗଲେ ।

•••

 

-ଛତିଶି-

 

ରମାର ଉପବାସ ।

 

ଗଉରୀ ଉପବାସ କରିବା ମୁହୂର୍ତ୍ତରୁ ରମା ହୃଦୟ ଭିତରେ ନୃତ୍ୟ ଆରମ୍ଭ ହେଲା । ଗଛପତ୍ର ପାଣି ପବନ ଭିତରେ ସେ ଗଉରୀର ଛାୟା ଦେଖିବାକୁ ପାଇଲା । ତା ଅନ୍ତରର ଗୋପନତମ ପ୍ରଦେଶରେ ଗଉରୀରର ସକଳ ଦୁଃଖବେଦନା ନିତାନ୍ତ ସଜୀବ ହୋଇ ଉଠିଲା । ସେ ମନେ କଲା, ଦୁଃଖରେ ଗଉରୀର ହୃଦୟ ଫାଟିଯିବା ଆଗରୁ ତାର ଏ ନିଜ ହୃଦୟଟା ଫାଟିଯିବ ପରା !

 

ବାଡ଼ିପଟ କୂଅମୂଳ ପିଜୁଳି ଗଛ ପାଖେ ରମା ତାର ପ୍ରିୟ ସ୍ୱପ୍ନ ଦେଖିବାରେ ଲାଗିଲା । ଗଉରୀ ପ୍ରତି ଗଭୀର ସହାନୁଭୂତିରେ ତାର ପ୍ରତି ଲୋମକୂପ ଥରି ଉଠିଲା । ଆଗ କଥା କିଛି ନ ବିଚାରି ମନ ଖିଆଲରେ ସେ ହାତର ଶଙ୍ଖାଗୁଡ଼ିକ ଗୋଟି ଗୋଟି କାଢ଼ି ତଳେ ଥୋଇ ଦେଲା । ତା ପରେ କି ବିକଟ କୌତୁହଳରେ ହାତକୁ ଏପଟ ସେପଟ ତଳ ଉପର କରି ଦେଖିଲା, ଠିକ୍ ଯେପରି ଗଉରୀର ହାତ ! ନିଜେ ନିଜେ ସେ ହସି ଉଠିଲା । ସେତେବେଳେ କିଏ ଦେଖିଥିଲେ ମନେ କରିଥାନ୍ତା–ଏ କି ବାୟାଣୀ !

 

ତା ପରେ ଧୀରେ ଧୀରେ ବେକରେ ହାତ ଦେଲା । ହାର କେତୋଟା ଖସି ତଳେ ପଡ଼ିଗଲା । କେତୋଟାକୁ ହାତରେ ଧରି ସେ ଏପଟ ସେପଟ କରିବାରେ ଲାଗିଲା । ସେହି ଦ୍ୱାର ଭିତରୁ ଗୋଟାକର ଇତିହାସ ସେ ଜୀବନରେ କେଭେଁ ଭୁଲିବାର କଥା ନୁହେଁ । ଦାମ୍ପତ୍ୟ ଜୀବନର ପ୍ରଥମ ରାତିରେ ସେ ଯେତେବେଳେ ରାଧାନାଥଙ୍କୁ ଭେଟିଲା, ରାଧାନାଥ ସେହି ହାରଟାକୁ ସେତେବେଳେ ତା ବେକରେ ନିଜେ ପିନ୍ଧାଇ ଦେଇଥିଲେ । ସେଇଟାକୁ ଥରକୁଥର ଦେଖି ସେ କେବଳ ଦୀର୍ଘନିଶ୍ୱାସ ଛାଡ଼ିବାରେ ଲାଗିଲା ।

 

ତା ପରେ, ମୁହଁର ଅଳଙ୍କାର, କାଳର ଅଳଙ୍କାର, ମୁଣ୍ଡର ଫୁଲମାଳ-ସବୁ ଫିଟି ତଳେ ପଡ଼ିଗଲା । ନିଜର ସଦ୍ୟ ସତେଜ ବିଧବାବେଶଟି ଦେଖି ପାଜଳିନୀ ପରି ସେ ନ ହସି ରହିପାରିଲା ନାହିଁ । ହସି ହସି ବସି ବସି ସେ କଣ କେତେ ଭାବିଲା, କରୁଛି ତାର ସୀମା ରହିଲା ନାହିଁ ।

 

ରାଧାନାଥ ଦୂରରେ ଠିଆ ହୋଇ ଡାକିଲେ–‘‘ଗଉରି !’’

 

ଗୁରୁତର ଭୁଲ କଲେ ! ଗଉରୀ ନାଁ ଧରି ଡାକିବାକୁ ସେ ଆଗରୁ ପ୍ରସ୍ତୁତ ହୋଇ ଆସି ନ ଥିଲେ । କେବଳ ସେ ତାହାରି କଥା ଭାବୁଥିଲେ । ମନକୁ ମନ ସଂଶୋଧନ କରି ପୁଣି ଡାକିଲେ–‘‘ରମା !’’

 

ସେତେବେଳକୁ ସେ ଘର ଭିତର ସବୁଆଡ଼ ଖୋଜି ଆସି ବାଡ଼ିପଟେ ପହଞ୍ଚିଛନ୍ତି । କୁଅ ଠାରୁ ଖଣ୍ଡେ ଦୂରରେ ଥକା ହୋଇ ଠିଆହୋଇ ପଡ଼ି ଅର୍ଦ୍ଧ ସଦିଗ୍ଧ ହୃଦୟରେ ଡାକିଲେ–‘‘ରମା !’’

 

କିଛି ଉତ୍ତର ମିଳିଲା ନାହିଁ । ଗଉରୀ ନା ରମା, ଏହି ବିଚିତ୍ର ପ୍ରଶ୍ନ ହଠାତ୍ ତାଙ୍କ ହୃଦୟକୁ ଆନ୍ଦୋଳିତ କରି ପକାଇଲା । ବାଉଆଡ଼ ନା ଦାଣ୍ଡଆଡ଼ ? ଦେଖିଲେ ଠିକ୍ ବାଉଆଡ଼ । ବାଦ୍ୟ ନାହିଁ, ଗହଳ ଚହଳ ନାହିଁ, ବ୍ରଜ ନାହିଁ, ବ୍ରଜ–ବୋଉ ନାହିଁ ! ଆଉ, ଗଉରୀ !

 

ପୁଣି ସେହି ଭ୍ରମ-ରମା ନା ଗଉରୀ !

 

ଆଗରେ ସଦ୍ୟ ବିଧବା ବେଶରେ କିଏ ମୁହଁକୁ ତଳକୁ କରି କି ବିଚିତ୍ର ଭାବନାରେ ବୁଡ଼ି ରହିଛି । ତାକୁ ଦେଖି ସେ ଚିହ୍ନିପାରିଲେ ନାହିଁ । ବିଧବା ବେଶ ଛିଡ଼ା, ଗଉରୀ ରୂପ ଛଡ଼ା ସଂସାରରେ ତାଙ୍କ ଆଖିକି ଆଉ କିଛି ଦେଖାଗଲା ନାହିଁ । ତଳେ, ଉପରେ, ପୃଥିବୀରେ, ଆକାଶରେ ବିଧବା ଗଉରୀର ଅଙ୍ଗୁଳି-ନିର୍ଦ୍ଦେଶ ସେ ଦେଖିବାକୁ ପାଇଲେ । ଘରେ, ବାହାରେ, ହୃଦୟ ଭିତରେ ଗଉରୀ-କଣ୍ଠର ବିକଳ ସ୍ୱର ଶୁଣି ପାରିଲେ । ତାଙ୍କ କାନ ପାଖରେ ଗଉରୀ ।

Image